ଆନନ୍ଦପୁର: ଘସିପୁରାକୁ ଭୟମୁକ୍ତ କରିବାକୁ ମୁଁ ସଂକଳ୍ପ ନେଇଥିଲି। ଏଥିପାଇଁ ମା’ ତାରିଣୀଙ୍କ ଆଶୀର୍ବାଦ ନେଇଥିଲି। ମାତ୍ର ସ୍ଥାନୀୟ ବିଧାୟକ ବଦ୍ରିନାରାୟଣ ପାତ୍ର ଶାନ୍ତିପୂର୍ଣ୍ଣ ନିର୍ବାଚନ ଚାହୁଁ ନାହାନ୍ତି। ଏଥିପାଇଁ ନିଜ ସମର୍ଥକଙ୍କୁ ଲଗାଇ ହିଂସା ପାଇଁ ଉସ୍କାଉଛନ୍ତି। ପୁଲିସ ବଦ୍ରିବାବୁଙ୍କ କଥାରେ ସ୍ବାଧୀନ ପ୍ରାର୍ଥୀଙ୍କ ସମର୍ଥକଙ୍କୁ ଜାଣିଶୁଣି ହଇରାଣ ହରକତ କରିବା ସହ ଗିରଫ କରୁଛି। ଏହାର ପ୍ରତିବାଦରେ ମଙ୍ଗଳବାର ରାମଚନ୍ଦ୍ରପୁର ଥାନା ଘେରାଉ କରାଯିବ ବୋଲି ସ୍ବାଧୀନ ପ୍ରାର୍ଥୀ ସୌମ୍ୟରଂଜନ ପଟ୍ଟନାୟକ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।
ଆଜି ଆନନ୍ଦପୁରସ୍ଥିତ ନିଜ ବାସଭବନରେ ସାମ୍ବାଦିକ ସମ୍ମିଳନୀ କରି ଶ୍ରୀ ପଟ୍ଟନାୟକ କହିଛନ୍ତି, ଘସିପୁରାରୁ ନିର୍ବାଚନ ଲଢ଼ିବା ପାଇଁ ସେ ନିଷ୍ପତ୍ତି ନେବାପରେ ହିଂସା ବିନା କିଭଳି ନିର୍ବାଚନରେ ପ୍ରତିଦ୍ବନ୍ଦ୍ବିତା କରିହେବ ସେନେଇ ଯଥାସାଧ୍ୟ ଉଦ୍ୟମ କରିଆସିଛନ୍ତି। ଆଜି ପର୍ଯ୍ୟନ୍ତ ତାଙ୍କ ପକ୍ଷରୁ କିମ୍ବା ତାଙ୍କ ସମର୍ଥକମାନେ ସେଭଳି କିଛି କାମ କରିନାହାନ୍ତି। ଅନ୍ୟପକ୍ଷରେ କିଛିଦିନର ଘଟଣାକ୍ରମକୁ ଦେଖିଲେ, ଏଠାରେ ବିଧାୟକଙ୍କ ପ୍ରରୋଚନାରେ ଓ ପୁଲିସ ସହାୟତାରେ କିଭଳି ବିଶୃଙ୍ଖଳା ସୃଷ୍ଟି କରାଯାଉଛି ତାହା ସ୍ପଷ୍ଟ ହୋଇଛି। ଖଲଣା ହତ୍ୟାକାଣ୍ଡ ସଂପର୍କରେ ଅବତାରଣା କରି ସେ କହିଛନ୍ତି, ହତ୍ୟାକାଣ୍ଡର ଶିକାର ହୋଇଥିବା ସୁନନ୍ଦ ସେଠୀଙ୍କ ପରିବାରର କିଛି ସଦସ୍ୟଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା। ଏହା ଏକ ମିଥ୍ୟା ମାମଲା ବୋଲି ପୀଡ଼ିତ ପରିବାର ବାରମ୍ବାର କହୁଥିଲେ ବି ପୁଲିସ ଶୁଣିନଥିଲା। ଏହାପରେ ଉକ୍ତ ପରିବାର ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ପୁଲିସ ଏହି ମାମଲାରେ ଉଦ୍ଦେଶ୍ୟମୂଳକ ଭାବେ କେସ୍ ଡାଏରି ହାଇକୋର୍ଟରେ ଦାଖଲ କଲାନାହିଁ। ଫଳରେ ଉକ୍ତ ପରିବାର ନ୍ୟାୟରୁ ବଞ୍ଚିତ ହେଲେ। ଏବେ ନିର୍ବାଚନ ସମୟରେ ପୁଲିସ ସ୍ଥାନୀୟ ବିଧାୟକ ବଦ୍ରିନାରାୟଣ ପାତ୍ରଙ୍କ ପ୍ରରୋଚନାରେ ପୁରୁଣା ମାମଲାରେ ପରିବାର ସଦସ୍ୟଙ୍କୁ ଗିରଫ କରିଛି। ଗିରଫଙ୍କ ମଧ୍ୟରେ ମହିଳା ବି ଅଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସବୁବେଳେ ମହିଳାଙ୍କ ସୁରକ୍ଷା କଥା କହୁଛନ୍ତି। ବିଳମ୍ବିତ ରାତିରେ ଜଣେ ମହିଳାଙ୍କୁ ଘରୁ ଉଠାଇ ନେବା ମହିଳାଙ୍କ ପ୍ରତି କି ପ୍ରକାର ସମ୍ମାନ ତାହା ବୁଝାପଡ଼ୁ ନାହିଁ। ପୁଲିସ ପାଖରେ ପ୍ରଚୁର ସମୟ ଥିବାସତ୍ତ୍ବେ କାହାରିକୁ ଗିରଫ କରିନଥିଲା। ଏବେ ନିର୍ବାଚନ ସମୟରେ ଉଦ୍ଦେଶ୍ୟମୂଳକ ଭାବେ ଗିରଫ କରାଯାଇଛି ବୋଲି ଶ୍ରୀ ପଟ୍ଟନାୟକ ଅଭିଯୋଗ କରିଛନ୍ତି।
ସେହିପରି ସ୍ବାଧୀନ ଭାବେ ସେ ପ୍ରାର୍ଥିପତ୍ର ଦାଖଲ କରିବା ପରଠାରୁ ସମର୍ଥକମାନଙ୍କୁ ବାଛି ବାଛି ପୁଲିସ ଗିରଫ କରିବାରେ ଲାଗିଛି। ପୂର୍ବରୁ ବଦ୍ରିବାବୁ ବିଦେଶୀ ବୋଲି କହୁଥିଲେ। ପୁଲିସ ଯେଉଁମାନଙ୍କୁ ଗିରଫ କରୁଛି, ସେମାନେ କେବଳ ମୋର ସମର୍ଥକ କିଭଳି ହୋଇଯାଉଛନ୍ତି, ତାହା ଆଶ୍ଚର୍ଯ୍ୟ କରୁଛି ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି। ପୂର୍ବରୁ ଏହି ନିର୍ବାଚନମଣ୍ଡଳୀରେ ହୋଇଥିବା ୨୫ଟି ହତ୍ୟାକାଣ୍ଡରେ ଶାସକ ଦଳର ଓ ସ୍ଥାନୀୟ ବିଧାୟକଙ୍କ କେଉଁ ସମର୍ଥକମାନେ ସଂପୃକ୍ତ ଅଛନ୍ତି, ତାହା ସମସ୍ତଙ୍କୁ ଜଣା। କିନ୍ତୁ ବିଧାୟକଙ୍କ ଅସାମାଜିକ ସମର୍ଥକଙ୍କୁ ପୁଲିସ ଗିରଫ କରୁନାହିଁ। ଏଥିପାଇଁ ସେ ନିର୍ବାଚନ କମିସନଙ୍କ ଦୃଷ୍ଟି ଆକର୍ଷଣ କରିବା ସହ ଉଚିତ ପଦକ୍ଷେପ ନେବାକୁ ଅନୁରୋଧ କରିଛନ୍ତି। ସେମିତି ଅନ୍ୟ କିଛି ଘଟଣାରେ ମଧ୍ୟ ପୁଲିସ ପକ୍ଷପାତ କରୁଛି। ଶାସକ ଦଳକୁ ଅହେତୁକ ସମର୍ଥନ କରୁଛି। ଏହାଛଡ଼ା ନିରପେକ୍ଷ ନିର୍ବାଚନରେ ସେ ବିଶ୍ବାସ କରନ୍ତି। ହେଲେ ଏଠାରେ ବିଧାୟକ ବଦ୍ରିନାରାୟଣ ପାତ୍ରଙ୍କ ସମର୍ଥକମାନେ ସବୁବେଳେ ହିଂସାକୁ ଉସ୍କାଉଛନ୍ତି। ଶାସକ ଦଳର ବିଧାୟକଙ୍କ ସମର୍ଥକମାନେ ପ୍ରତିପକ୍ଷଙ୍କ ସମର୍ଥକଙ୍କୁ ଡରାଇ, ଧମକାଇ ବୁଥ୍ ଜବରଦଖଲ କରି ଗଣତନ୍ତ୍ରକୁ ହତ୍ୟା କରିବାର ନଜିର ପୂର୍ବରୁ ରହିଛି। କିଛି ସ୍ଥାନରେ ପ୍ରତିପକ୍ଷଙ୍କ ସମର୍ଥକଙ୍କୁ ମିଛ ମାମଲାରେ ଜେଲ୍ରେ ପୂରାଇ ଭୟର ବାତାବରଣ ସୃଷ୍ଟି କରାଯାଉଛି। ଏ ଦିଗରେ ନିର୍ବାଚନ କମିସନ ସ୍ବତନ୍ତ୍ର ଭାବେ ଧ୍ୟାନ ଦେବାକୁ ସେ ଦାବି ଜଣାଇଛନ୍ତି। ପୁଲିସର ପକ୍ଷପାତିତା ବିରୋଧରେ ଆସନ୍ତାକାଲି ରାମଚନ୍ଦ୍ରପୁର ଥାନା ଘେରାଉ କରାଯିବ ବୋଲି ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ପଟ୍ଟନାୟକ କହିଛନ୍ତି।