ବିବାଦ ପରେ ବି ଜିତିଲେ ବଦ୍ରି, ମହାରଥୀ

ଜିତିଲେ ଭାଗୀରଥି, ତୁଷାରକାନ୍ତି, ଜଟଣୀ, କଟକ ବାରବାଟୀରେ କଂଗ୍ରେସ

ରାଜ୍ୟ ରାଜନୀତିରେ କିଛି ପ୍ରମୁଖ ନେତା ବିଭିନ୍ନ ସମୟରେ ଭିନ୍ନ ଭିନ୍ନ କାରଣ ପାଇଁ ବିବାଦରେ ରହିଆସିଛନ୍ତି। କିନ୍ତୁ ନିର୍ବାଚନ ବିଜୟରେ ସେହି ବିବାଦଗୁଡ଼ିକ ଯେପରି ପ୍ରଭାବହୀନ ହୋଇଯାଇଛି। ବେବିନା ମାମଲା ଓ ବିଭିନ୍ନ ସମୟରେ ବିବାଦୀୟ ବୟାନ ଦେଇ ବିବାଦରେ ରହିଥିଲେ ପ୍ରଦୀପ ମହାରଥୀ। ତାହା ସତ୍ତ୍ବେ ସେ ବିଜୟୀ ହୋଇଛନ୍ତି। ପୁଅମାନଙ୍କ ଅପରାଧିକ କାର୍ଯ୍ୟକଳାପକୁ ନେଇ ସବୁବେଳେ ବିବାଦରେ ରହିଥିବା ମନ୍ତ୍ରୀ ବଦ୍ରିନାରାୟଣ ପାତ୍ର ବି ବିଜୟ ଲାଭ କରିଛନ୍ତି।

ଜିତିଲେ ଭାଗୀରଥି, ତୁଷାରକାନ୍ତି
ଆନନ୍ଦପୁର ଆସନରୁ ଭାଗୀରଥି ସେଠୀ ଓ କାକଟପୁର ଆସନରୁ ତୁଷାରକାନ୍ତି ବେହେରା ପ୍ରଥମେ ବିଜେପି ଟିକେଟ୍‌ ପାଇଥିଲେ। କିନ୍ତୁ ପରବର୍ତ୍ତୀ ସମୟରେ ଉଭୟ ବିଜେଡିରେ ଯୋଗ ଦେଇ ବିଜେଡି ଟିକେଟ୍‌ ପାଇ ନିର୍ବାଚନକୁ ଓହ୍ଲାଇଥିଲେ। ଶେଷ ମୂହୁର୍ତ୍ତରେ ଦଳବଦଳର କୌଣସି ପ୍ରଭାବ ପଡ଼ିନି ସେମାନଙ୍କ ବିଜୟ ରାସ୍ତାରେ। ଉଭୟ ନେତା ବିଜୟ ହାସଲ କରିଛନ୍ତି।

ଜଟଣୀ, କଟକ ବାରବାଟୀରେ କଂଗ୍ରେସ
ଉପକୂଳ ଓଡ଼ିଶାରେ କଂଗ୍ରେସ ଭୀଷଣ ବିପର୍ଯ୍ୟୟର ସାମ୍ନା କରିଛି। ଅଧିକାଂଶ ସ୍ଥାନରେ ଦଳ ତୃତୀୟ ସ୍ଥାନକୁ ଚାଲିଯାଇଛି। ତେବେ ଭୁବନେଶ୍ବର ଲୋକସଭା କ୍ଷେତ୍ର ଅନ୍ତର୍ଗତ ଜଟଣୀ ବିଧାନସଭା ଆସନରେ ସୁରେଶ ରାଉତରାୟ ଏବଂ କଟକ ଲୋକସଭା କ୍ଷେତ୍ର ଅନ୍ତର୍ଗତ ବାରବାଟୀ-କଟକ ବିଧାନସଭା‌ ଆସନରେ ମହମ୍ମଦ ମୋକିମ୍ ବିଜୟ ହାସଲ କରି କଂଗ୍ରେସର ଇଜ୍ଜତ ରକ୍ଷା କରିଛନ୍ତି।

ସମ୍ବନ୍ଧିତ ଖବର