ବାହୁଡ଼ିଲେ ସାଆନ୍ତେ

ପୁରୀ : ସରିଛି ମହାପ୍ରଭୁଙ୍କ ଜନ୍ମବେଦି ଲୀଳାଖେଳା। ନଅ ଦିନର ରହଣି ପରେ ଭାଇ ଭଉଣୀଙ୍କୁ ସାଥିରେ ନେଇ ରତ୍ନବେଦି ଅଭିମୁଖେ ବାହୁଡ଼ିଛନ୍ତି କାଳିଆ ସାଆନ୍ତ। ମହାପ୍ରଭୁଙ୍କ ମାନବୀୟ ଲୀଳାଖେଳାର ଏହି ଅପୂର୍ବ ଦୃଶ୍ୟ ଦେଖିବାକୁ ଆଜି ଇନ୍ଦ୍ର ଓ ସୂର୍ଯ୍ୟ ବି ଯେମିତି ପ୍ରତିଯୋଗିତା କରୁଥିଲେ। କେତେବେଳେ ଇନ୍ଦ୍ରଦେବ ବରଷା ରୂପରେ ଆସି ଭକ୍ତ ଓ ବଡ଼ଦାଣ୍ଡକୁ ଭିଜେଇ ଦେଇ ଦର୍ଶନ କରିଦେଇ ଯାଉଥିଲେ ‌ତ କେତେବେଳେ ସୂର୍ଯ୍ୟ ମେଘମାଳା ମଧ୍ୟରୁ ଉଙ୍କି ମାରି ମହାପ୍ରଭୁଙ୍କୁ ଦର୍ଶନ କରି ଭକ୍ତଙ୍କ ଓଦା ସଡ଼ସଡ଼ ଦେହକୁ ଶୁଖେଇ ଦେଉଥିଲେ। ଖରା ବର୍ଷାର ଦାଉ ମଧ୍ୟରେ ଭକ୍ତ ହାର୍‌ ମାନିନଥିଲେ। ଭକ୍ତି ଆଗରେ ସବୁ ତୁଚ୍ଛ ପଡ଼ିଯାଇଥିଲା। ଆଶାବାଡ଼ିକୁ ଆଶ୍ରା କରିଥିବା ବୁଢ଼ି ମାଉସୀ ହେଉ ବାଟ ଚାଲିବାକୁ ସକ୍ଷମ ନଥିବା ଦିବ୍ୟାଙ୍ଗ, ସଭିଏଁ ଯେମିତି ମହାପ୍ରଭୁଙ୍କୁ ରଥ ଉପରେ ଦେଖିବାର ଲୋଭ ସମ୍ଭରଣ କରିପାରିନଥିଲେ। କେଉଁଠି ଭକ୍ତଟିଏ ଆଖି ବୁଜି ପ୍ରାର୍ଥନା ବାଢ଼ୁଥିଲା ତ କିଏ ଦୀପଟିଏ ଲଗାଇ କିଛି ଅଭିମାନ ଢାଳିବା ବେଳେ ତା ଆଖିରୁ ଅଶ୍ରୁଧାର ନିଗିଡ଼ି ଆସୁଥିଲା। ଦୁଇବର୍ଷ ପରେ ଭାବ ବିହ୍ବଳ ଭକ୍ତ ଓ ଭକ୍ତ ବିନୋଦିଆ କଳା ଠାକୁରଙ୍କ ମଧ୍ୟରେ ରଥ ଉପରେ ଦେଖା ସାକ୍ଷାତର ଏହି ବିରଳ ଦୃଶ୍ୟ ଲକ୍ଷଲକ୍ଷ ଭକ୍ତଙ୍କୁ ଚମତ୍କୃତ କରୁଥିଲା।

ବୁଢ଼ି ମା’ଙ୍କୁ କାନ୍ଧରେ ବାହିନେଲେ ସେବକ
ପୁଅ ମୋତେ ଟିକେ କାଳିଆର ଦର୍ଶନ କରେଇ ଦେବୁ..। ବୁଢ଼ି ମା’ଙ୍କ ପାଟିରୁ କଥା ପଦକ ବାହାରିବା ମାତ୍ରେ ସେଇ ସ୍ଥାନରେ ଛିଡ଼ା ହୋଇଥିବା ଛତାର ସେବାୟତ ସଙ୍ଗେସଙ୍ଗେ ବୁଢ଼ି ମା’ଙ୍କୁ ହାତରେ ତୋଳି ଧରି ନେଇଯାଇଥିଲେ ଦର୍ଶନ କରାଇବାକୁ। ମହାପ୍ରଭୁଙ୍କୁ ଦର୍ଶନ କରିବା ପରେ ବୁଢ଼ି ମା’ଙ୍କ ଆଖି ଲୁହ ଛଳଛଳ ହୋଇଯାଇଥିଲା। ବୁଢ଼ି ମା’ଙ୍କ କହିବା ମୁତାବକ, ସେ ବହୁ ବର୍ଷ ହେଲା ମହାପ୍ରଭୁଙ୍କ ଦର୍ଶନ ପାଇଁ ଆସୁଛନ୍ତି। ଯଦିଓ ସେ ଚାଲିବାକୁ ବାଡ଼ି ସାହାରା, କିନ୍ତୁ ରଥଯାତ୍ରା ଆସିଲେ ସେ ନିଜକୁ ଅଟକାଇ ପାରନ୍ତି ନାହିଁ। ଦର୍ଶନ ପାଇଁ ଚାଲି ଆସନ୍ତି। ତେବେ ‌ମହାପ୍ରଭୁ ବୋଧେ ତାଙ୍କ ଦୁଃଖ ବୁଝି ପାରିଥିଲେ। ସଂଯୋଗକୁ ନିଜର ଲୁଗା ଖସି ଯାଇଥିବାରୁ ଛତାର ସେବକ ଦୁର୍ଗାମାଧବ ପଣ୍ଡା ତାଙ୍କ ପିନ୍ଧା ଲୁଗା ସଜାଡ଼ିବାକୁ ଆସିଥିବା ବେଳେ ବୁଢ଼ି ମା’ ଜଣକ ମନ କଥା ଖୋଲି କହିଦେଇଥିଲେ। କହିବା ମାତ୍ରେ ବିନା କୌଣସି ପ୍ରଶ୍ନରେ ଦୁର୍ଗାମାଧବ ବୁଢ଼ି ମା’ଙ୍କୁ ନେଇ ମହାପ୍ରଭୁଙ୍କ ଦର୍ଶନ କରାଇ ଦେଇଥିଲେ। ଦୁର୍ଗା କହିଛନ୍ତି, ଏ ସବୁ ମହାପ୍ରଭୁଙ୍କ ଲୀଳା। ମୁଁ ବୋଧହୁଏ କେବଳ ଏକ ମାଧ୍ୟମ ଥିଲି ବୋଲି ସେ କହିଛନ୍ତି।

ରାସ୍ତାସାରା ଜଳନ୍ତା ଦୀପ, ମାଡ଼ିଦେଲେ ଭକ୍ତ
ମହାପ୍ରଭୁଙ୍କୁ ଦର୍ଶନ ପାଇଁ ଆସୁଥିବା ଭକ୍ତମାନେ ଦୀପ ଜାଳି ଗୁହାରି ବାଢ଼ିବା ସ୍ବାଭାବିକ କଥା, କିନ୍ତୁ ରାସ୍ତା ଉପରେ ଭକ୍ତଙ୍କ ଯାତାୟାତ ବାଟରେ ଦୀପ ଜଳାଯାଉଥିବାରୁ ଏହା ଭକ୍ତଙ୍କୁ ଅସୁବିଧାରେ ପକାଇଛି। ଗୁରୁତ୍ବପୂର୍ଣ୍ଣ କଥା ହେଲା ରଥ ଗଡ଼ିବା ପରେ ଦୀପ ବିକାଳିମାନେ ଦୀପ ଜଳୁଥିବା ସ୍ଥାନ ଛାଡ଼ି ପଳାଇବା ପରେ ସେଇ ରାସ୍ତାରେ ରଥ ଟାଣିବା ପାଇଁ ଭକ୍ତଙ୍କ ସମାଗମ ଯୋଗୁ ଅନେକ ଦୀପ ଉପରେ ଚଢ଼ି ଯାଉଥିବା ଦେଖିବାକୁ ମିଳିଥିଲା। ବିଶେଷକରି କିଛି ଭକ୍ତ ଖାଲି ପାଦରେ ରଥ ଦଉଡ଼ି ଛୁଇଁବାକୁ ଯାଉଥିବା ବେଳେ ମଧ୍ୟ ଏହି ସମସ୍ୟା ଭୋଗିଛନ୍ତ।

ଶୌଚାଳୟ ପାଇଁ ପୁଣି କଲବଲ
ପୂର୍ବ ଅଭିଜ୍ଞତାରୁ ମଧ୍ୟ ପ୍ରଶାସନ ଚେତିଲା ନାହିଁ। ରଥଯାତ୍ରା‌ରେ ଲକ୍ଷାଧିକ ଭକ୍ତ ‌ଶୌଚାଳୟ ପାଇଁ କଲବଲ ହୋଇଥିଲେ ହେଁ ଅସ୍ଥାୟୀ ଶୌଚାଳୟଟିଏ ସ୍ଥାପନ କରାଗଲା ନାହିଁ। ତେଣୁ ଅନ୍ତତଃ ଏହି ଭୁଲ୍‌ରୁ ପ୍ରଶାସନର ‌ନିଦ ଭାଙ୍ଗିବ ଏବଂ ବାହୁଡ଼ାରେ ଭକ୍ତଙ୍କ ପାଇଁ ବଡ଼ଦାଣ୍ଡ ରାସ୍ତା କଡ଼ରେ କିଛି ଅସ୍ଥାୟୀ ‌ଶୌଚାଳୟର ବ୍ୟବସ୍ଥା କରାଯିବ ବୋଲି ଭକ୍ତମାନେ ଭାବିଥିଲେ। ମାତ୍ର ତାହା କରାଗଲା ନାହିଁ। ଫଳରେ ବହୁ ଭକ୍ତ ପଲ୍ଲିଶ୍ରୀ ମେଳା ଭିତରେ ଥିବା ଖୋଲା ସ୍ଥାନରେ ପରିସ୍ରା କରିଥିଲେ। ତେଣୁ ମେଳାର ପ୍ରସ୍ଥାନ ପଥ ଦୁର୍ଗନ୍ଧରେ ଫାଟି ପଡ଼ୁଥିଲା। ଏହାବ୍ୟତୀତ ବଡ଼ଦାଣ୍ଡ ସଂଲଗ୍ନ ନାଳ ଓ ଖୋଲା ସ୍ଥାନକୁ ମଧ୍ୟ ଲୋକେ ଶୌଚାଳୟ ଭାବେ ବ୍ୟବହାର କରିଥିଲେ।

ଗ୍ରିନ କରିଡର କଲେନି, ଫସିଲା ଆମ୍ବୁଲାନ୍ସ
ରଥଯାତ୍ରାରେ ଗ୍ରିନ୍‌ କରିଡର ପାଇଁ ଆମ୍ବୁଲାନ୍ସ ଯାତାୟାତରେ ବାଧା ଉପୁଜିନଥିଲା। ବହୁ ସ୍ବେଚ୍ଛାସେବୀଙ୍କ ସହଯୋଗରେ ଶ୍ରୀମନ୍ଦିରଠାରୁ ‌ବଡ଼ ମେଡିକାଲ୍‌ ପର୍ଯ୍ୟନ୍ତ କିଛି ରାସ୍ତାକୁ ଗ୍ରିନ୍‌ କରିଡର କରାଯାଇଥିଲା। ଅସହ୍ୟ ଖରା ଯୋଗୁ ଶହଶହ ଲୋକେ ଚେତା ହରାଇଥିବା ବେଳେ ବହୁ ଲୋକେ ଭିଡ଼ ଭିତରେ ଶ୍ବାସରୁଦ୍ଧ ହୋଇ ଚିକିତ୍ସା ଲୋଡ଼ିଥିଲେ। ତେଣୁ ତାଙ୍କୁ ଷ୍ଟ୍ରେଚର ଯୋଗେ ଆମ୍ବୁଲାନ୍ସ ନିକଟରେ ପହଞ୍ଚାଇବା କ୍ଷଣି ମେଡିକାଲ୍‌ରେ ପହଞ୍ଚାଇବା ପାଇଁ ମାତ୍ର କେଇ ମିନିଟ୍‌ ସମୟ ଲାଗିଥିଲା। ଅଥଚ ବାହୁଡ଼ାରେ ଏହି ବ୍ୟବସ୍ଥା ଫେଲ୍‌ ମାରିଲା। ଫଳରେ ଆମ୍ବୁଲାନ୍ସଗୁଡ଼ିକ ଭକ୍ତଙ୍କ ଭିଡ଼ ଭିତରେ ଆସିବା ବେଳେ ଫସି ରହୁଥିଲା। କିଛି ବ୍ୟକ୍ତି ସ୍ବେଚ୍ଛାକୃତ ଭାବେ ବାହାରି ‌ଭକ୍ତଙ୍କ ଆଡ଼େଇବା ପରେ ଆମ୍ବୁଲାନ୍ସ ଯାତାୟାତ କରିବା ସମ୍ଭବ ହେଉଥିଲା।

ଭକ୍ତ କଲେ ଚୁଡ଼ା ଘଷା ଭୋଗ
ମହାପ୍ରଭୁ ଆଜି ରତ୍ନବେବି ଅଭିମୁଖେ ବାହୁଡ଼ାଯାତ୍ରା କରିଥିବା ବ‌େଳେ ଦୂରଦୂରାନ୍ତରରୁ ଆସିଥିବା ଭକ୍ତମାନେ ଚୁଡ଼ା ଘଷା ଭୋଗ କରି ମହାପ୍ରଭୁଙ୍କୁ ନୈବେଦ୍ୟ ଅର୍ପଣ ପରେ ଏହାକୁ ପ୍ରସାଦ ଭାବେ ନେଇ ଘରକୁ ଫେରିଛନ୍ତି। କାହିଁ କେଉଁ କାଳରୁ ବାହୁଡ଼ାରେ ଚୁଡ଼ାଘଷା ଭୋଗ କରାଯିବାର ପରମ୍ପରା ରହି ଆସିଥିବା ବ‌େଳେ ଭକ୍ତମାନେ ଆଜି ବି ଏହି ଧାରାକୁ ବଜାୟ ରଖିଛନ୍ତି। ଚୁଡ଼ା, ଗୁଡ଼/ଚିନି, ନଡ଼ିଆ, ଘିଅ, ଅଳେଇଚ, ଗୁଜୁରାତିରେ ପ୍ରସ୍ତୁତ ଏହି ମିଠା ନୈବେଦ୍ୟ ସମେତ ସିରିଣି ପ୍ରସ୍ତୁତ କରି ଭକ୍ତମାନେ ମହାପ୍ରଭୁଙ୍କୁ ଅର୍ପଣ କରିବା ପରେ ଏହାକୁ ପ୍ରସାଦ ଭାବେ ପାଇଛନ୍ତି। ଏଥିପାଇଁ ସାକ୍ଷୀଗୋପାଳ ବାସୁଦେବପୁର ସମେତ ବିଭିନ୍ନ ସ୍ଥାନରୁ ଚୁଡ଼ାଘଷା ପ୍ରସ୍ତୁତକାରୀମାନେ ଆସି ଭକ୍ତଙ୍କ ପାଇଁ ଚୁଡ଼ା ଘଷା ତିଆରି କରୁଥିଲେ। ଭକ୍ତମାନେ ଚୁଡ଼ାଘ‌ଷା ପାଇଁ ଆବଶ୍ୟକ ସାମଗ୍ରୀ ଯୋଗାଇ ଦେବା ପରେ କିଛି ପାଉଣା ନେଇ ଏହାକୁ ଚୁଡ଼ାଘଷା ପ୍ରସ୍ତୁତକାରୀମାନେ ତିଆରି କରୁଥିଲେ। ଏହି ସମୟରେ ରଥ ନାକଚଣା ଦ୍ବାର ମୁହଁରେ ଥିବାରୁ ଗୁଣ୍ଡିଚା ମନ୍ଦିର ସମ୍ମୁଖରେ ଚୁଡ଼ାଘଷା ପ୍ରସ୍ତୁତ କରାଯାଇ ସେଇଠାରେ ବ୍ରାହ୍ମଣମାନଙ୍କ ଦ୍ବାରା ରଥ‌ାରୂଢ଼ ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ‌ନୈବେଦ୍ୟ ଅର୍ପଣ କରାଯାଇଥାଏ।

ସମ୍ବନ୍ଧିତ ଖବର