ଭୁବନେଶ୍ବର, (ମହମ୍ମଦ ହିଫ୍ଜୁର ରହେମାନ୍): ବାହାନଗା ଟ୍ରେନ ଦୁର୍ଘଟଣାକୁ ୮ ଦିନ ବିତିଲାଣି। ଦୁର୍ଘଟଣାର କାରଣ ଏବଂ ଏଥିପାଇଁ କିଏ ଦାୟୀ? ଏହି ପ୍ରଶ୍ନର ଉତ୍ତର ଏପର୍ଯ୍ୟନ୍ତ ମିଳିଲା ନାହିଁ। ଅବଶ୍ୟ ଦୁର୍ଘଟଣାର ୨୪ ଘଣ୍ଟା ଭିତରେ େରଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ କହିଥିଲେ ଯେ କାରଣ ଜଣାପଡ଼ିଛି ଏବଂ ଦୋଷୀଙ୍କୁ ମଧ୍ୟ ଚିହ୍ନଟ କରାଯାଇଛି। ଏସଂପର୍କରେ ବିସ୍ତୃତ ବିବରଣୀ ଜାଣିବା ଲାଗି ଲୋକେ ଅପେକ୍ଷା କରିଥିବା ବେଳେ ରେଳମନ୍ତ୍ରୀ ସାମ୍ବାଦିକ ସମ୍ମିଳନୀ କରି ଘୋଷଣା କଲେ ଯେ ଦୁର୍ଘଟଣାର ସିବିଆଇ ତଦନ୍ତ ହେବ। ମନ୍ତ୍ରୀଙ୍କ ଏହି ଘୋଷଣା ଦ୍ବନ୍ଦ୍ବ ଦୂର କରିବା ପରିବର୍ତ୍ତେ ଅଧିକ ବଢ଼ାଇ ଦେଇଛି। ଯଦି ଦୁର୍ଘଟଣାର କାରଣ ଜଣାପଡ଼ିଲା ଏବଂ ଏଥିପାଇଁ ଦାୟୀ ଲୋକଙ୍କୁ ଚିହ୍ନଟ କରାଗଲା, ତାହାେହଲେ ପୁଣି ସିବିଆଇ ତଦନ୍ତର କ’ଣ ଆବଶ୍ୟକତା ପଡ଼ିଲା? ଏହାକୁ ନେଇ ରେଳ ବିଭାଗ ପକ୍ଷରୁ ସଫେଇ ଦିଆଗଲା ଯେ ଏହା ଏକ ଅନ୍ତର୍ଘାତୀ କାର୍ଯ୍ୟ। କେହି ଉଦ୍ଦେଶ୍ୟମୂଳକ ଭାବେ କରିଛି। ଏଥିରେ ଅପରାଧ ସଂପୃକ୍ତ ଥିବାରୁ ସିବିଆଇକୁ ତଦନ୍ତ ଦାୟିତ୍ବ ଦିଆଯାଇଛି। ଯେଉଁ ଲୋକ ସମଗ୍ର ଘଟଣା ପାଇଁ ଦାୟୀ ତାର ଏହି ଅପରାଧିକ କାର୍ଯ୍ୟ ଏବଂ ତା ପଛରେ କିଏ ଅଛି, ସେମାନଙ୍କ ସଂପର୍କରେ ଯାଞ୍ଚ କରିବ ଏହି କେନ୍ଦ୍ରୀୟ ସଂସ୍ଥା।
ଯଦି ଏହା ଅନ୍ତର୍ଘାତୀ କାର୍ଯ୍ୟ, ତେବେ ସାଂଘାତିକ। ଏହାର ସିବିଆଇ ତଦନ୍ତ ହେବା ଜରୁରୀ। ଏଥିରେ ଦ୍ବିମତ ନାହିଁ। ଏହା ଉପରେ ରାଜନୀତି କରିବା ମଧ୍ୟ ଠିକ୍ ନୁହେଁ।
ତେବେ ଯେଉଁ କଥାଟି ମନକୁ ବେଶି ଆନ୍ଦୋଳିତ କରୁଛି, ତାହାେହଲା ସୁରକ୍ଷା ଦିଗ। ବୁଲେଟ୍ ଟ୍ରେନ ପାଇଁ ଆମେ ସ୍ବପ୍ନ ଦେଖୁଛୁ। ଏବେ ସେମି ହାଇସ୍ପୀଡ୍ ଟ୍ରେନ ବୋଲି କୁହାଯାଉଥିବା ବନ୍ଦେ ଭାରତ ଏକ୍ସପ୍ରେସର ବିଭିନ୍ନ ରାଜ୍ୟରେ ଶୁଭାରମ୍ଭ କରାଯାଉଛି। ଏଭଳି ହାଇସ୍ପୀଡ୍ ଓ ଅତ୍ୟାଧୁନିକ ଟ୍ରେନ୍ ଚଳାଚଳ ପାଇଁ ସୁରକ୍ଷା ଦୃଷ୍ଟିରୁ ଆମ ରେଳ ଭିତ୍ତିିଭୂମି ଏବଂ ବିଶେଷ କରି ରେଳ ଟ୍ରାକ୍ ଓ ଟେକ୍ନୋଲୋଜି କେତେ ପ୍ରସ୍ତୁତ? ବାହାନଗା ଟ୍ରେନ ଦୁର୍ଘଟଣା ପରିପ୍ରେକ୍ଷୀରେ ଏଭଳି ପ୍ରଶ୍ନ ମନକୁ ଆସିବା ସ୍ବାଭାବିକ। ଅତ୍ୟାଧୁନିକ ଟେକ୍ନୋଲୋଜି ଯୁଗରେ ନିରାପଦ ରେଳ ଚଳାଚଳ ପାଇଁ ଉଦ୍ଦିଷ୍ଟ ଆମର ଇଲେକଟ୍ରୋନିକ୍ ଇଣ୍ଟରଲକିଂ ସିଷ୍ଟମ୍ ଏବଂ ସିଗ୍ନାଲ ବ୍ୟବସ୍ଥା କ’ଣ ଏତେ ବୁର୍ବଳ ଯେ ଜଣେ ବ୍ୟକ୍ତି ଚାହିଁଲେ ଏଥିରେ ଓଲଟପାଲଟ କରିପାରିବ। ଯଦି ଏହା ସମ୍ଭବ, ତାହେଲେ ହାଇସ୍ପୀଡ୍ ଟ୍ରେନ ଚଳାଇବା ପୂର୍ବରୁ ଆମକୁ ପ୍ରଥମେ ଏଭଳି ବ୍ୟବସ୍ଥାକୁ ସଂପୂର୍ଣ୍ଣ ରୂପେ ତ୍ରୁଟିଶୂନ୍ୟ ବା ଫୁଲ-ପ୍ରୁଫ୍ କରିବାକୁ ପଡ଼ିବ। ଆମ ଦେଶରେ ଏକ ଲକ୍ଷ ୨୩ ହଜାର କିଲୋମିଟର ଦୀର୍ଘ ରେଳ ଧାରଣା ରହିଛି ଏବଂ ସେଥିରେ ଦୈନିକ ୨୧ ହଜାରରୁ ଅଧିକ ଟ୍ରେନ ଓ ମାଲଗାଡ଼ି ଚଳାଚଳ କରୁଛି। ସେଥିମଧ୍ୟରୁ ୯ ହଜାରରୁ ଅଧିକ ପାସେଞ୍ଜର ଟ୍ରେନରେ ପ୍ରାୟ ଦେଢ଼ କୋଟି ଲୋକ ଯାତ୍ରା କରୁଛନ୍ତି। ତେଣୁ ଅତ୍ୟାଧୁନିକ ଟ୍ରେନ ସେବା ନାମରେ କୋଟି କୋଟି ଯାତ୍ରୀଙ୍କ ଜୀବନକୁ ବିପଦରେ ପକାଇପାରିବା ନାହିଁ।
ରେଳ ସଂପ୍ରସାରଣ ଓ ଆଧୁନିକୀକରଣ ସହିତ ନିରାପତ୍ତାକୁ ମଧ୍ୟ ଅଗ୍ରାଧିକାର ଦିଆଯିବାର ଆବଶ୍ୟକତା ରହିଛି। ସରକାର ମଧ୍ୟ ଏହା ସ୍ବୀକାର କରୁଛନ୍ତି। କିନ୍ତୁ କାର୍ଯ୍ୟକ୍ଷେତ୍ରରେ ସରକାର ସେତେ ତତ୍ପର ଥିବା ଭଳି ମନେ ହେଉନାହିଁ। ଗତବର୍ଷ ସିଏଜି ଦେଇଥିବା ରିପୋର୍ଟରୁ ଏହା ସ୍ପଷ୍ଟ ବାରି ହୋଇପଡ଼ିଛି। ସିଏଜି ତାଙ୍କ ରିପୋର୍ଟରେ ରେଳ ସୁରକ୍ଷା ବ୍ୟବସ୍ଥାରେ ଥିବା ତ୍ରୁଟି ନେଇ ସତର୍କ କରାଇଥିଲେ। କହିଥିଲେ ଯେ ଲାଇନଚ୍ୟୁତ ଏବଂ ଅନ୍ୟାନ୍ୟ ଦୁର୍ଘଟଣାର ମୁକାବିଲା ଲାଗି ଯେଉଁ ପଦକ୍ଷେପ ନିଆଯାଉଛି, ତାହା ଯଥେଷ୍ଟ ନୁହେଁ। ପ୍ରଚଳିତ ଟ୍ରାକ୍ ପରିଚାଳନା ବ୍ୟବସ୍ଥା ନେଇ ମଧ୍ୟ ଆପତ୍ତି ଉଠାଇଥିଲେ। ଟ୍ରାକ୍ ନବୀକରଣ ପାଇଁ ପାଣ୍ଠିରେ ହ୍ରାସ ଏବଂ ମରାମତି କାମ ପାଇଁ ଆବଶ୍ୟକ ସଂଖ୍ୟକ କର୍ମଚାରୀଙ୍କ ଅଭାବ ନେଇ ସିଏଜି ତାଙ୍କ ରିପୋର୍ଟରେ ଦର୍ଶାଇଥିଲେ। ଯାହା ବି ପାଣ୍ଠି ଯୋଗାଇ ଦିଆଯାଉଥିଲା, ତାହା ମଧ୍ୟ ବିନିଯୋଗ ହେଉ ନଥିଲା।

ଏହା ଭିତରେ ନିରାପତ୍ତାକୁ ନେଇ ଆଉ ଏକ ଉଦ୍ବେଗଜନକ ରିପୋର୍ଟ ଆସିିଛି। ତାହାେହଲା କମିସନ ଅଫ୍ ରେଲୱେ ସେଫଟି (ସିଆରଏସ୍) ରିପୋର୍ଟକୁ ରେଳ ବିଭାଗ ଗୁରୁତ୍ବ ଦେଉନାହିଁ। ଦୁର୍ଘଟଣାକୁ ଏଡ଼ାଇବା ଲାଗି ନିରାପତ୍ତା ସଂକ୍ରାନ୍ତରେ କମିସନ ସରକାରଙ୍କୁ ସୁପାରିସ କରିଥାଏ। ସରକାର ଏହା ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥାନ୍ତି। କିନ୍ତୁ ୨୦୧୩-୧୪ ପରେ କମିସନ ୧୫ଟି ସୁପାରିସ ରିପୋର୍ଟ ଦେଇଥିଲେ ମଧ୍ୟ ସରକାର ଏହା ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନାହାନ୍ତି। ରାଜ୍ୟସଭାରେ ରେଳ ନିରାପତ୍ତା ସଂକ୍ରାନ୍ତ ସଂସଦୀୟ ଷ୍ଟାଣ୍ଡିଂ କମିଟି ଉପସ୍ଥାପିତ କରିଥିବା କମିସନ ଅଫ୍ ରେଲୱେ ସେଫଟି ରିପୋର୍ଟରୁ ଏହା ଜଣାପଡ଼ିଛି। ଦୁର୍ଘଟଣାର ୩୦ ଦିନ ଭିତରେ ପ୍ରାଥମିକ ରିପୋର୍ଟ ଏବଂ ୧୮୦ ଦିନ ମଧ୍ୟରେ ଚୂଡ଼ାନ୍ତ ରିପୋର୍ଟ ଦେବାଲାଗି କମିସନ ପାଇଁ ସମୟ ସୀମା ଧାର୍ଯ୍ୟ କରାଯାଇଛି। କିନ୍ତୁ ଏହା ଉପରେ କାର୍ଯ୍ୟାନୁଷ୍ଠାନ ରିପୋର୍ଟ ଦେବାଲାଗି ରେଳ ମନ୍ତ୍ରଣାଳୟ ପାଇଁ କୌଣସି ସମୟସୀମା ଧାର୍ଯ୍ୟ କରାଯାଇନାହିଁ।
ଅନ୍ୟପକ୍ଷରେ ସିବିଆଇ ତଦନ୍ତକୁ ନେଇ ବିଭିନ୍ନ ମହଲରେଯେଯଉଁ ଆଶଙ୍କା ପ୍ରକାଶ ପାଉଛି, ତାହାକୁ ସଂପୂର୍ଣ୍ଣ ରୂପେ ଅଣଦେଖା କରାଯିବା ଠିକ୍ ନୁହେଁ। ବିରୋଧୀ ଦଳ ଅଭିଯୋଗ କରୁଛନ୍ତି ଯେ ସିବିଆଇ ତଦନ୍ତ ଆଳରେ ମାମଲାକୁ ଦୀର୍ଘ ଦିନ ଧରି ଗଡ଼ାଇ ରଖିବାକୁ ଉଦ୍ୟମ କରାଯାଇଛି। ଏହାକୁ ନେଇ ସେମାନେ ଅତୀତରେ ସିବିଆଇ ଏବଂ ଏନ୍ଆଇଏ ତଦନ୍ତ କଥା ମନେ ପକାଇଛନ୍ତି। ୨୦୧୦ରେ ଜ୍ଞାନେଶ୍ବରୀ ଏକ୍ସପ୍ରେସ ଦୁର୍ଘଟଣାର ତଦନ୍ତ ଦାୟିତ୍ବ ସିବିଆଇକୁ ଏବଂ ୨୦୧୬ରେ ପାଟନା ଏକ୍ସପ୍ରେସ ଦୁର୍ଘଟଣାର ତଦନ୍ତ ଦାୟିତ୍ବ ଏନ୍ଆଇଏକୁ ଦିଆଯାଇଥିଲା। ଏହି ଦୁର୍ଘଟଣା ପଛରେ ଅନ୍ତର୍ଘାତୀ କାର୍ଯ୍ୟର ସନ୍ଦେହ ହୋଇଥିଲା। କିନ୍ତୁ ଏପର୍ଯ୍ୟନ୍ତ ତଦନ୍ତ ରିପୋର୍ଟ ମିଳିଲା ନାହିଁ। ଏହି ଦୁଇଟି ଦୁର୍ଘଟଣାର ଦୋଷୀ କିଏ ତାହା ମଧ୍ୟ ଆଜି ପର୍ଯ୍ୟନ୍ତ ଜଣାପଡ଼ିଲା ନାହିଁ।
ବାହାନଗା କ୍ଷେତ୍ରରେ ଏହାର ପୁନରାବୃତ୍ତି ନହେଉ। କାରଣ ଏଭଳି ଭୟଙ୍କର ଦୁର୍ଘଟଣା ଆମ ଦେଶରେ କେବେ ହୋଇନଥିଲା। ଭବିଷ୍ୟତରେ ଏଭଳି ଦୁର୍ଘଟଣାକୁ ଏଡ଼ାଇବାକୁ ହେଲେ ସିବିଆଇ ତଦନ୍ତ ପ୍ରକ୍ରିୟାକୁ ସ୍ବଚ୍ଛ ଓ ସରଳ କରିବାକୁ ପଡ଼ିବ। ତଦନ୍ତ ପ୍ରକ୍ରିୟାକୁ ଦୁଇ ଭାଗରେ ବିଭକ୍ତ କରାଯିବା ଆବଶ୍ୟକ। ଦୁର୍ଘଟଣାର କାରଣ ଏବଂ ଏଥିପାଇଁ କିଏ ଦାୟୀ ତାହା ସେଫ୍ଟି କମିସନ ଚିହ୍ନଟ କରି ଏହାର ପ୍ରତିକାର ପାଇଁ ତୁରନ୍ତ ବ୍ୟବସ୍ଥା କରନ୍ତୁ। ଯାତ୍ରୀ ସୁରକ୍ଷା ପାଇଁ ଏହା ଅତ୍ୟନ୍ତ ଜରୁରୀ। ଦ୍ବିତୀୟ ଭାଗଟି ହେଲା ଅନ୍ତର୍ଘାତୀ କାର୍ଯ୍ୟ। ସିବିଆଇ ଏହି ଅପରାଧିକ ଦିଗ ଉପରେ ଯାଞ୍ଚ କରି ରିପୋର୍ଟ ଦେଉ। ନିର୍ଧାରିତ ସମୟ ଭିତରେ ଏହି ରିପୋର୍ଟ ଆସୁ ଏବଂ ଦୋଷୀଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ହେବା ମଧ୍ୟ ଜରୁରୀ। ରେଳବାଇର ସଂପ୍ରସାରଣ ଓ ଆଧୁନିକୀକରଣ ପ୍ରକ୍ରିୟା ଦ୍ରୁତ ଗତିରେ ଚାଲିଥିବାରୁ ସୁରକ୍ଷା ଦୃଷ୍ଟିରୁ ଏହା ଆବଶ୍ୟକ।