ଜିଲ୍ଲାପାଳ ଚଞ୍ଚକତା କରି ବଗଲା ଧର୍ମଶାଳା ଜମିକୁ ବିକ୍ରି କରିଛନ୍ତି: କଂଗ୍ରେସ

୨୪ ଘଣ୍ଟା ମଧ୍ୟରେ ସ୍ପଷ୍ଟୀକରଣ ଦେବାକୁ ଦଳର ଆହ୍ବାନ
ଜିଲ୍ଲା କଂଗ୍ରେସ ପକ୍ଷରୁ ରାଜ୍ୟପାଳଙ୍କୁ ସ୍ମାରକ ପତ୍ର ପ୍ରଦାନ

ଭୁବନେଶ୍ୱର : ବଗଲା ଧର୍ମଶାଳା ଜମିକୁ ପୁରୀ ଜିଲ୍ଲାପାଳ ଚଞ୍ଚକତା କରି ବିକ୍ରି କରିଛନ୍ତି। ଏ ସଂକ୍ରାନ୍ତରେ ଜିଲ୍ଲାପାଳ ବଲଓ୍ବନ୍ତ୍‌ ସିଂହ ଟ୍ବିଟ୍‌ ଯୋଗେ ଯେଉଁ ତଥ୍ୟ ଓ ପ୍ରମାଣ ଦେଇଛନ୍ତି ତାକୁ କଂଗ୍ରେସ କଡ଼ା ଭାଷାରେ ସମାଲୋଚନା କରିଛି। ଆଜି ଦଳ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ କରାଯାଇ ଜିଲ୍ଲାପାଳ କିପରି ଏ କେଳେଙ୍କାରୀରେ ସମ୍ପୃକ୍ତ ସେ ନେଇ ତଥ୍ୟ ଓ ପ୍ରମାଣ ଉପସ୍ଥାପନ କରାଯାଇଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ପୁରୀ ଜିଲ୍ଲାପାଳ ସ୍ପଷ୍ଟୀକରଣ ଦେବାକୁ ଦଳ ଆହ୍ବାନ କରିଛି। ଅନ୍ୟପଟେ ଏହି ପ୍ରସଙ୍ଗରେ ହସ୍ତକ୍ଷେପ କରିବାକୁ ଜିଲ୍ଲା କଂଗ୍ରେସ ପକ୍ଷରୁ ରାଜ୍ୟପାଳଙ୍କୁ ସ୍ମାରକ ପତ୍ର ପ୍ରଦାନ କରାଯାଇଛି।

ଦଳୀୟ ନେତା ସତ୍ୟ ପ୍ରକାଶ ନାୟକ ଅଭିଯୋଗ କରିଛନ୍ତି, ନିଜ ଟ୍ବିଟର ଆକାଉଣ୍ଟରେ ଜିଲ୍ଲାପାଳ ଯେଉଁ ତଥ୍ୟ ରଖିଛନ୍ତି, ତାହା ତାଙ୍କ ପାଇଁ ବୁମେରାଂ ସାବ୍ୟସ୍ତ ହୋଇଛି। ଜିଲ୍ଲାପାଳଙ୍କ ପକ୍ଷରୁ କୁହାଯାଇଛି ଯେ, ପୁରୀ ମୁନିସିପାଲଟି ପକ୍ଷରୁ ୨୦୧୯ ଅକ୍ଟୋବର ୨୫ ତାରିଖରେ ବଗଲା ଧର୍ମଶାଳା ଜମିକୁ ରାଜସ୍ବ ବିଭାଗକୁ ହସ୍ତାନ୍ତର କରିବା ପାଇଁ ଅନୁମତି ଦିଆଯାଇଥିଲା। ସେହି ଆଧାରରେ ବଗଲା ଧର୍ମଶାଳା ଜମି ଆଇନତଃ ରାଜସ୍ବ ବିଭାଗକୁ ଆସିବା ପରେ କ୍ଷତିଗ୍ରସ୍ତ ଲଜିଂ ମାଲିକମାନଙ୍କୁ ପ୍ରଦାନ କରାଯାଇଛି। ଅସଲରେ ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ମ୍ୟୁନିସିପାଲଟି କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ପାଖରେ ଗୋଟିଏ ଚିଠି ଲେଖାଯାଇଛି। ଯେଉଁଥିରେ ଦର୍ଶାଯାଇଛି, ଯେ ଅବଢ଼ା ଯୋଜନାକୁ କାର୍ଯ୍ୟକାରୀ କରିବା ପାଇଁ ବଗଲା ଧର୍ମଶାଳା ଜମିକୁ ରାଜସ୍ବ ବିଭାଗକୁ ଦିଆଯିବ। ଚିଠିର ଗୁରୁତ୍ବପୂର୍ଣ୍ଣ ସର୍ତ୍ତଟି ହେଉଛି, ଜମି ହସ୍ତାନ୍ତର ପୂର୍ବରୁ ସବିଶେଷ ସର୍ତ୍ତାବଳୀ ପ୍ରସ୍ତୁତ କରାଯିବ। ସେହି ଆଧାରରେ ଜମି ହସ୍ତାନ୍ତର କରାଯିବ। ଯେତେବେଳ ସବିଶେଷ ସର୍ତ୍ତାବଳୀ ପ୍ରସ୍ତୁତ କରାଯାଇନାହିଁ ଓ ଅବଢ଼ା ବ୍ୟତୀତ ଅନ୍ୟ କୌଣସି କାର୍ଯ୍ୟରେ ଜମି ବ୍ୟବହାର କରିବାକୁ ଚିଠିରେ ଉଲ୍ଲେଖ କରାଯାଇନାହିଁ ସେତେବେଳେ ଜିଲ୍ଲାପାଳ ବଲବନ୍ତ ସିଂ କେଉଁ ଆଇନ୍ ଓ କ୍ଷମତା ବଳରେ ଦୁଇଟି ମିସ୍‌ କେସ୍ ଜରିଆରେ ଜମିର ମାଲିକାନା ସତ୍ତ୍ବକୁ ଲଜିଂ ହାଉସିଂ ଫଣ୍ଡରୁ ରାଜସ୍ବ ବିଭାଗକୁ ହସ୍ତାନ୍ତର କଲେ ତାକୁ ନେଇ ଶ୍ରୀ ନାୟକ ପ୍ରଶ୍ନ କରିଛନ୍ତି। କଂଗ୍ରେସ କହିଛି, ଧର୍ମଶାଳା ଜମି ବିକିବା ପୂର୍ବରୁ ଜମିର ବଜାର ଦର ଓ ଏହା ଉପରେ ଥିବା କୋଠାର ବଜାର ଦର ହିସାବରେ କ୍ଷତିପୂରଣ ରାଶି ମଧ୍ୟ ପ୍ରଦାନ କରାଯିବ। କିନ୍ତୁ ଆଶ୍ଚର୍ଯ୍ୟର କଥା, ନିଜେ ଜିଲ୍ଲାପାଳ ସ୍ପଷ୍ଟୀକରଣ ଦେଇ ସ୍ବୀକାର କରିଛନ୍ତି, ସମ୍ପୃକ୍ତ ଜମିକୁ ବଜାର ଦର ବଦଳରେ ବେଞ୍ଚ୍‌ ମାର୍କ ମୂଲ୍ୟରେ ବିକ୍ରୟ କରାଯାଇଛି। ଯାହାକି ସର୍ତ୍ତାବଳୀର ଖୋଲାଖୋଲି ଉଲଂଘନ। ଏହାଯୋଗୁଁ ସରକାର କୋଟି କୋଟି ଟଙ୍କା ରାଜସ୍ବ ହରାଇଛନ୍ତି। ସେ ଆହୁରି ବି ଅଭିଯୋଗ କରି କହିଛନ୍ତି ଶ୍ରୀ ମନ୍ଦିର ସୁରକ୍ଷା କରିଡର୍‌ ନାଁରେ ସରକାରଙ୍କୁ ବିଶ୍ବାସ କରି ଜମି ହରାଇଥିବା ପୁରୀର ସମସ୍ତ ବ୍ୟକ୍ତି ଠକାମିର ଶିକାର ହୋଇଛନ୍ତି। ଶ୍ରୀମନ୍ଦିର ଚାରିପାଖରେ ୭୫ ମିଟର ପରିଧି ଭିତରେ ଯେତେ ଜମି ଅଧିଗ୍ରହଣ କରାଯାଇଛି, ତାହା ସମ୍ପୂର୍ଣ୍ଣ ବେଆଇନ୍ ଓ ଅସିଦ୍ଧ। କାରଣ ଭୂମି ଅଧିଗ୍ରହଣ ପୁନର୍ବାସ ଓ ଥଇଥାନ ଆଇନ୍-୨୦୧୩ ଅନୁଯାୟୀ ଜିଲ୍ଲା ପ୍ରଶାସନ ଜମି ଅଧିଗ୍ରହଣ କରିନାହିଁ। ଭୂମି ଅଧିଗ୍ରହଣ ଆଇନ୍‌ର ଧାରା ୩୬ରେ ସ୍ପଷ୍ଟ ଭାବରେ ଉଲ୍ଲେଖ ଅଛି ଧାରା ୪(କ)ରେ ସୋସିଆଲ ଇମ୍ପାକ୍ଟ୍‌ ଆସେସ୍‌ମେଣ୍ଟ୍‌ ବିଜ୍ଞପ୍ତି ପରେ ଏବଂ ଚୂଡ଼ାନ୍ତ ଜମି ଅଧିଗ୍ରହଣ ବିଜ୍ଞପ୍ତି ପୂର୍ବରୁ ପ୍ରଭାବିତ ଅଞ୍ଚଳରେ ଜମି କିଣାବିକା ହୋଇପାରିବ ନାହିଁ। ସୁରକ୍ଷା କରିଡର ପ୍ରକଳ୍ପ ପାଇଁ କେବଳ ୪(କ) ବିଜ୍ଞପ୍ତି ଛଡ଼ା ଭୂମି ଅଧିଗ୍ରହଣର ଅନ୍ୟ କୌଣସି ପ୍ରକ୍ରିୟା ଏଯାବତ୍ ହୋଇନାହିଁ। ତେଣୁ ଜିଲ୍ଳା ପ୍ରଶାସନକୁ ଯେଉଁମାନେ ଜମି ହସ୍ତାନ୍ତର କରିଛନ୍ତି, ତାହା ବେଆଇନ୍ ବୋଲି କଂଗ୍ରେସ ଦାବି କରିଛି। ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସ ନେତା ମନୋରଞ୍ଜନ ଦାଶ, ଜ୍ଞାନଦେବ ବେଉରା, ପ୍ରଶାନ୍ତ ଶତପଥି, ରଜନୀ ମହାନ୍ତି ଓ ଦୀପକ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।

ସମ୍ବନ୍ଧିତ ଖବର