ବଗଲା ପ୍ରସଙ୍ଗରେ ପୁଣି ଦାବି କଲା ପ୍ରଶାସନ : ସବୁ ନିୟମ ମାନିଛୁ, ସ୍ୱଚ୍ଛତା ପାଳନ ହୋଇଛି

ମୂ​​ଳ ପ୍ରକଳ୍ପରେ ବଗଲା ନାହିଁ, କେବଳ ଥଇଥାନ ଲାଗି ଖାଲିଥିବା ଜମି ଦିଆଯାଇଛି
ରେକର୍ଡ ଅଧିଗ୍ରହଣ, ଦେଶ କରିଛି ପ୍ରଶଂସା

ଭୁବନେଶ୍ୱର : ଜମି ଅଧିଗ୍ରହଣ ସମସ୍ୟା ହେତୁ ଦେଶର ପ୍ରମୁଖ ପ୍ରକଳ୍ପଗୁଡିକ ପ୍ରଭାବିତ ହୋଇଛି। ହେଲେ ପୁରୀର ଶ୍ରୀ ଜଗନ୍ନାଥ ମନ୍ଦିର ଚାରିପାଖରେ ହେରିଟେଜ୍ ସୁରକ୍ଷା କରିଡରର ବିକାଶ ପାଇଁ ହୋଇଥିବା ଜମି ଅଧିଗ୍ରହଣ ପ୍ରକ୍ରିୟା ରେକର୍ଡ ସମୟରେ ଶେଷ ହୋଇଛି। କେବଳ ସେତିକି ନୁହେଁ, ସମସ୍ତ ଆଇନଗତ ପ୍ରକ୍ରିୟା ଅନୁସରଣ କରି ଜମି ଅଧିଗ୍ରହଣ ପ୍ରକ୍ରିୟା ଅତ୍ୟନ୍ତ ସ୍ୱଚ୍ଛ ଢଙ୍ଗରେ କରାଯାଇଛି। ବଗଲା ଧର୍ମଶାଳା ଜମି ବିକ୍ରି ପ୍ରସଙ୍ଗରେ ବିଭିନ୍ନ ରାଜନୈତିକ ଦଳ ଅନିୟମିତତାର ପାହାଡ ଲଦିବା ପରେ ଜିଲ୍ଲା ପ୍ରଶାସନ ଆଜି ପୁଣି ଥରେ ଏଭଳି ସ୍ପଷ୍ଟୀକରଣ ରଖିଛି।

ପ୍ରଶାସନ କହିଛି ଯେ ମୂଳ ପ୍ରକଳ୍ପ ଯୋଜନାରେ ଧର୍ମଶାଳା ହଟାଇବାକୁ କୌଣସି ଯୋଜନା କରାଯାଇନାହିଁ। ବରଂ ତୀର୍ଥଯାତ୍ରୀଙ୍କ ପାଇଁ ଉନ୍ନତମାନର ସୁବିଧା କରିବାକୁ ସରକାର ଯୋଜନା କରିଛନ୍ତି। ପୁନଃ ଥଇଥାନ ଉଦ୍ଦେଶ୍ୟରେ କେବଳ ଖାଲି ଜମି (୧୨.୨୩%) ବ୍ୟବହାର କରାଯାଇଛି। ଯେଉଁମାନେ ମନ୍ଦିରର ବିକାଶ ପାଇଁ ନିଜ ଜମି ଦେଇଛନ୍ତି ସେମାନଙ୍କ ପାଇଁ ଏଭଳି କରାଯାଇଛି।

ପ୍ରଶାସନ ଯୁକ୍ତି ରଖିଛି ଯେ ବିସ୍ଥାପିତ ଲଜ୍ ମାଲିକମାନଙ୍କୁ ଦିଆଯାଇଥିବା କ୍ଷତିପୂରଣ ସମ୍ବନ୍ଧରେ କିଛି ଭୁଲ ସୂଚନା ଦିଆଯାଉଛି। ଶ୍ରୀ ଜଗନ୍ନାଥ ମନ୍ଦିର ଚାରିପାଖରେ ହେରିଟେଜ୍ ସୁରକ୍ଷା କରିଡରର ବିକାଶ କାର୍ଯ୍ୟକ୍ରମରେ ସରକାରଙ୍କ ଦ୍ବାରା ଅନୁମୋଦିତ ପୁନର୍ବାସ ନୀତି ଅନୁଯାୟୀ ମୋଟ ୨୭ଟି ଲଜ୍ ବିସ୍ଥାପିତ ହୋଇଛନ୍ତି। ସେମାନଙ୍କୁ ଦୁଇଟି ପ୍ରସ୍ତାବ ଦିଆଯାଇଥିଲା। ନଗଦ ଅର୍ଥ ନେବେ କିମ୍ବା କିମ୍ବା ବିସ୍ଥାପନ ପ୍ୟାକେଜ ଅନୁଯାୟୀ ପୁନଃ ବିସ୍ଥାପନ ସହାୟତାର ପାରା ୩(ଖ) ଅନୁଯାୟୀ ବିକଳ୍ପ ଭାବରେ ଜମି ନେେବ। ଏହି ନୀତିକୁ କ୍ୟାବିନେଟ ଅନୁମୋଦନ କରିଛନ୍ତି। ଏହି ନୀତିକୁ ଆକର୍ଷଣୀୟ କରାଯାଇଥିଲା, ଯାହାଦ୍ବାରା ଲୋକମାନେ ଆଗକୁ ଆସି ପ୍ରକଳ୍ପ ପାଇଁ ସେମାନଙ୍କର ଜମି ପ୍ରଦାନ କରିବେ।

ଆଜି ପର୍ଯ୍ୟନ୍ତ, ୨୭ଜଣଙ୍କ ମଧ୍ୟରୁ ୬ ଜଣ ଲଜ୍ ମାଲିକ ପୁନଃ ବିସ୍ଥାପନ ସହାୟତା ଭାବରେ ଜମି ବିକଳ୍ପ ଭାବେ ନେବାକୁ ଚାହିଁଥିଲେ। ପୁନଃ ବିସ୍ଥାପନ ପ୍ଲଟଗୁଡିକ ଧାରା ୧୭ ଅନୁଯାୟୀ ବେଞ୍ଚମାର୍କ ମୂଲ୍ୟ ଦେୟ ଉପରେ ସେମାନଙ୍କୁ ବଣ୍ଟନ କରାଯାଇଛି। କୌଣସି ବାହାର ଲୋକଙ୍କୁ ଜମି ଦିଆଯାଇନାହିଁ।

ବିସ୍ଥାପନ ଓ ଥଇଥାନ ନୀତି ଏତେ ଭଲ ଏବଂ ଆକର୍ଷଣୀୟ ଥିଲା ଯେ ଅନେକ ପ୍ରଭାବିତ ହୋଇ ସେମାନଙ୍କ ଜମି ଅଧିଗ୍ରହଣ ପାଇଁ ଆଗକୁ ଆସିଥିଲେ। ୮୦% ରୁ ଅଧିକ ଜମି ଏକ ରେକର୍ଡ ସମୟ ମଧ୍ୟରେ ଅଧିଗ୍ରହଣ କରାଯାଇଥିଲା। ସାରା ଦେଶରେ ପ୍ରଶାସନ ଏବଂ ରାଜ୍ୟକୁ ପ୍ରଶଂସା ମିଳିଥିଲା।

ଜିଲ୍ଲା ପ୍ରଶାସନ ପୁରୀ ସହରବାସୀଙ୍କୁ ମଧ୍ୟ ପ୍ରଶଂସା କରିଛନ୍ତି। କହିଛନ୍ତି ଯେ ସେମାନେ ସହରର ବିକାଶ ପାଇଁ ସେମାନଙ୍କର ବ୍ୟବସାୟକୁ ମଧ୍ୟ ବଳିଦାନ ଦେବାକୁ ଆଗେଇ ଆସିଛନ୍ତି। ପ୍ରତିଷ୍ଠାନ, ଜମି ଏବଂ ଘର ଯେଉଁଠାରେ ସେମାନେ ଶହ ଶହ ବର୍ଷ ଧରି ରହିଆସୁଥିଲେ, ତାକୁ ଛାଡ଼ିଛନ୍ତି। ସାଧାରଣ ଲୋକଙ୍କ ବଳିଦାନକୁ ସମ୍ମାନିତ କରାଯିବା ଆବଶ୍ୟକ।

ସମ୍ବନ୍ଧିତ ଖବର