ବଗଳା ଧର୍ମଶାଳା ଜମି କାହାରିକୁ ବିକ୍ରି କରାଯାଇନାହିଁ, କେବଳ ୧୨% ଜମିରେ ବିସ୍ଥାପିତଙ୍କୁ ଥଇଥାନ କରାଯାଇଛି : ପୁରୀ ଜିଲ୍ଲା ପ୍ରଶାସନର ସ୍ପଷ୍ଟୀକରଣ

ଭୁବନେଶ୍ୱର : ବଗଳା ଧର୍ମଶାଳା ଜମି ବିକ୍ରି ସଂପର୍କରେ ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ପଷ୍ଟୀକରଣ ଜାରି କୁହାଯାଇଛି ଯେ ଏହି ଜମି ବିକ୍ରି କରାଯାଇଥିବା କଥା ସତ୍ୟତା ଉପରେ ଆଧାରିତ ନୁହେଁ । ଏହି ଜମି କାହାରିକୁ ବିକ୍ରି କରାଯାଇନାହିଁ । ଏହି ଧର୍ମଶାଳାର ମାତ୍ର ୧୨ ପ୍ରତିଶତ ଅଞ୍ଚଳ ସେବାୟତ ଓ ମନ୍ଦିର ପରିସର ପାଇଁ ଜମିଛାଡ଼ିଥିବା ଲୋକମାନଙ୍କ ଥଇଥାନ ପାଇଁ ଆବଣ୍ଟନ କରାଯାଇଛି ।

ପ୍ରଶାସନ ପକ୍ଷରୁ ଆହୁରି ମଧ୍ୟ କୁହାଯାଇଛି ଯେ ବଗଳା ଧର୍ମଶାଳା ପରିସରରେ ଯେଉଁମାନଙ୍କୁ ଥଇଥାନ କରାଯାଇଛି, ସେମାନେ ମୁଖ୍ୟତଃ ଭିତର ସେବାୟତ ନିଯୋଗର ଅନ୍ତର୍ଭୁକ୍ତ ଓ ସେମାନେ ଗତ ଅନେକ ବର୍ଷ ଧରି ମନ୍ଦିର ନିକଟରେ ରହୁଥିଲେ । ମହାପ୍ରଭୁଙ୍କ ପ୍ରତି ଭକ୍ତି ଓ ସରକାରଙ୍କ ଅନୁରୋଧ କ୍ରମେ ସେମାନେ ନିଜର ଏହି ଭିଟାମାଟି ମନ୍ଦିର କରିଡର ପ୍ରକଳ୍ପ ପାଇଁ ଛାଡ଼ିଦେଇଥିଲେ ।

ବିସ୍ଥାପିତ ପରିବାରଗୁଡ଼ିକୁ ସରକାରଙ୍କ ଅନୁମୋଦିତ ଥଇଥାନ ପ୍ୟାକେଜ ଅନୁସାରେ ରାଜସ୍ୱ ଜମିରେ ଥଇଥାନ କରାଯାଇଛି ।
ପ୍ରଶାସନ ପକ୍ଷରୁ କୁହାଯାଇଛି ଯେ ବଗଳା ଧର୍ମଶାଳାରେ ମାତ୍ର ୨୦୦ ଲୋକ ରହିବା ପାଇଁ ବ୍ୟବସ୍ଥା ଥିଲା । କିନ୍ତୁ ଗରିବ ତୀର୍ଥଯାତ୍ରୀଙ୍କ ପାଇଁ ସରକାର ଏବେ ୨୦୦୦ ଲୋକ ରହିବା ପରି ଲଜ/ଧର୍ମଶାଳା ନିର୍ମାଣ କରୁଛନ୍ତି । ଆଗକୁ ଆହାରି ୮୦୦୦ ଲୋକ ରହିବା ପାଇଁ ବ୍ୟବସ୍ଥା କରାଯିବ । ଏଣୁ ସରକାର ବଗଳା ଧର୍ମଶାଳା କ୍ଷମତାକୁ ୫୦ ଗୁଣ ବୃଦ୍ଧି କରୁଛନ୍ତି ।
ଏଣୁ ଶ୍ରୀମନ୍ଦିର ପାଇଁ ତ୍ୟାଗ କରିଥିବା ସେବାୟତମାନଙ୍କୁ ଆମେ କୃତଜ୍ଞତା ପ୍ରଦର୍ଶନ କରିବା ଉଚିତ ବୋଲି ଏଥିରେ କୁହାଯାଇଛି ।

ସମ୍ବନ୍ଧିତ ଖବର