ଖୋଲିଲା ବଡନାଳ ଡ୍ୟାମ୍‌ର ୨ଟି ଗେଟ୍ : ରାୟଗଡ଼ା, ଗଜପତି ଜିଲ୍ଲାକୁ ସତର୍କ ସୂଚନା

ରାୟଗଡା : ରାୟଗଡ଼ା ଜିଲ୍ଲା ବଡନାଳ ଡ୍ୟାମର ୨ ଗେଟ୍‌କୁ ଆଜି ଖୋଲାଯାଇଛି। ଡ୍ୟାମ୍ ଜଳସ୍ତର ମୋଟ ଜଳଧାରଣ କ୍ଷମତାର ନିକଟତର ହେବା ପରେ ଗେଟ୍ ଖୋଲିବାକୁ ନିଷ୍ପତ୍ତି ନେଇଛନ୍ତି ଡ୍ୟାମ୍ କର୍ତୃପକ୍ଷ। ସଂଧ୍ୟା ୬ଟାରେ ପ୍ରଥମ ଗେଟ୍ ଏବଂ ରାତି ୭ଟାରେ ଦ୍ବିତୀୟ ଗେଟ୍ ଖୋଲାଯାଇ ଜଳ ନିଷ୍କାସନ କରାଯାଇଛି। ଡ୍ୟାମରୁ ନିଷ୍କାସିତ ଜଳ ବଂଶଧାରା ନଦୀରେ ପ୍ରବାହିତ ହେଉଥିବାରୁ ଉଭୟ ରାୟଗଡା ଓ ଗଜପତି ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି।

ଡ୍ୟାମର ଜଳଧାରଣ କ୍ଷମତା ୧୭୬ ମିଟର ହୋଇଥିବାବେଳେ ମଧ୍ୟାହ୍ନ ୧୨ଟାରେ ଜଳସ୍ତର ୧୭୫.୮୯ ମିଟରରେ ପହଞ୍ଚିଥିଲା। ସଂଧ୍ୟା ୫ଟାରେ ଜଳସ୍ତର ୧୭୫.୯୧ ମିଟରକୁ ଛୁଇଁବା ପରେ ଗେଟ୍ ଖୋଲା ଯାଇଥିଲା। ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁ ଗତ ଦୁଇ ଦିନ ହେଲା ଡ୍ୟାମ୍ ଜଳସ୍ତର ବୃଦ୍ଧି ପାଉଥିବାରୁ ଗେଟ୍ ଖୋଲିବା ନେଇ ପୂର୍ବରୁ ଡ୍ୟାମ୍ କର୍ତୃପକ୍ଷ ଘୋଷଣା କରିଥିଲେ।

ଗୁଣପୁର କେନ୍ଦ୍ରୀୟ ଜଳ ଆୟୋଗ, ରାୟଗଡା, ଗଜପତି ଜିଲ୍ଲା ପ୍ରଶାସନ ସମେତ ସମସ୍ତ ଲୋକ ପ୍ରତିନିଧି ଓ ନଈକୂଳିଆ ଗ୍ରାମ‌ବାସୀକୁ ସତର୍କ କରାଯାଇଥିଲା। ସଂଧ୍ୟା ୫ଟା ୧୦ ମିନିଟରେ ଜଳ ନିଷ୍କାସନ ନେଇ ପ୍ରଥମ ସାଇରନ୍, ସାଢ଼େ ୫ଟାରେ ଦ୍ବିତୀୟ ସାଇରନ୍ ଏବଂ ୫ଟା ୫୫ ମିନିଟରେ ତୃତୀୟ ସାଇରନ୍ ବାଜିବା ପରେ ୬ଟାରେ ତହସିଲଦାର ନୀଳମାଧବ ମାଝୀ ଓ ବଡନାଳ ଡିଭିଜନ୍ ନିର୍ବାହୀ ଯନ୍ତ୍ରୀ ଇଂ. ନଗେନ୍ଦ୍ରନାଥ ମହାରଣାଙ୍କ ଉପସ୍ଥିତିରେ ପ୍ରଥମ ଗେଟ୍ ଖୋଲିଥିଲା। ଗୋଟିଏ ଗେଟ୍ ଦେଇ ୨୫ କ୍ୟୁମେକ୍ସ ଜଳ ନିଷ୍କାସନ କରିବାକୁ ଡ୍ୟାମ୍ କର୍ତୃପକ୍ଷ ଲକ୍ଷ୍ୟ ରଖିଛନ୍ତି। ଏପରି ଭାବେ ୨ଟି ଗେଟ୍ ଦେଇ ମୋଟ ୫୦ କ୍ୟୁମେକ୍ସ ଜଳ ଡ୍ୟାମରୁ ନିଷ୍କାସନ କରାଯିବ ବୋଲି ନିର୍ବାହୀ ଯନ୍ତ୍ରୀ ଶ୍ରୀ ମହାରଣା ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର