ଭୁବନେଶ୍ବର : ବାହାନଗା ରେଳ ଦୁର୍ଘଟଣାରେ ମୃତକଙ୍କ ପ୍ରକୃତ ସମ୍ପର୍କୀୟ କିଏ? ଏହା ଚିହ୍ନଟ କରିବା ପାଇଁ ଯାଇଥିବା ରକ୍ତ ନମୁନାର ଡିଏନ୍ଏ ରିପୋର୍ଟ ଆସିବା ପାଇଁ ୩ ସପ୍ତାହ ଲାଗିବ। ସିବିଆଇର ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଦିଲ୍ଲୀସ୍ଥିତ ପରୀକ୍ଷାଗାରରେ ରକ୍ତ ନମୁନାର ପରୀକ୍ଷଣ କରାଯାଉଛି। ଏଥିପାଇଁ ରକ୍ତ ନମୁନା ଦେଇଥିବା ଅଧିକାଂଶ ସମ୍ପର୍କୀୟ ଘରକୁ ଫେରି ଯାଇଛନ୍ତି। ରିପୋର୍ଟ ଆସିବା ପରେ ପ୍ରଶାସନ ପକ୍ଷରୁ ସେମାନଙ୍କୁ ସୂଚନା ଦିଆଯିବ ଏବଂ ସେମାନେ ଆସି ମୃତଦେହ ନେବେ। କିନ୍ତୁ କିଛି ସମ୍ପର୍କୀୟ ବର୍ତ୍ତମାନ ମଧ୍ୟ ଭୁବନେଶ୍ବରରେ ରହି ରିପୋର୍ଟକୁ ଅପେକ୍ଷା କରିଛନ୍ତି।
ସମସ୍ତ ମରଶରୀର ଏମ୍ସ ଆସିବା ପରେ ଚିହ୍ନଟ ହେବାରେ ସମସ୍ୟା ଥିବା ଶବରୁ ଦାନ୍ତ, ନଖ, କେଶରୁ ଡିଏନ୍ଏ ସଂଗ୍ରହ କରାଯାଇଥିଲା। ଦାବିଦାର ସମ୍ପର୍କୀୟଙ୍କଠାରୁ ରକ୍ତ ନମୁନା ସଂଗ୍ରହ କରାଯାଇଛି। ଏମ୍ସର ଜଣେ ଡାକ୍ତର ବିଭିନ୍ନ ପର୍ଯ୍ୟାୟରେ ସଂଗୃହୀତ ନମୁନା ନେଇ ଦିଲ୍ଲୀ ଯାଇଛନ୍ତି। ବିଶେଷଜ୍ଞଙ୍କ ଅନୁସାରେ ଡିଏନ୍ଏ ରିପୋର୍ଟ ଆସିବାକୁ ପ୍ରାୟ ଏକ ମାସ ସମୟ ଲାଗିଥାଏ। ଡିଏନ୍ଏ ମ୍ୟାଚ୍ ରିପୋର୍ଟ ଆଣିବା ଓ ଶବ ହସ୍ତାନ୍ତର କରିବା ଏକ ଚ୍ୟାଲେଜିଂ କାର୍ଯ୍ୟ। ଏଥିରେ ପାର୍ଥିବ ଶରୀର ସହିତ ଲୋକଙ୍କ ଭାବଗତ ସମ୍ପର୍କ ଏବଂ ବଡ଼ ଅଙ୍କର କ୍ଷତିପୂରଣ ଟଙ୍କା ରହିଛି। ତେଣୁ ଭୁଲ ଲୋକଙ୍କ ପାଖକୁ ଟଙ୍କା ଚାଲିଯିବାର ଆଶଙ୍କା ରହିଛି। ସେଥିପାଇଁ ବିଭିନ୍ନ ପର୍ଯ୍ୟାୟରେ ପରୀକ୍ଷା କରାଯାଇ ରିପୋର୍ଟ ପ୍ରସ୍ତୁତ କରାଯାଉଛି। ଏହାପରେ ଠିକ ଲୋକଙ୍କୁ ଶବ ଓ କ୍ଷତିପୂରଣ ଦିଆଯିବ।
ସାଧାରଣତଃ ଶତପ୍ରତିଶତ ଡିଏନ୍ଏ ମ୍ୟାଚ୍ ପାଇଁ ଉଭୟ ମା’ ଓ ବାପାଙ୍କ ରକ୍ତ ନମୁନା ଆବଶ୍ୟକ ହୁଏ। କିନ୍ତ ଏହି କ୍ଷେତ୍ରରେ ଜଣେ ସମ୍ପର୍କୀୟଙ୍କ ରକ୍ତ ନମୁନା ନିଆଯାଇଛି। ତଥାପି ପ୍ରକୃତ ସମ୍ପର୍କୀୟଙ୍କୁ ଚିହ୍ନଟ କରିବାରେ ଅସୁବିଧା ହେବ ନାହିଁ ବୋଲି ବିଶେଷଜ୍ଞମାନେ କହିଛନ୍ତି। ନିଜ ରକ୍ତ ସମ୍ପର୍କୀୟ ନ ହୋଇ କକା, ମାମୁଁଙ୍କ ଭାଇ କିମ୍ବା ଗାଁ ସମ୍ପର୍କୀୟଙ୍କ ରକ୍ତ ନମୁନା ନିଆଯାଇଥିଲେ, ଏହା ମ୍ୟାଚ୍ ନ ହେବାର ଆଶଙ୍କା ରହିଛି।