ସ୍କୁଲ ଅଧ୍ୟକ୍ଷା ମମିତା ହତ୍ୟାକାଣ୍ଡ: ଅଭିଯୁକ୍ତ ରାଧେ ଘରୁ ମିଳିଥିବା ବ୍ୟାଗ୍‌ ମମିତାଙ୍କର ନୁହେଁ

ବଲାଙ୍ଗୀର: ବହୁ ଚର୍ଚ୍ଚିତ କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ମହାଲିଙ୍ଗସ୍ଥିତ ସନ୍‌ସାଇନ୍‌ ପବ୍ଲିକ୍‌ ସ୍କୁଲର ଅଧ୍ୟକ୍ଷା ମମିତା ମେହେର ହତ୍ୟାକାଣ୍ଡ ଘଟଣାରେ ଅଭିଯୁକ୍ତ ରାଧେଶ୍ୟାମ ଚଣ୍ଡିର ସ୍ତ୍ରୀ ପୁଲିସକୁ ଦେଇଥିବା ବ୍ୟାଗ୍‌ ନେଇ ଅନ୍ୟ ଏକ ଅପ୍‌ଡେଟ୍‌ ଆସିଛି। ଅଭିଯୁକ୍ତ ରାଧେ ସ୍ତ୍ରୀ ପୁଲିସକୁ ଦେଇଥିବା ବ୍ୟାଗ୍‌ ମମିତା ମେହେରଙ୍କ ନୁହେଁ ବୋଲି ପୁଲିସ କହିଛି। ରାଧେ ଗିରଫ ହେବା ପରେ ଏହି ବ୍ୟାଗ୍‌ଟି ସ୍ତ୍ରୀ ପୁଲିସକୁ ଦେଇଥିଲା। ତେଣୁ ବ୍ୟାଗ୍‌ ଭିତରେ ଥିବା ଜିନିଷ ପ୍ରତି ପୁଲିସର ନଜର ରହିଥିଲା। ତେବେ ପରିବାର ଲୋକେ ଏନେଇ ମୁହଁ ଖୋଲିନାହାନ୍ତି।

ଅନ୍ୟପଟରେ ମୃତଦେହ ନିକଟରୁ ମିଳିଥିବା ଚେନ୍‌, ପାଉଁଜିକୁ ପୁଲିସ ମମିତାଙ୍କ ପରିବାରକୁ ହସ୍ତାନ୍ତର କରିଛି। ପରିବାର ଲୋକ ମମିତାଙ୍କ ଚେନ୍‌ ଓ ପାଉଁଜି ଚିହ୍ନଟ କରିବା ପରେ ହସ୍ତାନ୍ତର କଲା ପୁଲିସ। ସନ୍‌ସାଇନ୍‌ ସ୍କୁଲର ମାଲିକ ଗୋବିନ୍ଦ ସାହୁଙ୍କ ଡ୍ରାଇଭର ରାଧେଶ୍ୟାମ୍‌ ଚଣ୍ଡିଙ୍କ ଘରୁ ଯେଉଁ ଧଳା ରଙ୍ଗର ବ୍ୟାଗ୍‌ ମିଳିଥିଲା, ସେଥିରେ ମଧ୍ୟ ଏକ ମୋବାଇଲ ଫୋନ୍‌ ରହିଥିଲା। ତେବେ ଏହି ମୋବାଇଲ ଫୋନ୍‌ ମମିତାଙ୍କର କି ନୁହେଁ ତାହା ଚିହ୍ନଟ କରିବାକୁ ପୁଲିସ ମମିତାଙ୍କ ପରିବାରକୁ ଡାକିଥିଲା।

ସୂଚନାଯୋଗ୍ୟ, ଗତକାଲି ରାଧେଶ୍ୟାମଙ୍କ ପତ୍ନୀ ଘର ଖଟ ତଳୁ ଏକ ବ୍ୟାଗ୍‌ ପାଇଥିଲେ। ଏହି ବ୍ୟାଗ୍‌ରେ ଜିନ୍‌ସ ପ୍ୟାଣ୍ଟ, କଳା ସାର୍ଟ ଓ ଏକ ମୋବାଇଲ୍‌ ଫୋନ୍‌ ଥିବା କୁହାଯାଉଥିଲା । ପୂର୍ବରୁ ମମିତାଙ୍କ ପରିବାର ମଧ୍ୟ ସେ ଭିଭୋ ବ୍ରାଣ୍ଡର ଏକ ନୂଆ ମୋବାଇଲ୍‌ ଫୋନ୍‌ କିଣିଥିବା କଥା କହିଥିଲେ।

ସମ୍ବନ୍ଧିତ ଖବର