ସୁବ୍ରତ ବାଗ୍‌ଚୀ କହିଲେ- କୋଭିଡ-୧୯ ନାଗଫଣା ଭଳି ତା’ର ଫଣା ଟେକି ଟେକି ଚାଲିଛି

ଭୁବନେଶ୍ୱର: କରୋନା ଭାଇରସ୍‌ ସମଗ୍ର ବିଶ୍ୱବାସୀଙ୍କୁ ଡରାଇ ରଖିଛି। କୋଭିଡ-୧୯ ନାଗଫଣା ଭଳି ତା’ର ଫଣା ଟେକି ଟେକି ଚାଲିଛି। କୋଭିଡ-୧୯ ରାଜ୍ୟ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗ୍‌ଚୀ ଏହା କହିଛନ୍ତି। ସ୍ଥାନୀୟ ଗୀତଗୋବିନ୍ଦ ସଦନରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ବାଗ୍‌ଚୀ କହିଛନ୍ତି, ବିଶ୍ୱର ସର୍ବାଧିକ ୫ଟି ସଂକ୍ରମିତ ଦେଶରେ ପ୍ରତିଦିନ ସଂକ୍ରମିତଙ୍କ ସଂଖ୍ୟା ବଢିଚାଲିଛି। ଆମେରିକା ଓ ସ୍ପେନରେ ସଂକ୍ରମିତ ସଂଖ୍ୟା ହୁହୁ ହୋଇ ବଢ଼ିବାରେ ଲାଗିଛି।

ଶ୍ରୀ ବାଗ୍‌ଚୀ କହିଛନ୍ତି, ପ୍ରଥମ ୨୦ରୁ ୩୦ ଦିନରେ ଆମେରିକାରେ କରୋନା ପଜିଟିଭ ସଂଖ୍ୟା ବଢ଼ିଚାଲିଥିଲା। ସେହି ସମୟରେ ଭାରତରେ ସଂକ୍ରମଣ ସଂଖ୍ୟା ଅତି ନଗଣ୍ୟ ଥିଲା। ୫୦ରୁ ୬୦ ଦିନ ମଧ୍ୟରେ ଆମେରିକାର ସଂକ୍ରମଣ କମିଥିବା ବେଳେ ବ୍ରାଜିଲରେ ବଢ଼ି ଚାଲିଛି। କରୋନା ସଂକ୍ରମଣ ସ୍ଥିତିକୁ ଯଦି ଅନୁଧ୍ୟାନ କରିବା ଆଜିର ଦିନରେ ଭାରତ କେବଳ ଆମେରିକା ଓ ବ୍ରାଜିଲ ପଛରେ ରହିଛି। ଆମେରିକାରେ କମୁଥିବା ସଂକ୍ରମଣ ୧୦୦ ଦିନ ପରେ ପୁଣି ଲେଉଟି ଆସି ବିରାଟ ରୂପ ଧରିଛି।

ଆଜି ଆମକୁ ଭୟ ଓ ସାବଧାନତା ଏହି ୨ଟି ଜିନିଷକୁ ଅଲଗା ଅଲଗା ରଖିବାକୁ ପଡ଼ିବ। ଭୟ କମାଇବାକୁ ପଡ଼ିବ। କିନ୍ତୁ ସାବଧାନତାକୁ ଆହୁରି ବହୁ ମାତ୍ରାରେ ଆଗକୁ ବଢ଼ାଇବାକୁ ପଡ଼ିବ। ସାବଧାନତାରେ ସାମାନ୍ୟ ଏପଟ ସେପଟ ଯଦି ହୋଇଯାଏ, ଆମକୁ ଆହୁରି ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିପାରେ।

ମନସ୍ତତ୍ତ୍ୱବିତମାନଙ୍କର କହିବା କଥା ବିପଦର ସମ୍ମୁଖୀନ ହେଲେ ମଣିଷ ପ୍ରଥମ ପର୍ଯ୍ୟାୟରେ ବିପଦର ପରିମାଣ ଅପେକ୍ଷା ଅନେକ ସମୟରେ ଅଧିକ ମାତ୍ରାରେ ତାର ପ୍ରତିକ୍ରିୟା ଜାରି ରଖେ। କିନ୍ତୁ ପରବର୍ତ୍ତୀ ସମୟରେ ବିପଦର ମାତ୍ରା ବଢ଼ିଯିବା ସଙ୍ଗେ ସଙ୍ଗେ ଭୟ ମଧ୍ୟ କମିଯାଏ। ଭୟଭୀତ ଅବସ୍ଥାରେ ବହୁ ସମୟ ଧରି ରହିଲେ ମଣିଷର ଶାରୀରିକ ଓ ମାନସିକ କ୍ଷତି ହୋଇପାରେ। ଭୟ ଆମକୁ ସାବଧାନ କରିଦିଏ। ଭୟ ଓହରିଗଲେ ଆମର ସାବଧାନତା ମଧ୍ୟ ଦୁର୍ଭାଗ୍ୟ ବଶତଃ ଅନେକ ସମୟରେ ଓହରିଯାଏ। ଆମେ ଅସାବଧାନ ବ୍ୟବହାର ଆରମ୍ଭ କରିଦେଉ।

ସମ୍ବନ୍ଧିତ ଖବର