ଦିଲ୍ଲୀରେ ପହଞ୍ଚିଲା ବଗଲା ବିବାଦ : ମିଛ କହିଛନ୍ତି ପର୍ଯ୍ୟଟନ ସଚିବ: ବିଜେପି

ରାଜ୍ୟ ଉପରେ ଦୋଷ ଲଦିଲେ, ନିର୍ମ‌ାଣାଧୀନ ପ୍ରକଳ୍ପକୁ ବନ୍ଦ ପାଇଁ ଷଡ଼୍‌ଯନ୍ତ୍ର

ପୁରୀ : ପୁରୀର ବଗଲା ଧର୍ମଶାଳା ପ୍ରସଙ୍ଗ‌ ପୁଣି ରୋଚକ ମୋଡ଼ ନେଇଛି। ବଗଲା ଜମିକୁ ବିସ୍ଥାପିତଙ୍କୁ ଟେକି ଦେବା ସହ କେନ୍ଦ୍ର ସରକାରଙ୍କ ପ୍ରସାଦ ଯୋଜନାରେ ଚାଲିଥିବା ଶ୍ରୀଜଗନ୍ନାଥ ବିଶ୍ରାମସ୍ଥଳୀ ନିର୍ମାଣ କାମକୁ ବନ୍ଦ କରିବାକୁ ରୀତିମତ ଷଡ଼୍‌ଯନ୍ତ୍ର ହୋଇଛି ବୋଲି ବିଜେପି ଅଭିଯୋଗ କରିଛି। ଏହାର ପ୍ରମାଣ ଦେବାକୁ ଯାଇ ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର ରାଜ୍ୟ ପର୍ଯ୍ୟଟନ ସଚିବଙ୍କ ଏକ ଚିଠି ସାମ୍ନାକୁ ଆଣିଛନ୍ତି। ଆଜି ନୂଆଦିଲ୍ଲୀରେ ସେ ସାମ୍ବାଦିକ ସମ୍ମିଳନୀ କରିଥିଲେ।

ଆଜି ବିଜେପି କହିଛି, ଗତ ଜୁଲାଇ ପହିଲାରେ ରାଜ୍ୟ ପର୍ଯ୍ୟଟନ ସଚିବ ବିଶାଲ ଦେବ ଶ୍ରୀଜଗନ୍ନାଥ ବିଶ୍ରାମସ୍ଥଳ ଓ ଆମ୍ଫିଥିଏଟର ପ୍ରକଳ୍ପରୁ ଓହରିଯିବା ପାଇଁ ଭାରତ ସରକାରଙ୍କ ପର୍ଯ୍ୟଟନ ନିଗମ ( ଆଇଟିଡିସି) ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକଙ୍କୁ ଚିଠିରେ ଜଣାଇଥିଲେ। କହିଥିଲେ, ଦୀର୍ଘ ୬ ବର୍ଷ ପରେ ବିଭିନ୍ନ ପର୍ଯ୍ୟାୟରେ ଆଲୋଚନା ପରେ ମଧ୍ୟ ପ୍ରଳକ୍ପ ସଂପୂର୍ଣ୍ଣ ହୋଇପାରୁନାହିଁ, ତେଣୁ ଏହାକୁ ନେଇ ରାଜ୍ୟ ସରକାର ସମସ୍ୟାରେ ପଡୁଛନ୍ତି।

ଗତ ଜୁଲାଇ ୯ତାରିଖରେ କେନ୍ଦ୍ର ପର୍ଯ୍ୟଟନ ବିଭାଗ କଡା ଜବାବ ରଖି‌ ଚିଠିରେ ଦିଆଯାଇଥିବା ତଥ୍ୟକୁ ଭୁଲ ବୋଲି ଦର୍ଶାଇଥିଲା। ଚିଠିର ବିଷୟବସ୍ତୁ ଓ ବାସ୍ତବତା ପରସ୍ପର ବିରୋଧାତ୍ମକ ବୋଲି କେନ୍ଦ୍ର ସରକାର ଜଣାଇଥିଲେ। ଚିଠିରେ ଆଇଟିଡିସି ଅଧ୍ୟକ୍ଷ କହିଥିଲେ କି ୨୦୧୫ ମାର୍ଚ୍ଚ ୨୬ ତାରିଖରେ ଭାରତ ସରକାରଙ୍କ ପର୍ଯ୍ୟଟନ ବିଭାଗ ପ୍ରସାଦ ଯୋଜନାରେ ୫୦ କୋଟି ଟଙ୍କା ରାଜ୍ୟ ସରକାରଙ୍କୁ ଦେଇଥିଲେ। ଏଥିରେ ସ୍ପଷ୍ଟ ଭାବେ କୁହାଯାଇଥିଲା ଯେ ପ୍ରକଳ୍ପର କାର୍ଯ୍ୟକାରିତାରେ ରାଜ୍ୟ ସରକାରଙ୍କ ସଂପୂର୍ଣ୍ଣ ଦାୟିତ୍ବ ରହିବ।

ବିଜେପି କହିଛି, ରାଜ୍ୟ ସରକାର ୨୦୧୭ ନଭେମ୍ବର ୨୭ରେ ପ୍ରକଳ୍ପର ଅଟକଳ ୫୦ରୁ ୭୮କୋଟିକୁ ବୃଦ୍ଧି କରିଥିଲେ। କେବଳ ସେତିକି ନୁହେଁ, ବାରମ୍ବାର କହିବା ପରେ ରାଜ୍ୟ ସରକାର ଏକ ପ୍ଲଟ ଦେଇଥିଲେ।୨୦୧୮ରେ କୋଠା ଭଂଗାଯାଇଥିଲା। ଏଥିପାଇଁ ଓପନ ଟେଣ୍ଡର କରାଯାଇ ମେସର୍ସ ବି.ସି. ଭୂୟାଁ ନାମକ ଠିକାଦାରଙ୍କୁ କାମ ଦିଆଯାଇଥିଲା।୨୦୧୯ ମେ’୭ରେ ଶ୍ରୀଜଗନ୍ନାଥ ବିଶ୍ରାମସ୍ଥଳ ନିର୍ମାଣ ପାଇଁ ଦାୟିତ୍ବ ନେଇଥିଲେ ଓ ଜୁନ ୨୧ରେ କାମ ଆରମ୍ଭ କରିଥିଲେ। ଏହାର ପାଇଲ ଫ‌ାଉଣ୍ଡେସନ କାମ ସରିଥିଲା। ମାତ୍ର ରାଜ୍ୟ ସରକାର ନଭେମ୍ବର ୧ତାରିଖରେ ଏହି କାମକୁ ବନ୍ଦ କରି ଦେଇଥିଲେ।‌ ଏହି ପ୍ରକଳ୍ପରେ ସେତେବେଳକୁ ୩.୨୬ କୋଟି ଟଙ୍କା ଖର୍ଚ୍ଚ ବି ସରିଥିଲା। ତେବେ ପ୍ରକଳ୍ପ ବନ୍ଦ ହେବା ପରେ ଠିକାଦାର ଆଇଟିଡିସି ପାଖରୁ କ୍ଷତିପୂରଣ ମାଗିଥିଲେ। ଏଣୁ ରାଜ୍ୟ ପର୍ଯ୍ୟଟନ ବିଭାଗକୁ ୪ଟି ଚିଠି ତାରିଖ ଦେଇ ଚୂଡାନ୍ତ ନିଷ୍ପତ୍ତି ନେବାକୁ କୁହାଯାଇଥିଲା।

ବିଜେପି କହିଛି, ଓଟିଡିସି ଗତ ଜୁନ ୨ ତାରିଖରେ ଶ୍ରୀଜଗନ୍ନାଥ ବିଶ୍ରାମସ୍ଥଳ ନିର୍ମାଣ ପାଇଁ ଏକ ବିକଳ୍ପ ଜାଗା କଥା ପ୍ରସ୍ତାବ ରଖିଥିଲେ। ପ୍ରାୟ ୨ ଏକର ଜାଗାରେ ଶ୍ରୀଜଗନ୍ନାଥ ବିଶ୍ରାମସ୍ଥଳୀ ନିର୍ମାଣ କରିବା ପାଇଁ ଚିଠି ‌‌ଲେଖିଥିଲେ। ଏହି ପ୍ରସ୍ତାବକୁ ମଧ୍ୟ କେନ୍ଦ୍ର ସରକାର ଅବହେଳା ନକରି ଏକ ବିଶେଷଜ୍ଞ ଦଳ ପ୍ରକଳ୍ପ ସ୍ଥାନ ପରିଦର୍ଶନ କରିଥିଲେ। ତେବେ ପ୍ରସ୍ତାବିତ ସ୍ଥାନଟି ତଳିଆ ଜମି, ପାଣି ଜମିବାର ଆଶଙ୍କା, ସଂଯୋଗ ରାସ୍ତା ଓ ପ୍ରାଚୀର ନଥିବାରୁ ଏଠାରେ ପ୍ରକଳ୍ପ ହେଲେ ଏଥି ପାଇଁ ଅଧିକ ୨.୫ରୁ ୩ କୋଟି ଆବଶ୍ୟକ ପଡ଼ିବ ବୋଲି ଆଇଟିଡିସି ମତ ରଖିଥିଲା। ଏ ନେଇ ଗତ ଜୁନ୍ ୨୨ ତାରିଖରେ ଓଡ଼ିଶା ପର୍ଯ୍ୟଟନ ସଚିବଙ୍କ ସହିତ ଆଲୋଚନା କରିଥିଲେ। ଏଣୁ ବଗଲାକୁ ନେଇ ରାଜ୍ୟ ସରକାର କେବଳ ମିଥ୍ୟାର ଆଶ୍ରୟ ନେଇଛନ୍ତି ବୋଲି ଶ୍ରୀ ପାତ୍ର କହିଛନ୍ତି।

ସମ୍ବନ୍ଧିତ ଖବର