ଲୋକଲୋଚନକୁ ଆସିପାରୁନି ପର୍ଯ୍ୟଟନସ୍ଥଳୀ ବାଘିଆଣି ଜଳପ୍ରପାତ

ଦେବଗଡ଼: ଅଖୋଜ ବାମଣ୍ଡା ତଥା ବର୍ତ୍ତମାନର ଦେବଗଡ଼ ଜିଲ୍ଲାରେ ପ୍ରାକୃତିକ ଶୋଭା ସବୁ ସମୟରେ ପ୍ରକୃତିପ୍ରେମୀଙ୍କୁ ଆକର୍ଷିତ କରିଥାଏ। ବିଭିନ୍ନ ସମୟରେ ଜିଲ୍ଲା‌ରେ ଥିବା ପର୍ଯ୍ୟଟନସ୍ଥଳୀଗୁଡ଼ିକରେ ପର୍ଯ୍ୟଟକଙ୍କ ଭିଡ଼ ଲାଗିଥାଏ। ଆଜି ବି ପର୍ଯ୍ୟଟନସ୍ଥଳୀଗୁଡ଼ିକର ଯେତିକି ବିକାଶ ହେବା କଥା ‌ସେତିକି ବିକାଶ ହୋଇପାରି ନାହିଁ। ଜିଲ୍ଲାରେ ବହୁ ଛୋଟ ବଡ଼ ଝରଣା ରହିଛି କିନ୍ତୁ ତାହା ‌ଲୋକଲୋଚନକୁ ଆସି ପାରି ନାହିଁ। ସେଥି ମଧ୍ୟରୁ ଜିଲ୍ଲାର ଅନ୍ୟତମ ପ୍ରାକୃତିକ ପର୍ଯ୍ୟଟନସ୍ଥଳୀ ବାଘିଆଣି ଜଳପ୍ରପାତ ଅନ୍ୟତମ।

ଗମନାଗମନର ସମସ୍ୟା ଯୋଗୁଁ ଏହି ମନୋରମ ପର୍ଯ୍ୟଟନସ୍ଥଳୀ ନିଜର ପରିଚୟ ହରାଇବାକୁ ବସିଛି। ପ୍ରାପ୍ତ ସୂଚନା ଅନୁଯାୟୀ, ଜିଲ୍ଲାର ବାରକୋଟ ବ୍ଲକ ସରୁଆଳି ପଞ୍ଚାୟତ ଅନ୍ତର୍ଗତ ମର୍ହା ଗାଁଠାରୁ ତିନି କିଲୋମିଟର ଦୂର ପାହାଡ଼ ଶୀର୍ଷରେ ରହିଛି ଏକ ସୁନ୍ଦର ଜଳ ପ୍ରପାତ। ଏହାକୁ ସ୍ଥାନୀୟ ଲୋକେ ବାଘିଆଣି ଦରହ ବୋଲି କହିଥାନ୍ତି। ନିଘଞ୍ଚ ଅରଣ୍ୟ ପରିବେଷ୍ଟିତ ଦୁଇଟି ପାହାଡ଼ର ମିଳନସ୍ଥଳରୁ ଭୂପୃଷ୍ଠ ଉପରକୁ ବୋହି ଆସୁଥିବା ପାହାଡିଆ ଝରଣାର ଅପୂର୍ବ ଶୋଭାରାଜି ଦର୍ଶକଙ୍କୁ ଆକର୍ଷିତ କରିଥାଏ। ଏହି ଜଳପ୍ରପାତ ନିକଟରେ ରହିଛି ଏକ ପଥର ଚଟାଣ ଓ ସେଠାରେ ରହିଛି ଏକ ପ୍ରାଚୀନ ପାହାଡିଆ ଗୁମ୍ଫା।

ବହୁବର୍ଷ ପୂର୍ବେ ଏଠାରେ ବାଘ ରହୁଥିବାରୁ ଏହି ଗୁମ୍ଫାକୁ ମଧ୍ୟ ବାଘିଆଣି ଗୁମ୍ଫା ବୋଲି ସ୍ଥାନୀୟ ଲୋକେ କହିଥାନ୍ତି। ବାଘିଆଣି ଜଳପ୍ରପାତ ଜିଲ୍ଲାର ଯେ ଏକ ସୁନ୍ଦର ଓ ମନୋରମ ପର୍ଯ୍ୟଟନସ୍ଥଳୀ ହୋଇଥିଲେ ମଧ୍ୟ ଏଠାକୁ ଗମନାଗମନର ସୁବିଧା ନଥିବାରୁ ଏହା ଲୋକଲୋଚନକୁ ଏଯାଏ ଆସିପାରି ନାହିଁ। ପର୍ଯ୍ୟଟନସ୍ଥଳୀଟି ସଂରକ୍ଷିତ ଜଙ୍ଗଲ ମଧ୍ୟରେ ରହିଛି। ଜିଲ୍ଲାର ଦୁର୍ଗମ ପାହାଡ଼ିଆ ଅଞ୍ଚଳରେ ଲୋକଲୋଚନରୁ ବହୁ ଦୂରରେ ରହିଥିବା ଏହି ପର୍ଯ୍ୟଟନସ୍ଥଳୀର ବିକାଶ କରାଗଲେ ପର୍ଯ୍ୟଟକ ଏହାର ସୌନ୍ଦର୍ଯ୍ୟକୁ ଉପଭୋଗ କରିବା ସହିତ ସ୍ଥାନୀୟ ଲୋକଙ୍କ ଅାର୍ଥିକ ବିକାଶ ହୋଇ ପାରନ୍ତା ବୋଲି ମତପ୍ରକାଶ ପାଇଛି।

ସମ୍ବନ୍ଧିତ ଖବର