ବଗଲା ଧର୍ମଶାଳା ଜମି ବିକ୍ରି ପ୍ରସଙ୍ଗ : ବିଜେପିର ଡିଜିଟାଲ ଦସ୍ତଖତ ଅଭିଯାନ ଆରମ୍ଭ

ବିକ୍ରି କବଲା ରଦ୍ଦ ନ ହେବା ଯା‌ଏ ଆନ୍ଦୋଳନ : ସମୀର, ପୁରୀ ଐତିହ୍ୟ ପ୍ରକଳ୍ପ ବନ୍ଦ କରିବାକୁ ଚାଲିଛି ଷ଼ଡ଼ଯନ୍ତ୍ର : ବିଜେଡି

ପୁରୀ : ପୁରୀର ବଗଲା ଧର୍ମଶାଳା ଜମି ବିକ୍ରିକୁ ବିରୋଧ କରି ଗତ ୧୩ ଦିନ ହେବ ଧାରଣାରେ ବସିଥିବା ଜିଲ୍ଲା ବିଜେପି ଆନ୍ଦୋଳନକୁ ଆଉ ପାଦେ ଆଗେକୁ ନେଇଛି। ଆନ୍ଦୋଳନ ଭାର ଏବେ ରାଜ୍ୟ ବିଜେପି ତା’ ମୁଣ୍ଡକୁ ନେଇଛି। ବିକ୍ରି ହୋଇଥିବା ଜମିର ଦଲିଲ ରଦ୍ଦ ନ ହେବା ଯାଏ ଆନ୍ଦୋଳନ ଅବ୍ୟାହତ ରଖିବ ବୋଲି ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି କହିଛନ୍ତି।

ଏପରିକି ରାଜ୍ୟର ସମସ୍ତ ଜଗନ୍ନାଥ ମନ୍ଦିରରେ ବଗଲାକୁ ନେଇ ପ୍ରତିବାଦ କରାଯିବ ବୋଲି ବିଜେପି ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ଆଜି ବଗଲା ଆନ୍ଦୋଳନକୁ ଅଧିକ ବ୍ୟାପକ କରିବାକୁ ବିଜେପି ପକ୍ଷରୁ ଡିଜିଟାଲ ଦସ୍ତଖତ ଅଭିଯାନ ଆରମ୍ଭ କରାଯାଇଛି। ସଭାପତି ଶ୍ରୀ ମହାନ୍ତି ଏହାର ଉନ୍ମୋଚନ କରିଛନ୍ତି। ସମଗ୍ର ବିଶ୍ବରେ ରହୁଥିବା ଜଗନ୍ନାଥ ପ୍ରେମୀ ଏବଂ ଓଡ଼ିଆ ଏହି ଡିଜିଟାଲ ଦସ୍ତଖତ ଅଭିଯାନରେ ସାମିଲ ହେବାକୁ ସେ ଆହ୍ବାନ ଦେଇଛନ୍ତି। ବଗଲା ଜମିରେ ଗରିବଙ୍କ ପାଇଁ ବିଶ୍ରାମସ୍ଥଳ ନିର୍ମାଣ ନ ହେବା ଯାଏ ଲଢ଼େଇ ଜାରି ରହିବ ବୋଲି ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର କ‌ହିଥିଲେ।

ବିଜେପି ରାଜ୍ୟ ସାଧାରଣ ସଂପାଦିକା ଲେଖାଶ୍ରୀ ସାମନ୍ତସିଂହାର ଆଜିର ପ୍ରତିବାଦ ସଭା ଓ ଡିଜିଟାଲ ଦସ୍ତଖତ ଅଭିଯାନ କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ। କାର୍ଯ୍ୟକ୍ରମରେ ବିଧାୟକ ଜୟନ୍ତ ଷଡ଼ଙ୍ଗୀ, ବ୍ରହ୍ମଗିରି ବିଧାୟକ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର, ବିଜେପି ରାଜ୍ୟ ଉପସଭାନେତ୍ରୀ ପ୍ରଭାତୀ ପରିଡ଼ା, ଜିଲ୍ଲା ସଭାପତି ଆଶ୍ରିତ ପଟ୍ଟନାୟକ, ପ୍ରବକ୍ତା ବିରଞ୍ଚି ନାରାୟଣ ତ୍ରିପାଠୀ, କୃଷକ ମୋର୍ଚ୍ଚା ସାଧାରଣ ସଂପାଦକ ସୁରଥ ବିଶ୍ବାଳ, ରାଜ୍ୟ କାର୍ଯ୍ୟକାରୀ କମିଟି ସଦସ୍ୟ କୃଷ୍ଣ ଜଗଦେବ, ଓମପ୍ରକାଶ ମିଶ୍ର, ରମାରଂଜନ ବଳିୟାରସିଂହ, ପ୍ରଭଞ୍ଜନ ମହାପାତ୍ର, ଶଙ୍କର ପରିଡା, ଚଣ୍ଡୀପ୍ରସାଦ ସିଂହ, ଜ୍ୟୋତି ମହାପାତ୍ର, ଜୟନ୍ତ ଦାସ, ଭବନୀ ପ୍ରସାଦ ଦାସମହାପାତ୍ର, ସଂଜୀବ ମୁଖାର୍ଜୀ, ମନୋରଂଜନ ପ୍ରଧାନ, ରାଜକିଶୋର ରାଉତ, ଉମା ନାୟକ, ଅକ୍ଷୟ ମହାନ୍ତି, ସୌମ୍ୟା ମିଶ୍ର, ଚିତ୍ତରଂଜନ ବିଶ୍ବାଳ ପ୍ରମୁଖ ଉପସ୍ଥିତ ଥିଲେ।

ପୁରୀ ଐତିହ୍ୟ ପ୍ରକଳ୍ପ ବନ୍ଦ କରିବାକୁ ଚାଲିଛି ଷ଼ଡ଼ଯନ୍ତ୍ର : ବିଜେଡି
ଭୁବନେଶ୍ବର : ପୁରୀ ଐତିହ୍ୟ ପ୍ରକଳ୍ପକୁ ବନ୍ଦ କରିବାକୁ ଚାହୁଁଛନ୍ତି ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ୍‌ ପାତ୍ର। ଶ୍ରୀ ପାତ୍ରଙ୍କ ବକ୍ତବ୍ୟରୁ ଏହା ସ୍ପଷ୍ଟ ହେଉଛି। ବଗଲା ଧର୍ମଶାଳା ଜମି ବିକ୍ରି ପ୍ରସଙ୍ଗରେ ଶ୍ରୀ ପାତ୍ରଙ୍କ ଅଭିଯୋଗକୁ ନେଇ ଏପରି ପ୍ରତିକ୍ରିୟା ରଖିଛି ବିଜେଡି। ବିଜେପି ନେତାଙ୍କ ଏପରି ନକାରାତ୍ମକ ମନ୍ତବ୍ୟ ପାଇଁ ପୁରୀ ଓ ରାଜ୍ୟର ଅଗଣିତ ଲୋକ କେବେ ବି ତାଙ୍କୁ କ୍ଷମା ଦେବେନି ବୋଲି ବିଜେଡି କହିଛି।

ଦଳୀୟ ମୁଖପାତ୍ର ଲେନିନ୍‌ ମହାନ୍ତି ଏକ ପ୍ରେସ୍‌ ବିବୃତି ଜାରି କରି କହିଛନ୍ତି, ଛତିଶଗଡ଼ରେ ବିଜେପି ସରକାର ଥିବା ସମୟରେ ମହାନଦୀ ପାଣିକୁ ଅଟକାଇଲେ। ଓଡ଼ିଶାର ସ୍ବାର୍ଥ ନେଇ କୌଣସି ବିଜେପି ନେତାଙ୍କ ନିଦ ଭାଙ୍ଗିଲା ନାହିଁ। ଏବେ ବିଧିବଦ୍ଧ ଭାବେ ପୁରୀର ଐତିହ୍ୟ ପ୍ରକଳ୍ପ ବିରୋଧରେ ରୀତିମତ ଷଡ଼ଯନ୍ତ୍ର କରୁଛନ୍ତି। ଶ୍ରୀ ପାତ୍ର ଯେପରି କହୁଛନ୍ତି ଏଥିରୁ ପ୍ରମାଣିତ ହେଉଛି ଯେ ସେ ପୁରୀ ବିକାଶର ପ୍ରତିରୋଧକାରୀ ଭାବେ କାର୍ଯ୍ୟ କରୁଛନ୍ତି। ତାଙ୍କ ମନ୍ତବ୍ୟ ପୁରୀ ବିରୋଧୀ। ଯାହାକୁ ରାଜ୍ୟବାସୀ କେବେ ବି ଗ୍ରହଣ କରିବେନି। ଶ୍ରୀ ପାତ୍ର ଏଥିରୁ କ୍ଷାନ୍ତ ରହିବାକୁ ବିଜେଡି ମୁଖପାତ୍ର ଅନୁରୋଧ କରିଛନ୍ତି।

ସମ୍ବନ୍ଧିତ ଖବର