ପୁରୀ : ଗରିବଙ୍କୁ ସେବା ଯୋଗାଉଥିବା ବଗଲା ଧର୍ମଶାଳା ବିକ୍ରି ପ୍ରସଙ୍ଗକୁ ନେଇ ସବୁ ଆଡ଼ୁ ବିରୋଧର ସ୍ବର ଉଠିଛି। ନିଷ୍ପତ୍ତିର ପୁନଃ ବିଚାର ଓ ଏଥିରେ ହସ୍ତକ୍ଷେପ କରିବା ପାଇଁ ଏବେ ଚାରି ଆଡ଼ୁ ଚିଠି ଦ୍ବାରା ଚାପ ପଡ଼ିଛି। ଆଜି ସର୍ବଭାରତୀୟ ସ୍ତରର ମନ୍ଦିର ସୁରକ୍ଷା ଆନ୍ଦୋଳନର ଆବାହକ ଡକ୍ଟର ଏମ.ଭି ସୁନ୍ଦରାଜନ ଏ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଛନ୍ତି। ବଗଲା ଧର୍ମଶାଳା ଜମି ବିକ୍ରି ନିଷ୍ପତ୍ତିର ପୁନଃ ବିଚାର କରିବାକୁ ସେ ନିବେଦନ କରିଛନ୍ତି। ତେଲେଙ୍ଗାନା ଚିକୁରର ବାଲାଜୀ ମନ୍ଦିର କାର୍ଯ୍ୟାଳୟରୁ ଶ୍ରୀ ସୁନ୍ଦରାଜନ ଲେଖିଥିବା ଚିଠିରେ ଧର୍ମ ଆଧାରରେ ଦାତାଙ୍କ ଦାନକୁ ସୁରକ୍ଷା ଦେବା ଓ ଦାତାଙ୍କ ମହତ ଉଦ୍ଦେଶ୍ୟର ଉଲ୍ଲଂଘନ ନକରିବାକୁ ସେ ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ କରିଛନ୍ତି।

Advertisment

୮୫ ବର୍ଷିୟ ଶ୍ରୀ ସୁନ୍ଦରାଜନ ମୁଖ୍ୟମନ୍ତ୍ରୀଙ୍କୁ ଶୃଙ୍ଖଳିତ ରଥଯାତ୍ରା ଆୟୋଜନ ପାଇଁ ପ୍ରଶଂସା କରିଛନ୍ତି। କୋଭିଡ କଟକଣା ଭିତରେ ମହାପ୍ରଭୁଙ୍କ ରଥଯାତ୍ରା ଅୟୋଜନ କରି ରାଜ୍ୟ ସରକାର ଯେମିତି କୋଟି କୋଟି ଲୋକଙ୍କ ମନ ଜିତିଛନ୍ତି, ଠିକ୍ ସେହିଭଳି ଏହି ନିଷ୍ପତ୍ତିର ମଧ୍ୟ ପୁନଃ ବିଚାର କରିବାକୁ ଅନୁରୋଧ କରିଛନ୍ତି। ବଗଲା ଧର୍ମଶାଳା ଜମି ବିକ୍ରି ହେବା ଦ୍ବାରା ଦାତାଙ୍କ ମହତ ଉଦ୍ଦେଶ୍ୟର ଉଲ୍ଲଂଘନ ହୋଇଛି। ‌କହ୍ନେୟାଲାଲ ବଗଲା ପୁରୀରେ ଗରିବ ଓ ସାଧୁସନ୍ଥଙ୍କ ରହଣି ପାଇଁ ବ୍ୟବସ୍ଥା କରିବାକୁ ସେ ଏହି ଦାନ ଦେଇଥିଲେ। ତେବେ ଏହି ଦାନକୁ ବିସ୍ଥାପିତଙ୍କୁ ଦେବା ଦାତାଙ୍କ ଉଦ୍ଦେଶ୍ୟ ନ ଥିଲା ବୋଲି ସେ ସ୍ପଷ୍ଟ କରିଛନ୍ତି।

ଧର୍ମାନୁସାରେ ମଧ୍ୟ ଏହା ଠିକ୍ ନୁହେଁ। ସମ୍ବିଧାନର ଧାରା ୨୬ ଅନୁସାରେ ଦାତାଙ୍କ ମହତ ଦାନ ଓ ତାଙ୍କ ଦାନର ଉଦ୍ଦେଶ୍ୟକୁ ସୁରକ୍ଷିତ ରହିବା ଉଚିତ ବୋଲି ସେ ଚିଠିରେ ଉଲ୍ଲେଖ କରିଛନ୍ତି। ଏହି ପ୍ରସଙ୍ଗରେ ପୁରୀ ବିଧାୟକ ଜୟନ୍ତ ଷଡଙ୍ଗୀ ଆଜି କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟକ ମନ୍ତ୍ରୀ ପ୍ରହଲ୍ଲାଦ ସିଂହ ପଟେଲ ଓ କେନ୍ଦ୍ର ପେଟ୍ରୋଲିୟମ୍‌ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଚିଠି ଲେଖି ବଗଲା ଧର୍ମଶାଳା ଜମି ବିକ୍ରି ପ୍ରସଙ୍ଗରେ ହସ୍ତକ୍ଷେପ କରିବାକୁ ଅନୁରୋଧ କରିଛନ୍ତି। ୧୯୦୫ ମସିହାରେ କହ୍ନେୟାଲାଲ ବଗଲା ଏହି ଧର୍ମଶାଳା‌ ଦାନ କରିଥିଲେ। ତେବେ ଏହି ଧର୍ମଶାଳାକୁ ପୁରୀ ଜିଲ୍ଲାପାଳ ଏବେ ବିକ୍ରି କରିଛନ୍ତି। ଏଠାରେ କେନ୍ଦ୍ର ସରକାରଙ୍କ ପ୍ରସାଦ ଯୋଜନାରେ ୨୦ କୋଟି ଟଙ୍କା ବ୍ୟୟରେ ପ୍ରକଳ୍ପ ନିର୍ମାଣାଧୀନ ଥିବା ବେଳେ ପୁରୀ ଜିଲ୍ଲାପାଳ କାମ ବନ୍ଦ କରି ଏହାକୁ ବିକ୍ରି କରିଛନ୍ତି। ଏହି ପ୍ରସଙ୍ଗରେ ହସ୍ତକ୍ଷେପ କରିବାକୁ ସେ ଦାବି କରିଛନ୍ତି।