ଯଶିପୁର/ପଦ୍ମପୁର: ଅକ୍ଟୋବର ୫ ତାରିଖ ଯଶିପୁରବାସୀଙ୍କ ସମେତ ସମଗ୍ର ଓଡ଼ିଶାବାସୀଙ୍କ ପାଇଁ ଏକ ଅଭୁଲା ଦିନ। ୧୯୭୪ ମସିହା ଆଜିର ଦିନରେ ଜନ୍ମନେଇ ବିଶ୍ବପ୍ରସିଦ୍ଧ ହୋଇଥିବା ପାଳିତା ବାଘୁଣୀ ଖଇରୀ ପାଇଁ ଆଜି ଶିମିଳିପାଳ ଓ ନିବାସସ୍ଥଳୀ ଯଶିପୁରର ଖଇରୀ ନିବାସ ଝୁରି ହେଉଛି। ବନ କର୍ମଚାରୀମାନେ ଭାବବିହ୍ବଳ ପରିବେଶରେ ବାଘୁଣୀ ଖଇରୀର ସ୍ମୃତିଚାରଣ କରିବା ସହିତ ଜନ୍ମଦିନ ପାଳନ କରିଛନ୍ତି।
୨ ମାସର ମହାବଳ ଶାବକ ପାଇ ଜଣେ ବଣୁଆ ଖଡ଼ିଆ ଏକ ଝୁଡ଼ିରେ ଆଣି ଘଞ୍ଚ ଜଙ୍ଗଲର ଚହଲା ରେଞ୍ଜ ଅଞ୍ଚଳରେ ତତ୍କାଳୀନ ରେଞ୍ଜ କର୍ମଚାରୀ ଦେବତୋଷ ବେହେରାଙ୍କୁ ଦେଇଥିଲେ। ପରେ ତାକୁ ଅଣାଯାଇ ତତ୍କାଳୀନ ଡିଏଫ୍ଓ ଯଶିପୁରର ଧୋବାଡ଼ିହାସ୍ଥିତ କାର୍ଯ୍ୟାଳୟର ସରୋଜରାଜ ଚୌଧୁରୀଙ୍କ ହେପାଜତରେ ରଖାଯାଇଥିଲା। ସେହିଦିନଠୁ ୧୯୮୧ ମସିହା ପର୍ଯ୍ୟନ୍ତ ଖଇରୀ ପାଲଟି ଯାଇଥିଲା ସରୋଜରାଜଙ୍କ ଘରର ସଦସ୍ୟ। ଅଳିଅଳି ଝିଅ ଭାବେ ବାପା ସରୋଜ ଓ ମାଆ ନିହାରବାଳାଙ୍କ ସ୍ନେହଶ୍ରଦ୍ଧା ପାଇ ଖଇରୀ ଭୁଲିଯାଇଥିଲା ହିଂସ୍ର ପ୍ରବୃତ୍ତି। ଏକାଠି ଖାଇବା, ବିଛଣାରେ ଶୋଇବା ଦ୍ବାରା ଖଇରୀ ବିଶ୍ବ ବନ୍ୟପ୍ରାଣୀ ଇତିହାସର ଚମକ ଓ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଥିଲା। ଦେଶ, ବିଦେଶର ପର୍ଯ୍ୟଟକ, ଗବେଷକ ଧାଇଁ ଆସୁଥିଲେ ଖଇରୀ ନିବାସକୁ। ଓଡ଼ିଶା ପର୍ଯ୍ୟଟନ ମାନଚିତ୍ରରେ ଶିମିଳିପାଳ ସହିତ ଯଶିପୁରର ସୃଷ୍ଟି କରିଥିଲା ଭିନ୍ନ ପରିଚୟ।
୧୯୮୧ ମସିହାରେ ଖଇରୀର ମୃତ୍ୟୁପରେ ପାଳକ ପିତା ସରୋଜ ଖଇରୀକୁ ଝୁରି ଝୁରି ଆରପାରିକୁ ଚାଲି ଯାଇଥିଲେ। ପ୍ରବୃତ୍ତିକୁ ଜୟ କରିଥିବା ଖଇରୀ ଅନାବିଳ ସ୍ନେହର ଅର୍ଥ ପୃଥିବୀବାସୀଙ୍କୁ ଶିଖାଇ ଦେଇଥିଲା। ଖଇରୀକୁ ନେଇ ସରୋଜରାଜଙ୍କ ଲିଖିତ ଗବେଷଣାଧର୍ମୀ ପୁସ୍ତକ ‘ଖଇରୀ' ତାଙ୍କ ପାଇଁ ଢେର ପ୍ରସିଦ୍ଧି ଆଣି ଦେଇଥିଲା। ଭାରତ ସରକାର ତାଙ୍କୁ ମରଣୋତ୍ତର ଭାବେ ପଦ୍ମଶ୍ରୀ ଉପାଧିରେ ଭୂଷିତ କରିଥିଲେ। ଆଜି ଖଇରୀ ନାହିଁ ସତ, କିନ୍ତୁ ତାର ସ୍ମୃତି ଏ ଅଞ୍ଚଳରେ ଉଜ୍ଜୀବିତ। ଖଇରୀର ସ୍ମୃତି ସନ୍ତକ ପ୍ରତିଷ୍ଠା କରିବାକୁ ବିଭିନ୍ନ ମହଲରୁ ଦାବି ହେଉଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/10/f4h654sf5h4sf654h5sfh1s1132hfhshfshsfsfhhfh.jpg)