କଟକ: ପୁରୀ ବଡ଼ଦାଣ୍ଡରେ ଥିବା ବଗଲା ଧର୍ମଶାଳା ଜମି ବିକ୍ରିକୁ ବିରୋଧ କରି ଦାୟର ମାମଲାରେ ପ୍ରତିଜବାବ ଦାଖଲ ପାଇଁ ହାଇକୋର୍ଟ ଆବେଦନକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଆଜି ମୁଖ୍ୟ ବିଚାରପତି ଜଷ୍ଟିସ ମହମ୍ମଦ ରଫିକ୍ ଓ ଡକ୍ଟର ଜଷ୍ଟିସ ବି.ଆର.ଷଡଙ୍ଗୀଙ୍କୁ ନେଇ ଗଠିତ ଖଣ୍ଡପୀଠ ଜଗନ୍ନାଥ ବସ୍ତିଆଙ୍କ ପକ୍ଷରୁ ଦାୟର ଜନସ୍ବାର୍ଥ ମାମଲାର ପରବର୍ତ୍ତୀ ଶୁଣାଣି ନଭେମ୍ବର ୨କୁ ଧାର୍ଯ୍ୟ କରିଛନ୍ତି। ଏହି ମାମଲାରେ ପୁରୀ ତହସିଲଦାର ଓ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ପକ୍ଷରୁ ଜବାବ ଦାଖଲ ହୋଇଥିବାବେଳେ ଆବେଦନକାରୀଙ୍କୁ ପ୍ରତିଜବାବ ଦାଖଲ ପାଇଁ ନିର୍ଦ୍ଦେଶ ଦିଆଯାଇଛି।
ଶ୍ରୀମନ୍ଦିର ଚତୁଃପାର୍ଶ୍ବ ଉଚ୍ଛେଦ ପ୍ରକ୍ରିୟା ଜାରି ରହିଥିବାବେଳେ ବଗଲା ଧର୍ମଶାଳା ଜମିକୁ ହୋଟେଲ ଓ ଲଜ୍ ମାଲିକଙ୍କୁ ଦେବା ପ୍ରସଂଗକୁ ନେଇ ୨୦୧୯ରେ ଆବେଦନକାରୀ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ଆବେଦନରେ ଦର୍ଶାଯାଇଥିଲା ଯେ ହାଇକୋର୍ଟରେ ମାମଲା ବିଚାରାଧୀନ ଥିବାବେଳେ ବଗଲା ଧର୍ମଶାଳା ଜମିର କିଛି ଅଂଶ ବିକ୍ରି କରାଯାଇଛି। ପୁରୀ ଜିଲ୍ଲାପାଳ ବଗଲା ଧର୍ମଶାଳା ଜମିକୁ ୬ଜଣ ଲଜିଂ ମାଲିକଙ୍କୁ ବିକ୍ରି କରିଛନ୍ତି। ଏ ନେଇ ପୁରୀ ସବ୍ରେଜିଷ୍ଟ୍ରାରଙ୍କ ନିକଟରେ ବିକ୍ରି କବଲା ମଧ୍ୟ କରାଯାଇଛି। ହାଇକୋର୍ଟରେ ମାମଲା ବିଚାରାଧୀନ ଥିବାବେଳେ ବିନା ଅନୁମତିରେ ଜମି ବିକ୍ରି କରାଯିବା ବେଆଇନ। ବଗଲା ଧର୍ମଶାଳାର ଅବଶିଷ୍ଟ ଜମିକୁ ମଧ୍ୟ ଜିଲ୍ଲାପାଳ ବିକ୍ରି କରି ଦେବାର ସମ୍ଭାବନା ରହିଛି। ଏପରି ପରିସ୍ଥିତିରେ ବଗଲା ଧର୍ମଶାଳା ଜମି ବିକ୍ରି/ହସ୍ତାନ୍ତର ଉପରେ ରହିତାଦେଶ ଜାରି କରାଯାଉ ବୋଲି ଦାୟର ଅନ୍ତରୀଣ ଆବେଦନରେ ଉଲ୍ଲେଖ କରାଯାଇଛି। ଏଥିସହିତ ଜମିର ସ୍ଥିତିରେ କୌଣସି ପରିବର୍ତ୍ତନ ନ କରିବା ପାଇଁ ସ୍ଥିତାବସ୍ଥା ଜାରି କରାଯାଉ ବୋଲି ଆବେଦନକାରୀ ଦର୍ଶାଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/09/Orissa-High-Court-1.jpg)