ବାଲେଶ୍ବର: ​ବହୁଚର୍ଚ୍ଚିତ ବାହାନଗା ରେଳ ଦୁର୍ଘଟଣାକୁ ଇତିମଧ୍ୟରେ ୪ ମାସ ବିତିଯାଇଛି। ହେଲେ ଘଟଣାସ୍ଥଳରୁ ଜବତ ହୋଇଥିବା ଶତାଧିକ ବ୍ୟାଗ୍‌, ମୋବାଇଲ, ମନିପର୍ସ ଏବଂ ସୁନାଗହଣା ଆଦି ଜିନିଷପତ୍ର ବାଲେଶ୍ବର ଜିଆରପି ଥାନା ଷ୍ଟୋରରୁମ୍‌ରେ ସେମିତି ପଡ଼ିରହିଛି। ପୁଲିସ ହେପାଜତରେ ରହିଥିଲେ ମଧ୍ୟ ଏହାର ଦାବିଦାର କେହି ନଥିବାରୁ ପଡ଼ିପଡ଼ି ନଷ୍ଟ ହେଉଥିବା ଦେଖିବାକୁ ମିଳିଛି।

Advertisment

ଜିଆରପି ଥାନାରୁ ମିଳିଥିବା ସୂଚନା ଅନୁସାରେ ବାହାନଗା ରେଳ ଦୁର୍ଘଟଣା ପରେ ଉଦ୍ଧାର କାର୍ଯ୍ୟରେ ଲାଗିଥିବା ଟିମ୍‌ଗୁଡ଼ିକ ପକ୍ଷରୁ ୧୫୪ଟି ଜିନିଷପତ୍ର ଭର୍ତ୍ତି ଥିବା ବ୍ୟାଗ୍‌, ୨୫ଟି ମୋବାଇଲ ଫୋନ୍‌ ଓ ସୁନାଗହଣା ସମେତ ୪୩ ହଜାର ୮୦ ଟଙ୍କା ବାଲେଶ୍ବର ଜିଆରପି ଥାନାକୁ ହସ୍ତାନ୍ତର କରାଯାଇ ଯେଉଁମାନେ ଆବଶ୍ୟକ ପ୍ରମାଣପତ୍ର ଦେଖାଇବେ ସେମାନଙ୍କୁ ତାଙ୍କ ଜିନିଷପତ୍ର ଫେରାଯିବ ବୋଲି ସୂଚନା ଦିଆଯାଇଛି। ହେଲେ ପରବର୍ତ୍ତୀ ସମୟରେ ସବୁକିଛି ଥମିଯିବା ପରେ ବାଲେଶ୍ବର ଜିଲ୍ଲା ପ୍ରଶାସନ, ​ରେଳବିଭାଗ କିମ୍ବା ପୁଲିସ ପକ୍ଷରୁ ଏନେଇ ଏତେଟା ପ୍ରଚାରପ୍ରଚାର କରାନଯିବାରୁ ସମ୍ପୃକ୍ତ ଜିନିଷପତ୍ରଗୁଡ଼ିକର ଦାବିଦାର କେହି ଆସୁନାହାନ୍ତି। ୪ ମାସ ମଧ୍ୟରେ ୭ ଜଣ ଆସି ବ୍ୟାଗ ନେଇଥିବା ବେଳେ ୩ ଜଣ ମୋବାଇଲ ନେଇଛନ୍ତି ଏବଂ ୨ ଜଣ ବ୍ୟକ୍ତି ୯ ହଜାର ୭୦ ଟଙ୍କା ନେଇଥିବା ଜିଆରପି ପକ୍ଷରୁ ଜଣାଯାଇଛି।

ସୂଚନାଯୋଗ୍ୟ, ୨୦୨୩ ଜୁନ୍‌ ୨ ତାରିଖ ବାହାନଗା ରେଳ ଷ୍ଟେସନ ନିକଟରେ ଭୟଙ୍କର ରେଳ ଦୁର୍ଘଟଣା ଘଟିଥିଲା। ଶାଲିମାର ଚେନ୍ନାଇ କରମଣ୍ଡଳ ସୁପରଫାଷ୍ଟ ଏକ୍ସପ୍ରେସ୍‌ ବାହାନଗା ବଜାର ଷ୍ଟେସନ ଅତିକ୍ରମ କରୁଥିବା ବେଳେ କୌଣସି କାରଣବଶତଃ ଲୁପ୍‌ ଲାଇନ୍‌ରେ ଯାଇ ସେଠାରେ ଛିଡ଼ା ହୋଇଥିବା ଏକ ମାଲବାହୀ ଟ୍ରେନ୍‌କୁ ପଛରୁ ଧକ୍କା ଦେଇଥିଲା। ଫଳରେ କରମଣ୍ଡଳ ଏକ୍ସପ୍ରେସ୍‌ର ଅନେକ ବଗି ଚୁର୍‌ମାର ହୋଇ ଏଣେତେଣେ ଛିଟିକିଯିବା ସହ ଏହି ସମୟରେ ଅନ୍ୟ ଏକ ଟ୍ରାକ୍‌ରେ ବିପରୀତ ଦିଗରୁ ଆସୁଥିବା ବେଙ୍ଗାଲୁରୁ-ହାୱଡ଼ା ସୁପରଫାଷ୍ଟର ପଛଆଡ଼ୁ କିଛି ବଗିରେ ପିଟି ହୋଇଥିଲା। ଦୁଇଟି ଯାତ୍ରୀବାହୀ ଟ୍ରେନ୍‌ର ଏହି ଛାତିଥରା ଦୁର୍ଘଟଣା ୨୯୬ ଜଣଙ୍କ ମୁଣ୍ଡ ନେଇଥିବା ବେଳେ ୧୨୦୦ରୁ ଅଧିକ ଯାତ୍ରୀ ଗୁରୁତର ଆହତ ହୋଇଥିଲେ। ଏବେବି ଭୁବନେଶ୍ବର ଏମ୍‌ସରେ ଡିଏନ୍‌ଏ ମେଳ ଖାଉନଥିବାରୁ ୨୭ ଜଣ ଯାତ୍ରୀଙ୍କ ମୃତ​ଦେହ ସଂରକ୍ଷିତ ରହିଛି।