ମା’ ହିଙ୍ଗୁଳାଙ୍କ ବଡ଼ପୂଜା: ୫ ଲକ୍ଷରୁ ଅଧିକ ଶ୍ରଦ୍ଧାଳୁଙ୍କ ସମାଗମ

ବଡ଼ସାହି: ଉତ୍ତର ଓଡ଼ିଶାର ପ୍ରତ୍ୟକ୍ଷ ଦେବୀ ମା’ ହିଙ୍ଗୁଳାଙ୍କ ମୂଳପୀଠ ବଡ଼ସାହି ବ୍ଲକ୍‌ ସୁହାଗପୁର ପଞ୍ଚାୟତ କଉଡ଼ିଖଣି ମୌଜାର ଶାଳ ଜଙ୍ଗଲରେ ମା’ଙ୍କ ବାର୍ଷିକ ବଡ଼ପୂଜା ଅନୁଷ୍ଠିତ ହୋଇଯାଇଛି। ଏହି ପୀଠରେ ଦିନତମାମ ୫ ଲକ୍ଷରୁ ଊର୍ଦ୍ଧ୍ବ ଭକ୍ତଙ୍କ ସମାଗମ ହୋଇଥିଲା। ପୂର୍ବରୁ ଏହି ମୂଳ ପୀଠରେ ପ୍ରତିବର୍ଷ ଅଗ୍ନି ପୂର୍ଣ୍ଣିମା ପରବର୍ତ୍ତୀ ପ୍ରଥମ ମଙ୍ଗଳବାର କିମ୍ବା ଶନିବାର ଦିନ ମା’ଙ୍କ ବାର୍ଷିକ ବଡ଼ପୂଜା ଓ ଦିନିକିଆ ମେଳା ଅନୁଷ୍ଠିତ ହେଉଥିଲା। ତେବେ ଦିନିକିଆ ମେଳାରେ ଅଗଣିତ ଭକ୍ତଙ୍କ ସମାଗମ ହେଉଥିବାରୁ ଭିଡ଼ ଏଡ଼ାଇବା ପାଇଁ ଗତ ୨ ବର୍ଷ ହେଲାଣି ବଡ଼ ପୂଜାର ୨ ଦିନ ପୂର୍ବରୁ ମା’ଙ୍କ ନୀତିକାନ୍ତି ଆରମ୍ଭ କରାଯିବା ସହ ମେଳା ଆରମ୍ଭ ହେଉଛି।

ଏହି ପରମ୍ପରା ଅନୁସାରେ ଗତ ୫ ତାରିଖରୁ ଏଠାରେ ମେଳା ଆରମ୍ଭ ହୋଇଥିଲା। ଆଜି ଥିଲା ମା’ଙ୍କ ବଡ଼ପୂଜା। ଭୋର୍‌ ସାଢ଼େ ୪ଟାରୁ ମା’ଙ୍କ ପୀଠକୁ ଭକ୍ତଙ୍କ ସୁଅ ଛୁଟିଥିଲା। ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟ ନିର୍ଘଣ୍ଟ ଅନୁଯାୟୀ ମଙ୍ଗଳ ଆଳତୀ, ସୂର୍ଯ୍ୟପୂଜା, ପ୍ରାତଃ ସ୍ନାନ, ବିଭିନ୍ନ ବେଶ, ହୋମଯଜ୍ଞ କାର୍ଯ୍ୟ ସମ୍ପନ୍ନ ହୋଇଥିଲା। ଏହି ପୀଠରୁ ଅନତି ଦୂରରେ ଥିବା ଛେଳିଆ (କ) ଗ୍ରାମରେ ଥିବା ହିଙ୍ଗୁଳା ମନ୍ଦିରରେ ମଧ୍ୟ ମେଳା ସମାନ୍ତରାଳ ଭାବେ ପୂଜା ଅନୁଷ୍ଠିତ ହୋଇଥିଲା। ମୂଳ ପୀଠରେ ଥିବା ଅଗ୍ନିକୁଣ୍ଡରେ ଦିନତମାମ ଅର୍ଘ୍ୟ (ଫଳମୂଳ, ନଡ଼ା, ଘିଅ, ବଳିତା) ସମର୍ପଣ କରିଥିଲେ ଶ୍ରଦ୍ଧାଳୁ। ଅପରାହ୍ନ ସାଢ଼େ ୪ଟାରେ ଏହି କୁଣ୍ଡରେ ଅଗ୍ନି ସଂଯୋଗ କରାଯାଇଥିଲା।

ପାଗ ଅନୁକୂଳ ଥିବାରୁ ଓଡ଼ିଶା, ଝାଡ଼ଖଣ୍ଡ ଓ ପଶ୍ଚିମବଙ୍ଗର ବିଭିନ୍ନ ପ୍ରାନ୍ତରୁ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା। ଗାଡ଼ି ମୋଟର ପାର୍କିଂ ପାଇଁ ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଥିଲା। ଶାନ୍ତିଶୃଙ୍ଖଳା ରକ୍ଷା ଓ ଭିଡ଼ ନିୟନ୍ତ୍ରଣ ପାଇଁ ବେତନଟୀ ଏସ୍‌ଡିପିଓ ସୁଦର୍ଶନ ଦାସଙ୍କ ନେତୃତ୍ୱରେ ୨୬ ଜଣ ପୁଲିସ ଅଧିକାରୀ ଓ ୬ ପ୍ଲାଟୁନ୍‌ ପୁଲିସ ଫୋର୍ସ ମୁତୟନ ହୋଇଥିଲେ। ମେଳାରେ କୌଣସି ବଡ଼ ଧରଣର ଅଘଟଣ ଘଟି ନଥିଲେ ବି କିଛି ଭକ୍ତଙ୍କ ମୋବାଇଲ୍‌ ଚୋରି ହୋଇଥିବାର ଖବର ରହିଛି। ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ବିଭାଗ, ବଡ଼ସାହି ସ୍ୱାସ୍ଥ୍ୟ ବିଭାଗ, ପ୍ରଜାପିତା ବ୍ରହ୍ମାକୁମାରୀ ଶାଖା ପକ୍ଷରୁ ଏକାଧିକ ଷ୍ଟଲ ଖୋଲାଯାଇ ଲୋକଙ୍କୁ ସବୁ ପ୍ରକାର ସାହାଯ୍ୟ ସହଯୋଗ କରାଯାଇଥିଲା। ବଡ଼ସାହି ଗାନ୍ଧୀ ଛକରେ ବଡ଼ସାହି ବଣିକ ସଂଘ ପକ୍ଷରୁ ଲୋକଙ୍କୁ ସର୍ବତ ପ୍ରଦାନ କରାଯାଇଥିଲା। ପୂର୍ବ ବର୍ଷ ଅପେକ୍ଷା ଚଳିତ ବର୍ଷ ଅଧିକ ଭିଡ଼ ହୋଇଥିଲେ ବି ପ୍ରଶାସନ, ହିଙ୍ଗଳା ଟ୍ରଷ୍ଟର ସଦସ୍ୟ ଓ ସ୍ଥାନୀୟ ଜନସାଧାରଣଙ୍କ ସହଯୋଗରୁ ମେଳା ଶାନ୍ତିପୂର୍ଣ୍ଣ ଭାବେ ଶେଷ ହୋଇଥିବାରୁ ସମସ୍ତଙ୍କୁ କୃତଜ୍ଞତା ଜଣାଇଛନ୍ତି ଟ୍ରଷ୍ଟର ମୁଖ୍ୟ ସୁନିଲ କୁମାର ଦାଶ।

ସମ୍ବନ୍ଧିତ ଖବର