ସୁରେଶ ସ୍ବାଇଁ
ଭୁବନେଶ୍ବର: ହକି, ଫୁଟ୍ବଲ୍, ଆଥ୍ଲେଟିକ୍ସ ପରେ ଏବେ ବ୍ୟାଡ୍ମିଣ୍ଟନ୍ର ପାଳି ପଡ଼ିଛି। ଏବେ ସାରା ଦେଶରେ ଚର୍ଚ୍ଚାକୁ ଆସିଛି ଓଡ଼ିଶା। ରାଜ୍ୟ ରାଜଧାନୀ ଛାତି ଉପରେ ଛିଡ଼ା ହୋଇଛି ସୁଉଚ୍ଚ ଅଟ୍ଟାଳିକା ‘ସଟଲ୍’। ବିଶ୍ବର ଅନ୍ୟତମ ଶ୍ରେଷ୍ଠ ବ୍ୟାଡ୍ମିଣ୍ଟନ୍ ଭିତ୍ତିଭୂମି ଭାବେ ଉଭା ହୋଇଛି ୭୫ କୋଟି ଟଙ୍କାର ଏହି ସଟଲ୍। ବ୍ୟାଡ୍ମିଣ୍ଟନ୍ ଯେ ଆଉ ବ୍ୟାଡ୍ ମିସନ୍ରେ ନାହିଁ, ଏମିତି କଥା ହେଲେଣି ପ୍ରଶଂସକ। କେବଳ ଭିତ୍ତିଭୂମି ନୁହେଁ ଓଡ଼ିଶାର ବ୍ୟାଡ୍ମିଣ୍ଟନ୍ ଖେଳାଳି ବି ଏହାକୁ ସ୍ବାଗତ କରିଛନ୍ତି ୨୦୨୪ରେ କିଛି ଚର୍ଚ୍ଚିତ ପ୍ରଦର୍ଶନ ବଳରେ। ୨୦୨୫ ଏ ଦୃଷ୍ଟିକୋଣରୁ ନୂଆ ଆଶା ଭାବେ ଉଭା ହୋଇଛି।
ଓଡ଼ିଶା ବ୍ୟାଡ୍ମିଣ୍ଟନ୍ ପାଇଁ ମାହେନ୍ଦ୍ର ବେଳା ବୋଲି କୁହାଯିବା ପଛର କାରଣ ହେଉଛି, ଯୁବ ପ୍ରତିଭାଙ୍କ ଉଦୟ ଓ ଅନ୍ତର୍ଜାତୀୟ ସ୍ତରରେ ଭଲ ପ୍ରଦର୍ଶନ। ବିଗତ କିଛି ବର୍ଷ ହେବ ଋତାପର୍ଣ୍ଣା ପଣ୍ଡା ଓ ଶ୍ବେତାପର୍ଣ୍ଣା ପଣ୍ଡାଙ୍କ ଉତ୍ଥାନ ପରେ ଏବେ ପରବର୍ତୀ ପିଢ଼ି ପ୍ରସ୍ତୁତ ହେଲେଣି। ତନ୍ବୀ ପତ୍ରୀଙ୍କ ଉଲ୍ଲେଖନୀୟ ପ୍ରଦର୍ଶନ ଓଡ଼ିଶା ବ୍ୟାଡ୍ମିଣ୍ଟନ୍କୁ ନୂଆ ଶିଖରରେ ପହଞ୍ଚାଇଛି ଏବଂ ଭବିଷ୍ୟତ ପାଇଁ ଅଜସ୍ର ପ୍ରତିଶ୍ରୁତି ଦେଇଛି। ଏସୀୟ ଯୁବା ସ୍ବର୍ଣ୍ଣ ବିଜୟିନୀ ହେବା ସହ ଜାତୀୟ ସ୍ତରରେ ବି ୧୫ ଓ ୧୭ ବର୍ଷରୁ କମ୍ ବର୍ଗରେ ଏକାଧିକ ମୁକୁଟ ଜିତି ନିଜ ବୟସ ବର୍ଗ ପ୍ରତିଦ୍ବନ୍ଦ୍ବୀଙ୍କଠାରୁ ବି ଢ଼େର ଆଗରେ ଅଛନ୍ତି। ବିଶାଖା ଟୋପ୍ପୋ ଓ ପ୍ରଗତି ପରିଡ଼ାଙ୍କ ଭଳି ଆଉ ଦୁଇଟି ପ୍ରତିଭା ମଧ୍ୟ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ନିଜ ଉପସ୍ଥିତି ଜାହିର କରି ହଜିଯାଇଥିବା ଓଡ଼ିଶା ବ୍ୟାଡ୍ମିଣ୍ଟନ୍ ଦିନକୁ ଫେରାଇ ଆଣିବାର ମନୋବଳ ଯୋଗାଡ଼ିଛନ୍ତି। ଏମାନଙ୍କ ଉପସ୍ଥିତି କାରଣରୁ ଓଡ଼ିଶା ୨୦୨୪ରେ ପ୍ରଥମ ଥର ୧୯ ବର୍ଷରୁ କମ୍ ବାଳିକା ବର୍ଗରେ ଦଳଗତ ବିଜେତା ହୋଇ ନୂଆ ଇତିହାସ ରଚିଛି।
ଅନ୍ୟ ଦୁଇ ଉଦୀୟମାନ ପ୍ରତିଭା ପ୍ରଦ୍ୟୁମ୍ନ ସାମଲ ଏବଂ ଲକ୍ଷ୍ମୀପ୍ରିୟା ଗୋଛାୟତଙ୍କୁ ବି ଓଡ଼ିଶାର ଉଜ୍ବଳ ଭବିଷ୍ୟତ ବିବେଚନା କରାଯାଉଛି। ବିଶେଷ କରି ପ୍ରଦ୍ୟୁମ୍ନ ପ୍ରଥମ ଓଡ଼ିଆ ଭାବେ ନିୟମିତ ଭାବେ ୧୩ ବର୍ଷରୁ କମ୍ ବର୍ଗରେ କ୍ବାର୍ଟରଫାଇନାଲ୍ ଖେଳି ଆସୁଛନ୍ତି। କାଜାକସ୍ତାନରେ ଶ୍ରୁତି ସ୍ବାଇଁ ଓ ହର୍ଷିତା ରାଉତଙ୍କ କାଂସ୍ୟ ବିଜୟ ମଧ୍ୟ ଏକ ସମ୍ଭାବନାମୟ ଭବିଷ୍ୟତର ସ୍ବପ୍ନ ଭରିଛି। ଆୟୁଷ ପଟ୍ଟନାୟକ-ଅବିନାଶ ମହାନ୍ତିଙ୍କ ଯୁଗଳ ଯୋଡ଼ି ସହିତ ସମର୍ଥ ପାଢ଼ୀ, ବାପୁନ ରାଉତ, ଦିବ୍ୟମ କେଜ୍ରିୱାଲ, ଶ୍ରେୟାଂଶ ଜେନା, ଆଦ୍ୟା ପାଢ଼ୀ, ସ୍ବିଟୀ ପ୍ରିୟା ପ୍ରମୁଖ ବି ଏହି ତାଲିକାକୁ ଲମ୍ବା କରିଛନ୍ତି। ଓଡ଼ିଶାର କିଂବଦନ୍ତି ବ୍ୟାଡ୍ମିଣ୍ଟନ୍ ଖେଳାଳି ସ୍ବର୍ଗତ ସନତ ମିଶ୍ରଙ୍କ ଅଧୁରା ସ୍ବପ୍ନକୁ ଆଗକୁ ନେବାକୁ ଏମାନେ ନିଶ୍ଚିତ ନିକଟ ଭବିଷ୍ୟତରେ ଅନ୍ତର୍ଜାତୀୟ ସ୍ତରରେ ଉଚ୍ଚ ପ୍ରଦର୍ଶନ କରିବେ ବୋଲି ବିଶ୍ବାସ ରହିଛି।
ସଟଲ୍ର ଉପସ୍ଥିତି ହୁଏତ କେବଳ ଓଡ଼ିଶା ଖେଳାଳିଙ୍କୁ ବିଶେଷ ଫାଇଦା ଦେଇ ନପାରେ। କିନ୍ତୁ ଏହା ରାଜ୍ୟରେ ଏକ ଅନୁକୁଳ ବ୍ୟାଡ୍ମିଣ୍ଟନ୍ ଅନୁକୂଳ ପରିବେଶ ସୃଷ୍ଟି କରିବ, ଏଥିରେ ଦ୍ବିମତ ନାହିଁ। କେବଳ ରାଜଧାନୀରେ ନୁହେଁ ରାଜ୍ୟବ୍ୟାପୀ ନିର୍ମାଣ ହେବାକୁ ଯାଉଥିବା ୮୯ଟି ଇନ୍ଡୋର୍ ବ୍ୟାଡ୍ମିଣ୍ଟନ୍ ଷ୍ଟାଡିୟମ୍ ମଧ୍ୟ ତୃଣମୂଳ ସ୍ତରରୁ ପ୍ରତିଭାଙ୍କୁ ଆଗକୁ ଆସିବାକୁ ବାଟ ଦେଖାଇବ। ପୁଲେଲା ଗୋପୀଚାନ୍ଦ ଫାଉଣ୍ଡେସନ୍, ଭାରତୀୟ କ୍ରୀଡ଼ା ପ୍ରାଧିକରଣ, ଡାଲମିଆ ଭାରତ ଗ୍ରୁପ୍, ବ୍ୟାଡମିଣ୍ଟନ୍ ଏଚ୍ପିସି ସହଯୋଗରେ କ୍ରୀଡ଼ା ଓ ଯୁବ ସେବା ବିଭାଗ ବି ପୂର୍ବ ସରକାର ଦେଇଥିବା ଧାରାକୁ ନୂଆ ସରକାରଙ୍କ ସମର୍ଥନରେ ଆଗକୁ ନେଉଥିବାରୁ ଖେଳାଳି, ପ୍ରଶିକ୍ଷକ, ପ୍ରଶଂସକଙ୍କ ଭିତରେ ଭରସା ଭରିଯାଇଛି। ଓଡ଼ିଶା ରାଜ୍ୟ ବ୍ୟାଡ୍ମିଣ୍ଟନ୍ ସଂଘ (ଓସ୍ବା)ର ପେସାଦାର ଆଭିମୁଖ୍ୟ ବି ଏ ଦିଗରେ ଏକ ସକାରାତ୍ମକ ବାତାବରଣ ଯୋଗାଇଛି। ପୂର୍ବରୁ କାଁ ଭାଁ ପ୍ରତିଯୋଗିତାଟିଏ କରୁଥିବା ଓସ୍ବା ଏବେ ବର୍ଷକୁ ବିଭିନ୍ନ ବୟସ ବର୍ଗରେ ୨୪ଟି ଇଭେଣ୍ଟ୍ କରିପାରୁଛି।