ଖୋଲିଲା ବାହାମ ପ୍ରାକୃତିକ ପର୍ଯ୍ୟଟନ କେନ୍ଦ୍ର

ବଣାଇଗଡ଼ : ବଣାଇ ବନଖଣ୍ତର ବରସୁଆଁ ରେଞ୍ଜ ଅନ୍ତର୍ଗତ ଟେନସା ନିକଟସ୍ଥ ବାହାମ ସଂରକ୍ଷିତ ଜଙ୍ଗଲରେ ନବନିର୍ମିତ ପ୍ରାକୃତିକ ପର୍ଯ୍ୟଟନ କେନ୍ଦ୍ରକୁ ଶୁକ୍ରବାରଠାରୁ ଖୋଲା ଯାଇଛି। ଏହି ପ୍ରାକୃତିକ ପର୍ଯ୍ୟଟନ କେନ୍ଦ୍ରଟି ସମୁଦ୍ର ପତନଠାରୁ ୧୨୦୦ ମିଟର ଉଚ୍ଚତରେ ଅବସ୍ଥିତ ଘଞ୍ଚ ଜଙ୍ଗଲ ଓ ମନୋରମ ପ୍ରାକୃତିକ ଦୃଶ୍ୟକୁ ପର୍ଯ୍ୟଟକମାନେ ମନ ଭରି ଉପଭୋଗ କରିପାରିବେ। ଏଥିପାଇଁ ବଣାଇ ବନ ବିଭାଗ ପକ୍ଷରୁ ଜିଲା ଖଣିଜ ପାଣ୍ଠିରୁ ଦେଢ କୋଟି ଟଙ୍କା ଖର୍ଚ୍ଚରେ ୬ ଟି ପ୍ରାକୃତିକ ଆରାମଦାୟକ ପ୍ରାକୃତିକ ବିଶ୍ରାମାକକ୍ଷ ନିର୍ମାଣ ହୋଇଛି। ଏଥିରେ ସମସ୍ତ ପ୍ରକାର ଆନୁସଙ୍ଗିକ ବ୍ୟବସ୍ଥା ସହିତ ରାସ୍ତାଘାଟର ଉନ୍ନତୀକରଣ, ପାନୀୟ ଜଳର ବ୍ୟବସ୍ଥା ଏବଂ ଏକ ଓ୍ୟାଚ ଟାୱାର ନିର୍ମିତ ହୋଇଛି।

ଏହି ଓ୍ୟାଚ୍‌ ଟାୱାରରୁ ଦର୍ଶକମାନେ ପ୍ରାକୃତିକ ପରିବେଶର ଦୃଶ୍ୟ ସହିତ ବନ୍ୟଜନ୍ତୁ, ସେଲର ବରସୁଆଁ ଲୌହଖଣିକୁ ଉପଭୋଗ କରିପାରିବେ। ଏଥିପାଇଁ ପ୍ରତ୍ୟେକ ବିଶ୍ରାମାକକ୍ଷକୁ ରାଜ୍ୟ ସରକାରଙ୍କ ପର୍ଯ୍ୟଟନ ବିଭାଗ ପକ୍ଷରୁ ଅଗ୍ରୀମ ସଂରକ୍ଷିତ କରିବା ପାଇଁ ବ୍ୟବସ୍ଥା ହୋଇଥିବାବେଳେ ଗୋଟିଏ କକ୍ଷ ପାଇଁ ଜିଏସ୍‌ଟି ସହିତ ଗୋଟିଏ ଦିନ ପାଇଁ ୪ ହଜାର ୯ଶହ ଟଙ୍କା ଧାର୍ଯ୍ୟ କରାଯାଇଛି। ଏଥିରେ ଗୋଟିଏ ପରିବାରର ୨ଜଣଙ୍କ ସହିତ ୨ଜଣ ସନ୍ତାନ ଅବସ୍ଥାନ କରିପାରିବେ। ଏଥିରେ ଦିନକ ମଧ୍ୟାହ୍ନ ଓ ରାତ୍ରିଭୋଜନ ଓ ଜଳଖିଆ ବ୍ୟବସ୍ଥା କରାଯାଇଥିବାବେଳେ ଗୋଟିଏ ଦିନର ରାତି ରହଣିର ବ୍ୟବସ୍ଥା ନିର୍ଦ୍ଧାରିତ କରାଯାଇଛି। ଏଥିପାଇଁ ପ୍ରଥମ ଦିନରେ ଅନ୍‌ଲାଇନ୍‌ ଯୋଗେ ୪୫ ଜଣ ଅଗ୍ରୀମ ସଂରକ୍ଷଣ କରିଛନ୍ତି। ସେହିପରି ଏହି ପ୍ରାକୃତିକ ପର୍ଯ୍ୟଟନ କେନ୍ଦ୍ରରେ ବାହାମା ଗ୍ରାମର ୧୪ଜଣଙ୍କୁ ପ୍ରତ୍ୟେକ୍ଷ ଭାବେ ନିଯୁକ୍ତିର ସୁଯୋଗ ମିଳିପାରିଛି।

ସମ୍ବନ୍ଧିତ ଖବର