ଶହେ କୋଟିର ବିଡ଼ାନାସୀ ଜମି ଦୁର୍ନୀତିି

ଶୀତଳଭଣ୍ଡାରରେ ସିବିଆଇ ରିପୋର୍ଟ

ଦୁର୍ନୀତିରେ ସଂପୃକ୍ତ ଅଧିକାରୀ ସୁରକ୍ଷିତ

କଟକ-ସିଡିଏ : ରାଜସ୍ୱ ପର୍ଷଦର ସେକ୍ସନ ଅଫିସର, ବରିଷ୍ଠ ପୁଲିସ ଅଧିକାରୀ, ରେଭିନ୍ୟୁ ଇନ୍ସପେକ୍ଟର, ତହସିଲର କର୍ମଚାରୀ କରିଛନ୍ତି ସରକାରୀ ଜମି ଜବରଦଖଲ। ଏହି ମହାଦୁର୍ନୀତିର ପ୍ରମାଣ ମିଳି ସାରିଥିଲେ ବି ଜବରଦଖଲ ହଟୁନି କି ସରକାରୀ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେଉନାହିଁ। ସରକାରୀ କର୍ମଚାରୀ ହୋଇଥିଲେ ବି ନିଜର ପରିଚୟ ଜାଲିଆତି କରି ଜମି ଜବରଦଖଲ କରିଥିବା ଜଣେ ବ୍ୟକ୍ତି ତଦନ୍ତ ସମୟରେ ଧରା ପଡିଥିଲେ ବି ବେଫିକର ଭାବେ ଏବେ ବି ବିଭାଗରେ କାର୍ଯ୍ୟ କରି ଚାଲିଛନ୍ତି। ଏହି ମହାଦୁର୍ନୀତିରେ ବହୁ ପ୍ରଭାବଶାଳୀ ବ୍ୟକ୍ତି ସଂପୃକ୍ତ ଥିବାରୁ କାର୍ଯ୍ୟାନୁଷ୍ଠାନ ବଦଳରେ ଏବେ ଦୁର୍ନୀତିକୁ ସ୍ୱୀକୃତି ଦେବାକୁ ବିଭିନ୍ନ ମହଲରେ ଜୋରଦାର ଉଦ୍ୟମ ଚାଲିଛି।

କଟକ ବିଡାନାସୀ ଅଞ୍ଚଳରେ ମୂଲ୍ୟବାନ ସରକାରୀ ଜମି ଜବରଦଖଲ ସଂକ୍ରାନ୍ତ ଏହି ମହାଦୁର୍ନୀତି ପ୍ରଥମେ ୨୦୦୯ ମସିହାରେ ସାମନାକୁ ଆସିଥିଲା। ଏହାକୁ ନେଇ ହାଇକୋର୍ଟରେ ଏକ ମାମଲା ରୁଜୁ ହୋଇଥିଲା। ୨୦୧୨, ଜାନୁଆରି ୧ ତାରିଖରେ ହାଇକୋର୍ଟ ଏହି ମହାଦୁର୍ନୀତିର ସିବିଆଇ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ। ସିବିଆଇ ସଂପୂର୍ଣ୍ଣ ଘଟଣାର ତଦନ୍ତ କରି ବର୍ଷକ ପରେ ଚୂଡାନ୍ତ ରିପୋର୍ଟ ଦାଖଲ କରିଥିଲା। ଦୁର୍ନୀତିର ପ୍ରମାଣ ମିଳିଥିବାରୁ ଏ କ୍ଷେତ୍ରରେ କାର୍ଯ୍ୟାନୁଷ୍ଠାନ ପାଇଁ ରାଜ୍ୟ ସରକାର ଏବଂ ରାଜସ୍ୱ ପର୍ଷଦକୁ ମଧ୍ୟ ରିପୋର୍ଟ ପ୍ରଦାନ କରାଯାଇଥିଲା। କିନ୍ତୁ ୪ ବର୍ଷ ପରେ ବିନା କାର୍ଯ୍ୟାନୁଷ୍ଠାନରେ ଏହି ରିପୋର୍ଟ ବନ୍ଦ ଫାଇଲରେ ପଡି ରହିଛି।

ସିବିଆଇର ରିପୋର୍ଟ ଅନୁଯାୟୀ ବିଦ୍ୟାଧରପୁର, ବେଣ୍ଟକାରପଡା, ରାମଗଡ଼, ଟାଙ୍ଗରାହୁଡା, ବ୍ରଜବିହାରୀପୁର ମୌଜା ଅନ୍ତର୍ଗତ ସରକାରୀ ଜମି ବିଡାନାସୀ ଅଞ୍ଚଳରେ ରହିଥିବା ବେଳେ ତାହାକୁ ଜବରଦଖଲ କରାଯାଇଥିଲା। ୧୩ଟି ମୌଜାର ୧୬ ଏକର ୩୨୭ ଡିସିମିଲ୍‌ ଜମିର ଅଧିକ ଜମି ଜବରଦଖଲରେ ଥିବା ରିପୋର୍ଟ ପ୍ରସ୍ତୁତ ହୋଇଥିଲା। ଏହି ସରକାରୀ ଜମିର ବଜାର ମୂଲ୍ୟ ପାଖାପାଖି ଶହେ କୋଟି ଟଙ୍କା ହେବ ବୋଲି ଆକଳନ କରାଯାଇଥିଲା। ବିଭିନ୍ନ ସରକାରୀ ବିଭାଗର କର୍ମଚାରୀ ଓ ଅଧିକାରୀ, ପ୍ରଭାବଶାଳୀ ବ୍ୟକ୍ତିବିଶେଷ ଏହି ଜବରଦଖଲରେ ସାମିଲ ଥିଲେ। ଜମିର କିସମ ବଦଳାଇ ବିକ୍ରି କରିବା, ଘରୋଇ ଜମି କିଣି ପାର୍ଶ୍ୱବର୍ତ୍ତି ସରକାରୀ ଜମିକୁ ଜବରଦଖଲ କରି ସେଥିରେ ଘର ନିର୍ମାଣ କରିବା, ସଂପୂର୍ଣ୍ଣ ଭାବେ ସରକାରୀ ଜମିରେ କୋଠାଘର ତିଆରି କରି ରହିବା, ସରକାରୀ ଜମିକୁ ନିଜ ମାଲିକାନାର ଜମି ଦର୍ଶାଇ ତାହାକୁ ବିକ୍ରି କରିବା ଏବଂ ସେହି ଜମିର ସହଜରେ ପଟ୍ଟା ବାହାର କରି ନେବା ଭଳି ଘଟଣା ସାମନାକୁ ଆସିଥିଲା।

ସିବିଆଇ ଏହି ଘଟଣାର ତଦନ୍ତ କରି ନିର୍ଦ୍ଦିଷ୍ଟ ଭାବେ ନାମ ଉଲ୍ଲେଖ କରି ବିଭିନ୍ନ ସରକାରୀ ଅଧିକାରୀ ଓ କର୍ମଚାରୀଙ୍କ ବିରୋଧରେ ରିପୋର୍ଟ ଦାଖଲ କରିଥିଲା। ରାଜସ୍ୱ ପର୍ଷଦର ଅନେକ କର୍ମଚାରୀ ଏଥିରେ ସଂପୃକ୍ତ ଥିବାରୁ ବିଭାଗକୁ ମଧ୍ୟ ଏ ସଂକ୍ରାନ୍ତରେ ରିପୋର୍ଟ ଦିଆଯାଇଥିଲା। କିନ୍ତୁ ପାଖାପାଖି ୪ ବର୍ଷ ପରେ ବି କୌଣସି ଜଣକ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ। ବରଂ ଇତିମଧ୍ୟରେ ନିର୍ଦ୍ଦିଷ୍ଟ କେତେକ ଅଞ୍ଚଳର ଜମିକୁ ଦଖଲରେ ଥିବା ବ୍ୟକ୍ତିଙ୍କ ନାମରେ କରାଇ ତାହାର ମୂଲ୍ୟକୁ ରାଜକୋଷକୁ ଆଣିବା ବାହାନରେ ଦୁର୍ନୀତିକୁ ସ୍ୱୀକୃତି ଦେବାର ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ଏ ସଂପର୍କରେ ସରକାରୀ ସ୍ତରରେ ବୈଠକ ବି ବସି ସାରିଛି। ଜମି ଦଖଲରେ ଥିବା ବ୍ୟକ୍ତିଙ୍କ ନାମରେ ଜମି କରାଇବା ଭିନ୍ନ ପ୍ରସଙ୍ଗ ହୋଇଥିବା ବେଳେ ଜାଲିଆତି କରି ଜମି ବିକ୍ରି ଖରିଦ ଓ ଜବରଦଖଲ କରିଥିବା ସରକାରୀ ଅଧିକାରୀଙ୍କ ବିରୋଧରେ କାହିଁକି ଏଯାଏ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନାହିଁ, ତାହାକୁ ନେଇ ପ୍ରଶ୍ନ ଉଠୁଛି।

୨୦୦୯ରେ ଏ ସଂକ୍ରାନ୍ତରେ ପ୍ରଥମ ମାମଲା ରୁଜୁ କରିଥିବା ଚିତ୍ତରଂଜନ ମହାନ୍ତିଙ୍କ କହିବା ଅନୁଯାୟୀ ସିବିଆଇର ଚୂଡାନ୍ତ ରିପୋର୍ଟରେ ଦୁର୍ନୀତିରେ ସଂପୃକ୍ତ ବ୍ୟକ୍ତିବିଶେଷଙ୍କ ବିରୋଧରେ ସ୍ପଷ୍ଟ ସୂଚନା ଦିଆଯାଇଥିଲେ ବି ସରକାର ଏ କ୍ଷେତ୍ରରେ କୌଣସି ପଦକ୍ଷେପ ନନେବା ଘଟଣା ସ୍ୱଚ୍ଛତାକୁ ନେଇ ପ୍ରଶ୍ନ ସୃଷ୍ଟି କରୁଛି।

ସମ୍ବନ୍ଧିତ ଖବର