ବଗଲା ଧର୍ମଶାଳା ବିକ୍ରି ପ୍ରସଙ୍ଗ : ବିଜେଡି-ବିଜେପି ମୁହାଁମୁହିଁ

ରାଜ୍ୟ ସରକାର ସାଜିଛନ୍ତି ପ୍ରପର୍ଟି ଡିଲର: ସମ୍ବିତ ପାତ୍ର
ମହେଶ୍ବର କହିଲେ ସମ୍ବିତ ନାଟକବାଜିରେ ଅଭ୍ୟସ୍ତ
ପିନାକୀ ବି ଟ୍ବିଟ୍ କଲେ

ଭୁବନେଶ୍ୱର/ପୁରୀ : ପୁରୀ ବଗଲା ଧର୍ମଶାଳାକୁ ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନ ବେଆଇନ ଭାବେ ପ୍ଲଟିଂ କରି ବିକ୍ରି କରିବା ଆରମ୍ଭ କରିଛନ୍ତି। ଧର୍ମଶାଳା ଜମି ବିକ୍ରି ହୋଇପାରିବ ନାହିଁ ବୋଲି ଆଇନ ରହିଛି। ବିଶେଷ କରି ଦାନରେ ମିଳିଥିବା ସମ୍ପତ୍ତିକୁ ବିକ୍ରି କରାଯାଇ ପାରିବ ନାହିଁ। କିନ୍ତୁ ଗରିବ ତୀର୍ଥଯାତ୍ରୀଙ୍କ ଉଦ୍ଦେଶ୍ୟରେ ଥିବା ଧର୍ମଶାଳାକୁ ଭାଙ୍ଗି ତୁଙ୍ଗ ନେତା ଓ ପ୍ରଶାସନିକ ଅଧିକାରୀମାନଙ୍କୁ ଖୁସ୍ କରିବା ପାଇଁ ମସୁଧା ଚାଲିଛି। ଖୋଦ୍ ରାଜ୍ୟ ସରକାର ହିଁ ପ୍ରପର୍ଟି ଡିଲର୍‌ ସାଜିଛନ୍ତି ବୋଲି ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ଡାକ୍ତର ସମ୍ବିତ ପାତ୍ର ଆରୋପ ଲଗାଇଛନ୍ତି। କେଉଁ ଉଦ୍ଦେଶ୍ୟରେ ଓ କାହା ସ୍ୱାର୍ଥରେ ଏଭଳି ଏକ ଐତିହାସିକ ଧର୍ମଶାଳାକୁ ବିକ୍ରି କରିବା ପାଇଁ ଷଡ଼ଯନ୍ତ୍ର ଚାଲିଛି ବୋଲି ସେ ପ୍ରଶ୍ନ କରିଛନ୍ତି। ଏହାକୁ ନେଇ ବିଜେଡି ଜିଲ୍ଲା ସଭାପତି ତଥା ପୂର୍ବତନ ମନ୍ତ୍ରୀ ମହେଶ୍ବର ମହାନ୍ତି ଓ ପୁରୀ ସାଂସଦ ପିନାକୀ ମିଶ୍ର ଆଜି କଡ଼ା ସମାଲୋଚନା କରିଛନ୍ତି। ଏଥିସହିତ ବଗଲା ପ୍ରସଙ୍ଗକୁ ନେଇ ବିଜେଡି-ବିଜେପି ମୁହାଁମୁହିଁ ହୋଇଛନ୍ତି।

ବଗଲା ଧର୍ମଶାଳା ବିକ୍ରି ନେଇ ତାତି ବଢୁଥିବା ବେଳେ ଆଜି ହଠାତ୍ ସମ୍ବିତ ପାତ୍ର ଓଡ଼ିଶା ଆସିଥିଲେ। ପୁରୀରେ ଧର୍ମଶାଳା ଜମି ବିକ୍ରିର ପ୍ରତିବାଦ କାର୍ଯ୍ୟକ୍ରମରେ ସାମିଲ୍‌ ହେଲା ପରେ ସେ ଭୁବନେଶ୍ବରରେ ବିଜେପି ରାଜ୍ୟ କାର୍ଯ୍ୟାଳୟରେ ସାମ୍ବାଦିକ ସମ୍ମିଳନୀ କରିଥିଲେ। ସେ କହିଥିଲେ ଯେ ୧୯୦୫ ମସିହାରେ ଗରିବ ଲୋକ ଓ ତାର୍ଥ ଯାତ୍ରୀଙ୍କ ପାଇଁ ପୁରୀରେ ବଗଲା ଧର୍ମଶାଳା ନିର୍ମାଣ ହୋଇଥିଲା। କହ୍ନେଇ ଲାଲ ବଗଲା ଏହାକୁ ଦାନରେ ଦେଇଥିଲେ। ଏହି ଧର୍ମଶାଳାରେ ତୀର୍ଥଯାତ୍ରୀମାନେ ଅତି କମ୍ ଖର୍ଚ୍ଚରେ ରୁହନ୍ତି। ପୁରୀବାସୀ ବିବାହ, ବ୍ରତ, ଶୁଦ୍ଧକ୍ରିୟା ଆଦି କାର୍ଯ୍ୟକ୍ରମ ଏହି ଧର୍ମଶାଳାରେ କରୁଥିଲେ। କିନ୍ତୁ ଏତେ ବଡ଼ ଐତିହାସିକ ସ୍ଥାନକୁ ରାଜ୍ୟ ସରକାର ମାଟିରେ ମିଶାଇବା ପାଇଁ ଯେଉଁ ପ୍ରୟାସ କରିଛନ୍ତି ତାହା ଅତ୍ୟନ୍ତ ନିନ୍ଦନୀୟ। ପୁରୀ ମନ୍ଦିରର ସୌନ୍ଦର୍ଯ୍ୟକରଣ କରିବା ପାଇଁ ମେଘନାଦ ପାଚେରୀର ୭୫ ମିଟର ଯାଏ ଲୋକଙ୍କୁ ବିସ୍ଥାପତି କରାଗଲା ଏବଂ ସେମାନଙ୍କୁ ଜମି ଓ କ୍ଷତିପୂରଣ ଦେବା ପାଇଁ ସରକାର ଘୋଷଣା କରିଥିଲେ। ୩୦୦ ଜଣ ଲୋକଙ୍କୁ ବିସ୍ଥାପିତ କରିବା ପରେ କିଛି ଲୋକଙ୍କୁ ବଗଲା ଧର୍ମଶାଳାରେ ପ୍ଲଟିଂ ଦେବା ଏବଂ ଅନ୍ୟ ଲୋକଙ୍କୁ ବାହାରେ ଜମି ଦେବାର ଉଦ୍ଦେଶ୍ୟ କ’ଣ?

ଶ୍ରୀ ପାତ୍ର ଆହୁରି କହିଛନ୍ତି ଯେ ପ୍ରସାଦ ଯୋଜନା ଅନୁଯାୟୀ ପୁରୀ ତୀର୍ଥ ସ୍ଥାନର ବିକାଶ ଏବଂ ତୀର୍ଥଯାତ୍ରୀ ରହିବା ପାଇଁ ବଗଲା ଧର୍ମଶାଳାକୁ ୨୦ କୋଟି ଟଙ୍କା ଅନୁଦାନ ଦିଆଯାଇଥିଲା। ଏ ନେଇ ଶ୍ରୀମନ୍ଦିର ପ୍ରଶାସନ, ଅଗ୍ନିଶମ ବିଭାଗ ଓ ପୁରୀ କୋଣାର୍କ ଉନ୍ନୟନ କର୍ତ୍ତୃପକ୍ଷ ଏନ୍‌ଓସି ପ୍ରଦାନ କରିଥିଲା। ଏହା ପରେ ବଗଲା ଧର୍ମଶାଳାରେ ଜଗନ୍ନାଥ ତୀର୍ଥନିବାସ ନିର୍ମାଣ ପାଇଁ ଆଇଟିଡିସି ଟେଣ୍ଡର ନେଇ କାର୍ଯ୍ୟ ଆରମ୍ଭ କରିଥିଲା । ୩ କୋଟି ଟଙ୍କା ଖର୍ଚ୍ଚ ହେବା ପରେ କାହା ସ୍ୱାର୍ଥରେ ସେଠାରେ କାର୍ଯ୍ୟ ବନ୍ଦ କରାଯାଇ ପ୍ଲଟିଂ କରି ଜମି ବିକ୍ରି କରାଯାଉଛି? ବହୁ ବିଧାୟକ ଓ ପ୍ରଶାସନିକ ଅଧିକାରୀ ବଗଲା ଧର୍ମଶାଳା ଆସି ନିଜ ନିଜର ପ୍ଲଟ ଚିହ୍ନଟ କରୁଛନ୍ତି ବୋଲି ପୁରୀ ବାସିନ୍ଦା ଅଭିଯୋଗ କରିଛନ୍ତି। ବଗଲା ଧର୍ମଶାଳାକୁ ନେଇ ଜଗନ୍ନାଥ ବସ୍ତିଆ ହାଇକୋର୍ଟରେ ଏକ ଜନସ୍ୱାର୍ଥ ମାମଲା ରୁଜୁ କରିଛନ୍ତି। ଗତ ବର୍ଷ ହାଇକୋର୍ଟ ଏ ନେଇ ସରକାରଙ୍କୁ ଜବାବ ତଲବ କରିବା ପରେ ରାଜ୍ୟ ସରକାର କୌଣସି ଉତ୍ତର ରଖି ନାହାନ୍ତି। ହାଇକୋର୍ଟକୁ ଅଣଦେଖା କରି ଜମି ପ୍ଲଟିଂ କରିବା ଏକ ଧର୍ତ୍ତବ୍ୟ ଅପରାଧ। ପୁରୀ ଏକ ତୀର୍ଥସ୍ଥଳ ହୋଇଥିବାରୁ ୬୦ ହଜାର ଭକ୍ତ ରହିବା ପାଇଁ ବ୍ୟବସ୍ଥା କରିବାକୁ ସୁପ୍ରିମକୋର୍ଟ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ରାଜ୍ୟ ସରକାର ଏହା ନ କରି ଯେଉଁ ଗୋଟିଏ ଧର୍ମଶାଳା ଥିଲା ତାକୁ ଭାଙ୍ଗି ବିକିବା ଆରମ୍ଭ କରିଛନ୍ତି। ତୁରନ୍ତ ରାଜ୍ୟ ସରକାର ବଗଲା ଧର୍ମଶାଳାରେ ହେଉଥିବା ପ୍ଲଟିଂ କାର୍ଯ୍ୟକୁ ବନ୍ଦ କରନ୍ତୁ। ଏହା ସହ କେନ୍ଦ୍ର ସରକାରଙ୍କ ପ୍ରସାଦ ଯୋଜନା ଅନୁଯାୟୀ ତୀର୍ଥଯାତ୍ରୀଙ୍କ ରହିବା ପାଇଁ ଆରମ୍ଭ ହୋଇଥିବା ଜଗନ୍ନାଥ ତୀର୍ଥନିବାସ ନିର୍ମାଣ କାର୍ଯ୍ୟକୁ ତ୍ବରାନ୍ବିତ କରାଇବାକୁ ସେ ଦାବି କରିଛନ୍ତି। ସାମ୍ବାଦିକ ସମ୍ମିଳନୀରେ ପୁରୀ ବିଧାୟକ ଜୟନ୍ତ ଷଡଙ୍ଗୀ, ବ୍ରହ୍ମଗିରି ବିଧାୟକ ଲଲିତେନ୍ଦୁ ବିଦ୍ୟାଧର ମହାପାତ୍ର, ବରିଷ୍ଠ ନେତା କୃଷ୍ଣ ଜଗଦେବ, ରାଜ୍ୟ ମୁଖପାତ୍ର ଠାକୁର ରଞ୍ଜିତ ଦାସ ଓ ପୁରୀ ଜିଲ୍ଲା ବିଜେପି ସଭାପତି ଆଶ୍ରିତ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ।

ଏହି ପ୍ରସଙ୍ଗରେ ବିଜେପି ଗତକାଲି ଭଳି ଆଜି ମଧ୍ୟ ପୁରୀ ଧାରଣା ଦେଇଛି। ଏହି ଧାରଣାରେ ସମ୍ବିତ ପାତ୍ର ସାମିଲ ହୋଇଥିଲେ। ସମ୍ବିତ ପୁରୀରେ ୩ ଘଣ୍ଟା ରହି ଫେରିଯାଇଥିଲେ ହେଁ ବିଜେପି ପକ୍ଷରୁ ଧାରଣା ଅବ୍ୟାହତ ରହିବ ବୋଲି ଜଣାପଡ଼ିଛି। ଆଜିର ଧାରଣା‌ରେ ବିଜେପି ଜିଲ୍ଲା ସଭାପତି ଆଶ୍ରିତ ପଟ୍ଟନାୟକ, ପୁରୀ ବିଧାୟକ ଜୟନ୍ତ ଷଡଙ୍ଗୀ, ବ୍ରହ୍ମଗିରି ବିଧାୟକ ଲଲାଟେନ୍ଦୁ ବିଦ୍ୟାଧର ମହାପାତ୍ର, କୃଷ୍ଣଚନ୍ଦ୍ର ଜଗଦ୍ଦେବ,ପୂର୍ବତନ ବିଜେପି ସଭାପତି ପ୍ରଭଞ୍ଜନ ମହାପାତ୍ର, ଜ୍ୟୋତି ମହାପାତ୍ର ଓ ଯୁବନେତା ଶାଶ୍ବତ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।

ତେବେ ସମ୍ବିତ ପାତ୍ରଙ୍କ ମନ୍ତବ୍ୟକୁ ନେଇ ପୂର୍ବତନ ମନ୍ତ୍ରୀ ତଥା ବିଜେଡି ନେତା ମହେଶ୍ବର ମହାନ୍ତି କଡ଼ା ଜବାବ ରଖିଛନ୍ତି। ସେ କହିଛନ୍ତି ଯେ ସମ୍ବିତ ବଗଲାକୁ ନେଇ ଆନ୍ତରିକତା କମ ରାଜନୀତି ବେଶି କରୁଛନ୍ତି। ଶ୍ରୀମନ୍ଦିର ଐତିହ୍ୟ କରିଡର ପ୍ରକଳ୍ପରେ ବାଧା ସୃଷ୍ଟି କରିବାକୁ ଚକ୍ରାନ୍ତ କରୁଛନ୍ତି। ସମ୍ବିତ ନାଟକବାଜି କରିବାରେ ଅଭ୍ୟସ୍ତ। ମାତ୍ର ଶ୍ରୀମନ୍ଦିର ଐତିହ୍ୟ କରିଡର ପ୍ରକଳ୍ପକୁ ନେଇ ସେ ନାଟକବାଜି ନକରନ୍ତୁ। ସରକାର ଠିକଣା ସମୟରେ ଠିକ୍ ନିଷ୍ପତ୍ତି ନେବେ। ସରକାର ୧୦ ହଜାର ‌ଗରିବ ଲୋକଙ୍କ ରହିବା ପାଇଁ ବ୍ୟବସ୍ଥା ମଧ୍ୟ କରୁଛନ୍ତି ବୋଲି ମହେଶ୍ବର କହିଛନ୍ତି।

ସେହିଭଳି ପୁରୀ ସାଂସଦ ପିନାକୀ ମିଶ୍ର ମଧ୍ୟ ନିଜର ପ୍ରତିକ୍ରିୟା ରଖିଛନ୍ତି। ଶ୍ରୀମନ୍ଦିର ଐତିହ୍ୟ କରିଡର ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ସ୍ବପ୍ନର ପ୍ରକଳ୍ପ। ଏଥିରେ ବାଧା ସୃଷ୍ଟି କରିବାକୁ ଅପଚେଷ୍ଟା କରାନଯାଉ ବୋଲି ବିଜେପିର ସ୍ଥାନୀୟ ନେତୃମଣ୍ଡଳୀକୁ ଇଙ୍ଗିତ କରି କରି କହିଛନ୍ତି। ଏଥି ସହିତ ବଗଲ ଧର୍ମଶାଳା ଜମି ବିକ୍ରି କରାଯାଉନାହିଁ। ବିସ୍ଥାପନ ନୀତି ଅନୁସାରେ ଯେଉଁମାନେ ପୁରୁଷ ପୁରୁଷ ଧରି ଭୋଗ ଦଖଲରେ ଥିବା ଜମିକୁ ଐତିହ୍ୟ ପ୍ରକଳ୍ପ ପାଇଁ ଦାନ କରିଛନ୍ତି ସେମାନଙ୍କୁ ଥଇଥାନ କରାଯାଉଛି। ତେବେ ବଗଲା ଧର୍ମଶାଳା ଜମିର ମାତ୍ର ୧୨ରୁ ୧୫ ପ୍ରତିଶତ ଜମିରେ ଏହି ଥଇଥାନ କରାଯାଉଛି ବୋଲି ସାଂସଦ ଶ୍ରୀ ମିଶ୍ର କହିଛନ୍ତି।

ସମ୍ବନ୍ଧିତ ଖବର