ବାହୁଡ଼ା ଯାତ୍ରା ଶେଷ: ସିଂହଦ୍ୱାର ସମ୍ମୁଖରେ ତାଳଧ୍ୱଜ-ଦର୍ପଦଳନ-ନନ୍ଦିଘୋଷ, ଆସନ୍ତାକାଲି ସୁନାବେଶ

ପୁରୀ: ଶ୍ରୀମନ୍ଦିରର ସିଂହଦ୍ୱାର ସମ୍ମୁଖରେ ପ୍ରଭୁ ବଳଭଦ୍ରଙ୍କ ତାଳଧ୍ୱଜ, ଦେବୀ ସୁଭଦ୍ରାଙ୍କର ଦର୍ପଦଳନ ଓ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ପହଂଚିବା ପରେ ପବିତ୍ର ବାହୁଡ଼ା ଯାତ୍ରା ଶେଷ ହୋଇଛି। ଶ୍ରୀଜିଉମାନେ ୯ ଦିନର ଲୀଳାଖେଳା ସାରି ଜନ୍ମବେଦୀରୁ ବାହୁଡି ଆସିଛନ୍ତି। ଆଜି ଅପରାହ୍ନ ୪ଟା ୩୫ ସୁଦ୍ଧା ତିନିଠାକୁରଙ୍କ ରଥ ସିଂହଦ୍ୱାର ସାମ୍ନାରେ ପହଞ୍ଚିଛି।

ବାହୁଡ଼ା ଯାତ୍ରା ଅବସରରେ ଆଜି ପ୍ରଥମେ ପ୍ରଭୁ ବଳଦେବଙ୍କ ତାଳଧ୍ୱଜ ରଥକୁ ପୂର୍ବାହ୍ନ ୧୧ଟା ୨୫ରେ ଟଣା ଯାଇଥିଲା। ଦର୍ପଦଳନ ଗଡ଼ିବା ପରେ ଅପରାହ୍ନ ୧ଟା ୨୧ରେ ନନ୍ଦିଘୋଷ ରଥ ଶ୍ରୀମନ୍ଦିର ଅଭିମୁଖେ ଗଡ଼ିଥିଲା। ମହାପ୍ରଭୁ ଶ୍ରୀଜଗନ୍ନାଥ ଭାଇ ଭଉଣୀଙ୍କୁ ସାଙ୍ଗରେ ଧରି ଗୁଣ୍ଡିଚା ଘରୁ ବଡଦେଉଳ ଅଭିମୁଖେ ଫେରିଆସିଛନ୍ତି।

ଶ୍ରୀମନ୍ଦିର ସମ୍ମୁଖକୁ  ଜଗତର ନାଥ ଶ୍ରୀଜଗନ୍ନାଥ ନନ୍ଦିଘୋଷରେ ଗହଳ ଲଗାଇ ଆସିଥିବାରୁ ବଡ଼ ଭାଇ ଓ ଭଉଣୀ ପହଂଚିବାର ପ୍ରାୟ ୧ ଘଣ୍ଟା ପରେ ପହଂଚିଥିଲେ। ସିଂହଦ୍ବାରରେ ନିର୍ଦ୍ଧାରିତ ସମୟରେ ପହଂଚିବା ପୂର୍ବରୁ ଶ୍ରୀନଅରଠାରେ ଲକ୍ଷ୍ମୀନାରାୟଣଙ୍କ ଭେଟ ହୋଇଥିଲା। ଶ୍ରୀନଅରଠାରୁ ନନ୍ଦିଘୋଷ ରଥ ଅପରାହ୍ନ ୪ଟାରେ ପହଞ୍ଚିବା ପରେ ପ୍ରାୟ ୨୦ ମିନିଟ ଯାଏଁ ଶ୍ରୀଲକ୍ଷ୍ମୀନାରାୟଣ ଭେଟ ନୀତି ଅନୁଷ୍ଠିତ ହୋଇଥିଲା।

କୋଭିଡ-୧୯ ଗାଇଡଲାଇନକୁ ଦୃଷ୍ଟିରେ ରଖି ଆସନ୍ତାକାଲି ଶ୍ରୀଜିଉମାନଙ୍କର ରଥ ଉପରେ ସୁନାବେଶ ହେବ। ବଳଭଦ୍ର, ସୁଭଦ୍ରା ଓ ଜଗନ୍ନାଥ ଭକ୍ତଙ୍କୁ ସୁନାବେଶରେ ଦର୍ଶନ ଦେବେ। ଶ୍ରୀଜିଉମାନଙ୍କର ବହୁ ପ୍ରତୀକ୍ଷିତ ରଥ ଉପରେ ସୁନାବେଶ ଅପରାହ୍‌ଣ ୪ଟାରୁ ଆରମ୍ଭ ହୋଇ ରାତି ୧୧ଟା ଯାଏଁ ଜାରି ରହିବ। ଶୁକ୍ରବାର ଅଧରପଣା ନୀତି ସଂପନ୍ନ ହେବ ଏବଂ ଆସନ୍ତା ଆସନ୍ତା ୪ ତାରିଖରେ ନୀଳାଦ୍ରିବିଜେ ଦିନ ମହାବାହୁ ରତ୍ନବେଦୀକୁ ବିଜେ କରିବେ।

ସୂଚନାଯୋଗ୍ୟ ପବିତ୍ର ବାହୁଡ଼ା ଯାତ୍ରା ଅବସରରେ ଆଜି ପୂର୍ବାହ୍ନ ୮ଟାରେ ଶ୍ରୀଗୁଣ୍ଡିଚା ମନ୍ଦିର ପରିସରରୁ ଶରଧାବାଲିରେ ଦଣ୍ଡାୟମାନ ତିନି ରଥ ଉପରକୁ ଶ୍ରୀଜିଉମାନଙ୍କୁ ପହଣ୍ଡି ବିଜେ କରାଯାଇଥିଲା। ତିନି ଠାକୁରଙ୍କର ପହଣ୍ଡି ଶେଷ ହେବା ପରେ ସେମାନଙ୍କୁ ରଥାରୁଢ କରାଯାଇଥିଲା। ଏହା ପରେ ରଥଟଣା କାର୍ଯ୍ୟ ଆରମ୍ଭ କରାଯାଇଥିଲା।

ସମ୍ବନ୍ଧିତ ଖବର