ବଗଲା ଧର୍ମଶାଳା ଜମି ବିବାଦ ମାମଲା : ପ୍ରତିଜବାବ ଦାଖଲ କଲେ ଆବେଦନକାରୀ

କଟକ : ପୁରୀ ବଡ଼ଦାଣ୍ଡରେ ଥିବା ବଗଲା ଧର୍ମଶାଳା ଜମି ବିକ୍ରିକୁ ବିରୋଧ କରି ଦାୟର ମାମଲାରେ ଆବେଦନକାରୀ ଜଗନ୍ନାଥ ବସ୍ତିଆଙ୍କ ପକ୍ଷରୁ ହାଇକୋର୍ଟରେ ପ୍ରତିଜବାବ ଦାଖଲ କରାଯାଇଛି।

ପ୍ରତିଜବାବରେ ସେ ଦର୍ଶାଇଛନ୍ତି ଯେ ଦାତବ୍ୟ ଉଦ୍ଦେଶ୍ୟରେ ମିଳିଥିବା ଜମି ହସ୍ତାନ୍ତର ଯୋଗ୍ୟ ନୁହେଁ। ଜିଲ୍ଲାପାଳ ଧର୍ମଶାଳା ଜମିର ତତ୍ତ୍ବାବଧାରକ ଓ ଏହାର ପରିଚାଳନା ତଥା ବିକାଶ କରିପାରିବେ। ଜମି ବିକ୍ରି କରିପାରିବେ ନାହିଁ। ଶ୍ରୀମନ୍ଦିର ଚତୁଃପାର୍ଶ୍ବ ଉଚ୍ଛେଦ ପ୍ରକ୍ରିୟାରେ ୬ ଜଣ ଲଜିଂ ମାଲିକ ଯେତିକି ପରିମାଣର ଜମି ରାଜ୍ୟ ସରକାରଙ୍କୁ ବିକ୍ରି କରିଥିଲେ ତା’ଠାରୁ ଅଧିକ ପରିମାଣର ଜମି ସେମାନଙ୍କୁ ଦିଆଯାଇଛି। ତହସିଲଦାର ବଗଲା ଧର୍ମଶାଳା ଜମି ରେକର୍ଡରେ କରିଥିବା ସଂଶୋଧନ ବେଆଇନ ବୋଲି ପ୍ରତିଜବାବରେ ଉଲ୍ଲେଖ କରାଯାଇଛି। ୧୮୮୯-୯୦ ସାବକ ରେକର୍ଡରେ ବଗଲା ଧର୍ମଶାଳା ଜମି ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଅମୃତମଣୋହି ସଂପତ୍ତି ଥିଲା। ଏଭଳି ସ୍ଥିତିରେ ଜିଲ୍ଲାପାଳ ଏହି ଜମିକୁ ପ୍ଲଟିଂ କରି ବିକ୍ରି କରିବାବେଳେ ଶ୍ରୀମନ୍ଦିର ପ୍ରଶାସନ କାହିଁକି ବିରୋଧ କରିଲାନି ତାକୁ ନେଇ ସେ ପ୍ରଶ୍ନ ଉଠାଇଛନ୍ତି। ପୁରୀରେ ୬୦ ହଜାର ଭକ୍ତଙ୍କ ପାଇଁ ଆବାସ ବ୍ୟବସ୍ଥା କରିବା ପାଇଁ ଗତବର୍ଷ ନଭେମ୍ବର ୪‌ରେ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିବାବେଳେ ଏହି ନିର୍ଦ୍ଦେଶ କାର୍ଯ୍ୟକାରୀ କରାଯାଇ ନଥିଲା। ଅପରପକ୍ଷରେ ବଗଲା ଧର୍ମଶାଳା ଜମି ବେଆଇନ ଭାବେ ବିକ୍ରି କରାଯାଇଥିଲା। ପୁରୀକୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ ପାଇଁ ଆସୁଥିବା ଗରିବ ଓ ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ଭକ୍ତ ତଥା ଶ୍ରଦ୍ଧାଳୁଙ୍କ ରହିବା ପାଇଁ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ଧର୍ମଶାଳା ନିର୍ମାଣ କରିନାହିଁ। ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ଦ୍ବାରା ପରିଚାଳିତ ନୀଳାଚଳ ଭକ୍ତ ନିବାସ, ନିଳାଦ୍ରୀ ଭକ୍ତ ନିବାସ ଓ ଶ୍ରୀଗୁଣ୍ଡିଚା ଭକ୍ତ ନିବାସ ପାଇଁ ଧାର୍ଯ୍ୟ କରାଯାଇଥିବା କୋଠାରୀ ଭଡ଼ା ପୁରୀର ବିଭିନ୍ନ ଘରୋଇ ହୋଟେଲ ଓ ଲଜିଂ ଭଡା ସହିତ ପ୍ରାୟ ସମାନ। ଏପରି ଭକ୍ତ ନିବାସରେ ରହିବା ପାଇଁ ଗରିବ ଓ ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ତୀର୍ଥଯାତ୍ରୀ ଭଡ଼ା ଦେଇ ପାରିବେ ନାହିଁ। ଏଥି ସହିତ ଏହି ସବୁ ଭକ୍ତ ନିବାସ‌ରେ ରହିବା ପାଇଁ ପୂର୍ବରୁ ଅନ୍‌ଲାଇନରେ ବୁକ୍ କରିବାକୁ ପଡୁଛି। ହଠାତ୍‌ ଜଣେ ଚାହିଁଲେ ଏଠାରେ କୋଠରୀ ଭଡ଼ାରେ ନେଇ ପାରିବ ନାହିଁ। ତଣୁ ସାଧାରଣ ଭକ୍ତଙ୍କ ରହିବା ପାଇଁ କିଛି ବି ବନ୍ଦୋବସ୍ତ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ କରି ପାରିନାହିଁ।

କହ୍ନେୟା ଲାଲ୍ ବଗଲାଙ୍କ ଦ୍ବାରା ଧର୍ମଶାଳା ନିର୍ମାଣ ସଂପର୍କିତ କାଗଜପତ୍ର ନଥିବା ପ୍ରସଂଗରେ ପୁରୀ ତହସିଲଦାର ହାଇକୋର୍ଟରେ ଭୁଲ ଓ ମିଥ୍ୟା ତଥ୍ୟ ହାଇକୋର୍ଟରେ ଦାଖଲ କରିଛନ୍ତି ବୋଲି ପ୍ରତିଜବାବରେ ଉଲ୍ଲେଖ କରାଯାଇଛି। ବଗଲା ଧର୍ମଶାଳାର ବଡ଼ ଅଂଶ ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ଆଇଟିଡିସି ଦ୍ବାରା ୨୦୧୭ରେ ଭଙ୍ଗାଯାଇଥିଲା। ପୁନଃନିର୍ମାଣ କାର୍ଯ୍ୟ ଚାଲିଥିବା ବେଳେ ଜିଲ୍ଲାପାଳ ହଠାତ୍‌ ଏହାକୁ ବନ୍ଦ କରି ଦେଇଥିଲେ। ପରବର୍ତ୍ତୀ ସମୟରେ ଏହି ପ୍ଲଟକୁ ଲଜିଂ ମାଲିକଙ୍କୁ ବିକ୍ରି କରିଥିଲେ। ବଗଲା ଧର୍ମଶାଳା ଜମିରେ କ୍ଷତିଗ୍ରସ୍ତ ଲଜିଂ ମାଲିକଙ୍କୁ ଥଇଥାନ ନିଷ୍ପତ୍ତି ସଂପୂର୍ଣ୍ଣ ବେଆଇନ ଓ ଜନସ୍ବାର୍ଥ ବିରୋଧୀ ବୋଲି ଆବେଦନକାରୀଙ୍କ ପକ୍ଷରୁ ପ୍ରତିଜବାବରେ ଉଲ୍ଲେଖ କରାଯାଇଛି।

ଉଲ୍ଲେଖ ଯୋଗ୍ୟ ଯେ ଶ୍ରୀମନ୍ଦିର ଚତୁଃପାର୍ଶ୍ବ ଉଚ୍ଛେଦ ପ୍ରକ୍ରିୟା ଜାରି ରହିଥିବା ବେଳେ ବଗଲା ଧର୍ମଶାଳା ଜମିକୁ ହୋଟେଲ ଓ ଲଜ୍‌ ମାଲିକଙ୍କୁ ଦେବା ପ୍ରସଂଗକୁ ନେଇ ୨୦୧୯ରେ ଶ୍ରୀ ବସ୍ତିଆ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ମାମଲା ହାଇକୋର୍ଟରେ ବିଚାରାଧୀନ ଥିବାବେଳେ ପୁରୀ ଜିଲ୍ଲା ପ୍ରଶାସନ ବଗଲା ଧର୍ମଶାଳା ଜମି କେତେକ ହୋଟେଲ ମାଲିକଙ୍କୁ ଦିଆଯାଇଥିଲା। ଏହାପରେ ଏପରି ନିଷ୍ପତ୍ତିକୁ ବିରୋଧ କରି ଶ୍ରୀ ବସ୍ତିଆ ହାଇକୋର୍ଟରେ ଅନ୍ତରୀଣ ଆବେଦନ ଦାୟର କରିଥିଲେ। ମାମଲାରେ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ଓ ପୁରୀ ତହସିଲଦାରଙ୍କ ପକ୍ଷରୁ ପୂର୍ବରୁ ଜବାବ ଦାଖଲ କରାଯାଇଥିଲା। ସେପ୍ଟେମ୍ବର ୨୯ରେ ହାଇକୋର୍ଟ ମାମଲାର ଶୁଣାଣି କରି ଆବେଦନକାରୀଙ୍କୁ ପ୍ରତିଜବାବ ଦାଖଲ କରିବା ପାଇଁ ନିର୍ଦ୍ଦେଶ ଦେବା ସହିତ ପରବର୍ତ୍ତୀ ଶୁଣାଣି ନଭେମ୍ବର ୨କୁ ଧାର୍ଯ୍ୟ କରିଥିଲେ।

ସମ୍ବନ୍ଧିତ ଖବର