ଚିଲିକା: ବଡ଼କୁଳ, ଡୁଙ୍ଗମାଳ ପଂଚାୟତ ସହ ମିନିଖେତା ଗାଁ ୩ ଦିିନ ପାଇଁ ସଟଡାଉନ

ବାଲୁଗାଁ: ଖୋର୍ଦ୍ଧା ଉପଜିଲ୍ଲାପାଳ ଅଶୋକ କୁମାର ବେଉରା ଆଜି ବଡ଼କୁଳ ଓ ଡୁଙ୍ଗମାଳ ଗ୍ରାମପଂଚାୟତ ସହ ମିନିଖେତା ଗାଁ ଓ ବଡ଼କୂଳ ପାନ୍ଥ ନିବାସ ରୋଡ଼କୁ ତିନି ଦିନ ପାଇଁ ସଟଡାଉନ ଘୋଷଣା କରିଛନ୍ତି । ଏହା ପୂର୍ବରୁ ଆଜି ସଂପୃକ୍ତ ଅଂଚଳରେ ଦମକଳ ବିଭାଗ ଦ୍ୱାରା ବିଶୋଧନ କରାଯାଇଛି । ସେହିଭଳି ବାଲୁଗାଁ ପୁଲିସ ସ୍ଥାନୀୟ ଅଚଂଳରେ ଗମନାଗମନରେ କଟକଣା ଜାରି ରଖିଛି ।

ବଡକୁଳ ପଞ୍ଚାୟତ ଅଫିସରେ ଡୁଙ୍ଗମାଳ ପଞ୍ଚାୟତର ପୂର୍ବତନ ପିଇଓଙ୍କ ବିଦାୟକାଳୀନ ଭୋଜି ଯୋଗୁଁ ଚିଲିକା ଅଞ୍ଚଳରେ ଗୋଷ୍ଠୀ ସଂକ୍ରମଣ ହୋଇଥିବାର ଆଶଙ୍କା କରାଯାଇଛି। ମିଳିଥିବା ସୂଚନା ଅନୁସାରେ ଗତ ୩୧ ତାରିଖରେ ବଡକୁଳ-ଡୁଙ୍ଗମାଳ ପଞ୍ଚାୟତ ଅଫିସ୍‌ରେ ଜଣେ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ବିଦାୟକାଳୀନ ଭୋଜିରେ ପ୍ରାୟ ୫୦ ଜଣ ଲୋକ ସାମିଲ୍‌ ହୋଇଥିଲେ । ଏହି ଭୋଜିରେ ସାମିଲ୍‌ ହୋଇଥିବା ଡୁଙ୍ଗମାଳ ପଞ୍ଚାୟତ ସରପଞ୍ଚଙ୍କ ପ୍ରତିନିଧିଙ୍କର ଗତ ୬ ତାରିଖରେ ପଜିଟିଭ୍‌ ରିପୋର୍ଟ ମିଳିବା ପରେ ତାଙ୍କର କଣ୍ଟାକ୍ଟ ଟ୍ରେସିଂ କରାଯାଇଥିଲା । ସେ ଯୋଗ ଦେଇଥିବା ଉକ୍ତ ପଞ୍ଚାୟତ ଅଫିସ୍‌ ଭୋଜିରେ ପ୍ରାୟ ୩୯ ଜଣଙ୍କର ସ୍ବାବ୍‌ ଟେଷ୍ଟ କରାଯାଇଥିଲା । ଆଜି ସେହି ୩୯ ଜଣଙ୍କ ମଧ୍ୟରୁ ୮ ଜଣଙ୍କ ରିପୋର୍ଟ ପିଜିଟିଭ୍‌ ଆସିଥିବାର ସୂଚନା ମିଳିଛି । ଏହି ଆଠ ଜଣ ଆକ୍ରାନ୍ତଙ୍କ ମଧ୍ୟରେ ଜିଲ୍ଲା ପରିଷଦ ସଭ୍ୟ, ଜିଆରଏସ୍‌, ଓ୍ବାର୍ଡ ମେମ୍ବର ଏବଂ ସ୍ଥାନୀୟ ବ୍ୟକ୍ତି ଥିବାର ସୂଚନା ମିଳିଛି । ସେହିପରି ପାଞ୍ଚଜଣ ଆକ୍ରାନ୍ତଙ୍କ ମଧ୍ୟରେ ବାଲୁଗାଁ ଏନଏସିରୁ ଦୁଇଜଣ ରହିଥିବାସ୍ଥଳେ ଆଙ୍କୁଲା ପଞ୍ଚାୟତରୁ ଦୁଇଜଣ ଓ ହରିପୁର ପଞ୍ଚାୟତରୁ ଜଣେ ରହିଥିବାର ସୂଚନା ମିଳିଛି ।

ସୂଚନାଥାଉକି, ଗତକାଲି ବାଲୁଗାଁ ମାଛ ମାର୍କେଟ୍‌ରୁ ଜଣେ ବ୍ୟବସାୟୀ ପଜିଟିଭ୍ ଚିହ୍ନଟ ହେବା ପରେ ବାଲୁଗାଁ ମାଛ ମାର୍କେଟ୍‌କୁ ସାତ ଦିନ ପାଇଁ ସିଲ୍‌ କରାଯାଇଛି । ଅପରପକ୍ଷରେ ଅଧିକ ସଂକ୍ରମଣ ଥିବା ୪ଟି ଜିଲ୍ଲା ଗୋଟିଏ ମହାନଗର ନିଗମକୁ ରାଜ୍ୟ ସରକାର ଆସନ୍ତା ଜୁଲାଇ ୩୧ ପର୍ଯ୍ୟନ୍ତ ସଟ୍‌ଡାଉନ୍‌ର ଘୋଷଣା କରିଛନ୍ତି । ଏହି ଚାରୋଟି ଜିଲ୍ଲା ମଧ୍ୟରେ ଖୋର୍ଦ୍ଧା ଜିଲ୍ଲା ରହିଛି ।

ସମ୍ବନ୍ଧିତ ଖବର