ଭୁବନେଶ୍ୱର: ସରକାରଙ୍କ ଗୋଟିଏ ହାତ କ’ଣ କରୁଛି, ଆଉ ଗୋଟିଏ ହାତ ଜାଣିପାରୁନି। ସ୍କୁଲ୍ ଓ କଲେଜରେ ସମ୍ବଲପୁରୀ ଡ୍ରେସ୍ କୋଡ୍ ଲାଗୁ ହେବା ପ୍ରସଙ୍ଗରେ ଏମିତି ଘଟଣା ପଦାକୁ ଆସିଛି। ସମ୍ବଲପୁରୀ ଡ୍ରେସ୍ କୋଡ୍ ଲାଗୁ ହେବ ବୋଲି ହସ୍ତତନ୍ତ ଓ ବୟନ ଶିଳ୍ପ ମନ୍ତ୍ରୀ ସ୍ନେହାଙ୍ଗିନୀ ଛୁରିଆ ଗତ ସପ୍ତାହରେ ଘୋଷଣା କରିଥିଲେ। କିନ୍ତୁ ଗଣଶିକ୍ଷା ବିଭାଗ ଓ ଉଚ୍ଚଶିକ୍ଷା ବିଭାଗ ସହ ଆଲୋଚନା ନ କରି ସେ ଏକତରଫା ଭାବେ ଏହି ଘୋଷଣା କରିଥିବା କୁହାଯାଉଛି। ଖୋଦ୍ ଗଣଶିକ୍ଷା ମନ୍ତ୍ରୀ ବଦ୍ରି ନାରାୟଣ ପାତ୍ର ଆଜି ଏ ନେଇ ଗଣମାଧ୍ୟମରେ ଅସନ୍ତୋଷ ପ୍ରକାଶ କରିଛନ୍ତି। ଏହି ଘଟଣା ବେଶ୍ ଚର୍ଚ୍ଚାର ବିଷୟ ହୋଇଛି। ସମ୍ବଲପୁରୀ ଡ୍ରେସ୍ କୋଡ୍ ଲାଗୁ ନେଇ ଦୀର୍ଘ ଦିନରୁ ଦାବି ହୋଇ ଆସୁଥିଲା। ତେବେ ସରକାରୀ ଭାବେ ଏ ନେଇ କୌଣସି ନିଷ୍ପତ୍ତି ହୋଇପାରୁ ନ ଥିଲା। ଗତ ସପ୍ତାହରେ ସମ୍ବଲପୁରରେ ମନ୍ତ୍ରୀ ଶ୍ରୀମତୀ ଛୁରିଆ ଏହି ଘୋଷଣା କରିଥିଲେ। ସରକାର ଚୂଡ଼ାନ୍ତ ନିଷ୍ପତ୍ତି ନେଇସାରିଛନ୍ତି ବୋଲି ମନ୍ତ୍ରୀ ସିଧାସଳଖ କହିଥିଲେ। ତେବେ ମନ୍ତ୍ରୀ ଡ୍ରେସ୍ କୋଡ୍ ନେଇ ସମ୍ଭବତଃ ନିଜେ ସ୍ପଷ୍ଟ ନ ଥିଲେ। ସେଥି ପାଇଁ ଦୁଇ ଦିନରେ ଦୁଇଟି କଥା କହିଥିଲେ। ୪ ତାରିଖରେ କହିଥିଲେ, ପ୍ରଥମେ ମହାବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ପାଇଁ ସମ୍ବଲପୁରୀ ଡ୍ରେସ୍ କୋଡ୍ ଲାଗୁ ହେବ। ପରେ ସ୍କୁଲ୍ରେ ଲାଗୁ ହେବ। କିନ୍ତୁ ଦିନକ ପରେ ମନ୍ତ୍ରୀ କଥା ବଦଳାଇଥିଲେ। ପୁଣି ଗଣମାଧ୍ୟମକୁ କହିଥିଲେ, ପ୍ରଥମ ପର୍ଯ୍ୟାୟରେ ସ୍କୁଲ୍ର ଶିକ୍ଷକ, ଶିକ୍ଷୟିତ୍ରୀଙ୍କ ପାଇଁ ସମ୍ବଲପୁରୀ ଡ୍ରେସ୍ କୋଡ୍ ଲାଗୁ ହେବ। ପରବର୍ତ୍ତୀ ସମୟରେ କଲେଜ ଓ ସ୍କୁଲ୍ ଛାତ୍ରଛାତ୍ରୀଙ୍କ କଥା ବିଚାର କରାଯିବ।ମନ୍ତ୍ରୀ ଭିନ୍ନ ଭିିନ୍ନ କଥା କହିଥିବାରୁ ପ୍ରଶ୍ନ ଉଠିଥିଲା କାହା ପାଇଁ ପ୍ରଥମେ ସମ୍ବଲପୁରୀ ଡ୍ରେସ୍ କୋଡ୍ ଲାଗୁ କରାଯିବ ? କଲେଜ ଛାତ୍ରଛାତ୍ରୀ ନା ସ୍କୁଲ୍ ଶିକ୍ଷକ, ଶିକ୍ଷୟିତ୍ରୀ ? ହି ପ୍ରଶ୍ନର ଉତ୍ତର ମିଳିବା ପୂର୍ବରୁ ଭିନ୍ନ ବିବାଦ ମୁଣ୍ଡ ଟେକିଛି। ସମ୍ବଲପୁରୀ ଡ୍ରେସ୍ କୋଡ୍ ଲାଗୁ ନେଇ ନା ଗଣଶିକ୍ଷା ବିଭାଗରେ କିଛି ନିଷ୍ପତ୍ତି ହୋଇଛି ନା ଉଚ୍ଚଶିକ୍ଷା ବିଭାଗରେ। ଉଭୟ ବିଭାଗ ଏ ପର୍ଯ୍ୟନ୍ତ ଅନ୍ଧାରରେ ଅଛନ୍ତି। ନିଷ୍ପତ୍ତି ନିଆଯିବା ତ ଦୂରର କଥା, ହସ୍ତତନ୍ତ ଓ ବୟନଶିଳ୍ପ ବିଭାଗ ସହ ଉଭୟ ବିଭାଗର କୌଣସି ଆନୁଷ୍ଠାନିକ ଆଲୋଚନା ହିଁ ହୋଇ ନାହିଁ। ଖୋଦ୍ ଗଣଶିକ୍ଷା ମନ୍ତ୍ରୀ ବଦ୍ରି ନାରାୟଣ ପାତ୍ର ଆଜି ଏ ନେଇ ଆଭାସ ଦେଇଛନ୍ତି। ଶ୍ରୀ ପାତ୍ର କହିଛନ୍ତି, ହସ୍ତତନ୍ତ ମନ୍ତ୍ରୀ ଗଣଶିକ୍ଷା ବିଭାଗ ସହ ଏ ବିଷୟରେ ଆଲୋଚନା ନ କରି ଘୋଷଣା କରିସାରିଛନ୍ତି। ତେଣୁ କିପରି ଓ କେବେ ଠାରୁ ଲାଗୁ ହେବ, ସେ ନେଇ ନିଷ୍ପତ୍ତି ହୋଇପାରିନି। ତେବେ ଆଜି ଏହି ପ୍ରସଙ୍ଗରେ ସେ ମନ୍ତ୍ରୀ ଶ୍ରୀମତୀ ଛୁରିଆଙ୍କ ସହ କଥା ହୋଇଛନ୍ତି ବୋଲି ଶ୍ରୀ ପାତ୍ର କହିଛନ୍ତି। ଶ୍ରୀ ପାତ୍ରଙ୍କ ମତ ଉପରେ ସଚିବାଳୟରେ ମନ୍ତ୍ରୀ ଶ୍ରୀମତୀ ଛୁରିଆଙ୍କ ପ୍ରତିିକ୍ରିୟା ଲୋଡ଼ାଯିବାରୁ ସେ କହିଥିଲେ, ଆମ ବିଭାଗରେ ଆମେ ଆଲୋଚନା କରିସାରିଛୁ। ଏ ନେଇ ମୁଖ୍ୟମନ୍ତ୍ରୀ ଓ ମୁଖ୍ୟ ଶାସନ ସଚିବଙ୍କୁ ଲେଖି ଦେଇଛୁ। ଏଇ ମାସ ୧୮ରୁ ୨୫ ତାରିଖ ମଧ୍ୟରେ ଏକ ଆନ୍ତ-ବିଭାଗୀୟ ବୈଠକ କରିବା ପାଇଁ ଅନୁରୋଧ କରିଛୁ।
ଏହି ବୈଠକ ହୋଇସାରିଲା ପରେ କେତେ ବସ୍ତ୍ରର ଆବଶ୍ୟକତା ରହିଛି, ତାହା ଜଣାପଡ଼ିବ। ସେହି ଅନୁଯାୟୀ ହସ୍ତତନ୍ତ ବିଭାଗ ଆବଶ୍ୟକ ପ୍ରସ୍ତୁତି କରିବ। ଆଜି ଗଣଶିକ୍ଷା ବିଭାଗ ମନ୍ତ୍ରୀଙ୍କ ସହ ଅଣଆନୁଷ୍ଠାନିକ ଭାବେ ଏହି ପ୍ରସଙ୍ଗରେ ଆଲୋଚନା ହୋଇଛି ବୋଲି ଶ୍ରୀମତୀ ଛୁରିଆ କହିଥିଲେ। ଡ୍ରେସ୍ କୋଡ୍ ପାଇଁ ହୋଇଥିବା ଯୋଜନା ସମ୍ପର୍କରେ ସୂଚନା ଦେଇ ଶ୍ରୀମତୀ ଛୁରିଆ କହିଥିଲେ, ଆସନ୍ତା ଶିକ୍ଷା ବର୍ଷ ଠାରୁ କେବଳ ସ୍କୁଲ୍ର ଶିକ୍ଷକ, ଶିକ୍ଷୟିତ୍ରୀଙ୍କ ପାଇଁ ହସ୍ତତନ୍ତ ବାନ୍ଧକଳା ଡ୍ରେସ୍ କୋଡ୍ ଲାଗୁ ହେବ। ପରବର୍ତ୍ତୀ ସମୟରେ କଲେଜ ଓ ସ୍କୁଲ୍ ଛାତ୍ରଛାତ୍ରୀଙ୍କ ପାଇଁ ଲାଗୁ କରାଯିବ। ଏହା ଦ୍ୱାରା ସମଗ୍ର ରାଜ୍ୟର ବୁଣାକାରମାନେ ଉପକୃତ ହେବେ। ଏହି ଡ୍ରେସ୍ର ଦର କିପରି ସମସ୍ତଙ୍କୁ ସୁହାଇଲା ପରି ରହିବ, ସେ ନେଇ ମଧ୍ୟ ଆଲୋଚନା ଚାଲିଛି। ତେବେ ଉଭୟ ମନ୍ତ୍ରୀଙ୍କ କଥାରୁ ଗୋଟିଏ ସ୍ପଷ୍ଟ ସୂଚନା ମିଳୁଛି ଯେ ଏ ପର୍ଯ୍ୟନ୍ତ ଦୁଇ ବିଭାଗ ମଧ୍ୟରେ ବୈଠକ ହୋଇ ନାହିଁ। କିନ୍ତୁ ହସ୍ତତନ୍ତ ମନ୍ତ୍ରୀ ଆସନ୍ତା ଶିକ୍ଷା ବର୍ଷରୁ ଡ୍ରେସ୍ କୋଡ୍ ଲାଗୁ ନେଇ ଜୋର୍ ଦେଉଛନ୍ତି। ଆଗକୁ ବିଜେପୁର ଉପନିର୍ବାଚନ ଥିବାରୁ ବରଗଡ଼ ଜିଲ୍ଲାରେ ବୁଣାକାରମାନଙ୍କୁ ଖୁସି କରାଇବାକୁ ମନ୍ତ୍ରୀ ଆଗୁଆ ଘୋଷଣା କରିଥିବା ଆଲୋଚନା ଚାଲିଛିି। ଏପରି ଘୋଷଣା କରିବା ପାଇଁ ତୃତୀୟ ମହଲାରୁ ହିଁ ତାଙ୍କୁ କୁହାଯାଇଥିବା ଚର୍ଚ୍ଚା ହେଉଛି। ସେଥି ପାଇଁ ଗଣଶିକ୍ଷା ଓ ଉଚ୍ଚଶିକ୍ଷା ବିଭାଗ ଏପରି ଏକ ବିରାଟ ଯୋଜନା ସମ୍ପର୍କରେ ଅବଗତ ନ ଥିଲେ ବି ମନ୍ତ୍ରୀ ଶ୍ରୀମତୀ ଛୁରିଆ ନିଜ ଘୋଷଣାରେ ନିଶ୍ଚିତ ଅଛନ୍ତି।