ବାଲେଶ୍ବର, (ବାହାନଗାରୁ ରୁଦ୍ରରଞ୍ଜନ ଶେଜପଡ଼ା): ସେଦିନ ଆଗକୁ ପାଦ ବଢ଼ାଉ ବଢ଼ାଉ ରେଳଧାରଣା କଡ଼ରେ ପଡ଼ିଥିବା ଗୋଟିଏ ପାସ୍‌ପୋର୍ଟ ଫଟୋ ଉପରେ ନଜର ପଡ଼ିଲା। ଗୋରା ତକତକ ଚେହେରା। ଝିଅଟିର ବୟସ ୪ରୁ ୫ ବର୍ଷ ହେବ। ବାହାନଗା ରେଳ ଦୁର୍ଘଟଣାରେ ସେ ମରିଛି ନା ବଞ୍ଚିଛି, କହିହେବନି। ଶତାବ୍ଦୀର ଏପରି ଏକ ବଡ଼ ରେଳ ବିପର୍ଯ୍ୟୟରେ ଜୀବନ କଣ ଜାଣି ନଥିବା ସେଇ ଝିଅଟି ପରି ସ୍ବପ୍ନପ୍ରିୟ ଅନେକ ନିଷ୍ପାପ ଶିଶୁଙ୍କର ଜୀବନ ଯାଇଛି। ଆଶାର ଗଣ୍ଠୁଲି ଧରି ଯାତ୍ରା କରୁଥିବା ଶହ ଶହ ଲୋକ ପ୍ରାଣ ହରାଇଛନ୍ତି। ଯେଉଁମାନଙ୍କ ମଧ୍ୟରୁ ଅନେକଙ୍କ ଶବ ଜୁଇରେ ଜଳିସାରିଲାଣି। ହେଲେ ସେମାନଙ୍କର ସ୍ବପ୍ନ ଓ ଆଶାସିକ୍ତ ଆତ୍ମା ସବୁ ଏବେ ବି ଯେମିତି ରେଳଧାରଣା କଡ଼ରେ ପଡ଼ି ଛଟପଟ ହେଉଛନ୍ତି!

Advertisment

publive-image

ସମୟ ୨ ତାରିଖ ସଂଧ୍ୟା ୭ଟା ପାଖାପାଖି। ମାଡ଼ିଆସିଥିଲା କାଳରୂପୀ କରମଣ୍ଡଳ ଏକ୍ସପ୍ରେସ୍‌। ନିମିଷକ ମଧ୍ୟରେ ଘଟିଗଲା ଅଘଟଣ। ଦୁର୍ଘଟଣା‌ରେ ୨୮୮ ଜଣଙ୍କର ଜୀବନ ଗଲା ଓ ୧୧୭୫ ଜଣରୁ ଅଧିକ ଆହତ ହେଲେ। ଜୀବନର ଆଦ୍ୟ ପାହାଚରେ ପାଦ ଥାପିଥିବା ସ୍ବପ୍ନବିଳାସୀ କୁନି କୁନି ପିଲାମାନେ ଅବେଳରେ ଶୋଇଗଲେ ସବୁଦିନ ପାଇଁ। ଆପଣାର ସନ୍ତାନଙ୍କୁ ସାହା ହେବାର ବିଶ୍ବାସ ଦେଇଥିବ‌ା ବାପାମାଆ ଠକିଦେଲେ। ଜନ୍ମଦାତାଙ୍କ ଋଣ ଶୁଝିବାକୁ ପଣ କରିଥିବା ପୁଅଝିଅମାନେ ଶବ ହୋଇଗଲେ। ସାତଜନ୍ମ ସାଙ୍ଗରେ ରହିବାର ପ୍ରତିଶ୍ରୁତି ଦେଇଥିବା ସ୍ବାମୀ ସ୍ତ୍ରୀକୁ ପର କରି ଆରପାରିକୁ ଚାଲିଗଲା। ବିପଦଆପଦରେ ସାହା ହେବ ବୋଲି କହୁଥିବା ଭାଇ ତାର ଭଉଣୀକୁ ଭଣ୍ଡେଇ ଦେଲା। ..ଏମିତି ଅନେକ ସଂପର୍କ ସେଦିନ ଦୁର୍ଘଟଣାରେ ଟ୍ରେନ୍‌ ଡବା ସହ ଭାଙ୍ଗିରୁଜି ଚୂରମାର ହୋଇଗଲା। ଚିହ୍ନଟ ପରେ ଶବ ସବୁ ଜୁଇରେ ସିନା ଜଳିଯାଇଛି, ହେଲେ ମୃତକଙ୍କର ସ୍ବପ୍ନ ଓ ଆଶାସିକ୍ତ ଆତ୍ମା ସବୁ ସେମାନେ ଛାଡ଼ିଯାଇଥିବା ସନ୍ତକ ଭିତରେ ଏବେ ବି ଯେମିତି ରେଳଧାରଣା କଡ଼ରେ ପଡ଼ି ଛଟପଟ ହେଉଛନ୍ତି। କାଥାବାର୍ତ୍ତା ବେଳେ ଛଳଛଳ ଆଖିରେ ଏମିତି ଭାବପୂର୍ଣ୍ଣ କେଇଟା ବାକ୍ୟ କହିଥିଲେ ଆହତ ବ୍ୟକ୍ତିଙ୍କ ଚିକିତ୍ସା କରିଥିବା ବାହାନଗା ବଜାର ପାଥୋଲାବ୍‌ ଟେକ୍‌ନିସିଆନ୍‌ ହିମାଂଶୁ ଶେଖର ପଣ୍ଡା। ଯାହାଙ୍କର ମର୍ମଭେଦୀ କଥା ମନକୁ ସନ୍ତୁଳି ପକାଇଥିଲା।

publive-image

ସତ‌ରେ.. ଶିଶୁଟିଏ ସ୍ବପ୍ନ ଦେଖିଥିଲା, ପାଠ ପଢ଼ି ଡାକ୍ତର କି ଇଂଜିନିୟର ହେବ। ପକ୍ଷୀ ପରି ଉଡ଼ି ଆକାଶକୁ ଛୁଇଁବ। ହେଲେ ସେ ସ୍ବପ୍ନ ଅଧୁରା ରହିଯାଇଛି। ଏ, ବି, ସି, ଡି... ଶିଖୁଥିବା ତାର ରଫ୍‌ଖାତାର ପୃଷ୍ଠା ସବୁ ଏଣେତେଣେ ବିଛାଡ଼ି ହୋଇପଡ଼ିଛି। ପୁଅ ପାଇଁ ବାପା ସଞ୍ଚିଥିବା‌ ହଜାର ହଜାର ଟଙ୍କା ଏବେ ବାଲେଶ୍ବର ଆର୍‌ପିଏଫ୍‌ ପାଖରେ ଥିଲେ ବି ଖୁଚୁରାତକ ରକ୍ତମାଖି ଘଟଣାସ୍ଥଳରେ ପଡ଼ିଛି। ବାପାମାଆଙ୍କ ସାହା ହେବାକୁ ଚାକିରି ଆଶା ବାନ୍ଧିଥିବା ଯୁବକଯୁବତୀଙ୍କ ସାର୍ଟିଫିକେଟ୍‌ ଆଉ ପରିଚୟପତ୍ର ଟୁକୁରା ଟୁକୁରା ହୋଇ ପବନରେ ଉଡୁଛି। ସ୍ବାମୀ ତାର ପତ୍ନୀ ପାଇଁ ସରାଗରେ ନେଉଥିବା ଶାଢ଼ି ଚିରି ହୋଇ ଗଛମୂଳେ ଆଉ ଟ୍ରେନ୍‌ ଡବା ତଳେ ପଡ଼ିରହିଛି। ଭଉଣୀ କିଣିଥିବ‌ା ବ୍ରେସ୍‌ଲେଟ୍‌ ଭାଇ ପାଖରେ ପହଞ୍ଚି ପାରି ନଥିବା ବେଳେ ରେଳବାଇ ପୁଲିସ ପାଖରେ ଜମା ରହିଛି। ତେବେ କେହି ଦାବିଦାର ଆସିଲେ ପ୍ରମାଣ ଦେଖାଇ ମୃତକଙ୍କ ଜିନିଷପତ୍ର ନେଇପାରିବେ ବୋଲି କହିଛନ୍ତି ସର୍ଚ୍ଚ ଅପରେସନ୍‌ରେ ସାମିଲ ଥିବା ଖଇରା ତହସିଲଦାର ପ୍ରଶାନ୍ତ କୁମାର ମହାରଣା।

ଦୁର୍ଘଟଣାସ୍ଥଳରେ ତଦନ୍ତ ପାଇଁ ଆସିଥିବା ସିବିଆଇ ଏବଂ ରେଳବାଇ ଅଧିକାରୀଙ୍କଠାରୁ ଆରମ୍ଭ କରି ଅନ୍ୟ ବିଭାଗୀୟ ଅଧିକାରୀ, ଟ୍ରେନ୍‌ ଲାଇନ୍‌ ମରାମତି କାମରେ ଲାଗିଥିବା ବୈଷୟିକ କର୍ମଚାରୀ, ଶ୍ରମିକ, ଗଣମାଧ୍ୟମ ପ୍ରତିନିଧି ଓ ସ୍ଥାନୀୟ ଲୋକଙ୍କ ଭିଡ଼ ଜମିଥିଲା। ଖୁବ୍‌ କୋଳାହଳ ଥିଲା। ହେ‌ଲେ ତା ଭିତରେ ମଧ୍ୟ ଶୁଭୁଥିଲା ସେ ରଫ୍‌ଖାତା, ଖୁଚୁରା ପଇସା, ସାର୍ଟିଫିକେଟ୍, ପରିଚୟପତ୍ର, ଚିରା ଶାଢ଼ି ଓ ବ୍ରେସ୍‌ଲେଟ୍‌; ସବୁ ଯେମିତି କହୁଥାନ୍ତି ଆମକୁ ମୁକ୍ତି ଦରକାର.. ଆମକୁ ମୁକ୍ତି ଦରକାର..।