ନୂଆପଡ଼ା : ନୂଆପଡ଼ା ଜିଲ୍ଲାରେ ଆଜି ସୁଦ୍ଧା ବିଭିନ୍ନ ମଣ୍ଡିରେ ୧ଲକ୍ଷ ୮୦ ହଜାର ୨୭୩ ବସ୍ତା ଧାନ ପଡ଼ିରହିଛି। ଜିଲ୍ଲା ପ୍ରଶାସନ ଚୁପ ହୋଇ ରହିଥିବା ଅଭିଯୋଗ କରି ସୋମବାର ଚାଷୀ ଜିଲ୍ଲା ଯୋଗାଣ ଅଧିକାରୀଙ୍କ କାର୍ଯ୍ୟାଳୟରେ ତାଲା ପକାଇବା ସହ ଜାତୀୟ ରାଜପଥ ନଂ ୩୫୩କୁ ଅବରୋଧ କରିଥିଲେ।
ଧାନ ବିକ୍ରିରେ ଅସନ୍ତୋଷ ପ୍ରକାଶ କରି ସୋମବାର ବହୁ ଚାଷୀ ଜିଲ୍ଲାପାଳ ଓ ଜିଲ୍ଲା ଯୋଗାଣ ଅଧିକାରୀଙ୍କୁ ଭେଟିବା ପାଇଁ ଆସିଥିଲେ। କିନ୍ତୁ କୌଣସି ଅଧିକାରୀଙ୍କ ସହିତ ସାକ୍ଷାତ ହୋଇ ପାରିଲା ନାହିଁ। ଫଳରେ ଚାଷୀ ଉତ୍ୟକ୍ତ ହୋଇ ଯୋଗାଣ ଅଧିକାରୀଙ୍କ କାର୍ଯ୍ୟାଳୟରେ ତାଲା ପକାଇବା ସହ ସେଠାରେ ପ୍ରାୟ ଏକ ଘଣ୍ଟା ଧରି ଧାରଣାରେ ବସିଥିଲେ। ଧାରଣାସ୍ଥଳକୁ ଯୋଗାଣ ବିଭାଗର କୌଣସି ଅଧିକାରୀ ଆଲୋଚନା ପାଇଁ ଆସିନଥିଲେ। ତେଣୁ ଚାଷୀ ପ୍ରତିକ୍ରିୟାଶୀଳ ହୋଇ ଜାତୀୟ ରାଜପଥ ୩୫୩ କୁ ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ଅବରୋଧ କରିଥିଲେ। ରାସ୍ତା ଅବରୋଧ ହେବା ଫଳରେ ଉଭୟ ପାର୍ଶ୍ବରେ ଶହଶହ ଯାନବାହାନ ଅଟକି ରହିଥିଲା। ପରେ ସମସ୍ତ ମଣ୍ଡିରୁ ପଞ୍ଜିକୃତ ଚାଷୀଙ୍କ ମଙ୍ଗଳବାାରଠାରୁ ଧାନ ଉଠାଣ ହେବ ବୋଲି ଜିଲ୍ଲା ଯୋଗାଣ ଅଧିକାରୀ କୃଷ୍ଣଚନ୍ଦ୍ର ସେଠୀ ଲିଖିତ ପ୍ରତିଶ୍ରୁତି ଦେଇଥିଲେ। ସେହିପରି ଜିଲ୍ଲାପାଳ ମଧ୍ୟ ଜୟକିଷାନ ମଜଦୁର ସଂଗ୍ରାମ ପରିଷଦର ଆବାହକ ଯଦୁମଣି ପାଣିଗ୍ରାହୀଙ୍କୁ ଫୋନ ଯୋଗେ ଧାନ ଉଠିବା ନେଇ ମୌଖିକ ପ୍ରତିଶ୍ରୁତି ଦେଇଥିଲେ। ଏହାପରେ ଚାଷୀମାନେ ଆନ୍ଦୋଳନରୁ ଓହରି ଯାଇଥିଲେ। କିନ୍ତୁ ଅତିରିକ୍ତ ଜିଲ୍ଲାପାଳ ଅଗସ୍ଥି ପ୍ରଧାନଙ୍କ ମାଧ୍ୟମରେ ଜିଲ୍ଲାପାଳଙ୍କୁ ଏକ ପତ୍ର ଦିଆଯାଇଛି। ଆସନ୍ତା ୪୮ଘଣ୍ଟା ଭିତରେ ସବୁ ଧାନ ଉଠାଣ କରା ନ ଗଲେ ୨୧ ତାରିଖରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ସମ୍ପୂର୍ଣ୍ଣ ରୂପେ ଅଚଳ କରାଯିବ ବୋଲି ଚେତାବନୀ ଦିଆଯାଇଛି। ଏହି ଆନ୍ଦୋଳନରେ ଅଭିନ୍ନ ପୁରୋହିତ, ମୃତ୍ୟୁଞ୍ଜୟ ପାଣିଗ୍ରାହୀ, ଭକ୍ତ ଧରୁଆ, କଲ୍ୟାଣ ଅହୀର, ମୀନକେତନ ମାଝି, ଗରିବ ସେନାର ଆବାହକ ରବି ମଙ୍ଗରାଜ, ଶଙ୍କର ଅହୀର, ଶିବ ପାତ୍ର, ବୃନ୍ଦାବନ ପ୍ରଧାନ, ଗୌରମଣି ବିଭାର, ପ୍ରିୟବନ୍ଧୁ ପାଢ଼ୀ ପ୍ରମୁଖ ନେତୃତ୍ୱ ନେଇଥିଲେ।
ପ୍ରକାଶ ଯେ, ନୂଆପଡ଼ା ଜିଲ୍ଲାରେ ୧୬ ତାରିଖ ସୁଦ୍ଧା ୧୩୮୨ ଜଣ ଚାଷୀଙ୍କ ୧ଲକ୍ଷ ୮୦ ହଜାର ୨୭୩ ବସ୍ତା ଧାନ ମଣ୍ଡିରେ ପଡ଼ି ରହିଛି। କୋମନା ବ୍ଲକ୍ ଭେଲା ପେକ୍ସରେ ୩୨୫ ଜଣ ଚାଷୀଙ୍କ ୪୪ ହଜାର ୬୬ ବସ୍ତା, କୋମନା ମଣ୍ଡିରେ ୧୨୦ ଜଣ ଚାଷୀଙ୍କ ୧୬ ହଜାର ୨୯୨ ବସ୍ତା, ତରବୋଡ଼ ମଣ୍ଡିରେ ୧୪୭ ଜଣ ଚାଷୀଙ୍କ ୧୭ ହଜାର ୭୬୨ ବସ୍ତା ଧାନ ପଡ଼ିରହିଛି। ଚାଷୀମାନେ ଟୋକନ ପାଇ ଧାନ ମଣ୍ଡିକୁ ଆଣିଛନ୍ତି। ହେଲେ ଟାର୍ଗେଟ ନଥିବାରୁ ଚାଷୀଙ୍କ ଧାନ ମଣ୍ଡିରେ ପଡ଼ିରହିଛି। ଅନ୍ୟପକ୍ଷେ କିଛି ଚାଷୀଙ୍କ ଟୋକନ ବାତିଲ ହୋଇଯାଇଛି। ଆଉ କିଛି ଚାଷୀଙ୍କ ଟୋକନ ୩ରୁ ୪ ଦିନ ମଧ୍ୟରେ ବାତିଲ ହେବା ଯାଉଛି। ଯାହାଫଳରେ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଛି। ଚଳିତ ବର୍ଷ ଖରିଫରେ ୩୩ ହଜାର ୭୪୧ ଜଣ ଚାଷୀଙ୍କ ନାମ ପଞ୍ଜୀକୃତ ହୋଇଛି। ବର୍ତ୍ତମାନ ପର୍ଯ୍ୟନ୍ତ ଜିଲ୍ଲା ପ୍ରଶାସନ ୨୦ ହଜାର ୭୨୨ ଜଣ ଚାଷୀଙ୍କ ଠାରୁ ୧୨ଲକ୍ଷ ୨୬ ହଜାର ୭୩୨ କ୍ବିଣ୍ଟାଲ ଧାନ କ୍ରୟ କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/01/nuapada.jpg)