ମଣିଷର ବନ୍ଧୁକୁ ଏବେ ମଣିଷ ଭୟ : କନ୍ଧମାଳରୁ ଲୋପ ପାଇଯିବ ବାଦୁଡ଼ି ବଂଶ!

ଫାଶ ପକାଇ, ବିଷ ଦେଇ ମରାଯାଉଛି, ଗୋଟାକୁ ୫୦୦ରୁ ହଜାରେ ଟଙ୍କାରେ ବିକ୍ରି ହେଉଛି

ଫୁଲବାଣୀ : ପରିବେଷ ପ୍ରଦୂଷଣ, ଜଙ୍ଗଲ ଅବକ୍ଷୟ ସାଙ୍ଗକୁ ଖାଦ୍ୟ ଅଭାବ। ଏଥିସହ ଅବାଧ ଶିକାର ଯୋଗୁଁ ଜଙ୍ଗଲ ଓ ପାହାଡ଼ ଘେରା କନ୍ଧମାଳ ଜିଲ୍ଲାରୁ ଲୋପ ପାଇବାକୁ ବସିଲାଣି ବିଭିନ୍ନ ପ୍ରଜାତିର ବିରଳ ବାଦୁଡ଼ି । ବାଦୁଡ଼ି ହେଉଛି ଏକମାତ୍ର ସ୍ତନ୍ୟପାୟ ପ୍ରାଣୀ ‌ଯିଏ ଉଡ଼ିପାରେ। ମୁହଁ ଦେଖିବାକୁ ବିଲୁଆ ଭଳି। ତେଣୁ ବାଦୁଡ଼ିକୁ ଏ ଅଞ୍ଚଳରେ କେହି କେହି ‘ଉଡ଼ନ୍ତା ବିଲୁଆ’ ବି କହିଥାନ୍ତି। ଦିନରେ ସେ ଦେଖିପାରେ ନାହିଁ; ଆଉ ସଂଧ୍ୟା ହେଲେ ଖାଦ୍ୟ ଅନ୍ବେଷଣରେ ବାହାରି ପଡ଼େ।

ମଣିଷର ବନ୍ଧୁ ବୋଲି କୁହା ଯାଉଥିବା ଏହି ବାଦୁଡ଼ି ମୁଖ୍ୟତଃ ୯ ପ୍ରଜାତିର। କନ୍ଧମାଳର ଅନୁକୂଳ ପରିବେଶ ପାଇଁ ବାଦୁଡ଼ିମାନେ ରହିବାକୁ ଭଲ ପାଇଥାନ୍ତି। ବିଶେଷତଃ ନିଛାଟିଆ ସ୍ଥାନରେ ଥିବା ବଡ଼ ବଡ଼ ଗଛ, ପୁରୁଣା ପୋଲ, ଅନ୍ଧାରୁଆ ଘର ଓ ପାହାଡ଼ ଗୁମ୍ପାରେ ବାଦୁଡ଼ିମାନେ ରହିଥାନ୍ତି। ଜିଲ୍ଲାର ଦାରିଙ୍ଗବାଡ଼ି, ରାଇକିଆ, କୋଟଗଡ଼, ବେଲଘର, ତୁମୁଡ଼ିବନ୍ଧ ଆଜି ସ୍ଥାନମାନଙ୍କରେ ଅଧିକ ସଂଖ୍ୟାରେ ବାଦୁଡ଼ି ରହନ୍ତି। ହେଲେ ଜିଲ୍ଲା ସଦର ମହକୁମା ଫୁଲବାଣୀ ସହରରେ ସବୁଠାରୁ ଅଧିକ ସଂଖ୍ୟାରେ ବାଦୁଡ଼ି ଦେଖିବାକୁ ମିଳିଥାଏ। ତାହା ପୁଣି ଜିଲ୍ଲାପାଳଙ୍କ ଆବାସିକ କାର୍ଯ୍ୟାଳୟ ପରିସରରେ ଥିବା ଗଛଗୁଡ଼ିକରେ। ରାତିସାରା ଖାଦ୍ୟ ଖାଇ ରାତି ପାହିବା ପୂର୍ବରୁ ପୁଣି ବାସସ୍ଥାନକୁ ଫେରି ଆସନ୍ତି। ରାତି ପାହିଲେ ବଡ଼ ବଡ଼ ଗଛରେ ମୁହଁ ତଳକୁ ଦେଇ ଶହ ଶହ ସଂଖ୍ୟାରେ ଝୁଲି ଶୋଇଥାନ୍ତି।। ଯାହାକୁ ଦେଖଣାହାରୀ ଦେଖି ବେଶ ଆନନ୍ଦ ଅନୁଭବ କରିଥାନ୍ତି। ଏମିତି କି ବାହାରୁ ଆସୁଥିବା ପର୍ଯ୍ୟଟକମାନେ ବି ଯିବା ବାଟରେ ବାଦୁଡ଼ି ଦେଖିବା ପାଇଁ ଜିଲ୍ଲାପାଳଙ୍କ ଆବାସିକ କାର୍ଯ୍ୟାଳୟ ପାଖରେ ଅଟକି ଯାଆନ୍ତି।

New Indian Express

ହେଲେ ଜିଲ୍ଲାରେ ଆଉ ପୂର୍ବଭଳି ଆଉ ବାଦୁଡ଼ି ଦେଖିବାକୁ ମିଳୁ ନାହାନ୍ତି। କାଁ ଭାଁ ବାଦୁଡ଼ି ଦେଖିବାକୁ ମିଳୁଛି। ଜଙ୍ଗଲ ଅବକ୍ଷୟ ଓ ଖାଦ୍ୟ ଭାବ ହିଁ କାରଣ ବୋଲି କୁହାଯାଉଥିବା ବେଳେ ଅବାଧ ଶିକାର ହିଁ ବଡ କାରଣ ବୋଲି ପଶୁ ଓ ପକ୍ଷୀ ପ୍ରେମୀ ମତ ଦେଇଛନ୍ତି। ବାଦୁଡ଼ି ମାଂସର ସ୍ବାଦ କୁଆଡ଼େ ନିଆରା। ଏହାର ମାଂସରେ ବିଭିନ୍ନ ଔଷଧ ବି ପ୍ରସ୍ତୁତ ହେଉଛି। ତେଣୁ ଗୋଟାକୁ ୫ଶହ ଟଙ୍କାରେ ନେବାକୁ କିଛି ବେପାରୀ ଚାହିଁ ବସିଛନ୍ତି। ଏମିତି କି ବାହାରକୁ ପଠାଇଲେ ଗୋଟାକୁ କାଳେ ହଜାରେ ଟଙ୍କା ମିଳୁଛି। ତେଣୁ ଅର୍ଥଲୋଭରେ ଶିକାରୀମାନେ ଫାଶ ପକାଇ ଓ ବିଷ ଦେଇ ବାଦୁଡ଼ି ଶିକାର କରୁଛନ୍ତି। ଯଦି ଏମିତି ଅବାଧ ଶିକାର ଜାରି ରହେ ତାହେଲେ ଆଉ କିଛି ବର୍ଷ ମଧ୍ୟରେ କନ୍ଧମାଳରୁ ବାଦୁଡ଼ି ବଂଶ ଲୋପ ପାଇଯିବ। ତେଣୁ ବାଦୁଡ଼ିଙ୍କ ସୁରକ୍ଷା ପ୍ରତି ଦୃଷ୍ଟି ଦେବା ସହ ଶିକାରୀଙ୍କ ଉପରେ କଡ଼ା ନଜର ରଖିବାକୁ ବିଭିନ୍ନ ମହଲରୁ ଦାବି ହେଉଛି।

ସମ୍ବନ୍ଧିତ ଖବର