କଟକ: ବାଲେଶ୍ୱର ବାହାନଗା ରେଳ ଦୁର୍ଘଟଣାରେ ଆହତ ହୋଇ ଏସସିବିରେ ଚିକିତ୍ସାଧୀନ ଥିବା ଆଉ ଜଣଙ୍କର ମୃତ୍ୟୁ  ଘଟିଛି। ମୃତକ ହେଲେ ବିହାରର ମନୀଷ କୁମାର(୨୪)। ସେ ଗତ  ୩ ତାରିଖରେ ଏସସିବିରେ ଭର୍ତ୍ତି ହୋଇଥିଲେ। ଦୁର୍ଘଟଣାରେ ବ୍ୟାପକ ଭାବରେ ଦେହରେ କ୍ଷତ ହୋଇଥିଲା। ଦୀର୍ଘ ଦିନ ଧରି ଚିକିତ୍ସା ପରେ ଆଜି ସେ ମୃତ୍ୟବରଣ କରିଛନ୍ତି।

Advertisment

ତାଙ୍କ ବାପାଙ୍କ ନାଁ ସାଗର ରାମ। ଘର ବିହାର ରାଜ୍ୟର ଜମୁଇଠାରେ। ସେ ସେଣ୍ଟ୍ରାଲ ଆଇସିୟୁରେ ବେଡ଼ ନଂ ୧୫ରେ ଚିକିତ୍ସିତ ହେଉଥିଲେ। ଆଜି ସାଢେ ୧ଟା ସମୟରେ ତାଙ୍କର ଦେହାନ୍ତ ହୋଇଛି। ଏହାକୁ ମିଶାଇ ଏସସିବିରେ ବର୍ତ୍ତମାନ ୫ ଜଣ ଟ୍ରେନ ଟ୍ରାଜେଡିରେ ଆହତଙ୍କ ମୃତ୍ୟୁ ହୋଇଛି। ବର୍ତ୍ତମାନ ଏସସିବିରେ ମୋଟ ୨୨ଜଣ ବାହାନଗା ଟ୍ରେନ ଟ୍ରାଜେଡି ଆହତ ଚିକିତ୍ସା ହେଇଛନ୍ତି । ସେଥିମଧ୍ୟରୁ ୫ ଜଣ ଆଇସିୟୁରେ ଥିବା ବେଳେ ଅନ୍ୟ ୧୭ ଜଣ ୱାର୍ଡରେ ଚିକିତ୍ସାଧୀନ ରହିଛନ୍ତି।

ପୂର୍ବରୁ କଟକ ଏସସିବିରେ ଆଉ ଜଣେ ଆହତଙ୍କ ମୃତ୍ୟୁ ହୋଇଥିଲା। ମୃତକ ଜଣକ ୩୩ ବର୍ଷୀୟ ସୋହିମ୍ ମନସୁର୍। ତାଙ୍କର ଘର ବିହାର ରାଜ୍ୟରେ । ବାଲେଶ୍ଵର ବାହାନଗା ଟ୍ରେନ ଦୁର୍ଘଟଣା ପରେ ଚିକିତ୍ସା ପାଇଁ କଟକ ବଡ଼ ମେଡ଼ିକାଲରେ ଭର୍ତ୍ତି ହୋଇଥିଲେ। ଏହାପରେ ଅବସ୍ଥା ଶୋଚନୀୟ ହୋଇଥିବା ହେତୁ ତାଙ୍କୁ ଟ୍ରମା ଆଇସିୟୁରେ ଭର୍ତ୍ତି କରାଯାଇଥିଲା। ସୋହିମ ଆହତ ହେବା ପରେ ତାଙ୍କର ଆଭ୍ୟନ୍ତରୀଣ ରକ୍ତସ୍ରାବ ହୋଇଥିଲା। ଯାହା ଫଳରେ ତାଙ୍କର କିଡନି ଖରାପ ହୋଇଯାଇଥିଲା। ଏହାପରେ ଡାଇଲେସିସ କରାଯାଉଥିଲା। ହେଲେ ଏହା ପରେ ତାଙ୍କର ସ୍ବାସ୍ଥ୍ୟ ଅବସ୍ଥା ଖରାପ ହୋଇଯାଇଥିଲା ଯାହା ଫଳରେ ହୃଦଘାତରେ ତାଙ୍କର ମୃତ୍ୟୁ ଘଟିଥିଲା। ଏସସିବିରେ ମୃତକଙ୍କ ସଂଖ୍ୟା ୫ରେ ପହଞ୍ଚିଛି। ସୂଚନାଯୋଗ୍ୟ ବାହାନଗା ଟ୍ରେନ୍‌ ଦୁର୍ଘଟଣାରେ ଏପର୍ଯ୍ୟନ୍ତ ମୃତ୍ୟୁ ସଂଖ୍ୟା ୨୯୩କୁ ବୃଦ୍ଧି ଘଟିଛି।