ବଡ଼ମ୍ବା ବନବିଭାଗ ହାଜତମୃତ୍ୟୁ ଘଟଣା: ‘ଆମ ସାମନାରେ ପିଟି ପିଟି ମାରିଦେଲେ’

କଟକ: ଆମ ଆଖି ଆଗରେ ଧନେଶ୍ୱରକୁ ପିଟି ପିଟି ମାରିଦେଲେ। ଆମ ଆଗରେ ଛଟପଟ ହୋଇ ତା ଜୀବନ ଚାଲିଗଲା। ବଡମ୍ବା ରେଞ୍ଜର, ଏସିଏଫ, ଫରେଷ୍ଟର, ଗାର୍ଡ ସମସ୍ତେ ତାକୁ ଗଡ଼ାଇତଡ଼ାଇ ଠେଙ୍ଗାରେ ପିଟିଲେ। ବୁଟ୍‌ରେ ତା’ ଉପରେ ଚଢ଼ି କଲବଲ କରି ତା’ ଜୀବନ ନେଇଗଲେ। ଛାଡ଼ି ଦେବାକୁ ସେ ଆକୁଳ ନିବେଦନ କରୁଥିଲେ ବି କେହି ଶୁଣିଲେନି। ପାଣି ଟୋପାଏ ବି ପିଇବାକୁ ଦେଲେନି। ବନ ବିଭାଗ ହେପାଜତରେ ଥିବା ସାତଗୋଛିଆ ଗାଁର ଧନେଶ୍ୱର ବେହେରାଙ୍କ ମୃତ୍ୟୁକୁ ନେଇ ଏପରି ବୟାନ ଦେଇଛନ୍ତି ସେହି ସମୟରେ ବନବିଭାଗ ହେପାଜତରେ ଥିବା ଅନ୍ୟଜଣେ ବ୍ୟକ୍ତି ରାଜକିଶୋର ପ୍ରଧାନ। ସେ ବି ଏବେ ଗୁରୁତର ଅବସ୍ଥାରେ ଏସସିବିରେ ଚିକିତ୍ସିତ ହେଉଛନ୍ତି। ହାତୀ ଶିକାର ଓ ଦାନ୍ତ ଚୋରି ଅଭିଯୋଗରେ ବନ ବିଭାଗ ରାଜକିଶୋର ପ୍ରଧାନଙ୍କୁ ମଧ୍ୟ ଉଠାଇ ନେଇଥିବା ବେଳେ ସେ ଏପରି ବୟାନ ଦେଇଛନ୍ତି। ବନକର୍ମଚାରୀଙ୍କ ଥାର୍ଡ ଡିଗ୍ରିରେ ବକୁଳବାଡିଆର ରାଜ କିଶୋର ପ୍ରଧାନ, ସରୁଆଁର ବିରଞ୍ଚି ଜାନୀ ଓ ରାଜୀବ ସ୍ବାଇଁ ପ୍ରମୁଖ ଆହତ ହୋଇଛନ୍ତି। ସେମାନେ ବଡମ୍ବା ମେଡିକାଲରେ ଚିକିତ୍ସିତ ହେଉଥିବା ବେଳେ ସେମାନଙ୍କ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।

ଏହି ଘଟଣାରେ ପୁଲିସ ଅଟକ ରଖିଥିବା ୧୫ ଜଣ ବନ କର୍ମଚାରୀଙ୍କ ମଧ୍ୟରୁ ୧୦ ଜଣଙ୍କୁ ଛାଡ଼ି ଦେଇଛି। ଅଟକ ଥିବା ୫ଜଣଙ୍କୁ ବୁଧବାର ଦିନ କୋର୍ଟ ଚାଲାଣ କରାଯିବ ବୋଲି ଆଠଗଡ଼ ଏସ୍‌ଡିପିଓ ବିଜୟ କୁମାର ବିଶି ସୂଚନା ଦେଇଛନ୍ତି। ଆଜି ପୁଲିସ ଧନେଶ୍ବରଙ୍କ ସ୍ତ୍ରୀ ଓ ପରିବାରବର୍ଗ, ବଡ଼ମ୍ବା ପେଟ୍ରୋଲ ଟାଙ୍କି ପାଖରୁ ଯେଉଁ ଅଟୋରୁ ତାଙ୍କୁ ବନ ବିଭାଗ କର୍ମଚାରୀ ଉଠାଇ ନେଇଥିଲେ, ସେହି ଅଟୋର ଚାଳକ ଆଉ ଧନେଶ୍ବରଙ୍କ ସହିତ ବନ ବିଭାଗ ହେପାଜତରେ ଥିବା ଅନ୍ୟ ବ୍ୟକ୍ତିଙ୍କୁ ପଚରାଉଚୁରା କରି ତଥ୍ୟ ପ୍ରମାଣ ଯୋଗାଡ କରୁଛି।

ସୂଚନାଯୋଗ୍ୟ, କଟକ ଜିଲ୍ଲା ଆଠଗଡ଼ ବନଖଣ୍ଡ ଅଧୀନସ୍ଥ ବଡ଼ମ୍ବା ଅଞ୍ଚଳରେ ହାତୀ ଶିକାର ଓ ଦାନ୍ତ ଚୋରି ଅଭିଯୋଗରେ ବନ ବିଭାଗ ଧନେଶ୍ୱର ବେହେରା, ରାଜକିଶୋର ପ୍ରଧାନ, ବିରଞ୍ଚି ଜାନି ଓ ରାଜୀବ ସ୍ୱାଇଁଙ୍କୁ ଉଠାଇ ନେଇଥିଲା। ହାତୀ ମାରିଥିବା ଅଭିଯୋଗ ସ୍ୱୀକାର କରିବାକୁ ବନ କର୍ମଚାରୀ ସେମାନଙ୍କ ଉପରେ ଥାର୍ଡ ଡିଗ୍ରି ପ୍ରୟୋଗ କରିଥିଲେ। ଆହତ ରାଜ କିଶୋର ଓ ବିରଞ୍ଚିଙ୍କ ପରିବାର ପକ୍ଷରୁ ବଡମ୍ବା ଥାନାରେ ବନବିଭାଗ କର୍ମଚାରୀଙ୍କ ନାଁରେ ଲିଖିତ ଏତଲା ଦିଆଯାଇଛି। ବଡମ୍ବା ରେଞ୍ଜର, ଏସିଏଫ୍‌ଙ୍କ ସମେତ ୫ଜଣ ବନକର୍ମଚାରୀଙ୍କ ନାଁରେ ବଡମ୍ବା ଥାନାରେ ମୃତକଙ୍କ ପରିବାରବର୍ଗଙ୍କ ଅଭିଯୋଗ କ୍ରମେ ମାମଲା ରୁଜୁ ହୋଇଛି। ବନ ବିଭାଗ କର୍ମଚାରୀଙ୍କ ଥାର୍ଡ ଡିଗ୍ରିରେ ଆହତ ରାଜକିଶୋରଙ୍କ କହିବା ମୁତାବକ, ସେ ରବିବାର ସକାଳେ ଘରେ ରୋଷେଇ କରୁଥିବା ସମୟରେ ହଠାତ୍‌ ଆସି ତାଙ୍କୁ ବନ ବିଭାଗ କର୍ମଚାରୀ ଟେକି ନେଇଥିଲେ। ହରିଡ଼ାପଶି ଜଙ୍ଗଲରେ ଥିବା ବିଟ୍‌କୁ ନେଇ ଠେଙ୍ଗାରେ ପିଟିବା ସହ ବୁଟ୍‌ରେ ମୁହଁକୁ ମାରିଥିଲେ। ଚିତ୍କାର କଲେ ବି କେହି ଶୁଣିଲେନି। ହାତ ଫାଟିଗଲା ପରେ ବି ହାତକୁ ବୁଟ୍‌ରେ କୁଦି ଦେଲେ । ନିର୍ଯାତନା ସହି ନ ପାରି ସେ ଅଚେତ ହୋଇ ପଡ଼ିଥିଲେ। ମୁହଁରେ ପାଣି ମାରି ତାଙ୍କୁ ଖୁଣ୍ଟୁଣୀ ଜଙ୍ଗଲକୁ ନେଇ ଯାଇଥିଲେ। ପରେ ଧନେଶ୍ୱରକୁ ବଡମ୍ବା ରେଞ୍ଜର, ଏସିଏଫ, ଫରେଷ୍ଟଗାର୍ଡ ଠେଙ୍ଗାରେ ଗୋରୁଗାଈ ପରି ପିଟିଲେ। ତାକୁ ପିଟି ପିଟି ପକାଇ ଦେଇ ଆମକୁ ନେଇ ତା’ ଘରକୁ ରେଡ କରିବାକୁ ଗଲେ। ତା’ ଘରେ କିଛି କହିଲେ ଆମକୁ ବି ମାରିଦେବେ‌ ବୋଲି ଧମକ ଦେଲେ। ତେଣୁ ସେ ମରିଛି ବୋଲି ବି ଆମେ ତା’ ଘରେ କହିପାରିଲୁନି। ତା’ ଘରୁ କିଛି ନ ବାହାରିବାରୁ ଆମକୁ ଧରି ପଳାଇ ଆସିଲେ। ସେଠାରୁ ଫେରିବା ପରେ ଧନେଶ୍ୱରକୁ ତିଗିରିଆ ମେଡିକାଲ ନେଇଗଲେ।

ଏହି ଘଟଣାକୁ ନେଇ ଅଞ୍ଚଳରେ ଉତ୍ତେଜନା ଜାରି ରହିଛି। ଗତକାଲିଠାରୁ ବନ ବିଭାଗ ଅଧିକାରୀ ଓ କର୍ମଚାରୀଙ୍କୁ ଆଠଗଡ଼ ଥାନାରେ ମାରାଥନ ଜେରା କରାଯାଇଥିଲା। ଅନ୍ୟପଟେ ଏହି ଘଟଣାରେ ପୁଲିସ ଅଟକ ରଖିଥିବା ଦୁଇଜଣ ଏସିଏଫ୍‌ଙ୍କ ବିରୋଧରେ ରହିଥିବା ପ୍ରମାଣର ତର୍ଜମା କରୁଛି। ଅନ୍ୟପଟେ ବଡ଼ ଅଧିକାରୀଙ୍କୁ ପ୍ରମାଣ ଅଭାବ ଦର୍ଶାଇ ଖସାଇ ଦେଇ କିଛି ତଳିଆ କର୍ମଚାରୀଙ୍କୁ ଗିରଫ ଦର୍ଶାଯିବା ଯୋଜନା କରାଯାଉଛି ବୋଲି ଅଭିଯୋଗ ହେଉଛି।

ସମ୍ବନ୍ଧିତ ଖବର