ଡାକ୍ତରଙ୍କ ଉଦ୍ୟମ, ଲୋକଙ୍କ ସହଯୋଗ : ବଦଳିଗଲା ଡାକ୍ତରଖାନାର ଚିତ୍ର

ଉଦାହରଣ ପାଲଟିଛି ବାଦୀମୁଣ୍ଡା ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର

ବଲାଙ୍ଗୀର : ସରକାରୀ ଡାକ୍ତରଖାନାଗୁଡ଼ିକର ଅବ୍ୟବସ୍ଥା ଯୋଗୁଁ ଲୋକେ ଅତିଷ୍ଠ ହୋଇ ବେସରକାରୀ ଡାକ୍ତରଖାନାକୁ ଅଧିକ ପସନ୍ଦ କରୁଛନ୍ତି। ସରକାରୀ ମେଡିକାଲ କଲେଜ ଡାକ୍ତରଖାନାମାନଙ୍କରେ ମଧ୍ୟ ଅବ୍ୟବସ୍ଥା ଲାଗି ରହିଛି। ପରିମଳ ବ୍ୟବସ୍ଥା, ବିଭିନ୍ନ ପରୀକ୍ଷାନିରୀକ୍ଷା ଏପରିକି କାର୍ଯ୍ୟରତ କର୍ମଚାରୀ ଡାକ୍ତରଙ୍କ ସ୍ବେଚ୍ଛାଚାରିତା ଯୋଗୁଁ ସରକାରୀ ଡାକ୍ତରଖାନାରୁ ମୁହଁମୋଡ଼ି ବେସରକାରୀ ଡାକ୍ତରଖାନା ଆଡ଼କୁ ଆକୃଷ୍ଟ‌ ‌ହେଉଛନ୍ତି। ହେଲେ, ବଲାଙ୍ଗୀର ଜିଲ୍ଲା ଲୋଇସିଂହା ବ୍ଲକର ଉପାନ୍ତ ଅଞ୍ଚଳରେ ଥିବା ବାଦୀମୁଣ୍ଡା ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରରେ ଏହାର ବ୍ୟତିକ୍ରମ ଦେଖାଯାଇଛି। କମ୍‌ ସଂଖ୍ୟକ ଡାକ୍ତର ଓ କର୍ମଚାରୀଙ୍କୁ ନେଇ ଚାଲିଥିବା ଏହି ଡାକ୍ତରଖାନା ରୋଗୀଙ୍କ ଆକ‌ର୍ଷଣ କେନ୍ଦ୍ରବିନ୍ଦୁ ସାଜିଛି।

ବଲାଙ୍ଗୀର ସଦର ମହକୁମାଠାରୁ ଚନ୍ଦନଭାଟି ରାସ୍ତାରେ ପ୍ରାୟ ୩୦ କିଲୋମିଟର ପରେ ମାହାରପାଲି ଛକରେ ବାଦୀମୁଣ୍ଡା ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ରହିଛି। ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର ହୋଇଥିବାରୁ ଏଠାରେ କର୍ମଚାରୀ ସଂଖ୍ୟା ମଧ୍ୟ କମ୍‌। ଜଣେ ଏମବିବିଏସ ଡାକ୍ତର, ଜଣେ ଆୟୁଷ ଡାକ୍ତର, ଫାର୍ମାସିଷ୍ଟି, ଷ୍ଟାଫନର୍ସ, ମହିଳା ସ୍ବାସ୍ଥ୍ୟକର୍ମୀ, ଆଟେଣ୍ଡାଣ୍ଟ ଓ ସୁଇପର୍‌ ପଦ ରହିଛି। ହେଲେ ମହିଳା ସ୍ବାସ୍ଥ୍ୟକର୍ମୀ ଓ ସୁଇପର ପଦ ଖାଲି ରହିଛି। ସୁଇପର ନ ଥିଲେ ମଧ୍ୟ ଡାକ୍ତରଖାନା ପରିସର ସବୁବେଳେ ପରିଷ୍କାର ପରିଚ୍ଛନ୍ନ ରହୁଛି। ପ୍ରତିଦିନ ସକାଳ ୮ଟାରେ ଏହି ଡାକ୍ତରଖାନା ଖୋଲା ଯାଉଥିବା ବେଳେ ଏହାର ବନ୍ଦ ହେବାର କୌଣସି ସମୟସୀମା ନାହିଁ। ରୋଗୀ ଥିବା ପର୍ଯ୍ୟନ୍ତ ଡାକ୍ତରଖାନା ଖୋଲା। ଏପରିକି ରାତି ନ’ଟା ପର୍ଯ୍ୟନ୍ତ ଡାକ୍ତରଖାନା ଖୋଲା ରହୁଥିବା ସ୍ଥାନୀୟ ଲୋକେ କହନ୍ତି।

ସକାଳ ଆଠଟାରୁ ଏଠାରେ ରୋଗୀଙ୍କ ଭିଡ଼ ଜମିଥାଏ। ତେବେ ଭିଡ଼କୁ ପରିଚାଳନା କରିବା ପାଇଁ ଏକ ଅଭିନବ ବ୍ୟବସ୍ଥା କରାଯାଇଛି। ରୋଗୀ ଏଠାକୁ ଆସିବା ପରେ ପ୍ରଥମେ ଟୋକନ୍ ଦିଆଯାଏ। ଟୋକନ୍ ନେଇ ନିଜ ନମ୍ବର ଆସିବା ପର୍ଯ୍ୟନ୍ତ ୪୮ଟି ଚୌକି ଥିବା ପ୍ରତୀକ୍ଷାଳୟରେ ଅପେକ୍ଷା କରନ୍ତି। ପ୍ରତୀକ୍ଷାଳୟରେ ଫ୍ୟାନ୍‌ର ବ୍ୟବସ୍ଥା ଥିବା ବେଳେ ଚାରିପଟେ ରହିଛି ସ୍ବାସ୍ଥ୍ୟ ସଚେତନାତାଧର୍ମୀ ବାର୍ତ୍ତା। ଏଥି ସହିତ ସମ୍ମୁଖରେ ପ୍ରୋଜେକ୍ଟରରେ ସ୍ବାସ୍ଥ୍ୟ ସମ୍ବନ୍ଧିତ ଭିଡିଓ ପ୍ରଦର୍ଶିତ ହେଉଛି। ଜଣେ ରୋଗୀଙ୍କୁ ଦେଖିବା ପରେ ସାଉଣ୍ଡସିଷ୍ଟମରେ ପରବର୍ତ୍ତୀ ରୋଗୀଙ୍କୁ ଡକାଯାଉଛି। ନିଜ ପାଳି ଆସିବା ପରେ ରୋଗୀ ଯାଇ ଡାକ୍ତରଙ୍କୁ ଦେଖାଉଛନ୍ତି। ବର୍ତ୍ତମାନର ଜଳବାୟୁ ପରିବର୍ତ୍ତନ ଓ ‌ଖାଦ୍ୟପେୟ ଯୋଗୁଁ ଅଧିକାଂଶ ଲୋକେ ଉଚ୍ଚ ରକ୍ତଚାପ, ହୃଦରୋଗ, କିଡନି ରୋଗ ଓ ଗଣ୍ଠିବାତ ଭଳି ରୋଗରେ ଆକ୍ରାନ୍ତ ହେଉଛନ୍ତି। ଏହାର ନିରାକରଣ ପାଇଁ ଯୋଗକୁ ଚିକିତ୍ସା ବିଜ୍ଞାନ ଅନୁମୋଦନ କରିଛି। ଫଳରେ ଆନ୍ତର୍ଜାତିକ ସ୍ତରରେ ମଧ୍ୟ ଯୋଗର ବହୁଳ ବ୍ୟବହାର କରାଯାଉଛି। ଯୋଗ ଶିକ୍ଷା ପାଇଁ ଏଠାରେ ଏକ ‌ମୁକ୍ତାକାଶ ଘାସ ଆଚ୍ଛାଦିତ ମଣ୍ଡପ ରହିଛି। ମଣ୍ଡପ ଚାରିପଟେ ଯୋଗାସନର ବିଭିନ୍ନ ଚିତ୍ର ରହିଛି। ଆଶ୍ଚର୍ଯ୍ୟର ବି‌ଷୟ ହେଉଛି ରୋଗୀ ପ୍ରତୀକ୍ଷାଳୟ, ଯୋଗ ମଣ୍ଡପ ଏପରିକି ବର୍ତ୍ତମାନ ରୋଗୀ ଚିକିତ୍ସା କରାଯାଉଥିବା କୋଠା ମଧ୍ୟ ସରକାରୀ ଅର୍ଥରେ ନିର୍ମାଣ ହୋଇନାହିଁ। କାର୍ଯ୍ୟରତ ଡାକ୍ତରଙ୍କ ଅନୁରୋଧରେ ସ୍ଥାନୀୟ ବ୍ୟକ୍ତିଙ୍କ ଆର୍ଥିକ ସହଯୋଗ ଓ ଶ୍ରମଦାନରେ ସମ୍ଭବ ହୋଇଛି।

ସ୍ଥାନୀୟ ଲୋକ କହିଛନ୍ତି ଯେ, ‘୧୯୮୮ରେ ସ୍ଥାପିତ ଡାକ୍ତରଖାନାର ବର୍ତ୍ତମାନର ସ୍ଥିତି ପୂର୍ବରୁ ନ ଥିଲା। ଏଠାରେ ଅବସ୍ଥାପିତ ଥିବା ଡାକ୍ତର ଶେଖର ଲାଲ ପଧାନଙ୍କ ପ୍ରଚେ‌ଷ୍ଟାରେ ଅବହେଳିତ ହୋଇ ପଡ଼ିରହିଥିବା ଡାକ୍ତରଖାନା ସାରା ରାଜ୍ୟ ପାଇଁ ଉଦାହରଣ ସୃଷ୍ଟି କରିଛି। ରାଜ୍ୟ ସରକାରଙ୍କ ଦ୍ବାରା ଦୁଇଥର କାୟାକଳ୍ପ ପୁରସ୍କାର ପାଇଛି।

ଅପରପକ୍ଷେ, ଡାକ୍ତରଖାନା ନବକଳେବର ସମ୍ପର୍କରେ ସ୍ଥାନୀୟ ଲୋକଙ୍କ ଅବଦାନକୁ ସ୍ବୀକାର କରିଛନ୍ତି ଡା. ଶେଖର। ସେ କହିଛନ୍ତି ଯେ, ‘ଆପଣ ଯାହା ଦେଖୁଛନ୍ତି ସବୁ ପଛରେ ସ୍ଥାନୀୟ ଲୋକଙ୍କ ଅବଦାନ ଅଛି। ବିଦ୍ୟୁତ ସଂଯୋଗ କରିବାକୁ ୬ ବର୍ଷ ଲାଗିଲା। ରୋଗୀମାନେ ବାହାରରେ ଖରାରେ ଠିଆ ହୋଇ ରହୁଥିଲେ। ସ୍ଥାନୀୟ ଭଦ୍ରବ୍ୟକ୍ତିଙ୍କ ସହଯୋଗରେ ସମ୍ନ‌ାରେ କିଛି ଡାଳ ପତ୍ର ଦେଇ ଛାଇ କରିବା ଯୋଜନା କରିଥିଲୁ। ହେଲେ ମତ ପରିବର୍ତ୍ତନ ହୋଇ ଟେଣ୍ଟ ଭଡ଼ା ଆଣିବା ପ୍ରସ୍ତାବ ଆସିଲା। ପରେ କିଛି ଲୋକ ଟଙ୍କା ଦେଇ ଟେଣ୍ଟ କିଣି ଲଗାଇବା ପାଇଁ ମତ ଦେଲେ। ତେବେ ଆଲୋଚନା ହେବା ମଧ୍ୟରେ ଦାତବ୍ୟ ଲୋକ ବାହାରି ଏହି ପ୍ରତୀକ୍ଷାଳୟ ପାଇଁ ଅର୍ଥ ଓ ଶ୍ରମ ଦାନ କରିଥି‌େଲ।’ ‘ସ୍ଥାନୀୟ ପଞ୍ଚାୟତର ମଧ୍ୟ ସାହାଯ୍ୟ ରହିଛି। କାୟାକଳ୍ପ ପୁରସ୍କାରର କିଛି ଟଙ୍କା ଖର୍ଚ୍ଚ କରି ଅଡିଓ ଭିଜୁଆଲ କିଣିଛୁ। ବାକି ସବୁ ଲୋକଙ୍କ ଟଙ୍କାରେ ହୋଇଛି। ସେହିପରି ଯୋଗ ଶିକ୍ଷା କେନ୍ଦ୍ରର ଷ୍ଟିଲ ଷ୍ଟାଣ୍ଡ ବ୍ୟତିତ ସମସ୍ତ ବ୍ୟବସ୍ଥା ସ୍ଥାନୀୟ ଲୋକଙ୍କ ସାହାଯ୍ୟରେ ସମ୍ଭବ ହୋଇ ପାରିଛି,’ ବୋଲି କହିଛନ୍ତି ଡା. ଶେଖର।

ସମ୍ବନ୍ଧିତ ଖବର