ପୁରୀ: ସୋମବାର ବିଶ୍ବନିୟନ୍ତାଙ୍କ ବାହୁଡ଼ାଯାତ୍ରା। ଶ୍ରୀଗୁଣ୍ଡିଚା ମନ୍ଦିର ଜନ୍ମବେଦି ଛାଡ଼ି ଶ୍ରୀମନ୍ଦିର ବାହୁଡ଼ିବେ ମହାପ୍ରଭୁ। ଅଭିମାନିନୀ ମା’ ଲକ୍ଷ୍ମୀଙ୍କର କରିବେ ମାନଭଞ୍ଜନ। ଏଥିପାଇଁ ଆଜି ସଂଧ୍ୟାରୁ ପ୍ରସ୍ତୁତି ଆରମ୍ଭ ହୋଇଛି। ରାତି ପ୍ରାୟ ସାଢ଼େ ୯ଟାରେ ମହାପ୍ରଭୁଙ୍କ ପହୁଡ଼ ଆଳତି ପରେ ବାହୁଡ଼ା ପହଣ୍ଡି ପାଇଁ ଚତୁର୍ଦ୍ଧା ବିଗ୍ରହଙ୍କ ଶ୍ରୀମୁଖ ଖଣ୍ଡୁଆ ନୀତି ସଂପନ୍ନ ହୋଇଛି। ପରେ ବିଳମ୍ବିତ ରାତିରେ ବାହୁଟ କଣ୍ଟ, ଚାରମାଳ ବନ୍ଧା, ସେନାପଟା ଲାଗି ନୀତି ସଂପନ୍ନ ହୋଇଛି। ବାହୁଡ଼ା ପହଣ୍ଡି ପାଇଁ ତିନି ରଥରେ ବି ଚାରମାଳ ବନ୍ଧା ଶେଷ ହୋଇଛି।
ବାହୁଡ଼ା ପାଇଁ ସ୍ବତନ୍ତ୍ର ନୀତି ନିର୍ଘଣ୍ଟ ହୋଇଛି। ମଙ୍ଗଳବାର ମଧ୍ୟାହ୍ନ ୧୨ଟାରେ ପହଣ୍ଡି ଆରମ୍ଭ ହେବ। ସାଢ଼େ ୨ଟା ସୁଦ୍ଧା ପହଣ୍ଡି ଶେଷ ପରେ ଅପରାହ୍ଣ ୪ଟାରେ ରଥ ଟଣା ଆରମ୍ଭ ହେବ ବୋଲି ନୀତି ନିର୍ଘଣ୍ଟ ହୋଇଛି। ତଥାପି ନୀତି ନିର୍ଘଣ୍ଟର ବହୁ ପୂର୍ବରୁ ପହଣ୍ଡି ଓ ରଥଟଣା ଆରମ୍ଭ କରିବାକୁ ଶ୍ରୀମନ୍ଦିର ପ୍ରଶାସନ ଯୋଜନା କରୁଛି। ସେହି ଅନୁସାରେ ସେବାୟତଙ୍କ ସହ ପ୍ରଶାସନିକ ଅଧିକାରୀଙ୍କ ଆଲୋଚନା ଶେଷ ହୋଇଛି। ନୀତି ସଅଳ ସରିଲେ ସକାଳ ସାଢ଼େ ୭ଟାରୁ ପହଣ୍ଡି ଆରମ୍ଭ କରିବାକୁ ଲକ୍ଷ୍ୟ ରଖାଯାଇଛି। ସେହି ଅନୁସାରେ ସଅଳ ପହଣ୍ଡି ସାରି ରଥ ଟାଣିବାକୁ ଲକ୍ଷ୍ୟ ରଖାଯାଇଛି। ସେପଟେ ବାହୁଡ଼ା ପହଣ୍ଡି ପାଇଁ ଆଜି ରାତିରେ କୋଠ ସୁଆଁସିଆମାନେ ଶ୍ରୀଗୁଣ୍ଡିଚା ମନ୍ଦିରକୁ ପ୍ରବେଶ କରିଛନ୍ତି। ବିଳମ୍ବିତ ରାତିରେ ଆଡ଼ପମଣ୍ଡପରେ ଚାରବନ୍ଧା ନୀତି ଶେଷ ପୂର୍ବକ ବାହୁଡ଼ାଯାତ୍ରାର କ୍ଷେତ୍ର ପ୍ରସ୍ତୁତ ହୋଇଛି। ପରେ ଦଇତାପତିମାନେ ସେନାପଟା ଲାଗି ପାଇଁ ପ୍ରବେଶ କରିଛନ୍ତି। ବାହୁଡ଼ା ଯାତ୍ରା ପାଇଁ ନିର୍ଘଣ୍ଟ ନୀତି ଅନୁଯାୟୀ, ସୋମବାର ଭୋର ୪ଟାରେ ମଙ୍ଗଳ ଆଳତି ପରେ ଅନ୍ୟାନ୍ୟ ନୀତି ବଢ଼ି ୫ଟା ୪୫ରୁ ୬ଟା ୪୫ ଭିତରେ ଗୋପାଳବଲ୍ଲଭ ଓ ସକାଳଧୂପ(ଖେଚୁଡ଼ି ଭୋଗ) ନୀତି ସଂପନ୍ନ ହେବ।
ମଧ୍ୟାହ୍ନ ୧୨ଟାରୁ ଅପରାହ୍ଣ ସାଢ଼େ ୨ଟା ଭିତରେ ବାହୁଡ଼ା ପହଣ୍ଡି ଶେଷ ପରେ ସାଢ଼େ ୨ଟାରୁ ସାଢ଼େ ୩ଟା ଭିତରେ ଛେରାପହଁରା ନୀତି ଅନୁଷ୍ଠିତ ହେବ। ଅପରାହ୍ଣ ୩ଟାରୁ ୪ଟା ଭିତରେ ଚାରମାଳ ଫିଟିବା ଓ ଘୋଡ଼ାଲାଗି କାର୍ଯ୍ୟ ସଂପନ୍ନ ହେବ। ଅପରାହ୍ଣ ୪ଟାରେ ରଥଟଣା ଆରମ୍ଭ ହେବ। ସୂଚନାଯୋଗ୍ୟ, ବାହୁଡ଼ା ଯାତ୍ରା ଶେଷ ପରେ ଜୁଲାଇ ୧୭ ତାରିଖରେ ସୁନାବେଶ, ୧୮ରେ ଅଧରପଣା ଓ ୧୯ରେ ନୀଳାଦ୍ରି ବିଜେ ନୀତି ଅନୁଷ୍ଠିତ ହେବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/06/rathayatra-202254545.jpg)