ବଡ଼ବିଲ: ୟୁପିଏସ୍ସି ଦ୍ବାରା ପରିଚାଳିତ ସିଭିଲ୍ ସର୍ଭିସ୍ ପରୀକ୍ଷାରେ ସାରା ଦେଶରେ ଚତୁର୍ଥ ସ୍ଥାନ ହାସଲ କରିଛନ୍ତି କେନ୍ଦୁଝର ଜିଲ୍ଲା ବଡ଼ବିଲ ଅଞ୍ଚଳର ୟସ୍ ଜାଲୁକା। ଏହି ସଫଳତା ପାଇଁ ଆଜି ବଡ଼ବିଲର ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ତାଙ୍କୁ ସମ୍ବର୍ଦ୍ଧିତ କରାଯାଇଛି।
୨୦ ବର୍ଷ ତଳେ ୟସ୍ଙ୍କ ବାପା ମନୋଜ ଜାଲୁକା ଝାଡ଼ଖଣ୍ଡ ରାଜ୍ୟ ଧାନବାଦର ଝାରିଆ ଅଞ୍ଚଳରୁ ପତ୍ନୀ, ଦୁଇଝିଅ ଓ ପୁଅଙ୍କୁ ନେଇ ବଡ଼ବିଲ ଚାଲି ଆସିଥିଲେ। ବଡବିଲ୍ରେ ମନୋଜ ଜାଲୁକା ଖଣିଜ ବ୍ୟବସାୟ କରୁଥିଲେ। ୟସ୍ ବଡ଼ବିଲ ସେଣ୍ଟମେରୀ ଇଂରାଜୀ ମାଧ୍ୟମ ସ୍କୁଲ୍ରୁ ମାଟ୍ରିକ୍ ପାସ୍ କରିବା ପରେ ବକାରୋସ୍ଥିତ ଦିଲ୍ଲୀ ପବ୍ଲିକ୍ ସ୍କୁଲ୍ରେ ଯୁକ୍ତଦୁଇ ଓ ନୂଆଦିଲ୍ଲୀସ୍ଥିତ କିରୋରୀ ମହାବିଦ୍ୟାଳୟରେ ଯୁକ୍ତତିନ ବାଣିଜ୍ୟ ପାସ୍ କରିଥିଲେ। ପରେ ସେ ଅର୍ଥଶାସ୍ତ୍ରରେ ସ୍ନାତକୋତ୍ତର ହାସଲ କରିଥିଲେ। ବିନା କୋଚିଂରେ ପ୍ରଥମ ଥର ସିଭିଲ୍ ସର୍ଭିସ ପରୀକ୍ଷା ଦେଇ ସର୍ବଭାରତୀୟ ସ୍ତରରେ ଚତୁର୍ଥ ସ୍ଥାନ ହାସଲ କରିଛନ୍ତି ୨୪ ବର୍ଷୀୟ ୟସ୍।
ଏହି ପରୀକ୍ଷା ପାଇଁ ୟସ୍ ଦୈନିକ ୧୫ ଘଣ୍ଟାରୁ ଅଧିକ ସମୟ ପରିଶ୍ରମ କରୁଥିଲେ। ଏହି ସଫଳତା ପଛରେ ବାପା, ମା’, ଦୁଇ ବଡ଼ଭଉଣୀଙ୍କ ସହ ଶିକ୍ଷକଶିକ୍ଷୟିତ୍ରୀଙ୍କ ଆଶୀର୍ବାଦ ଥିବା ସେ ପ୍ରକାଶ କରିଛନ୍ତି। ୟସ୍ଙ୍କ ପରିବାର ବର୍ତ୍ତମାନ ବଡ଼ବିଲ ସହରର ପଞ୍ଚବଟୀ ଆର୍ପାଟମେଣ୍ଟରେ ରହୁଛନ୍ତି। ୟସ୍ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ଯେ ଏହି ସଫଳତା ମୋ ପାଇଁ ଆଶ୍ଚର୍ଯ୍ୟଜନକ ଥିଲା। ମୁଁ କୃତକାର୍ଯ୍ୟ ହେବି ବୋଲି ଆଶା ବି କରିନଥିଲି। ସର୍ବଭାରତୀୟ ସ୍ତରରେ ଚତୁର୍ଥ ସ୍ଥାନ ପାଇଥିବା କଥାକୁ ପ୍ରଥମେ ବିଶ୍ବାସ କରିପାରି ନଥିଲି ବୋଲି କହିଛନ୍ତି। ଏହି ସଫଳତା ପାଇଁ ତାଙ୍କୁ ବଡ଼ବିଲ୍ର ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଆଜି ସମ୍ବର୍ଦ୍ଧିତ କରାଯାଇଛି।