ବଗଲା ଧର୍ମଶାଳା ଜମି ଅନିୟମିତତା ପ୍ରସଂଗ : ହାଇକୋର୍ଟଙ୍କ ଜବାବ ତଲବ

ନଭେମ୍ବର ୨ରେ ଏ ସଂପର୍କିତ ଦୁଇ ମାମଲା‌ର ଏକତ୍ର ଶୁଣାଣି

କଟକ : ପୁରୀ ବଡ଼ଦାଣ୍ଡରେ ଥିବା ବଗଲା ଧର୍ମଶାଳା ଜମି ଅନିୟମିତତା ପ୍ରସଂଗକୁ ନେଇ ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ଡ. ସମ୍ବିତ ପାତ୍ର ଦାୟର କରିଥିବା ମାମଲାର ଶୁଣାଣି କରି ହାଇକୋର୍ଟ ରାଜ୍ୟ ସରକାରଙ୍କ ନିକଟରୁ ଜବାବ ତଲବ କରିଛନ୍ତି। ପୂର୍ବରୁ ବଗଲା ଧର୍ମଶାଳା ଜମି ପ୍ରସଂଗ ନେଇ ବିଚାରାଧୀନ ରହିଥିବା ଜଗନ୍ନାଥ ବସ୍ତିଆଙ୍କ ଆବେଦନ ସହିତ ଏହି ମାମଲାର ଏକତ୍ର ଶୁଣାଣି ନଭେମ୍ବର ୨ରେ କରିବା ପାଇଁ ଆଜି ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟ ବିଚାରପତି ଜଷ୍ଟିସ ମହମ୍ମଦ ରଫିକ୍ ଓ ଡକ୍ଟର ଜଷ୍ଟିସ ବି.ଆର୍‌ ଷଡଙ୍ଗୀଙ୍କୁ ନେଇ ଗଠିତ ଖଣ୍ଡପୀଠ ଏ ସଂପର୍କିତ ମାମଲାର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି।

ଆଜି ମାମଲାର ଶୁଣାଣି ସମୟରେ ଆବେଦନକାରୀଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ପୀତାମ୍ବର ଆଚାର୍ଯ୍ୟ ଯୁକ୍ତିରେ ଦର୍ଶାଇଥିଲେ ଯେ ଏହି ଜମି ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କର। ସାବକ ରେକର୍ଡ ଅନୁସାରେ ଏହା ଶ୍ରୀଜଗନ୍ନାଥଙ୍କ ଅମୃତମଣୋହି ସଂପତ୍ତି। ସରକାର ଏହି କଥା ସ୍ବୀକାର କରିଛନ୍ତି। ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ଉପପ୍ରଶାସକ (ରାଜସ୍ବ) ନିକଟରେ ଜାରି କରିଥିବା ଏକ ଚିଠିରୁ ଏହା ମଧ୍ୟ ସ୍ପଷ୍ଟ। ୧୯୯୦ ମସିହାରେ ହାଲ ରେକର୍ଡରେ ବେଆଇନ ଭାବେ ଏହି ଜମି ଲଜିଂ ହାଉସ ଫଣ୍ଡ କମିଟି ନାଁରେ କରାଯାଇଥିଲା। ୧୯୫୫ରେ ଶ୍ରୀଜଗନ୍ନାଥ ମନ୍ଦିର ଆଇନ ଆସିବା ପରେ ମହାପ୍ରଭୁଙ୍କ ସମସ୍ତ ସ୍ଥାବର ଓ ଅସ୍ଥାବର ସଂପତ୍ତିର ପରିଚାଳନା ଦାୟିତ୍ବ ଶ୍ରୀଜଗନ୍ନାଥ ମନ୍ଦିର ପରିଚାଳନା କମିଟି ହାତରେ ନ୍ୟସ୍ତ କରାଯାଇଥିଲା। କିନ୍ତୁ ମନ୍ଦିର ପରିଚାଳନା କମିଟିକୁ ସୁଯୋଗ ନ ଦେଇ ବେଆଇନ ଭାବେ ଲଜିଂ ହାଉସ ଫଣ୍ଡ ନାଁରେ ଜମିକୁ ରେକର୍ଡଭୁକ୍ତ କରାଯାଇଥିଲା ବୋଲି ଶ୍ରୀ ଆଚାର୍ଯ୍ୟ ଦର୍ଶାଇଥିଲେ। ଅନ୍ୟପକ୍ଷରେ ଏହି ମାମଲାରେ ସରକାରଙ୍କ ପକ୍ଷରୁ ହାଇକୋର୍ଟରେ ପ୍ରାଥମିକ ଜବାବ ଦାଖଲ କରାଯାଇଛି। ପୁରୀ ତହସିଲଦାର ଆର.କେ ପ୍ରଧାନ ଦାଖଲ କରିଥିବା ସତ୍ୟପାଠରେ ଉଲ୍ଲେଖ କରାଯାଇଛି ଯେ, ୧୯୯୦ରେ ପ୍ରକାଶିତ ହାଲ ସେଟେଲମେଣ୍ଟ ଆର୍‌ଓଆର୍‌ ଆଧାରରେ ସରକାର ପଦକ୍ଷେପ ଗ୍ରହଣ କରିଛନ୍ତି। ରେକର୍ଡରେ ଏହି ସଂଶୋଧନକୁ ଉପଯୁକ୍ତ କର୍ତ୍ତୃପକ୍ଷଙ୍କ ନିକଟରେ କବେ କେହି ଚାଲେଞ୍ଜ କରି ନାହାନ୍ତି। ସାବକ ରେକର୍ଡ ଅନୁସାରେ ଏହି ଜମି ଶ୍ରୀଜଗନ୍ନାଥ ମହାପ୍ରଭୁ ବିଜେ ପୁରୀଙ୍କ ନାଁରେ ରେକର୍ଡଭୁକ୍ତ ହୋଇଥିଲା। ଧର୍ମଶାଳା ନିର୍ମା‌ଣ ପାଇଁ ୧୯୦୧ରେ କହ୍ନେୟା‌ଲାଲ୍ ବଗଲାଙ୍କ ଅନୁରୋଧ କ୍ରମେ ଏହି ଜମିକୁ ସରକାର ଅଧିଗ୍ରହଣ କରିଥିବା ଘଟଣା ହାଲ୍ ସେଟେଲମେଣ୍ଟ ବେଳେ ଜଣା ପଡ଼ିଥିଲା। ଏହି ଜମି ଉପରେ ଧର୍ମଶାଳା ନିର୍ମାଣ କରାଯାଇଥିଲା। ଏ ସଂପର୍କିତ ୟାଦାସ୍ତରେ ଏହି ତଥ୍ୟ ଉଲ୍ଲେଖ ରହିଛି। ୧୯୧୬ରେ ରେକର୍ଡ ରୁମ୍ ପୋଡ଼ି ଯାଇଥିବାରୁ ଏ ସଂପର୍କିତ ନଥିପତ୍ର ଉପଲବ୍ଧ ନାହିଁ ବୋଲି ୟାଦାସ୍ତରେ ମଧ୍ୟ ଉଲ୍ଲେଖ କରାଯାଇଛି। ସେଟେଲମେଣ୍ଟ ୟାଦାସ୍ତରେ ୧୯୬୬, ଫେବ୍ରୁଆରି ୧ରେ ଏ ସଂପର୍କରେ ଉଲ୍ଲେଖ ରହିଛି ବୋଲି ସରକାରଙ୍କ ପ୍ରାଥମିକ ଜବାବରେ ଦର୍ଶାଯିବା ସହିତ ୟାଦାସ୍ତର କପି ଦାଖଲ କରାଯାଇଛି। ଅନ୍ୟପକ୍ଷରେ ଏହି ମାମଲାରେ ପରବର୍ତ୍ତୀ ଶୁଣାଣି ପୂର୍ବରୁ ସରକାର ବିସ୍ତୁତ ଭାବେ ଜବାବ ରଖିବେ।

ବଗଲା ଧର୍ମଶାଳା ଜମି ପ୍ରସଂଗରେ ରାଜ୍ୟ ସରକାର, ପୁରୀ ପୌରପାଳିକା ଓ ପୁରୀ ଜିଲ୍ଲାପାଳ ନେଇଥିବା ନିଷ୍ପତ୍ତି ବେଆଇନ ହୋଇଥିବାବେଳେ ଏହାକୁ ରଦ୍ଦ କରାଯାଉ, ରେକର୍ଡରେ ଆବଶ୍ୟକ ସଂଶୋଧନ କରି ଏହି ଜମି ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ନାଁକୁ ଫେରାଇ ଅଣାଯାଉ ବୋଲି ଆବେଦନକାରୀ ଦର୍ଶାଇଛନ୍ତି। ଏଥିସହିତ ଜିଲ୍ଲାପାଳ ବଗଲା ଧର୍ମଶାଳା ଜମି ବିକ୍ରି ପାଇଁ କରିଥିବା ବିକ୍ରି କବଲାଗୁଡିକ ରଦ୍ଦ କରାଯାଉ ଓ ଶ୍ରୀଜଗନ୍ନାଥଙ୍କ ସଂପତ୍ତି ସୁରକ୍ଷା ପାଇଁ ଉପଯୁକ୍ତ ନିର୍ଦ୍ଦେଶ ପ୍ରଦାନ କରାଯାଉ ବୋଲି ଆବେଦନରେ ଉଲ୍ଲେଖ କରାଯାଇଛି। ମାମଲାରେ ରାଜ୍ୟ ସରକାର, ଶ୍ରୀଜଗନ୍ନାଥ ମନ୍ଦିର ପରିଚାଳନା କମିଟି, ରାଜସ୍ବ ଓ ବିପର୍ଯ୍ୟୟ ପରିଚାନା ବିଭାଗ, ନଗର ଉନ୍ନୟନ ବିଭାଗ, ପର୍ଯ୍ୟଟନ ବିଭାଗ, ପୁରୀ ଜିଲ୍ଲାପାଳ, ତହସିଲଦାର, ପୌରପାଳିକା ଓ ଅନ୍ୟମାନଙ୍କୁ ପକ୍ଷଭୁକ୍ତ କରାଯାଇଛି। ଏଠାରେ ଉଲ୍ଲେଖଯୋଗ୍ୟ, ଶ୍ରୀମନ୍ଦିର ଚତୁଃପାର୍ଶ୍ବ ଉଚ୍ଛେଦ ପ୍ରକ୍ରିୟା ଜାରି ରହିଥିବାବେଳେ ବଗଲା ଧର୍ମଶାଳା ଜମିକୁ ହୋଟେଲ ଓ ଲଜ ମାଲିକଙ୍କୁ ଦେବା ପ୍ରସଂଗକୁ ନେଇ ବିବାଦ ତେଜିଥିଲା।

ସମ୍ବନ୍ଧିତ ଖବର