ବାହାନଗା ଟ୍ରେନ୍‌ ଦୁର୍ଘଟଣା ଘଟଣା: ହାତ ଭାଙ୍ଗିଥିବା ସତ୍ତ୍ବେ ସଂଜ୍ଞାହୀନ ସାଙ୍ଗକୁ ଟାଣି ଆଣିଲେ

ଧଉଳି: ବାହାନଗାରେ କରମଣ୍ଡଳ ଟ୍ରେନ୍‌ ଦୁର୍ଘଟଣାର ଏକ ଭୟଙ୍କର କାହାଣୀ ଏବେ ଧଉଳି ଥାନା ଇଟିପୁର ଗାଁରେ ବହୁଚର୍ଚ୍ଚିତ। ଦୁଇ ଗଡ଼ା ପଲଟି ମାରିଥିବା ବଗି ଭିତରେ ଭଙ୍ଗା ହାତକୁ ଖାତିର ନକରି ଜଣେ ଯୁବକ କିଭଳି ସାଙ୍ଗକୁ ଶବ ଗଦା ଭିତରୁ ସଂଜ୍ଞାହୀନ ଅବସ୍ଥାରେ ଉଦ୍ଧାର କରିଥିଲେ, ତାହାକୁ ନେଇ ସବୁଠି ଆଲୋଚନା।

ଜଗନ୍ନାଥ ପରିଡ଼ା ଓ କିଶୋର ପରିଡ଼ା ଧାନକଟା ମେସିନ୍‌ ମରାମତି କରିବାକୁ ବାଲେଶ୍ବର ବସ୍ତା ଯାଇଥିଲେ ଏବଂ ସେଦିନ କରମଣ୍ଡଳ ଏକ୍ସପ୍ରେସରେ ଦୁଇ ମେକାନିକ୍‌ ବନ୍ଧୁ ଭୁବନେଶ୍ବର ଫେରୁଥିଲେ। ବାହାନଗାରେ ହେଲା ଟ୍ରେନ୍‌ ଦୁର୍ଘଟଣା। ଦୁଇ ସାଙ୍ଗ ବସିଥିବା ବଗିଟି ୨ ଗଡ଼ା ପଲଟିମାରିଥିଲା। କିଶୋରଙ୍କ କହିବା କଥା ନିମି‌ଷେକ ଭିତରେ ଏସବୁ ଘଟିଗଲା। ବଗିଟି ସ୍ଥିର ହେବା ବେଳକୁ ସବୁଆଡ଼ ପୂରା ଅନ୍ଧାର। ତାଙ୍କ ବାମ ହାତରେ ଗଭୀର ଯନ୍ତ୍ରଣା। ସେ ବୁଝିଗଲେ ଯେ ଟ୍ରେନ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି ଏବଂ ତାଙ୍କ ହାତ ଭାଙ୍ଗିଯାଇଛି।

ବଗି ଭିତରୁ ଛାତିଫଟା ଆର୍ତ୍ତ ଚିତ୍କାର ଶୁଭୁଥାଏ। ଭଙ୍ଗା ହାତ ପ୍ରତି ନଜର ନଦେଇ ସେ ମୋବାଇଲ୍‌ ଲାଇଟ୍‌ ଜଳାଇଲେ ଏବଂ ସାଙ୍ଗ ଜଗନ୍ନାଥଙ୍କୁ ଡାକ ପକାଇଲେ। ତାଙ୍କ ଭଳି ଆଉ କିଛି ଯାତ୍ରୀ ଖଣ୍ଡିଆଖାବରା, ରକ୍ତଜୁଡ଼ୁବୁଡ଼ୁ ହୋଇ ମୋବାଇଲ୍‌ ଲାଇଟ୍‌ ଲଗାଇ ସେମାନଙ୍କ ସମ୍ପର୍କୀୟଙ୍କୁ ବଡ଼ ବିକଳ ହୋଇ ଖୋଜୁଥିଲେ। ତଳେ ଚାପି ହୋଇ ଉଠିପାରୁନଥିବା ଲୋକେ ବଡ଼ ବିକଳ ହୋଇ ବଞ୍ଚାଅ ବଞ୍ଚାଅ କହୁଥାଆନ୍ତି। ମୋବାଇଲ୍‌ ଲାଇଟ୍‌ରେ କିଶୋର ଗଦା ଗଦା ଶବ ଦେଖି ନିଜକୁ ସମ୍ଭାଳି ପାରିନଥିଲେ। ୪/୫ଟି ଶବ ତଳେ ପଡ଼ିଥିଲା ଜଗନ୍ନାଥଙ୍କ ନିସ୍ତେଜ ଶରୀର। କୋହ ସମ୍ଭାଳି ପାରିନଥିଲେ କିଶୋର। କିନ୍ତୁ ସେ ଆଶା ହରାଇ ନଥିଲେ। ଗୋଟିଏ ହାତରେ ଜଗନ୍ନାଥଙ୍କୁ କୁଣ୍ଢେଇ ଧରି ବଡ଼ କଷ୍ଟରେ ବଗିର ଡୋର୍ ପର୍ଯ୍ୟନ୍ତ ନେଇ ଆସିଥିଲେ। ସେତେବେଳେ ଜଗନ୍ନାଥଙ୍କ ଛାତି ଧଡ଼ପଡ଼ ହେଉଥିବାରୁ କିଶୋରଙ୍କ ମନବଳ ବଢ଼ିଯାଇଥିଲା। ସୌଭାଗ୍ୟକୁ ଠିକ୍‌ ସେତି‌କିବେଳେ ଉଦ୍ଧାରକାରୀ ଦଳ ପହଞ୍ଚି ଯାଇଥିଲେ। ଏବେ ଜଗନ୍ନାଥ କଟକ ବଡ଼ ମେଡିକାଲରେ ଚିକିତ୍ସାଧୀନ ଅଛନ୍ତି। କିଶୋର ଗାଁକୁ ଫେରିଛନ୍ତି।

ସମ୍ବନ୍ଧିତ ଖବର