ବଗଲା ଧର୍ମଶାଳାକୁ ବିକ୍ରି କରିଦେଲେ! ଶ୍ରୀମନ୍ଦିର ସୌନ୍ଦର୍ଯ୍ୟୀକରଣ ପାଇଁ ବିସ୍ଥାପିତଙ୍କୁ ପ୍ରଶାସନ ଦେଇଦେଲା

ପ୍ରସାଦ ଯୋଜନାରେ ବିକାଶ ପାଇଁ ୧୮କୋଟି ଟଙ୍କା ଆସିଥିଲା, ଦାନ ଜାଗା ବିକ୍ରି କରିବା ନେଇ ବିଭିନ୍ନ ମହଲରେ ପ୍ରଶ୍ନ
ପୁରୀ: ପୁରୀ ବଡ଼ଦାଣ୍ଡରେ ଶତାଧିକ ବର୍ଷ ଧରି ଭକ୍ତ ଓ ପର୍ଯ୍ୟଟକଙ୍କୁ ସ୍ବଳ୍ପ ମୂଲ୍ୟରେ ସେବା ଯୋଗାଇ ଆସୁଥିବା ବଗଲା ଧର୍ମଶାଳାକୁ ଶେଷରେ ପୁରୀ ଜିଲ୍ଲା ପ୍ରଶାସନ ୬ଜଣ ବିସ୍ଥାପିତଙ୍କୁ ବିକ୍ରି କରିଦେଇଛି। ବଳଗଣ୍ଡି ମୌଜାରେ ଥିବା ଧର୍ମଶାଳାର ୩୪୦ ଡେସିମିଲ ଜମିକୁ ୬ ଜଣ ବ୍ୟକ୍ତିଙ୍କୁ ଖଣ୍ଡ ଖଣ୍ଡ କରି ଦେଇ ଦିଆଯାଇଛି। ଦାନରେ ମିଳିଥିବା ଜମିକୁ ଜିଲ୍ଲା ପ୍ରଶାସନ ବେଆଇନ ଭାବେ ପ୍ଲଟିଂ କରିଥିବାରୁ ଏହାକୁ ନେଇ ସାମାଜିକ କର୍ମୀ ଜଗନ୍ନାଥ ବସ୍ତିଆ ଆପତ୍ତି ଉଠାଇଛନ୍ତି। ବେଆଇନ ଭାବେ ଏହାକୁ ବିକ୍ରି କରାଯାଇଥିବା ସେ ଅଭିଯୋଗରେ ଦର୍ଶାଇଛନ୍ତି। ଅନ୍ୟପକ୍ଷରେ ଦାନରେ ମିଳିଥିବା ଜମିର ତତ୍ତ୍ବାବଧାରକ ଥିବା ଜିଲ୍ଲାପାଳ କିଭଳି ଏହି ଜମିକୁ ବିକ୍ରି କରିଛନ୍ତି, ଏ ସଂକ୍ରାନ୍ତରେ ରାଜ୍ୟ ସରକାରଙ୍କ ଅନୁମତି ଅଛି ନା ନାହିଁ ସେ ନେଇ ବୁଦ୍ଧିଜୀବୀ ମହଲରେ ପ୍ରଶ୍ନ ଉଠିଲାଣି। ୧୯୦୫ରେ କହ୍ନେୟାଲାଲ ନାମକ ଜଣେ ବ୍ୟକ୍ତି ଏହି ଧର୍ମଶାଳା ତିଆରି କରି ଏହାକୁ ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ଦାନ କରିଥିଲେ। ବାହାରୁ ଆସୁଥିବା ଭକ୍ତମାନେ ଯେଭଳି ସ୍ବଳ୍ପ ମୂଲ୍ୟରେ ଏଠାରେ ରହିପାରିବେ ସେଥିପାଇଁ ସେ ଏହି ଧର୍ମଶାଳା ନିର୍ମାଣ କରିବା ସହିତ ଏହାର ରକ୍ଷଣାବେକ୍ଷଣ ପାଇଁ ସେତେବେଳେ ୮୫ ହଜାର ଟଙ୍କା ଦାନ କରିଥିଲେ। ପରେ ଏହାକୁ ପୁରୀ ଜିଲ୍ଲାପାଳଙ୍କୁ ହସ୍ତାନ୍ତର କରାଯାଇଥିଲା। ପୁରୀ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଥିବା ଲଜିଂ ହାଉସ୍‌ ଫଣ୍ଡ୍‌ ଏହାର ପରିଚାଳନା କରୁଥିଲା। ଏହି ସରକାରୀ ଧର୍ମଶାଳରେ ଭକ୍ତମାନେ ମାତ୍ର ୫୦ରୁ ୧୦୦ ଟଙ୍କା ଭିତରେ ଘର ଭଡ଼ା ନେଇ ରହି ପାରୁଥିଲେ। ବର୍ଷ ବର୍ଷ ଧରି ଏହା ଭକ୍ତଙ୍କ ସେବାରେ ଆସୁଥିଲା।

୨୦୧୮ରେ ଏହି ଧର୍ମଶାଳାର ନବୀକରଣ ପାଇଁ ପଦକ୍ଷେପ ନିଆଯାଇଥିଲା। ପୁରୁଣା କୋଠା ଭାଙ୍ଗି କାମ ମଧ୍ୟ ଆରମ୍ଭ ‌ହୋଇଥିଲା। କେନ୍ଦ୍ର ସରକାରଙ୍କ ପ୍ରସାଦ ଯୋଜନାରେ ଏଥିପାଇଁ ୧୮ କୋ‌ଟି ଟଙ୍କା ଅନୁଦାନ ମିଳିଥିଲା। ଏହି କାମରେ ପାଖାପାଖି ୨କୋଟି ଟଙ୍କା ଖର୍ଚ୍ଚ ମଧ୍ୟ ସରିଥିଲା। ମାତ୍ର ପ୍ରଶାସନ ଏବେ ଶ୍ରୀମନ୍ଦିର ଐତିହ୍ୟ କରିଡର୍‌ ବିସ୍ଥାପିତଙ୍କୁ ଏହି ଜମିକୁ ବିକ୍ରି କରିଛି। ବିକ୍ରି କରିବା ପାଇଁ ଆର୍‌ଓଆର୍‌ରେ ମଧ୍ୟ ପରିବର୍ତ୍ତନ କରାଯାଇ ଏହାକୁ ରାଜସ୍ବ ଓ ବିପର୍ଯ୍ୟୟ ବିଭାଗ ନାମରେ କରି ଦିଆଯାଇଛି। ପୂର୍ବରୁ ଏହା ଲଂଜିହାଉସ୍‌ ଫଣ୍ଡ୍‌ ନାମରେ ରହିଥିଲା। ଏହାକୁ ନେଇ ଶ୍ରୀବସ୍ତିଆ ୨୦୧୯ ଫେବ୍ରୁଆରି ୧୨ ତାରିଖରେ ହାଇକୋର୍ଟରେ ଏକ ଜନସ୍ବାର୍ଥ ମାମଲା ଦାୟର କରିଥିଲେ। ପରେ ହାଇକୋର୍ଟ ମଧ୍ୟ ୨୦୧୯ ମସିହା ଡିସେମ୍ବର ୧ ତାରିଖରେ ରାଜ୍ୟ ସରକାରଙ୍କୁ ଏ ନେଇ ନୋଟିସ୍‌ କରିଥିଲେ। ଏହି ମାମଲା ଏବେ ବିଚାରାଧୀନ ଥିବା ବେ‌ଳେ ପୁରୀ ଜିଲ୍ଲାପାଳ ଏହାକୁ ବିକ୍ରି କରିଥିବା ସେ ଅଭିଯୋଗ କରିଛନ୍ତି। ଗତ ୫ରୁ ୧୨ ଅଗଷ୍ଟ ମଧ୍ୟରେ ଜିଲ୍ଲାପାଳ ୬ ଜଣଙ୍କ ନାମରେ ବିକ୍ରି ଦଲିଲ କରିଛନ୍ତି। ଏହାର ତଦନ୍ତ କରାଯିବା ସହିତ ଜିଲ୍ଲାପାଳଙ୍କ ବ‌ିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି ହୋଇଛି। ‘ସମ୍ବାଦ’ରେ ଏନେଇ ଗତବର୍ଷ ନଭେମ୍ବର ମାସ ୨୯ ତାରିଖରେ ଏ ସଂକ୍ରାନ୍ତ ଖବର ପ୍ରକାଶ ପାଇଥିଲା। ୨ ଏକର ୬୯ ଡିସିମିଲି ବିଶିଷ୍ଟ ବହୁମୂଲ୍ୟବାନ ଏହି ଜମିକୁ କିଭଳି କିଛି ଲୋକଙ୍କୁ ପ୍ରଶାସନ ଦେଇଦେବ? ମୁଖ୍ୟମନ୍ତ୍ରୀ ଜାଣିବେନି କି ରାଜ୍ୟ କ୍ୟାବିନେଟ୍ ଜାଣିବନି? ଏତେ ବଡ଼ ନିଷ୍ପତ୍ତି କିଭଳି ନିଆଗଲା?

ସମ୍ବନ୍ଧିତ ଖବର