ଭୁବନେଶ୍ୱର: ବାହାନଗା ଟ୍ରେନ୍ ଦୁର୍ଘଟଣାରେ ଆହତ ହୋଇ ଶତାଧିକ ଲୋକ ଭୁବନେଶ୍ବରର ବିଭିନ୍ନ ହସ୍ପିଟାଲ୍ରେ ଚିକିତ୍ସିତ ହେଉଥିବା ବେଳେ ଶତାଧିକ ମୃତଦେହ ମଧ୍ୟ ବିଭିନ୍ନ ଶବ ସଂରକ୍ଷଣ ଗୃହରେ ରଖାଯାଇଛି। ମୃତକ ଓ ଆହତଙ୍କ ପରିଜନମାନଙ୍କୁ ଏ ବାବଦରେ ସୂଚନା ଦେବା ସହ ସାହାଯ୍ୟ କରିବାକୁ ବିଏମ୍ସି ୨୪ ଘଣ୍ଟା ପ୍ରସ୍ତୁତ ରହିଛି। ୧୯୨୯ ହେଲ୍ପଲାଇନ୍ ନମ୍ବର ୨୪ ଘଣ୍ଟିଆ କାମ କରୁଥିବା ବେଳେ ଏହି ନମ୍ବରକୁ ‘ନାସନାଲ ଲେଭେଲ୍ ଡାଏଲିଂ ଫାସିଲିଟି’ ସୁବିଧା କରାଯାଇଛି। ୧୯୨୯ ସହ ଅନ୍ୟ ଏକ ଟୋଲ୍-ଫ୍ରି’ ନମ୍ବର ୧୮୦୦୩୪୫୦୦୬୧କୁ ମଧ୍ୟ ଦେଶର ଯେକୌଣସି ସ୍ଥାନରୁ ମାଗଣାରେ ଡାଏଲ୍ କରିହେବ। ଫଳରେ ସମ୍ପର୍କୀୟମାନେ ଅନ୍ୟ ରାଜ୍ୟରେ ଥାଇ ବିଏମ୍ସି ସହ ଯୋଗାଯୋଗ କରି ଆହତ ଓ ମୃତକଙ୍କ ବାବଦରେ ତଥ୍ୟ ସଂଗ୍ରହ କରିପାରିବେ। ତାମିଲନାଡୁ ଯୁବ ଓ କ୍ରୀଡ଼ା ବିକାଶ ମନ୍ତ୍ରୀ ଉଦୟନିଧି ଷ୍ଟାଲିନ ଓ ପରିବହନ ମନ୍ତ୍ରୀ ଏସ୍ଏସ୍ ଶିବଶଙ୍କର, ଆନ୍ଧ୍ରପ୍ରଦେଶର ଶିଳ୍ପ ଓ ଆଇଟି ମନ୍ତ୍ରୀ ଜି. ଅମରନାଥଙ୍କ ସମେତ ଏକ ଉଚ୍ଚସ୍ତରୀୟ ଦଳ ବିଏମ୍ସିର ଏହି ନିୟନ୍ତ୍ରଣ କକ୍ଷ ପରିଦର୍ଶନ କରି ବେଶ୍ ପ୍ରଶଂସା କରିବା ସହ ଉତ୍ତମ ଆଚରଣ ଉପରେ ଗୁରୁତ୍ବ ଦେବାକୁ ପରାମର୍ଶ ଦେଇଛନ୍ତି।
ପ୍ରତି ହସ୍ପିଟାଲ ଦାୟିତ୍ବରେ ବରିଷ୍ଠ ଅଧିକାରୀ
ବିଏମ୍ସି ୱେବ୍ସାଇଟ୍ରେ ମୃତାହତଙ୍କ ତଥ୍ୟ
ଦେଶର ଯେ କୌଣସି ଜାଗାରୁ ଡାଏଲ କରିହେବ ୧୯୨୯
ଏହା ବ୍ୟତୀତ ବିଏମ୍ସି ନିଜ ୱେବ୍ସାଇଟ୍ (www.bmc.gov.in)ରେ ଆହତଙ୍କ ସବିଶେଷ ବିବରଣୀ ଓ ମୃତକଙ୍କ ଫଟୋ ଅପ୍ଲୋଡ୍ କରିଛି। ଫଳରେ ସମ୍ପର୍କୀୟମାନେ ଏହି ତଥ୍ୟରୁ ଚିହ୍ନଟ କରି ଭୁବନେଶ୍ବରରେ ପହଞ୍ଚିବା ପରେ ବିଏମ୍ସି ସେମାନଙ୍କୁ ସମସ୍ତ ସହଯୋଗ ଯୋଗାଇ ଦେବ। ବିଏମ୍ସି କାର୍ଯ୍ୟାଳୟ ତଥା ବିଏମ୍ସି-ଆଇସିଓଏମ୍ସି ଟାୱାରରେ ଏକ ‘ମୋ ବସ୍’ ମଧ୍ୟ ପ୍ରସ୍ତୁତ ରଖାଯାଇଛି। ସମ୍ପର୍କୀୟମାନଙ୍କୁ ବିଭିନ୍ନ ଡାକ୍ତରଖାନାକୁ ଏହି ବସ୍ ଯୋଗେ ନିଆଯିବାକୁ ଯୋଜନା ରହିଛି।
୨୪ଘଣ୍ଟିଆ ନିୟନ୍ତ୍ରଣ କକ୍ଷରେ ଓଡ଼ିଆ, ଇଂରାଜୀ ଓ ହିନ୍ଦୀ ଭାଷାରେ ସୂଚନା ପ୍ରଦାନ କରାଯାଉଛି। ଗତ ୧୨ ଘଣ୍ଟା ମଧ୍ୟରେ ୨୦୦ରୁ ଊର୍ଦ୍ଧ୍ବ କଲ୍ ଆସିଛି ଓ ସହାୟତା ପ୍ରଦାନ କରାଯାଇଛି। ଏକ ସମୟରେ ପାଞ୍ଚ ଅପରେଟର ଫୋନ୍ କଲ୍ର ଉତ୍ତର ଦେଇ ପାରୁଛନ୍ତି। ସହରର ବିଭିନ୍ନ ହସ୍ପିଟାଲ୍ରେ ୧୮୦ ଶବ ରଖାଯାଇଥିବା ବେଳେ ଶହେରୁ ଊର୍ଦ୍ଧ୍ବ ବିଭିନ୍ନ ହସ୍ପିଟାଲ୍ରେ ଚିକିତ୍ସିତ ହେଉଛନ୍ତି। ସେମାନଙ୍କୁ ଚିହ୍ନଟ କରିବାକୁ ଆସୁଥିବା ସମ୍ପର୍କୀୟଙ୍କୁ ସବିଶେଷ ସୂଚନା ପ୍ରଦାନ କରାଯାଉଛି। ଏହି ବ୍ୟବସ୍ଥାକୁ ଶୃଙ୍ଖଳିତ ତଥା ବ୍ୟବସ୍ଥିତ କରିବାକୁ ବିଏମ୍ସିର ବରିଷ୍ଠ ଅଧିକାରୀମାନେ ଦାୟିତ୍ବରେ ରହିଛନ୍ତି। ଡେପୁଟି କମିସନର ଗାୟତ୍ରୀ ସାମନ୍ତରାୟ କ୍ୟାପିଟାଲ୍ ହସ୍ପିଟାଲ୍ ସହ ସଂଯୁକ୍ତ ହୋଇଥିବା ବେଳେ ରାଜକିଶୋର ଜେନା ଏମ୍ସ, ରବିନାରାୟଣ ଜେଠୀ ସମ୍, ପୁରନ୍ଦର ନନ୍ଦ କିମ୍ସ୍, ମୃତ୍ୟୁଞ୍ଜୟ ମହାପାତ୍ର ଆମ୍ରି, ସପନ ନନ୍ଦ ହାଇଟେକ୍ ହସ୍ପିଟାଲ୍ ଓ ପଲ୍ଲବୀ ବେହେରା ଆପୋଲୋ ହସ୍ପିଟାଲ୍ ସହ ସଂଯୁକ୍ତ ରହିଛନ୍ତି। ସମ୍ପର୍କୀୟ ବିଏମ୍ସିରୁ ତଥ୍ୟ ନେଇ ହସ୍ପିଟାଲ୍ରେ ପହଞ୍ଚିବା ପରେ ଏହି ନୋଡାଲ୍ ଅଧିକାରୀମାନେ ସେଠାରେ ସମସ୍ତ ପ୍ରକାରର ସହଯୋଗ ଯୋଗାଇଦେବେ ବୋଲି କମିସନର ବିଜୟ ଅମୃତା କୁଲାଙ୍ଗେ ନିର୍ଦ୍ଦେଶ ଦେଇଛନ୍ତି। ଉଲ୍ଲେଖଯୋଗ୍ୟ, କରୋନା ସମୟରେ ଏହି ୧୯୨୯ ହେଲ୍ପଲାଇନ୍କୁ ୨୪ ଘଣ୍ଟିଆ କରାଯାଇଥିଲା। ସେତେବେଳେ ଏହି ନମ୍ବର ରୋଗୀ ଓ ସମ୍ପକୀୟଙ୍କୁ ସହାୟତା ଯୋଗାଇବାରେ ସଫଳ ହୋଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/06/୬୯.jpg)