ବାହାଦଲପୁର ହତ୍ୟାକାଣ୍ଡ: ୨ ମୁଖ୍ୟ ଅଭିଯୁକ୍ତ ଗିରଫ

ଭାଇଗିରି, ଜମିଜମା ଓ ବ୍ରାଉନସୁଗାର କାରବାର ପାଇଁ ହତ୍ୟା

ଭୁବନେଶ୍ୱର: ବହୁଚର୍ଚ୍ଚିତ ବାହାଦାଲପୁର ଅନୀଲ ଜେନା ଓରଫ ପପୁ ହତ୍ୟା ଘଟଣାରେ ପୁଲିସ ଦୁଇ ମୁଖ୍ୟ ଅଭିଯୁକ୍ତ ସରକନ୍ତରାର ବାପି ଓରଫ ଭରତ ସାହୁ ଓ ବାହାଦଲପୁରର ହାପି ଓରଫ ଦୁର୍ଗାପ୍ରସାଦ ସାହୁକୁ ଗିରଫ କରିଛି। ଦୁହିଁଙ୍କ ନିକଟରୁ ଏକ ଦେଶୀ ବନ୍ଧୁକ ଓ ଦୁଇଟି ବାଇକ ଜବତ କରାଯାଇଛି। ଦୁହେଁ ହତ୍ୟାକାଣ୍ଡ ପରେ ଫେରାର୍‌ ହୋଇ ରାୟଗଡ଼ା ଜିଲ୍ଲା ଚାନ୍ଦିଲି ଥାନା ଅଧୀନ ହାତୀଖମ୍ଭ ଗାଁରେ ଆତ୍ମଗୋପନ କରିଥିଲେ। ବିଶେଷସୂତ୍ରରୁ ଖବର ପାଇ କମିସନରେଟ ପୁଲିସର ସ୍ପେସାଲ ସ୍କ୍ୱାଡ୍ ଓ ଖଣ୍ଡଗିରି ଥାନା ପୁଲିସ ରାୟଗଡ଼ା ଯାଇ ଦୁହିଁଙ୍କୁ ଗିରଫ କରିଥିଲା। ଆଜି ଦୁହିଁଙ୍କୁ କୋର୍ଟ ଚାଲାଣ କରାଯାଇଛି। ପୂର୍ବରୁ ଏହି ଘଟଣାରେ ଖଣ୍ଡିଗିରି ଥାନା ପୁଲକ ହାତୀ, ଆଲୋକ ପ୍ରଧାନ, ଚିତ୍ତରଂଜନ ପରିଜାଙ୍କୁ ଗିରଫ କରି ସାରିଛି।ନଭେମ୍ବର ୭ ତାରିଖରେ ରାଜଧାନୀ ଉପକଣ୍ଠ ଖଣ୍ଡଗିରି ଥାନା ଅଧୀନ ସରକନ୍ତରାରେ ଘଟିଥିବା

ଏହି ନୃଶଂସ ହତ୍ୟାକାଣ୍ଡ ସାରା ରାଜ୍ୟରେ ଚାଞ୍ଚଲ୍ୟ ସୃଷ୍ଟି କରିଥିଲା। ଆଜି ପୁଲିସ କମିସନର ସୁଧାଂଶୁ ଷଡ଼ଙ୍ଗୀ ଏ ସମ୍ପର୍କରେ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇ କହିଛନ୍ତି, ଅନୀଲ ଜେନା ହତ୍ୟାକାଣ୍ଡର ୩ଟି କାରଣ ରହିଛି। ଭାଇଗିରି, ଜମିଜମା ଓ ବ୍ରାଉନସୁଗାର କାରବାର ପାଇଁ ଗଣ୍ଡଗୋଳ ହେଉଛି ଏହି ହତ୍ୟାକାଣ୍ଡ ପ୍ରମୁଖ କାରଣ। ମୁଖ୍ୟ ଅଭିଯୁକ୍ତ ବାପି ସହିତ ପପୁର ପୂର୍ବ ଶତ୍ରୁତା ଥିଲା। ଏ ସମ୍ପର୍କରେ ଡିସିପି ଅନୁପ ସାହୁ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ ଭାଇଗିରିରୁ ହିଁ ବିବାଦ ଉପୁଜିଥିଲା। ବାପି ପୂର୍ବରୁ ଏକ ହତ୍ୟାକାଣ୍ଡରେ ସଂପୃକ୍ତ ଥାଇ ଜେଲରୁ ଜାମିନରେ ଆସିଥିଲା। ପପୁ ମଧ୍ୟ ଏକ ହତ୍ୟାକାଣ୍ଡରେ ସାମିଲ ଥାଇ, ଜେଲରୁ ଜାମିନରେ ଆସିଥିଲା। ଦୁହେଁ ଜାମିନରେ ଆସିବା ପରେ ଗାଁରେ ନିଜର ପତିଆରା ଜାହିର କରିବାକୁ ଚାହିଁଥିଲେ। ସବୁବେଳେ ଗୋଟିଏ ପଟେ ବାପି ଥିବା ବେଳେ ଅନ୍ୟପଟେ ପପୁ ରହୁଥିଲା। ସେହିପରି ବାପିର ଅନେକ ଜାଗାବାଡ଼ି ଥିଲା। ପୂର୍ବରୁ ଏହାକୁ ତା’ର ବଂଶଧରମାନେ ଅଳ୍ପ ଦରରେ ବିକ୍ରି କରି ଦେଇଥିଲେ। ବାପି ଏହି ସବୁ ଜମିକୁ ପୁଣି ଥରେ ଫେରାଇ ଆଣିବାକୁ ଚାହିଁଥିଲା। ଏଥିପାଇଁ ଗାଁର କେତେକ ବ୍ୟକ୍ତିଙ୍କୁ ଜମି ଫେରାଇ ଦେବାକୁ କହିଥିଲା। ଯେଉଁମାନଙ୍କୁ ଜମି ଫେରାଇ ଦେବାକୁ କହିଥିଲା, ସେମାନେ ପପୁର ଶରଣ ପଶିଥିଲେ। ଏହି କାରଣରୁ ବାପି ଉତ୍‌କ୍ଷିପ୍ତ ହୋଇ ଉଠିଥିଲା। ତା’ ସାଙ୍ଗକୁ ପୂର୍ବରୁ ଏହି ହତ୍ୟାକାଣ୍ଡରେ ଗିରଫ ହୋଇଥିବା ଆଲୋକ ଗାଁରେ ବ୍ରାଉନସୁଗାର ବିକ୍ରି କରୁଥିଲା। ଯାହାକୁ ପପୁ ଜୋରଦାର ବିରୋଧ କରିଥିଲା। ଆଲୋକ ଏ ନେଇ ବାପିକୁ ଜଣାଇବା ପରେ ପୁଣି ଥରେ ଦୁହେଁ ମୁହାଁମୁହିଁ ହୋଇଥିଲେ। ଯେଉଁ ଦିନ ସଂଧ୍ୟାରେ ଏହି ଘଟଣା ଘଟିଥିଲା ସେହି ଦିନ ବାପି, ହାପି, ରାଜା ପୁରୀକୁ ବାପିର ଜନ୍ମଦିନ ଉତ୍ସବ ପାଳନ କରିବାକୁ ଚାଲି ଯାଇଥିଲେ। ସେଠାରେ ସେମାନେ ଶୁଣିବାକୁ ପାଇଥିଲେ ଯେ ବାପି ଗାଁକୁ ଫେରିଲେ ପପୁ ତାକୁ ମାରିଦେବ ବୋଲି। ଏହା ଶୁଣିବା ପରେ ବାପି ଉତ୍‌କ୍ଷିପ୍ତ ହୋଇ ପୁରୀରୁ ସିଧା ଆସି ଭୁବନେଶ୍ୱର ପହଞ୍ଚିଥିଲା। ବାପି, ହାପି ଓ ରାଜା ଗୋଟିଏ ବାଇକ୍‌ରେ ମିଶି କରି ପପୁକୁ ଖୋଜାଖୋଜି କରିବା ପରେ ସଂଧ୍ୟାରେ ଘର ନିକଟକୁ ଯାଇଥିଲା। ପପୁ ବାହାରକୁ ବାହାରିବା କ୍ଷଣି ବାପି ତା’ ଉପରକୁ ଗୁଳି ଚଳାଇଥିଲା। ଗୁଳି ଶବ୍ଦ ଶୁଣି ପପୁଙ୍କ ବାପା ଅଭିମୁନ୍ୟୁ ବାହାରି ଆସିବା କ୍ଷଣି ତାଙ୍କୁ ମଧ୍ୟ ଦୁଇ ରାଉଣ୍ଡ ଗୁଳି ଚଳାଇଥିଲା ବାପି। ପାଟି ଶବ୍ଦ ଶୁଣି ରାଜା ଓ ବାପି ସରକନ୍ତରା ଗାଁ ହୋଇ ଖସି ଯାଇଥିଲେ। ପରେ ହାପି ଏକ ବାଇକ୍‌ ଆଣି ଅଧ ରାସ୍ତାରୁ ଦୁହିଁଙ୍କୁ ଉଠାଇଥିଲା।

ହତ୍ୟାକାଣ୍ଡ ପରେ ସିଧା ଯାଇଥିଲେ ଖୋର୍ଧା:-ବାପି, ହାପି ଓ ରାଜା ହତ୍ୟାକାଣ୍ଡ ଘଟାଇବା ପରେ ରାସ୍ତାରୁ ଏକ ଏଟିଏମରୁ ୪୦ ହଜାର ଟଙ୍କା ଉଠାଇଥିଲେ। ଏହା ପରେ ସେଠାରେ ସେମାନେ ସିଧା ଖୋର୍ଧାରେ ରହୁଥିବା ଭଉଣୀ ଘରକୁ ଯାଇଥିଲେ। ସେଠାରେ ସେମାନେ ଦୁଇ ତିନି ଦିନ ରହିବା ପରେ ରାଜ୍ୟର ବିଭିନ୍ନ ସ୍ଥାନରେ ବୁଲିଥିଲେ। ଏପରିକି ରାଜ୍ୟ ବାହାରକୁ କିଛି ଦିନ ପାଇଁ ଚାଲି ଯାଇଥିଲେ। ଏହି ସମୟରେ ସେମାନେ ମନ୍ଦିର ବେଢ଼ା, ଗାଁ ଦାଣ୍ଡ, ପରିତ୍ୟକ୍ତ ଘରେ ଆଦି ସ୍ଥାନରେ ରାତ୍ରି ଯାପନ କରିଥିଲେ। ଗତ ଏକ ସପ୍ତାହ ହେବ ସେମାନେ ରାୟଗଡ଼ାରେ ରହୁଥିବା ବାପିର ଜଣେ ପୁରୁଣା ସାଙ୍ଗ ପାଖରେ ପହଞ୍ଚିଥିଲେ। ସେମାନେ ବେପାର କରିବାକୁ ଆସିଛନ୍ତି କହି ସେଠାରେ ଏକ ଘର ଭଡ଼ା ନେଇଥିଲେ। ତେବେ ଏ ବାବଦରେ ପୁଲିସ ପାଖରେ ଖବର ପହଞ୍ଚିଯିବା ପରେ ଗତକାଲି ସ୍ପେସାଲ ସ୍କ୍ବାଡ୍ ଏସିପି ସଂଜୀବ ଶତପଥୀ ଓ ଖଣ୍ଡଗିରି ଥାନା ଇନ୍ସପେକ୍ଟର ରଶ୍ମୀରଂଜନ ମହାପାତ୍ରଙ୍କ ନେତୃତ୍ୱ‌‌ରେ ଦୁଇଟି ଟିମ୍‌ ସେଠା‌ରେ ଚଢ଼ଉ କରିଥିଲା।

ସମୁଦାୟ ୭ ଅଭିଯୁକ୍ତ: ପପୁ ଜେନାଙ୍କୁ ହତ୍ୟା ଓ ତାଙ୍କ ବାପାଙ୍କୁ ଗୁଳି ମାଡ଼ ଘଟଣାରେ ସମୁଦାୟ ୭ ଜଣ ଅଭିଯୁକ୍ତ ଅଛନ୍ତି। ଘଟଣା ପରେ ପରେ ପୁଲିସ ପୁଲକ ହାତୀ, ଆଲୋକ ପ୍ରଧାନ, ଚିତ୍ତରଂଜନ ପରିଜାଙ୍କୁ ଗିରଫ କରିଥିଲା। ଆଜି ବାପି ଓ ହାପି ଗିରଫ ହେଲେ। ତେବେ ଏହି ଘଟଣାରେ ଏବେ ଫେରାର ଥିବା ରାଜା ଓ ଫେରାର ଥିବା ସମୟରେ ବାପିକୁ ଆଶ୍ରୟ ଦେଇଥିବା ଅନ୍ୟ ଜଣେ ଅଭିଯୁକ୍ତକୁ ପୁଲିସ ଗିରଫ କରିବାକୁ ବିଭିନ୍ନ ସ୍ଥାନରେ ଚଢ଼ଉ ଚଳାଇଛି। କିନ୍ତୁ ବିଶେଷ ସୂତ୍ରରୁ ଯାହା ଖବର ମିଳିଛି, ପୁଲିସ ରାଜା ଓ ଅନ୍ୟ ଜଣେ ଅଭିଯୁକ୍ତକୁ ମଧ୍ୟ ଗିରଫ କରିସାରିଛି। ଘଟଣା ଦିନ ରାଜାର ବାଇକ୍‌ରେ ୩ ଜଣ ଆସି ଏହି କାଣ୍ଡ ଭିଆଇଥିଲେ। ରାଜାର ନିଜ ଘର ଗଞ୍ଜାମ ଜିଲ୍ଲାରେ ବୋଲି ଡିସିପି ଅନୁପ ସାହୁ କହିଛନ୍ତି।

ସମ୍ବନ୍ଧିତ ଖବର