ଆନନ୍ଦପୁର: ଘସିପୁରା ନିର୍ବାଚନମଣ୍ଡଳୀରେ ବିଜେଡି ବିଧାୟକ ପ୍ରାର୍ଥୀ ବଦ୍ରିନାରାୟଣ ପାତ୍ରଙ୍କୁ ଘାରିଛି ପରାଜୟ ଭୟ। ତାଙ୍କୁ ସ୍ବାଧୀନ ପ୍ରାର୍ଥୀ ସୌମ୍ୟରଞ୍ଜନଙ୍କ ସମର୍ଥକ ଆକ୍ରମଣ କରିଥିବା ନେଇ ମନଗଢ଼ା ଅଭିଯୋଗ ଆଣିଛନ୍ତି। ବଦ୍ରିଙ୍କ ଏପରି ଅଭିଯୋଗ ସଇତାନର ବେଦପାଠ ଭଳି ବୋଲି ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ସୌମ୍ୟରଞ୍ଜନ ପଟ୍ଟନାୟକ। ବଦ୍ରିନାରାୟଣ ପାତ୍ର ଆଜି ପୂର୍ବାହ୍ନରେ ଏକ ସାମ୍ବାଦିକ ସମ୍ମିଳନୀ କରିଥିଲେ। ଏଥିରେ ବଦ୍ରି କହିଥିଲେ, ତାଙ୍କ ଉପରେ ଗତ ରାତିରେ ଆକ୍ରମଣ ଉଦ୍ୟମ ହୋଇଥିଲା। ଏଥିରେ ସୌମ୍ୟଙ୍କ ସମର୍ଥକଙ୍କ ହାତ ରହିଛି ବୋଲି ଅଭିଯୋଗ କରିଥି‌ଲେ। କିନ୍ତୁ ଅଭିଯୋଗର କୌଣସି ନିର୍ଦ୍ଦିଷ୍ଟ ପ୍ରମାଣ ଦେଖାଇ ପାରିନଥିଲେ। ସୌମ୍ୟବାବୁ ଗୁଣ୍ଡା ଧରି ବୁଲୁଥିବା ଅଭିଯୋଗ କରିଥିଲେ। ଏହାପରେ ଅପରାହ୍ନ ୨ଟାବେଳେ ସୌମ୍ୟରଞ୍ଜନ ପଟ୍ଟନାୟକ ନିଜ ବାସଭବନରେ ଏକ ସାମ୍ବାଦିକ ସମ୍ମିଳନୀ କରି ଶ୍ରୀ ପାତ୍ରଙ୍କ ଅଭିଯୋଗର ଉତ୍ତର ରଖିଛନ୍ତି।

Advertisment

ଶ୍ରୀ ପଟ୍ଟନାୟକ କହିଛନ୍ତି, ଘସିପୁରାକୁ ବଦ୍ରିବାବୁ ୨୫ବର୍ଷ ହେଲା ଆଶାନ୍ତ କରି ରଖିଛନ୍ତି। ଅନ୍ୟପକ୍ଷରେ ସେ ନିର୍ବାଚନ ଲଢ଼ୁ ଲଢ଼ୁ ୧୫ଦିନ ମଧ୍ୟରେ କିଭଳି ଗୁଣ୍ଡା ଓ ବିଦେଶୀ ହୋଇଗଲେ ବୋଲି ଶ୍ରୀ ପଟ୍ଟନାୟକ ପ୍ରଶ୍ନ କରିଛନ୍ତି। ଆନନ୍ଦପୁର ମୋର ପିତୃଭୂମି ହୋଇଥିବା ବେଳେ ମୁଁ ଅଣସଂରକ୍ଷିତ ଘସିପୁରା ଆସନରୁ ନିର୍ବାଚନ ଲଢ଼ୁଛି। ମୋତେ ବିଦେଶୀ କହିବାର ଅଧିକାର କାହାର ନାହିଁ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି। ଯଦି ମୁଁ ବାହାର ଲୋକ, ମୋତେ କେହି ଜାଣିନାହାନ୍ତି ତା’ହେଲେ ବଦ୍ରିବାବୁ ଏତେ ଭୟଭୀତ କାହିଁକି ବୋଲି ସେ ପ୍ରଶ୍ନ କରିଛନ୍ତି। ଟଙ୍କା ବାଣ୍ଟୁଥିବା ବେଳେ ଧରାପଡ଼ିଥିବା ଟୁଲୁ ସାହୁ କାହା ଲୋକ ବଦ୍ରିବାବୁ ଉତ୍ତର ରଖନ୍ତୁ। ପଣ୍ଡୁଆର ବସନ୍ତ ଚକ୍ରଙ୍କୁ ଆକ୍ରମଣ ଘଟଣ‌ାରେ କାହାର ହାତ ରହିଛି? ସେହିପରି ବଦ୍ରିବାବୁଙ୍କ ପିଏସ୍‌ଓ ନିଜେ ଏହି ଆକ୍ରମଣ ଘଟଣାର ଖଳନାୟକ। ଏକଥା ମଧ୍ୟ ବଦ୍ରିବାବୁ ସ୍ପଷ୍ଟ କରିବାର ଆବଶ୍ୟକତା ରହିଛି। ରାଜ୍ୟରେ ଗୁଣ୍ଡାଗର୍ଦ୍ଦି କରି ଘସିପୁରାକୁ ବଦନାମ କରିଥିବା ବଦ୍ରିବାବୁ ବିଚଳିତ ହୋଇ ତାଙ୍କୁ ଗୁଣ୍ଡା କହିବା ହାସ୍ୟାଷ୍ପଦ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି।

ଏଥିସହିତ, ବଦ୍ରିବାବୁଙ୍କୁ ଯଦି କେହି ଆକ୍ରମଣ କରିବାକୁ ଉଦ୍ୟମ କରିଥିଲା ଏହାର ଉଚ୍ଚସ୍ତରୀୟ ତଦନ୍ତ ହେଉ ବୋଲି ଶ୍ରୀ ପଟ୍ଟନାୟକ ଦାବି କରିଛନ୍ତି। ଘସିପୁରାରେ ପୂର୍ବ ନିର୍ବାଚନ ଭଳି ବୁଥ୍ ରିଗିଂ କରିବାପାଇଁ ବଦ୍ରିବାବୁ ହୀନ ଉଦ୍ୟମ ଆରମ୍ଭ କରିଛନ୍ତି। ଏପରିକି ଅନେକ ସମ୍ବେଦନଶୀଳ ବୁଥ୍‌ରେ ସେ ସିସିଟିଭି ନ ଲଗାଇବାକୁ ଚକ୍ରାନ୍ତ କରୁଛନ୍ତି। ବଦ୍ରିବାବୁ ପରାଜୟ ଭୟରେ ଘସିପୁରା ନିର୍ବାଚନମଣ୍ଡଳୀର ଜନସାଧାରଣଙ୍କ ଭୋଟ ପାଇବା ପାଇଁ ଉଦ୍ୟମ କରି ଏଥିରେ ବିଫଳ ହୋଇଥିବା ଶ୍ରୀ ପଟ୍ଟନାୟକ କହିଛନ୍ତି।