ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଜଟଣୀ ତହସିଲ ବଡ଼ରଘୁନାଥପୁର ଇନ୍ଫୋଭାଲିଠାରେ ବାଗ୍ଚୀ ଶ୍ରୀ ଶଙ୍କର କ୍ୟାନସର ହସ୍ପିଟାଲ ଓ ଗବେଷଣା ପ୍ରତିଷ୍ଠାନକୁ ଉଦ୍ଘାଟନ କରିଛନ୍ତି। ୭୫୦ ଶଯ୍ୟା ବିଶିଷ୍ଟ ଏହି ହସ୍ପିଟାଲରେ ଦୈନିକ ୩୦୦ ରୋଗୀଙ୍କୁ ଅତ୍ୟାଧୁନିକ ରେଡିଓଥେରାପି ସହିତ ୧୫୦ରୁ ଅଧିକ ରୋଗୀଙ୍କ ପାଇଁ କେମୋଥେରାପି ଦେବାର ବ୍ୟବସ୍ଥା ରହିଛି। ଉଦ୍ଘାଟନ ଉତ୍ସବରେ ଯୋଗଦେଇ ମୁଖ୍ୟମନ୍ତ୍ରୀ କହିଥିଲେ, ଏହି ହସ୍ପିଟାଲ ଓଡ଼ିଶା ତଥା ପୂର୍ବ ଭାରତରେ କର୍କଟ ରୋଗୀଙ୍କୁ ଗୁଣାତ୍ମକ ମାନର ଓ ସୁଲଭ ଖର୍ଚ୍ଚରେ ଚିକିତ୍ସା ପ୍ରଦାନ କରି କର୍କଟର ଚିକିତ୍ସା କ୍ଷେତ୍ରରେ ଏକ ନୂଆ ଅଧ୍ୟାୟ ଆରମ୍ଭ କରିବ। ଏହା ମାଧ୍ୟମରେ ରାଜ୍ୟର ଏକ ତୃତୀୟାଂଶ କର୍କଟ ରୋଗୀ ଉପକୃତ ହେବେ। ବାଗ୍ଚୀ ପରିବାର ଓ ଶ୍ରୀ ଶଙ୍କର କ୍ୟାନସର ସେଣ୍ଟରର ଏହି ମହତ୍ୱପୂର୍ଣ୍ଣ ପଦକ୍ଷେପ ପାଇଁ ମୁଖ୍ୟମନ୍ତ୍ରୀ ଧନ୍ୟବାଦ ଜଣାଇଥିଲେ। ରାଜ୍ୟବାସୀଙ୍କୁ ଉତ୍ତମ ସ୍ୱାସ୍ଥ୍ୟସେବା ଯୋଗାଇଦେବା ପାଇଁ ରାଜ୍ୟ ସରକାର ନିରନ୍ତର ଉଦ୍ୟମ କରି ଆସୁଛନ୍ତି। ବିଗତ ଦୁଇ ଦଶନ୍ଧି ମଧ୍ୟରେ ଓଡ଼ିଶା ପୂର୍ବ ଭାରତରେ ଏକ ଅଗ୍ରଣୀ ସ୍ୱାସ୍ଥ୍ୟସେବା କ୍ଷେତ୍ର ଭାବେ ପରିଗଣିତ ହୋଇଛି। ରାଜ୍ୟର ବିଭିନ୍ନ ଅଞ୍ଚଳରେ ନୂଆ ମେଡିକାଲ କଲେଜ ଖୋଲା ଯାଇଛି। ନିୟମିତ ଭାବେ ଡାକ୍ତର ଓ ପାରାମେଡିକାଲ ଷ୍ଟାଫଙ୍କୁ ନିଯୁକ୍ତି ଦିଆଯାଉଛି। ଚଳିତବର୍ଷ କେବଳ ପ୍ରାୟ ୪ହଜାର ଡାକ୍ତର ରାଜ୍ୟରେ ନିଯୁକ୍ତି ପାଇଛନ୍ତି।
୭୫୦ ଶଯ୍ୟା, ଦୈନିକ ୩୦୦ ରୋଗୀଙ୍କୁ ଅତ୍ୟାଧୁନିକ ରେଡିଓଥେରାପି
୧୫୦ରୁ ଉର୍ଦ୍ଧ୍ୱ ରୋଗୀଙ୍କ ପାଇଁ କେମୋଥେରାପି ସୁବିଧା
ଗୁଣାତ୍ମକ ଓ ସୁଲଭ କ୍ୟାନସର ଚିକିତ୍ସା ପାଇଁ ଓଡ଼ିଶା ପୂର୍ବ ଭାରତରେ ଅଗ୍ରଣୀ: ମୁଖ୍ୟମନ୍ତ୍ରୀ
ମୁଖ୍ୟମନ୍ତ୍ରୀ ଆହୁରିମଧ୍ୟ କହିଥିଲେ ଯେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା(ବିଏସ୍କେୱାଇ) ସମଗ୍ର ଦେଶରେ ସ୍ୱାସ୍ଥ୍ୟ ସୁରକ୍ଷା କ୍ଷେତ୍ରରେ ଏକ ବେଞ୍ଚ୍ମାର୍କ ସ୍ଥାପନ କରିଛି। ୫-ଟି ଉପକ୍ରମରେ ରାଜ୍ୟର ସବୁ ହସ୍ପିଟାଲଗୁଡିକର ଭିତ୍ତିଭୂମି ରୂପାନ୍ତର କାର୍ଯ୍ୟ ଜାରି ରହିଛି। ‘ଆମ ହସ୍ପିଟାଲ’ ଯୋଜନାରେ ଉନ୍ନତ ଭିତ୍ତିଭୂମି ଓ ଗୁଣାତ୍ମକ ସ୍ୱାସ୍ଥ୍ୟସେବା ସହିତ ରୋଗୀଙ୍କ ସହାୟକମାନଙ୍କ ସୁବିଧାକୁ ମଧ୍ୟ ଦୃଷ୍ଟି ଦିଆଯାଉଛି। ବିଭିନ୍ନ ଜିଲ୍ଲାରେ କର୍କଟର ଚିକିତ୍ସା ପାଇଁ ମଧ୍ୟ ବ୍ୟବସ୍ଥା କରାଯାଉଛି। ସମସ୍ତେ କର୍କଟ ରୋଗ ବିଷୟରେ ସଚେତନ ହେବା ଆବଶ୍ୟକ। ଆମ ଜୀବନଶୈଳୀକୁ ପରିବର୍ତ୍ତନ କରିବା ଜରୁରି। ସୁସ୍ଥ ଜୀବନଶୈଳୀ ଅବଲମ୍ବନ କଲେ କର୍କଟଠାରୁ ଦୂରେଇ ରହି ପାରିବା। ସମସ୍ତେ ସୁସ୍ଥ ରହିଲେ ‘ସୁସ୍ଥ ଓଡ଼ିଶା, ସୁଖୀ ଓଡ଼ିଶା’ର ସ୍ୱପ୍ନ ପୂରଣ ହୋଇପାରିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ କହିଥିଲେ, ୧୦ ବର୍ଷ ମଧ୍ୟରେ ମୁଖ୍ୟମନ୍ତ୍ରୀ ଅନେକ ନୂଆ ନୂଆ ମେଡିକାଲ କଲେଜ ଆରମ୍ଭ କରି ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଏକ ବୈପ୍ଳବିକ ପରିବର୍ତ୍ତନ ଆଣିଛନ୍ତି। ବାଗ୍ଚୀ ଶ୍ରୀ ଶଙ୍କର କ୍ୟାନସର ହସ୍ପିଟାଲ ରାଜ୍ୟବାସୀଙ୍କୁ କ୍ୟାନସର ସେବା କ୍ଷେତ୍ରରେ ଅତ୍ୟାଧୁନିକ ସେବା ଯୋଗାଇଦେବ ବୋଲି ସେ କହିଥିଲେ। ଉଦ୍ଘାଟନ ଅବସରରେ ସୁବ୍ରତ ବାଗ୍ଚୀ କହିଥିଲେ, ମୁଖ୍ୟମନ୍ତ୍ରୀଙ୍କ ଦିଗ୍ଦର୍ଶନ ଓ ଆନ୍ତରିକତା ଯୋଗୁ ଏହି ହସ୍ପିଟାଲ ପ୍ରତିଷ୍ଠା କରିବା ସମ୍ଭବ ହୋଇପାରିଛି। ରାଜ୍ୟର କର୍କଟ ରୋଗୀମାନଙ୍କୁ ବିଶ୍ୱମାନର ଚିକିତ୍ସା ସୁବିଧା ଯୋଗାଇଦେବା ପାଇଁ ରାଜ୍ୟ ସରକାର ୨୨ ଏକର ଜମି ଯୋଗାଇ ଦେଇଛନ୍ତି। ରାଜ୍ୟର କର୍କଟ ରୋଗୀଙ୍କୁ ଚିକିତ୍ସା ପାଇଁ ଆଉ ରାଜ୍ୟ ବାହାରକୁ ଯିବାକୁ ପଡ଼ିବ ନାହିଁ। ଏଠାରେ ହିଁ କର୍କଟ ଚିକିତ୍ସା କ୍ଷେତ୍ରରେ ଅତ୍ୟାଧୁନିକ ସୁବିଧା ପାଇବେ। ଏହି ହସ୍ପିଟାଲ ମାନବସେବାର ଏକ ଅଦ୍ୱିତୀୟ କେନ୍ଦ୍ର ବୋଲି ସେ କହିଥିଲେ। କାର୍ଯ୍ୟକ୍ରମରେ ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀ ନିରଞ୍ଜନ ପୂଜାରୀ, ୫-ଟି ତଥା ନବୀନ ଓଡ଼ିଶା ଅଧ୍ୟକ୍ଷ ଭି.କେ ପାଣ୍ଡିଆନ ଉପସ୍ଥିତ ଥିଲେ। ପ୍ରାରମ୍ଭରେ ଡା. ବି.ଏସ୍. ଶ୍ରୀନାଥ ସ୍ୱାଗତ ଭାଷଣ ଦେଇଥିବା ବେଳେ ଡା. ବି. ମହାନ୍ତି ଧନ୍ୟବାଦ ଦେଇଥିଲେ। ଏହି ହସ୍ପିଟାଲ ହେଉଛି ସୁବ୍ରତ ବାଗ୍ଚୀ ଓ ସୁସ୍ମିତା ବାଗ୍ଚୀଙ୍କର ଓଡ଼ିଶା ପାଇଁ ମହତ୍ୱପୂର୍ଣ୍ଣ ଅବଦାନ। ଉଲ୍ଲେଖଯୋଗ୍ୟ ଯେ ୪୧୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ଏହି ହସ୍ପିଟାଲରେ ଉନ୍ନତ ଭିତ୍ତିଭୂମି ସହିତ ଅତ୍ୟାଧୁନିକ ମେଡିକାଲ ଟେକ୍ନୋଲୋଜି ଓ ଚିକିତ୍ସା ସୁବିଧା ରହିଛି। ଏହି ହସ୍ପିଟାଲ ମଧ୍ୟ ରାଜ୍ୟ ସରକାରଙ୍କ ବିଏସ୍କେୱାଇ ଯୋଜନାରେ ଅନୁବନ୍ଧିତ ହୋଇଛି।