ବଡ଼ବିଲ: ରାଜ୍ୟ ସରକାରଙ୍କ ଇଣ୍ଡଷ୍ଟ୍ରିଆଲ ଡେଭଲପମେଣ୍ଟ କର୍ପୋରେସନ (ଆଇଡିସି) ଅଧୀନରେ ଥିବା କେନ୍ଦୁଝର ଜିଲ୍ଲା ବଡ଼ବିଲ କଳିଙ୍ଗନଗରର ଇଡକଲ କଳିଙ୍ଗ ଲୁହା କାରଖାନା, ଯାଜପୁରରୋଡଠାରେ ଥିବା ଫେରୋ ମାଙ୍ଗାନିଜ କାରଖାନା ଏବଂ ଭୁବନେଶ୍ବରରେ ଥିବା ଆଇଡିସିର ସମସ୍ତ ସମ୍ପତ୍ତି ଓଏମ୍ସି ହସ୍ତାନ୍ତର କରାଯାଇଛି। ଓଏମ୍ସିର ଚେୟାରମ୍ୟାନ୍ ଦେଓରଂଜନ କୁମାର ସିଂହ ଏବଂ ଏମ୍ଡି ବଲୱନ୍ତ ସିଂହ ବଡ଼ବିଲ ଗସ୍ତରେ ଆସି ବିଭିନ୍ନ ପ୍ରସଙ୍ଗରେ ସ୍ଥାନୀୟ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି।
ଯାଜପୁର ଫେରୋ ମାଙ୍ଗାନିଜ୍ ଓ କଳିଙ୍ଗ ଲୁହା କାରଖାନା ସମ୍ପୂର୍ଣ୍ଣ ବନ୍ଦ ରହିଛି। କମ୍ପାନି ଅଧୀନରେ ଥିବା କର୍ମଚାରୀ ଓ ଅଧିକାରୀ ନିଜର ଭବିଷ୍ୟତ ନେଇ ଅନିଶ୍ଚିତତା ଭିତରେ ଥିଲେ। ରାଜ୍ୟ ସରକାରଙ୍କ ଏଭଳି ନିଷ୍ପତ୍ତିକୁ ସ୍ବାଗତ କରାଯାଇଛି। ଆଇଡିସି କମ୍ପାନିର କଳିଙ୍ଗ ଲୁହା କାରଖାନା ସମ୍ପୂର୍ଣ୍ଣ ବନ୍ଦ ଥିବାବେଳେ ଶ୍ରମିକ ଓ ଅଧିକାରୀଙ୍କ ଭବିଷ୍ୟତ ନେଇ ରାଜ୍ୟ ସରକାର ବିଚାର କରୁଛନ୍ତି। ପ୍ରଥମ ପର୍ଯ୍ୟାୟରେ ଆଇଡିସି କମ୍ପାନିର ୭/୮ଜଣ କର୍ମଚାରୀଙ୍କୁ ଓଏମ୍ସିର ଅନ୍ୟ ୟୁନିଟ୍କୁ ସ୍ଥାନାନ୍ତର କରାଯାଇଛି।
କଳିଙ୍ଗ ଲୁହା କାରଖାନାରେ କାର୍ଯ୍ୟରତ କର୍ମଚାରୀ ଓ ଅଧିକାରୀଙ୍କ ଭବିଷ୍ୟତକୁ ନେଇ କଳିଙ୍ଗ କାରଖାନା ପରିସରରେ ଏକ ବେନିଫିକେସେନ୍ ପ୍ଲାଣ୍ଟ ନିର୍ମାଣ ସହ ୧୦୦ ଶଯ୍ୟା ବିଶିଷ୍ଟ ମଲ୍ଟି ସ୍ପେସାଲିଟି ହସ୍ପିଟାଲ ଓ ପାଠାଗାର ନିର୍ମାଣ କରାଯିବ ବୋଲି ଓଏମ୍ସି ପକ୍ଷରୁ କୁହାଯାଇଛି। ହସ୍ପିଟାଲ ପାଇଁ ଓଏମ୍ସିର ଚେୟାରମ୍ୟାନ୍ ଦେଓରଂଜନ କୁମାର ସିଂହ ଏବଂ ଏମ୍ଡି ବଲୱନ୍ତ ସିଂହ କଳିଙ୍ଗ କର୍ମଚାରୀ କଲୋନି ପରିସରରେ ସ୍ଥାନ ଚିହ୍ନଟ କରିଛନ୍ତି। ଏହାଛଡ଼ା କମ୍ପାନି ଅଧୀନରେ ଥିବା ଅନେକ ଜମି ଜବରଦଖଲକାରୀଙ୍କ କବ୍ଜାରେ ରହିଛି। ଜବରଦଖଲ ଉଚ୍ଛେଦ ସହ କଲୋନିରେ କୌଣସି ନୂତନ ନିର୍ମାଣ ନ ହୁଏ ସେଥିପ୍ରତି ବିଶେଷ ଧ୍ୟାନ ଦେବାକୁ କମ୍ପାନି ଅଧିକାରୀଙ୍କୁ ତାଗିଦ କରାଯାଇଛି। ଏହି ଅବସରରେ ଓଏମ୍ସିର ଆଞ୍ଚଳିକ ଅଧିକାରୀ ଅବନୀକାନ୍ତ ପ୍ରଧାନ, କଳିଙ୍ଗ ଲୁହା କାରଖାନାର ପରିଚାଳନା ନିର୍ଦ୍ଦେଶକ ଅମରଦୀପ ରାୟ, ବଡ଼ବିଲ ତହସିଲଦାର ଆଲୋକ କୁମାର ପଟେଲ ପ୍ରମୁଖ ଉପସ୍ଥିତ ଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/06/22-6.jpg)