ବାହୁଡ଼ିଲେ ଶ୍ରୀଜିଉ, ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ

କେନ୍ଦୁଝର: କେନ୍ଦୁଝରର ଆରାଧ୍ୟ ଦେବତା ଶ୍ରୀଶ୍ରୀ ବଳଦେବଜିଉଙ୍କର ପବିତ୍ର ବାହୁଡ଼ାଯାତ୍ରା ସମାରୋହରେ ସମ୍ପନ୍ନ ହୋଇଛି। ପ୍ରାୟ ଲକ୍ଷାଧିକ ଭକ୍ତଙ୍କ ସମାଗମରେ ଏହି ବାହୁଡା ଯାତ୍ରା ଶେଷ ହୋଇଛି। ଅପରାହ୍ନ ୪ଟା ୪୫ ମିନିଟ୍‌ରେ ରଥ ଟଣା ଆରମ୍ଭ ହୋଇ ସନ୍ଧ୍ୟା ୬ଟା ୨୦ରେ ଶେଷ ହୋଇଛି।

ଆଜି ଏହି ବାହୁଡା ଯାତ୍ରା ଅବସରରେ ସକାଳ ୪ଟାରୁ ଶ୍ରୀଜିଉମାନଙ୍କର ଅବକାଶ କରାଯାଇଥିଲା। ଏହାପରେ ୫ଟାରେ ଲୁଗାଲାଗି, ୯ ଘଟିକାରେ ଧୂପ,୧୦ଟାରେ ପୁଷ୍ପାଞ୍ଜଳି କାର୍ଯ୍ୟ ଅନୁଷ୍ଠିତ ହୋଇଥିଲା। ଏହାପରେ ଚକାଭିଡ଼ା କରାଯାଇ ଅପରାହ୍ଣ ୧ ଘଟିକାରେ ଶ୍ରୀଜିଉମାନଙ୍କ ପହଣ୍ଡି କାର୍ଯ୍ୟ  କରାଯାଇ ୨.୩୫ ଟାରେ ପହଣ୍ଡି ଶେଷ ହୋଇଥିଲା।  କେନ୍ଦୁଝର ରାଜାସାହେବ ଧନଞ୍ଜୟ ନାରାୟଣ ଭଞ୍ଜଦେଓ ପୁଷ୍ପାଞ୍ଜଳି ଦେବା ପରେ ଘଣ୍ଟଘଣ୍ଟା, ଖୋଳକୀର୍ତ୍ତନ ଓ ଭକ୍ତଙ୍କର ହରିବୋଲ ହୁଳହୁଳି ଧ୍ୱନି ମଧ୍ୟରେ ଧାଡ଼ି ପହଣ୍ଡି ଯୋଗେ ପ୍ରଥମେ ପ୍ରଭୁ ସୁଦର୍ଶନ ପରେ ବଳଦେବଜିଉ, ମାତା ସୁଭଦ୍ରା ଓ ଶେଷରେ ଶ୍ରୀ ଜଗନ୍ନାଥଙ୍କୁ ରଥ ଚାରିପଟେ ପ୍ରଦକ୍ଷିଣ କରିବା ପରେ ରଥାରୂଢ କରାଯାଇଥିଲା ।

ରଥ ଉପରେ ଚକାଭିଡ଼ା କାର୍ଯ୍ୟକ୍ରମ ଶେଷ ହେବାପରେ  ଛେରାପହଁରା କାର୍ଯ୍ୟ ଶେଷ ହୋଇଥିଲା। ଅପରାହ୍ଣ ୪.୪୫ରେ ରଥଟଣା ଆରମ୍ଭ ହୋଇ ଗଳଗଣ୍ଡି ନିକଟରେ ପାରମ୍ପରିକ ଭୋଗନୀତି ପାଇଁ ଅଟକି ରହିଥିଲା। ସେହିପରି ବଡ଼ଦାଣ୍ଡ ମଧ୍ୟସ୍ଥଳରେ  ଶ୍ରୀଜିଉମାନଙ୍କୁ ପୋଡ଼ପିଠା ଲାଗି କରାଯିବା ପରେ ରଥଟଣା ପୁନଶ୍ଚ ଆରମ୍ଭ ହୋଇ ଶ୍ରୀମନ୍ଦିର ନିକଟକୁ ଯାଇଥିଲା।  ବାହୁଡାଯାତ୍ରାରେ ଶ୍ରୀଗୁଣ୍ଡିଚା ମନ୍ଦିରରୁ ବଡ଼ଦେଉଳକୁ ରାସ୍ତା ଗଡ଼ାଣିଆ ଥିବାରୁ ରଥକୁ ଶୃଙ୍ଖଳିତ ଭାବରେ ଟାଣିବା ପାଇଁ ପୁଲିସ, ସ୍ୱେଚ୍ଛାସେବୀ, ସେବାୟତ ଓ ରଥ ମହାରଣାଙ୍କୁ ବେଶ ସତର୍କତା ଅବଲମ୍ବନ କରିବାକୁ ପଡ଼ିଥିଲା।  ସନ୍ଧ୍ୟା ୬ଟା ୨୦ ମିନିଟ୍‌ରେ ବଳଦେବଜିଉଙ୍କ ମନ୍ଦିର ନିକଟରେ ପହଞ୍ଚିଥିଲା ବିଶ୍ବର ବଡ଼ରଥ। ଜିଲ୍ଲା ଓ ଜିଲ୍ଲା ବାହାରୁ  ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା।

ଘୁଙ୍ଗୁରୁ କ୍ଲବଠାରେ ଜିଲ୍ଲା ସୂଚନା ଓ ଲୋକସଂପର୍କ ବିଭାଗ ତରଫରୁ ପ୍ରତ୍ୟକ୍ଷଦର୍ଶୀ ଧାରା ବିବରଣୀ ପ୍ରଦାନ କରାଯାଇଥିଲା। ସୂଚନା ଓ ଲୋକ ସଂପର୍କ ବିଭାଗର ଉପ ନିର୍ଦ୍ଦେଶକ  ସଞ୍ଜୀବ ବାରିକଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ କେବୁଲ ଟିଭି ଓ ମାଇକ୍ ଯୋଗେ ପ୍ରତ୍ୟକ୍ଷଦର୍ଶୀ ଧାରା ବିବରଣୀ ପ୍ରଦାନ କରାଯାଇଥିଲା । ଇଲେଭେନ୍ ବୁଲେଟ୍ କ୍ଲବ୍‌ ପକ୍ଷରୁ ଭକ୍ତମାନଙ୍କୁ ମାଗଣା ପ୍ରସାଦ ବିତରଣ କରାଯାଇଥିବାବେଳେ ବଡ଼ଦାଣ୍ଡରେ ୟଙ୍ଗ୍‌ ଜିନିଅସ କ୍ଲବ ପକ୍ଷରୁ ପ୍ରସାଦ ବଣ୍ଟନ କରାଯାଇଥିଲା। ରଥ ବେଂଚ, ଶ୍ରୀ ଗୋପାଳଜିଉ ମଠ ଓ ଅନ୍ୟ ସମାଜସେବା  ଅନୁଷ୍ଠାନଙ୍କ ଦ୍ୱାରା ବିଭିନ୍ନ ସେବାମୂଳକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ରାଜପୁରୋହିତ ପ୍ରସନ୍ନ କୁମାର ନନ୍ଦ, ବ୍ରହ୍ମା ଗଙ୍ଗାଧର ମିଶ୍ର, ବଡ଼ପଣ୍ଡା ରାଜକିଶୋର ପଣ୍ଡା, ବରିଷ୍ଠ ପୂଜାପଣ୍ଡା ସୁବ୍ରତ କୁମାର ତ୍ରିପାଠୀ, ସୁଜିତ କୁମାର ଦାଶ, ଜଗନ୍ନାଥ ପତି, ଈଶ୍ୱର ତ୍ରିପାଠୀ, ପଦ୍ମନାଭ ନନ୍ଦ, ସିଦ୍ଧେଶ୍ୱର ମିଶ୍ରଙ୍କ ସମେତ ପୂଜାପଣ୍ଡା, ସୁଆର, ଖୁଣ୍ଟିଆ ସେବକମାନେ ସେବା ଯୋଗାଇଥିଲେ।  ବିଭିନ୍ନ ସ୍ଥାନରୁ ଆସିଥିବା ପହଣ୍ଡିଆ ସେବକଙ୍କ ଦ୍ୱାରା ପହଣ୍ଡି କାର୍ଯ୍ୟ ସମାପନ ହୋଇଥିଲା । ରଥଟଣା ସମୟରେ ଉପସ୍ଥିତ ଥିଲେ।

ରଥଟଣାକୁ ସୂଚାରୁରୂପେ ସମ୍ପାଦନ ପାଇଁ ଜିଲ୍ଲାପାଳ ଆଶିଷ ଠାକରେ,ଏସପି ମିତ୍ରଭାନୁ ମହାପାତ୍ର, ଅତିରିକ୍ତ ଜିଳ୍ଲାପାଳ ଯଦୁମଣି ମହଲା, ଉପଜିଲ୍ଲାପାଳ ତଥା ଦେବୋତ୍ତରର ନିର୍ବାହୀ ଅଧିକାରୀ ରାମଚନ୍ଦ୍ର କିସ୍କୁ, ଅତିରିକ୍ତ ଏସପି ବିରଞ୍ଚି ପ୍ରସାଦ ଦେହୁରୀ, ସଦର ଏସଡିପିଓ ପ୍ରକାଶ ଜେମସ୍ ଟୋପୋ, ଡିଏସପି ସୁରେଶ କୁମାର ପାତ୍ର, କେନ୍ଦୁଝରଗଡ ପୌରପାଳିକାର ଅଧ୍ୟକ୍ଷା ନିକୁ ସାହୁ, କାଉନସିଲର ଶରତ ସାହୁ, ନିହାର ଦାସ, ପଙ୍କଜ ଦ୍ୱିବେଦୀ, ନିର୍ବାହୀ ଅଧିକାରୀ ମଧୁସ୍କିତା ସାମନ୍ତରାୟ, ସଦର ତହସିଲନାର ଆଶିଷ ମହାପାତ୍ର, ଟାଉନ ଥାନା ଇନ୍ସପେକ୍ଟର ପ୍ରମୋଦିନୀ ସାହୁଙ୍କ ସମେତ ବରିଷ୍ଠ ପୋଲିସ  ଓ ମାଜିଷ୍ଟ୍ରେଟ, ରାସ୍ତା ଓ ଗୃହ ନିର୍ମାଣ ବିଭାଗର ଅଧିକ୍ଷଣ ଯନ୍ତ୍ରୀ ଇଂ ସନ୍ତୋଷ କୁମାର ବେହେରା ପ୍ରମୁଖ ଉପସ୍ଥିତ ଥିଲେ।  ଆଧ୍ୟତ୍ମିକ ଅନୁଷ୍ଠାନ ଜ୍ଞାନମଣ୍ଡଳର ମୁଖପତ୍ର ତାଳଧ୍ୱଜକୁ ଅତିରିକ୍ତ ଜିଳ୍ଲାପାଳ ଓ ଉପଜିଲ୍ଲାପାଳ ଉନ୍ମୋଚନ କରିଥିଲେ। ଦେବାଶିଷ ମିଶ୍ର ରଥଟଣା ପରିଚାଳନା କରିଥିଲେ । ରଥ ପହଞ୍ଚିବା ପରେ ମା’ ଲକ୍ଷ୍ମୀ ରଥ ପରିକ୍ରମା କରି ଅଳତି କରିଥିଲେ ।

ସମ୍ବନ୍ଧିତ ଖବର