ବେଆଇନ ଭାବେ ବଗଲା ଧର୍ମଶାଳା ଜମିକୁ ରାଜ୍ୟ ସରକାର ଓ ପୁରୀ ପ୍ରଶାସନ ଲଜିଂ ମାଲିକଙ୍କୁ ବିକ୍ରି କରୁଛନ୍ତି: ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର

ଭୁବନେଶ୍ୱର: ବଗଲା ଧର୍ମଶାଳା ବିକ୍ରି ପ୍ରସଙ୍ଗରେ ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ତଥା ଗତ ଲୋକସଭା ନିର୍ବାଚନରେ ପୁରୀରୁ ପ୍ରାର୍ଥୀ ହୋଇଥିବା ଡାକ୍ତର ସମ୍ବିତ ପାତ୍ର ସରକାରଙ୍କ ଉପରେ ବର୍ଷିଛନ୍ତି। ଆଜି ସକାଳେ ସେ ଭୁବନେଶ୍ୱର ବିମାନବନ୍ଦରରେ ଅବତରଣ କରି କହିଛନ୍ତି ଯେ, ବେଆଇନ ଭାବେ ଧର୍ମଶାଳାକୁ ପ୍ଲଟିଂ କରି ରାଜ୍ୟ ସରକାର ଓ ପୁରୀ ପ୍ରଶାସନ ଲଜିଂ ମାଲିକଙ୍କୁ ବିକ୍ରି କରୁଛନ୍ତି।

ସେ ଆହୁରି ମଧ୍ୟ କହିଛନ୍ତି ଯେ ପୂର୍ବରୁ ଜଗନ୍ନାଥ ବସ୍ତିଆ ଏକ ଜନସ୍ବାର୍ଥ ମାମଲା କରିଥିଲେ, କୋର୍ଟ ରାଜ୍ୟ ସରକାରଙ୍କୁ ନିଷ୍ପତ୍ତି ଜଣାଇବାକୁ କହିଥିଲେ, ମାତ୍ର ସରକାର ଏହାକୁ କୋର୍ଟରେ ଜଣାଇଲେ ନାହିଁ। ଆଜି ଏ ଘଟଣା ନେଇ ସେ ପୁରୀରେ ଲୋକ ପ୍ରତିନିଧିଙ୍କ ସହ ଆଲୋଚନା କରିବେ ଏବଂ ଅପରାହ୍ନରେ ଭୁବନେଶ୍ବରରେ ଏକ ସାମ୍ବାଦିକ ସମ୍ମିଳନୀ କରିବେ ବୋଲି କହିଛନ୍ତି ସମ୍ବିତ ପାତ୍ର।

ସୂଚନାଯୋଗ୍ୟ, ବଗଲା ଧର୍ମଶାଳାକୁ ବିସ୍ଥାପିତମାନଙ୍କୁ ଟେକିଦେବା ଘଟଣାକୁ ନେଇ ଅଡ଼ୁଆ ବଢ଼ିବାରେ ଲାଗିଛି। ପ୍ରଶାସନର ମନମାନି, ଏକଚାଟିଆ ନିଷ୍ପତ୍ତି ବିରୋଧରେ ଅଭିଯୋଗ ବଢିବାରେ ଲାଗିଲାଣି। ଗୋଟିଏ ପଟେ ବିକ୍ରି ହୋଇସାରିଥିବା ବଗଲା ଧର୍ମଶାଳା ଜମିକୁ ଫେରାଇ ଆଣିବାକୁ ପୁଣି ଥରେ ହାଇକୋର୍ଟରେ ଆବେଦନ ହୋଇଥିବା ବେଳେ ଅନ୍ୟପଟେ ଏହି ପ୍ରସଙ୍ଗକୁ ନେଇ ଗତକାଲି ପୁରୀ ଜିଲ୍ଲା ବିଜେପି ରାଜରାସ୍ତାକୁ ଓହ୍ଲାଇଥିଲା। ପୁରୀ ବିଧାୟକ ଜୟନ୍ତ ଷଡ଼ଙ୍ଗୀଙ୍କ ନେତୃତ୍ବରେ ଏକ ପ୍ରତିନିଧି ଦଳ ବଗଲା ସମ୍ମୁଖରେ ଧାରଣାରେ ବସିବା ସହିତ ଗରିବଙ୍କ ଜୀବନ ବଗଲାକୁ ବିକ୍ରି ନ କରିବାକୁ ଦାବି କରିଥିଲେ।

ବଗଲା ଜମି‌ରେ ପୂର୍ବ ଭଳି ଧର୍ମଶାଳା ହେଉ, ବଗଲା ଗରିବଙ୍କୁ ପୂର୍ବ ଭଳି ସେବା ଯୋଗାଇ ଦେଉ ବୋଲି ବୁଦ୍ଧିଜୀବୀ ମତ ରଖିଛନ୍ତି। ଏହାକୁ ନେଇ ଚାରିଆଡୁ ଚାପ ବଢିବା ପରେ ଜିଲ୍ଲା ପ୍ରଶାସନ ଅକଳରେ ପଡ଼ିଛି। ସରକାରଙ୍କ ନିଷ୍ପତ୍ତିକୁ ସମସ୍ତେ ଅପେକ୍ଷା କରିଛନ୍ତି। ଅଧିକାରୀଙ୍କ ଦୂରଦୃଷ୍ଟିର ଅଭାବ ‌ଯୋଗୁଁ ଏବେ ବିଶ୍ବଐତିହ୍ୟ ନଗରୀ ପ୍ରକଳ୍ପ ସଙ୍କଟ ଭିତରକୁ ଠେଲି ହୋଇଯାଇଥିବା ନେଇ ମତ ପ୍ରକାଶ ପାଇଛି।

ସମ୍ବନ୍ଧିତ ଖବର