୯ ଦିବସୀୟ ଯାତ୍ରା ଶେଷ କରି ଫେରିଲେ ପ୍ରଭୁ ସିଂହଦ୍ୱାର ସମ୍ମୁଖରେ ତାଳଧ୍ୱଜ-ଦର୍ପଦଳନ-ନନ୍ଦିଘୋଷ 

ପୁରୀ: ନଅ ଦିବସୀୟ ଯାତ୍ରା ଶେଷ କରି ଶ୍ରୀଜିଉମାନେ ଫେରିଛନ୍ତି । ପ୍ରଭୁ ବଳଭଦ୍ର, ଦେବୀ ସୁଭଦ୍ରା ଓ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥ ଯଥାକ୍ରମେ ସିଂହଦ୍ୱାର ସମ୍ମୁଖରେ ପହଂଚିଛି । ପ୍ରଥମେ ବଳଭଦ୍ର ତାଳଧ୍ୱଜରେ ସିଂହଦ୍ୱାର ସମ୍ମୁଖରେ ପହଂଚିଥିଲେ । ଦ୍ୱିତୀୟରେ ଦେବୀ ସୁଭଦ୍ରାଙ୍କ ରଥ ଦର୍ପଦଳନ ପହଂଚିଥିଲା । ଶେଷରେ କାଳିଆ ଠାକୁର  ନନ୍ଦିଘୋଷରେ ସିଂହଦ୍ୱାର ସମ୍ମୁଖରେ ପହଂଚିଥିଲେ । ତିନିଟ ରଥ ସିଂହଦ୍ୱାର ସମ୍ମୁଖରେ ଲାଗିଲା ପରେ ଶତାଧିକ ସେବାୟତ ଗୀତଗୋବିନ୍ଦ ଏକସ୍ୱରରେ ଗାନ କରିଛନ୍ତି ।

ସୂଚନାଯୋଗ୍ୟ, ଆଜି ବାହୁଡ଼ା ଯାତ୍ରା ଅବସରରେ ଭୋର ୪ଟାରେ ମହାପ୍ରଭୁଙ୍କୁ ମଙ୍ଗଳ ଆଳତି କରାଯାଇଥିଲା । ୪ଟା ୧୫ରେ ମଇଲମ, ୪ଟା ୩୦ରେ ତଡ଼ପ ଲାଗି ଏବଂ ରୋଷହୋମ, ୫ଟାରେ ଅବକାଶ, ୫ଟା ୧୫ରେ ସୂର୍ଯ୍ୟପୂଜା, ୫ଟା ୩୦ରେ ଦ୍ୱାରପାଳ ପୂଜା ଓ ବେଶ ଶେଷ କରାଯାଇଥିଲା ।

ତେବେ ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା ନୀତି ଆଜି ନିର୍ଦ୍ଧାରିତ ସମୟ ପୂର୍ବରୁ ଅନୁଷ୍ଠିତ ହୋଇପାରିଥିବାରୁ ରଥଟଣା କାର୍ଯ୍ୟ ପୂର୍ବାହ୍ନ ୧୧ଟାରୁ ଆରମ୍ଭ ହୋଇଥିଲା । ଶ୍ରୀମନ୍ଦିର କାର୍ଯ୍ୟସୂଚୀ ଅନୁସାରେ ରଥଟଣା କାର୍ଯ୍ୟ ୪ଟାରେ ହେବାର ଥିଲା ।

ସମ୍ବନ୍ଧିତ ଖବର