ବାହାନଗା ଟ୍ରେନ୍‌ ଦୁର୍ଘଟଣା: କରମଣ୍ଡଳରେ ବ୍ରହ୍ମପୁର ଆସୁଥିଲେ ୨୯

ବ୍ରହ୍ମପୁରରୁ ଯଶୋବନ୍ତପୁର-ହାଓଡ଼ାରେ ଯାଇଛନ୍ତି ୨୬

ବ୍ରହ୍ମପୁର: ବାଲେଶ୍ବର ଜିଲ୍ଲା ବାହାନଗା ଷ୍ଟେସନ୍‌ ନିକଟରେ ଶୁକ୍ରବାର ଘଟିଥିବା ଟ୍ରେନ୍‌ ଦୁର୍ଘଟଣାରେ ବହୁ ଲୋକଙ୍କ ମୃତ୍ୟୁ ଘଟିଛି। ଦୁର୍ଘଟଣାଗ୍ରସ୍ତ ଦୁଇଟି ଟ୍ରେନ୍‌ରେ ବ୍ରହ୍ମପୁର ତଥା ଗଞ୍ଜାମ ଜିଲ୍ଲାର ବହୁ ଯାତ୍ରୀ ଥିଲେ। ଯାତ୍ରୀ ତଥା ତାଙ୍କର ସମ୍ପର୍କୀୟଙ୍କୁ ସୂଚନା ପ୍ରଦାନ କରିବା ପାଇଁ ବ୍ରହ୍ମପୁର ରେଳ ଷ୍ଟେସନ୍‌ରେ ଏକ ହେଲ୍ପଡେସ୍କ୍‌ ଖୋଲାଯାଇଛି। ହାୱଡ଼ା ଯାଇଥିବା ଯାତ୍ରୀ ଓ ବ୍ରହ୍ମପୁର ଆସିବାକୁ ଥିବା ଯାତ୍ରୀଙ୍କ ସମ୍ପର୍କରେ ତାଙ୍କର ସମ୍ପର୍କୀୟ ସଂଧ୍ୟା ସୁଦ୍ଧା କୌଣସି ପ୍ରକାର ଖବର ନେବାକୁ ଆସି ନାହାନ୍ତି। କେବଳ ବାତିଲ ହୋଇଥିବା ଟ୍ରେନ୍‌ ସମ୍ପର୍କରେ ପଚାରି ବୁଝିଛନ୍ତି।

ବ୍ରହ୍ମପୁର ଷ୍ଟେସନ୍‌ରେ ଶୁକ୍ରବାର ଅପରାହ୍ନ ପ୍ରାୟ ୧ଟା ୧୨ମିନିଟ୍‌ରେ ଯଶୋବନ୍ତପୁର-ହାୱଡ଼ା ଟ୍ରେନ୍‌ ଛାଡ଼ିଥିଲା। ଏହି ଟ୍ରେନ୍‌ରେ ବ୍ରହ୍ମପୁର ଷ୍ଟେସନ୍‌ରୁ ଭୁବନେଶ୍ବର, ଯାଜପୁର ଓ ହାୱଡ଼ା ଯିବା ପାଇଁ ଯାତ୍ରୀ ଚଢ଼ିଥିଲେ। ବ୍ରହ୍ମପୁର ଷ୍ଟେସନ୍‌ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଏହି ଟ୍ରେନ୍‌ରେ ମୋଟ ୨୬ଜଣ ଯାତ୍ରୀ ହାୱଡ଼ା ଯିବା ପାଇଁ ସ୍ଲିପର୍‌ ଓ ଏସି କୋଚରେ ବର୍ଥ ବୁକିଂ କରିଥିଲେ। ସେହିପରି ସାଧାରଣ ବଗିରେ ମଧ୍ୟ କିଛି ଯାତ୍ରୀ ଯାଇଛନ୍ତି। ଅନ୍ୟପଟେ ଶୁକ୍ରବାର ହାୱଡ଼ା ପଟୁ ଆସୁଥିବା କରମଣ୍ଡଳ ସୁପର୍‌ଫାଷ୍ଟ ଏକ୍ସପ୍ରେସ୍‌ରେ ହାୱଡ଼ାରୁ ବ୍ରହ୍ମପୁର ପର୍ଯ୍ୟନ୍ତ ମୋଟ ୨୯ଜଣ ଯାତ୍ରୀ ସ୍ଲିପର୍‌ ଓ ଏସିରେ ଟିକଟ କରିଥିବା ସୂଚନା ମିଳିଛି। କିନ୍ତୁ ସଂଧ୍ୟାରେ ବାହାନଗା ‌ରେଳ ଷ୍ଟେସନ୍‌ ନିକଟରେ ଏହି ଦୁଇଟି ଟ୍ରେନ୍‌ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ୟଶବନ୍ତପୁର ଟ୍ରେନ୍‌ରେ ଯାଉଥିବା ଯାତ୍ରୀ ହାୱାଡ଼ା ଅଭିମୁଖେ ଯାଉଥିବାରୁ ସେମାନେ ବାହାନଗାରୁ ତାଙ୍କର ଗସ୍ତବ୍ୟସ୍ଥଳକୁ ଯାଇଥିବା କୁହାଯାଉଛି। କିନ୍ତୁ କରମଣ୍ଡଳରେ ଥିବା ୨୯ଜଣ ଯାତ୍ରୀଙ୍କ ସମ୍ପର୍କରେ ରେଳ ଷ୍ଟେସନ୍‌ ହେଲପ୍‌ ଡେସ୍କରେ କୌଣସି ସୂଚନା ନାହିଁ। କରମଣ୍ଡଳରେ ବ୍ରହ୍ମପୁର ସହରର ଆସୁଥିବା ଏକ ପରିବାରର ୩ଜଣ ସଦସ୍ୟ ସୁରକ୍ଷିତ ଅବସ୍ଥାରେ ବାହାନଗାରୁ ଭୁବନେଶ୍ବର ଆସି ବ୍ରହ୍ମପୁରକୁ ବସ୍‌ରେ ଫେରିଛନ୍ତି। ଅନ୍ୟପଟେ କରମଣ୍ଡଳ ଏକ୍ସପ୍ରେସ୍‌ ଥିବା ସୁରକ୍ଷିତ ଯାତ୍ରୀଙ୍କୁ ତାଙ୍କର ଗନ୍ତବ୍ୟସ୍ଥଳରେ ପହଞ୍ଚାଇବା ପାଇଁ ଶନିବାର ସକାଳେ ଭୁବନେଶ୍ବରରୁ ଚେନ୍ନାଇ ଅଭିମୁଖେ ଏକ ସ୍ବତନ୍ତ୍ର ଟ୍ରେନ୍‌ ବାହାରିଥିଲା। ଏହି ଟ୍ରେନ୍‌ ବ୍ରହ୍ମପୁର ଷ୍ଟେସନ୍‌ରେ ମଧ୍ୟ ରହିଥିଲା। କିନ୍ତୁ ସେଥିରୁ ଜଣେ ହେଲି ବି ଯାତ୍ରୀ ଓହ୍ଲାଇ ନଥିଲେ।

ଅନ୍ୟପଟେ ଗତକାଲି ସଂଧ୍ୟାରେ ଦୁର୍ଘଟଣା ଘଟିଥିବା ବେଳେ ସୁରକ୍ଷିତ ଥିବା ଯାତ୍ରୀଙ୍କୁ ପର୍ଯ୍ୟାୟ କ୍ରମେ ଭୁବନେଶ୍ବର ସ୍ଥାନାନ୍ତର କରାଯାଇଥିଲା। ତେବେ ଗତରାତି ବ୍ରହ୍ମପୁରର ସୁରକ୍ଷିତ ଥିବା ଯାତ୍ରୀମାନେ ଅନ୍ୟ ଟ୍ରେନ୍‌ରେ ବ୍ରହ୍ମପୁର ଆସିଥିବା ନେଇ ମଧ୍ୟ କୁହାଯାଉଛି। ଏହା ସହିତ ବ୍ୟକ୍ତିଗତ ଭାବେ ଗାଡ଼ି ଭଡ଼ା କରି ମଧ୍ୟ ନିଜ ଘରକୁ ଫେରିଥାଇ ପାରନ୍ତି ବୋଲି ଅନୁମାନ କରାଯାଉଛି।

ସମ୍ବନ୍ଧିତ ଖବର