ବାହାନଗା ଟ୍ରେନ ଦୁର୍ଘଟଣା: କୋଚ୍‌ ବଦଳାଇ ପୁଅ ପଳାଇ ଆସିଥିଲା ବାପା ମା’ଙ୍କ ପାଖକୁ

ଅଳ୍ପକେ ବର୍ତ୍ତିଲେ ପରିବାରର ୩ ସଦସ୍ୟ

ବ୍ରହ୍ମପୁର: ଟ୍ରେନ୍‌ ଦୁର୍ଘଟଣା ହେବା ପରେ ପ୍ରଚଣ୍ଡ ଶବ୍ଦ ହୋଇଥିଲା। ଟ୍ରେନ୍‌ ଜୋର୍‌ରେ ଘଷି ହେଲା ଭଳି ଲାଗିଥିଲା। କିଛି ସମୟ ପରେ ହଠାତ୍‌ ଟ୍ରେନ୍‌ ରହି ଯାଇଥିଲା। ବାହାରକୁ ଯାଇ ଦେଖିଲା ବେଳେ ଆମର ବି-୨ କୋଚ୍‌ ଟ୍ରାକ୍‌ରୁ ଓହ୍ଲାଇ ତଳକୁ ଖସି ଆସି ଛିଡ଼ା ହୋଇଥିଲା। ସୌଭାଗ୍ୟକ୍ରମେ ତାହା ଓଲଟି ନଥିଲା। ବି-୮ରେ ସିଟ୍‌ ପୂଇଥିବା ପୁଅକୁ ଆମେ ବି-୨ ଆମ ପାଖକୁ ଡାକି ଆଣିଥିଲୁ। କିନ୍ତୁ ଆମର ଆଗ ଓ ପଛରେ ଥିବା ବଗିଗୁଡ଼ିକ ସମ୍ପୂର୍ଣ୍ଣ ଓଲଟି ପଡ଼ିଥିଲା ବୋଲି କହିଛନ୍ତି ଗୋସାଇଁ ନୂଆଗାଁର ଏଜିକେଲ୍‌ ଦାସ। ଭଗବାନଙ୍କୁ କୃତଜ୍ଞତା ଜ୍ଞାପନ କରି ପତ୍ନୀ ଓ ପୁଅକୁ ଧରି ସେଠାରୁ ଆମେ ସୁରକ୍ଷିତ ଅବସ୍ଥାରେ ଘରକୁ ଫେରିଲୁ ବୋଲି କହିଛନ୍ତି ଏଜିକେଲ୍‌।

ଗୋସାଇଁ ନୂଆଗାଁ ନିବାସୀ ଏଜିକେଲ୍‌ ତାଙ୍କ ପତ୍ନୀ ସୁମିତା ଓ ପୁଅ ଜାକୋବ୍‌ଙ୍କ ସହିତ ଏକ ପାରିବାରିକ କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ଖଡ଼ଗପୁର ଯାଇଥିଲେ। ସେମାନେ ୨ତାରିଖରେ କରମଣ୍ଡଳ ଏକ୍ସପ୍ରେସ୍‌ରେ ବ୍ରହ୍ମପୁର ଅଭିମୁଖେ ବାହାରିଥିଲେ। ପୁଅର ସିଟ୍‌ ବି-୮ରେ ଥିବା ବେଳେ ଏଜିକେଲ୍‌ ଓ ତାଙ୍କ ପତ୍ନୀଙ୍କ ସିଟ୍‌ ବି-୨ରେ ଥିଲା। ପୁଅ କାହିଁକି ଏକୁଟିଆ ବସିବ ବୋଲି କହି ୩ଜଣ ଯାକ ବି-୨ କୋଚ୍‌ରେ ଚଢ଼ିଥିଲେ। ବାଲେଶ୍ବର ଷ୍ଟେସନ୍‌ରେ ଟିଟିଇଙ୍କୁ କହି ପୁଅର ସିଟ୍‌ ବି-୨କୁ ଆଣିବା ପାଇଁ ଅନୁରୋଧ କରିଥିଲେ। ହେଲେ ଟିଟିଇ ଜଣକ ବି-୮ରେ ଥିବା ଟିଟିଇଙ୍କୁ କହିବାକୁ ଏଜିକେଲ୍‌ଙ୍କୁ କହିଥିଲେ। କଟକ ଷ୍ଟେସନ୍‌ରେ ଟ୍ରେନ୍‌ ରହିବା ପରେ ଟିଟିଇଙ୍କ ପାଖକୁ ଯିବା ବୋଲି ପୁଅ ଜାକବ୍‌ କହିଥିଲେ। ସମୟ ପାଖାପାଖି ୬ଟା ୫୦ ମିନିଟ୍‌ ହେବ।

ଠିକ୍‌ ଏହାର ପ୍ରାୟ ୧୦ ମିନିଟ୍‌ ପରେ ବାହାନଗା ଷ୍ଟେସନ୍ ପାଖରେ ଟ୍ରେନ୍‌ ଦୁର୍ଘଟଣା ହେଲା ବୋଲି କହିଛନ୍ତି ଏଜିକେଲ୍‌। ପ୍ରଚଣ୍ଡ ଶବ୍ଦ ହୋଇ ଟ୍ରେନ୍‌ ଘଷି ହୋଇ ରହି ଯାଇଥିଲା। ଏଥିରେ ସମସ୍ତ ଯାତ୍ରୀ ଭୟଭୀତ ହୋଇ ଉଠିଥିଲେ। କ’ଣ ହେ‌ଲା କେହି କିଛି ଜାଣି ପାରି ନଥିଲେ। ସେପଟେ ବିଦ୍ୟୁତ ସଂଯୋଗ ମଧ୍ୟ ବିଚ୍ଛିନ୍ନ ହୋଇ ଯାଇଥିଲା। ବାହାରକୁ ଯାଇ ଦେଖିବା ବେଳେ ବି-୨ର ଆଗରେ ଓ ପଛରେ ଥିବା ଅଧିକାଂଶ କୋଚ ଓଲଟି ପଡ଼ିଥିଲା। ଚାରିଆଡ଼େ ଲୋକଙ୍କ ଚିତ୍କାର ଶୁଭୁଥିଲା। ସେ ସମୟରେ ଯେଉଁ ଦୃଶ୍ୟ ଦେଖିବାକୁ ମିଳିଲା ତାହା କହି ହେବ ନାହିଁ। ବହୁ ଯାତ୍ରୀ ରକ୍ତାକ୍ତ ଅବସ୍ଥାରେ ପଡ଼ିଥିଲେ। କିଛି ଲୋକଙ୍କ ଜୀବନ ମଧ୍ୟ ଚାଲି ଯାଇଥିଲା ଭଳି ଲାଗୁଥିଲା। ସେହି ହୃଦୟବିଦାରକ ଦୃଶ୍ୟ ଏବେ ବି ମନେ ପଡ଼ୁଛି। ଭଗବାନ ଆମର ଜୀବନ ରକ୍ଷା କରି ଦେଲେ ବୋଲି ଏଜିକେଲ୍‌ କହିଛନ୍ତି।

ସମ୍ବନ୍ଧିତ ଖବର