କଟକ : ବାହାନଗା ଟ୍ରେନ୍ ଦୁର୍ଘଟଣାକୁ ସପ୍ତାହେ ବିତି ଯାଇଛି। ହେଲେ, ଏବେ ବି ଆହତମାନେ ସେହି ଛାତିଥରା ଅନୁଭୂତିରୁ ମୁକୁଳି ପାରୁନାହାନ୍ତି। ଏସ୍ସିବି ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଅନେକ ରୋଗୀ ବେଡ୍ ଉପରେ ଶୋଇରହି ହଠାତ୍ ଚିତ୍କାର ଛାଡୁଛନ୍ତି। ବଞ୍ଚାଅ.... ବଞ୍ଚାଅ ବୋଲି ପାଟି କରି ଡାକୁଛନ୍ତି। ଏଭଳି ସ୍ଥିତିରେ ଏବେ ୪୦ରୁ ଅଧିକ ଆହତ ଅଛନ୍ତି। ଟ୍ରମା ସ୍ଥିତିରେ ଥିବା ଏଭଳି ରୋଗୀଙ୍କୁ କିପରି ମାନସିକସ୍ତରରେ ଦୃଢ଼ କରାଯିବ ଓ ଚାପମୁକ୍ତ ରଖାଯିବ ସେଥିପାଇଁ ମାନସିକ ବିଭାଗ ପକ୍ଷରୁ କାଉନସେଲିଙ୍ଗ କରାଯାଉଛି। ବର୍ତ୍ତମାନ ସୁଦ୍ଧା ମାନସିକ ବିଭାଗ ପକ୍ଷରୁ ଶହେ ଆହତ ଓ ସେମାନଙ୍କ ପରିବାର ସଦସ୍ୟଙ୍କୁ କାଉନସେଲିଙ୍ଗ କଲେଣି ମନସ୍ତତ୍ବବିତ୍ ଓ ସେମାନଙ୍କର ସହଯୋଗୀ ସାମାଜିକ କର୍ମୀ। ବର୍ତ୍ତମାନ ପ୍ରତିଦିନ ଏଭଳି କାଉନସେଲିଙ୍ଗ କରାଯାଉଛି।
କଟକ ବଡ଼ଡାକ୍ତରଖାନାରେ ଏବେ ୧୦୫ଜଣ ଆହତ ଚିକିତ୍ସିତ ହେଉଥିବାବେଳେ ସେଥିରୁ ଆଇସିୟୁରେ ୨୦ଜଣ ରହିଛନ୍ତି। ଆଜି ୬ଜଣଙ୍କୁ ଡିସ୍ଚାର୍ଜ କରାଯାଇଛି। କିଛି ଗୁରୁତର ଆହତଙ୍କ ସ୍ବାସ୍ଥ୍ୟାବସ୍ଥାରେ ଉନ୍ନତି ଆସୁଛି। ବର୍ତ୍ତମାନ ଯେଉଁମାନେ ଚିକିତ୍ସିତ ହେଉଛନ୍ତି, ସେମାନଙ୍କ ମଧ୍ୟରୁ ୩ ଜଣ ​ସଂପୂର୍ଣ୍ଣ ଭାବେ ଗୋଡ଼ ହରାଇଛନ୍ତି। ଅନେକଙ୍କର ଦୁଇଟି ଯାକ ଗୋଡ଼ ଭାଙ୍ଗିଛି। କେତେଜଣଙ୍କର ମେରୁଦଣ୍ଡ ଭାଙ୍ଗିଛି। ଅନେକ ଆହତଙ୍କ ମାନସିକସ୍ଥିତିରେ ସନ୍ତୁଳନ ଆସିପାରୁନି। ଅନେକ କଥା ସେମାନେ ଭୁଲି ଯାଉଛନ୍ତି। ୨/୩ଜଣ ରୋଗୀଙ୍କ ପରିବାର ଲୋକ ଏବେ ସେମାନଙ୍କ ପାଖରେ ଥିଲେ ବି ସେମାନେ ସେକଥାକୁ ବିଶ୍ବାସକୁ ନେଇପାରୁ ନାହାନ୍ତି।
ସେମାନଙ୍କ ମଧ୍ୟରୁ କୋଲକାତାରୁ ଚେନ୍ନାଇ କାମ ପାଇଁ ଯାଇଥିବା ଜଣେ ଆହତଙ୍କ ଗୋଡ ଓ ହାତ ଭାଙ୍ଗିଛି। ଖବରପାଇ ପରିବାରବର୍ଗ ପ୍ରଥମେ ବାଲେଶ୍ବର, ଭଦ୍ରକ ହସ୍ପିଟାଲରେ ତାଙ୍କୁ ଖୋଜିଥିଲେ। ସେଠାରେ ତାଙ୍କୁ ନପାଇ ଏସ୍ସିବି ଆସି ପାଇଥିଲେ। ଉକ୍ତ ୨୨/୨୩ ବର୍ଷର ଯୁବକ ଜଣକ ବେଡ୍ ଉପରେ ଶୋଉନାହାନ୍ତି। ଆଖି ବନ୍ଦ କଲେ, ତାଙ୍କ ମନ ଭିତରକୁ ସେଦିନର ଘଟଣା ସବୁ ଚାଲିଆସୁଛି। କେମିତି ସେ ଟ୍ରେନ୍ ସିଟ୍ ତଳେ ୩ଘଣ୍ଟା ଧରି ଚାପି ହୋଇ ରହିଥିଲେ। ବଞ୍ଚାଇବା ପାଇଁ ପାଟି କରୁଥିଲେ, ତାଙ୍କୁ ସେଠାରୁ ଉଦ୍ଧାର କରି ଆଣିବା ସମୟରେ ଅନେକ ମୁଣ୍ଡ ନଥିବା ମୃତଦେହ ପଡ଼ିଥିଲା। ଏସବୁ କଥାକୁ ସେ ଭୁଲି ପାରୁ ନାହାନ୍ତି। ସବୁଠୁ ଅଧିକ ଗୁରୁତ୍ବପୂର୍ଣ୍ଣ ହେଲା, ଏକାଠି କାମ ପାଇଁ ଯାଉଥିଲେ ଦୁଇ ସାଙ୍ଗ। ହେଲେ, ସାଙ୍ଗର ମୃତ୍ୟୁ ହୋଇଥିବାବେଳେ ସେ ବଂଚିଯାଇଛନ୍ତି। ଏଭଳି ରୋଗୀଙ୍କୁ ଏବେ ବାରମ୍ବାର କାଉନସେଲିଂ କରିବାକୁ ପଡିବ। ପରିବାର ଲୋକଙ୍କ ସହିତ ଆହତଙ୍କୁ ଏକାଠି ରଖି କାଉନସେଲିଂ କରାଯାଉଛୁ ବୋଲି ସୂଚନା ଦେଇଛନ୍ତି କ୍ଲିନିକାଲ ସାଇକୋଲୋଜି ବିଭାଗର ଆସୋସିଏଟ୍ ପ୍ରଫେସର ଡାକ୍ତର ଯଶୋବନ୍ତ ମହାପାତ୍ର।
ଅନ୍ୟପଟେ ଏସ୍ସିବି ପକ୍ଷରୁ ଯେଉଁଭଳିଭାବେ କାଜୁଆଲିଟିଠାରୁ ଆରମ୍ଭ କରି ୱାର୍ଡ ସ୍ଥାନାନ୍ତରଣ ପର୍ଯ୍ୟନ୍ତ ବ୍ୟବସ୍ଥିତଭାବେ ଟିମ୍ ୱାର୍କ ଯୋଗୁଁ ସଫଳ ଚିକିତ୍ସା ସମ୍ଭବ ହେଲା, ତାହାର ସମୀକ୍ଷା ପାଇଁ ନିଷ୍ପତ୍ତି ନିଆଯାଇଛି। ପରିଚାଳନାରେ କେଉଁଠି ତ୍ରୁଟି ରହିଲା, କଣ କରାଯାଇଥିଲେ ଆହୁରି ବ୍ୟବସ୍ଥିତ ହୋଇଥାନ୍ତା, ବ୍ୟବସ୍ଥାର କଣ ପରିବର୍ତ୍ତନ ଜରୁରୀ, ତାହାର ସମୀକ୍ଷା କରାଯିବ ବୋଲି ଅଧୀକ୍ଷକ ପ୍ରଫେସର ଡାକ୍ତର ସୁଧାଂଶୁ ଶେଖର ଷଡଙ୍ଗୀ ସୂଚନା ଦେଇଛନ୍ତି।