ଲୋକଙ୍କ ପାଇଁ ହାତ ଖୋଲିଦେଲେ ବାଗ୍‌ଚୀ ଦମ୍ପତି, ହସ୍ପିଟାଲ ପ୍ରତିଷ୍ଠା ପାଇଁ ବାଗ୍‌ଚୀ-ପାର୍ଥସାରଥୀଙ୍କ ମିଳିତ ୪୨୫ କୋଟି ଟଙ୍କା ଦାନ

ଭୁବନେଶ୍ବର : ପୁଣି ବଡ଼ ହୃଦୟ ଦେଖାଇଛନ୍ତି ବାଗ୍‌ଚୀ ଦମ୍ପତି। ଲୋକଙ୍କ ପାଇଁ ହାତ ଖୋଲିଦେଇଛନ୍ତି। ଓଡ଼ିଶାରେ କ୍ୟାନସର ଓ ‌ପାଲିଆଟିଭ୍ କେୟାର ସେଣ୍ଟର ପାଇଁ ୩୪୦କୋଟି ଟଙ୍କା ଦାନ କରି ଚର୍ଚାରେ ଥିବା ବାଗ୍‌ଚୀ ଦମ୍ପତି ବେଙ୍ଗାଲୁରୁ ଆଇଆଇଏସ୍‌ସିରେ ୮ଶହ ଶଯ୍ୟା ବିଶିଷ୍ଟ ମେଡିକାଲ କଲେଜ ଓ ହସ୍ପିଟାଲ ପ୍ରତିଷ୍ଠା ପାଇଁ ଦାନ କରିଛନ୍ତି। ସୁସ୍ମିତା-ସୁବ୍ରତ ବାଗ୍‌ଚୀ ଓ ରାଧା-ଏନ୍‌ଏସ୍‌ ପାର୍ଥସାରଥୀ ମିଳିତଭାବେ ହସ୍ପିଟାଲ ପ୍ରତିଷ୍ଠା ପାଇଁ ୪୨୫ କୋଟି ଟଙ୍କା ଦାନ କରିଛନ୍ତି। ଏହାକୁ ବାଗ୍‌ଚୀ-ପାର୍ଥସାରଥୀ ହସ୍ପିଟାଲ ଭାବେ ନାମକରଣ କରାଯାଇଛି। ନିର୍ଦ୍ଦିଷ୍ଟଭାବେ ବାଗ୍‌ଚୀ ଦମ୍ପତି କେତେ ଟଙ୍କା ଦେଇଛନ୍ତି ତାହା ସ୍ପଷ୍ଟ ହୋଇନାହିଁ।

ବେଙ୍ଗାଲୁରୁସ୍ଥିତ ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍‌ ଅଫ ସାଇନ୍‌ସ ବା ଆଇଆଇଏସ୍‌ସି କ୍ୟାମ୍ପସ୍‌ରେ ଏହି ସ୍ନାତକୋତ୍ତର ମେଡିକାଲ ସ୍କୁଲ ସହିତ ଏକ ମଲ୍‌ଟି ସ୍ପେସିଆଲଟି ହସ୍ପିଟାଲ ପ୍ରତିଷ୍ଠା କରାଯାଉଛି। ଗୋଟିଏ କ୍ୟାମ୍ପସ୍‌ରେ ବିଜ୍ଞାନ, ଇଞ୍ଜିନିୟରିଂ ଓ ମେଡିସିନ୍‌ର ଇଣ୍ଟିଗ୍ରେସନ୍ ହେବ। ମେଡିକାଲ କଲେଜରେ ଏମ୍‌ଡି-ପିଏଚ୍‌ଡି କାର୍ଯ୍ୟକ୍ରମ ଉପଲବ୍ଧ ହେବ। ନୂତନ ଚିକିତ୍ସା ଓ ସ୍ବାସ୍ଥ୍ୟସେବା ସମ୍ବନ୍ଧୀୟ ସମସ୍ୟାର ସମାଧାନ ଦିଗରେ ଏଠାରେ ଗବେଷଣା କରାଯିବ। ଜାତୀୟ ମେଡିକାଲ କମିସନ(ଏନ୍‌ଏମ୍‌ସି)ର ନିୟମ ଅନୁଯାୟୀ ମେଡିକାଲ କଲେଜରେ ଛାତ୍ରଛାତ୍ରୀମାନେ ଏମ୍‌ଡି/ଏମ୍‌ଏସ୍‌ ଓ ଡିଏମ୍‌/ଏମ୍‌ସିଏଚ୍‌ କାର୍ଯ୍ୟକ୍ରମର ତାଲିମ ପାଇପାରିବେ। ଅହମଦାବାଦସ୍ଥିତ ଆର୍ଚି ମେଡିସ୍ ଏହି ହସ୍ପିଟାଲ କ୍ୟାମ୍ପସର ନିର୍ମାଣ କରୁଥିବା ସୂଚନା ମିଳିଛି। ହସ୍ପିଟାଲ‌ରେ ଅତ୍ୟାଧୁନିକ ଡାଏଗ୍ନୋଷ୍ଟିକ, ଚିକିତ୍ସା ଓ ଗବେଷଣା କରାଯିବ। କର୍କଟ, ହୃଦ୍‌ରୋଗ, ସ୍ନାୟୁରୋଗ, ଏଣ୍ଡୋକ୍ରାଇନୋଲୋଜି, ଗ୍ୟାଷ୍ଟ୍ରୋଏଣ୍ଟରୋଲୋଜି, ନିଫ୍ରୋଲୋଜି, ୟୁରୋଲୋଜି, ଡର୍ମାଟୋଲୋଜି, ପ୍ଲାଷ୍ଟିକ ସର୍ଜରି, ଅଙ୍ଗ ପ୍ରତିରୋପଣ, ରୋବୋଟିକ୍ ସର୍ଜରି, ଚକ୍ଷୁରୋଗ ଭଳି ରୋଗର ଚିକିତ୍ସା ମିଳିପାରିବ। ହସ୍ପିଟାଲରେ ଅତ୍ୟାଧୁନିକ ଡିଜିଟାଲ ଟେକ୍‌ନୋଲୋଜି, ଇଣ୍ଟିଗ୍ରେଟେଡ୍‌ ଇଲେକଟ୍ରୋନିକ୍ ମେଡିକାଲ ରେକର୍ଡ ବ୍ୟବସ୍ଥା ଓ ଟେଲିମେଡିସନ୍‌ର ମଧ୍ୟ ସୁବିଧା ରହିବ। ୨୦୨୪ ସୁଦ୍ଧା ହସ୍ପିଟାଲକୁ କାର୍ଯ୍ୟକ୍ଷମ କରାଯିବାର ଲକ୍ଷ୍ୟ ରହିଛି।

ଏ ସଂପର୍କରେ ସୁସ୍ମିତା ବାଗ୍‌ଚୀ କହିଛନ୍ତି ଯେ ଭାରତ ଭଳି ଦେଶରେ ମେଡିକାଲ ଗବେଷଣାକୁ କେବଳ ସରକାର କିମ୍ବା କର୍ପୋରେଟ୍‌ ସଂସ୍ଥା ହାତରେ ଛାଡ଼ି ଦେଇହେବ ନାହିଁ। ଏଥିପାଇଁ ଲୋକମାନେ ଆଗେଇ ଆସିବା ଦରକାର। ଆଇଆଇଏସ୍‌ସି ଭଳି ସଂସ୍ଥା ସହିତ ଯୋଡ଼ି ହେବା ସୌଭାଗ୍ୟର ବିଷୟ ବୋଲି ସେ କହିଛନ୍ତି। ସେହିପରି ରାଧା ପାର୍ଥସାରଥୀ କହିଛନ୍ତି ଯେ ଗୋଟିଏ କ୍ୟାମ୍ପସ୍‌ରେ ବିଜ୍ଞାନ, ଇଞ୍ଜିନିୟରିଂ ଓ ମେଡିସିନ୍‌ର ଇଣ୍ଟିଗ୍ରେସନ୍ ଦେଶରେ ନୂଆ। ବିଶ୍ବସ୍ତରରେ ଆଇଆଇଏସ୍‌ସିର ରହିଥିବା ବିଶ୍ବସନୀୟତା ଯୋଗୁଁ ଅନେକ ପ୍ରତିଭାଧାରୀଙ୍କୁ ଆକୃଷ୍ଟ କରିବାରେ ସକ୍ଷମ ହୋଇପାରିବ ବୋଲି ସେ କହିଛନ୍ତି।

ଉଲ୍ଲେଖ ଯେ ଦେଶର ଅଗ୍ରଣୀ ଆଇଟି କମ୍ପାନି ମାଇଣ୍ଡଟ୍ରିର ଅନ୍ୟତମ ସହ ପ୍ରତିଷ୍ଠାତା ହେଉଛନ୍ତି ସୁବ୍ରତ ବାଗ୍‌ଚୀ। ଶ୍ରୀ ବାଗ୍‌ଚୀ ଏବେ ରାଜ୍ୟ ଦକ୍ଷତା ବିକାଶ କର୍ତୃପକ୍ଷର ଅଧ୍ୟକ୍ଷ ଭାବେ କାର୍ଯ୍ୟ କରୁଛନ୍ତି। ତାଙ୍କ ପତ୍ନୀ ସୁସ୍ମିତା ବାଗ୍‌ଚୀ ‘ମୋ ସ୍କୁଲ୍’ ଅଭିଯାନର ଅଧ୍ୟକ୍ଷ ରହିଛନ୍ତି। ବାଗ୍‌ଚୀ ଦମ୍ପତିଙ୍କ ମିଳିତ ଉଦ୍ୟମରେ ରାଜଧାନୀର ଇନଫୋ ଭ୍ୟାଲିରେ ବାଗ୍‌ଚୀ-କରୁଣାଶ୍ରୟ ପାଲିଆଟିଭ୍ କେୟାର କାର୍ଯ୍ୟ କରୁଛି। ରାଜଧାନୀରେ ପ୍ରଥମେ ଘରେ ଏହି ସୁବିଧା ଦିଆଯାଉଥିବା ବେଳେ ଆଗକୁ କଟକରେ ମଧ୍ୟ ଏହା ଆରମ୍ଭ ହେବ। ଏହାସହ ୫ଶହ ଶଯ୍ୟା ବିଶିଷ୍ଟ ବାଗ୍‌ଚୀ-ଶଙ୍କର କର୍କଟ ହସ୍ପିଟାଲ ପ୍ରତିଷ୍ଠା କରାଯାଉଛି। ଏଥିପାଇଁ ୨୧୦କୋଟି ଟଙ୍କାର ବ୍ୟୟ ଅଟକଳ ରହିଛି।

ସମ୍ବନ୍ଧିତ ଖବର